ମହମ୍ମଦ ଇସ୍ମାଇଲ
‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍। ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା।
କର୍ମ ଭଗବାନଙ୍କ ସୃଷ୍ଟି। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ବାସୁଦେବ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି- ତୁମେ କର୍ମ କର। ତା’ର ଫଳ ଆଶା ଛାଡ଼, ଧର୍ମରକ୍ଷା ହେଉଛି ତୁମର କର୍ମ। ନିଜର ସ୍ୱାର୍ଥ ଛାଡ଼ି ମାନବ ଜାତି ପାଇଁ – ସମାଜ ମଙ୍ଗଳ ପାଇଁ କର୍ମ କର। ମନୁଷ୍ୟକୁ ଭଲପାଅ। ସମସ୍ତଙ୍କୁ ସୁଖଶାନ୍ତି ସ୍ୱଚ୍ଛ ନିରାମୟ ଜୀବନ ଯାପନ ଦେବା ପାଇଁ କର୍ମ କର, ସମାଜ ଓ ଜୀବନର ମଙ୍ଗଳ ପାଇଁ କର୍ମ କରାଗଲେ ସେଥିରେ ଆଶା ରହେନାହିଁ। ଅହଂକାର ଦୂର ହୁଏ। ଏହା ହିଁ ଭଗବାନଙ୍କ ବାସ୍ତବିକ ନିର୍ଦ୍ଦେଶ ଏବଂ ଭଗବାନ ମଧ୍ୟ ଏଥିରେ ସନ୍ତୁଷ୍ଟ ହୁଅନ୍ତି।
ରାଜ୍ୟ ତଥା ଦେଶର ଗର୍ବ ଓ ଗୌରବ ରୁଚି ମସଲା ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ ଜଣେ ସଚ୍ଚା କର୍ମଯୋଗୀ। ପ୍ରଥମେ ଆମ ରାଜ୍ୟ ଓଡ଼ିଶାରେ ଗୁଣ୍ଡ ମସଲାର ପ୍ରଚଳନ ନଥିଲା। ଓଡ଼ିଆଣୀମାନେ ଅଧିକ ପରିଶ୍ରମ କରି ହଳଦୀ, ଲଙ୍କା ଆଦି ଶୀଳଚକିରେ ବାଟି ବ୍ୟବହାର କରୁଥିଲେ। ଏଥିରେ ବହୁତ ପରିଶ୍ରମ ଓ ସମୟ ଦେବାକୁ ପଡ଼ୁଥିଲା। ସର୍ବପ୍ରଥମେ ଶରତ ବାବୁ ହିଁ ହଳଦୀ, ଲଙ୍କା, ଜିରା, ଧନିଆ ଆଦି ଗୁଣ୍ଡକରି ପ୍ୟାକେଟରେ ଲୋକଙ୍କ ପାଖକୁ ପଠାଇଲେ। ଏଥିରେ ଗୃହିଣୀମାନେ ସନ୍ତୁଷ୍ଟ ହେଲେ ଏବଂ ତାଙ୍କର ବହୁ ପରିଶ୍ରମ ଲାଘବ ହେଲା। ରୁଚି ମସଲା ପ୍ରତି ଲୋକଙ୍କ ଆଗ୍ରହ ଦେଖି ଶରତ ବାବୁ ଉତ୍ସାହିତ ହେଲେ ଏବଂ ସ୍ୱାସ୍ଥ୍ୟପ୍ରଦ ଅଧିକ ମସଲା, ସିମାଇ, ପାସ୍ତା ଆଦି ଜୈବିକ ଖାଦ୍ୟ ଓ ପାନୀୟ ପ୍ରସ୍ତୁତ କରିବାକୁ ଲାଗିଲେ। ଜନ ସମାଜ ରୁଚିର ରୁଚିରେ ମୋହିତ ହୋଇଛନ୍ତି ଏବଂ ସର୍ବଦା ରହିଥିଲେ ମଧ୍ୟ।
ଯେତେଦୂର ମୋର ମନେପଡ଼ୁଛି ଶରତ ୧୯୬୧ରେ ଆମ ବୋର୍ଡ ସ୍କୁଲକୁ ପଢ଼ିବା ପାଇଁ ଆସିଲେ। ତାଙ୍କ ସହିତ ଆଲାମ, ବିନୟ ମହାପାତ୍ର, ପଞ୍ଚାନନ କାନୁନଗୋ, ତୁଳସୀ ପଟ୍ଟନାୟକ ଆଦି ଛାତ୍ରଛାତ୍ରୀମାନେ ପଢ଼ୁଥିଲେ। ଅଷ୍ଟମ କି ନବମ ଶ୍ରେଣୀ ଯାଏ ପଢ଼ି ତାଙ୍କ ଘର ପାଖ (ତେଲିସାହି) ରାଣୀହାଟ ହାଇସ୍କୁଲ ଗଲେ ଏବଂ ସେଠାରୁ ୧୯୬୭ରେ ମାଟ୍ରିକ ପରୀକ୍ଷାରେ ସଫଳତା ଲାଭ କରି ଖ୍ରୀଷ୍ଟ ମହାବିଦ୍ୟାଳୟରେ ପଢ଼ିଲେ। ମହାବିଦ୍ୟାଳୟର ପଢ଼ା ସାରି ମ୍ୟାନେଜମେଣ୍ଟ ପଢ଼ିଲେ, ମ୍ୟାନେଜମେଣ୍ଟ ପରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ହୋଟେଲ ବ୍ୟବସାୟରେ ଯୋଗ ଦେଲେ।
୧୯୬୦ ମସିହାର କଥା, ମୁଁ ବୋର୍ଡ ସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ ଯୋଗ ଦେଇଥିଲି। ସେତେବେଳେ ରାଣୀହାଟ ହିନ୍ଦ୍ ସିନେମା କଡ଼ରେ ‘ବନା ହୋଟେଲ’ ନାମରେ ଗୋଟିଏ ଛୋଟ ହୋଟେଲ ଥିଲା। ସେ ହୋଟେଲଟି ସୁସ୍ୱାଦୁ ମଟନ ଚାମ୍ପ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। କଟକର ବହୁ ଲୋକ ମଟନ ଚାମ୍ପ ଖାଇବା ପାଇଁ ସେଠାରେ ଭିଡ଼ ଜମାଉଥିଲେ। ସେ ହୋଟେଲ ମାଲିକ ଥିଲେ ଦିବଂଗତ ବନମାଳୀ ସାହୁ। ଶରତ ସାହୁଙ୍କ ବାପା। ବାପାଙ୍କ ସହ ହୋଟେଲ ବ୍ୟବସାୟ କରିବା ସମୟରେ ସେ ବାପାଙ୍କଠାରୁ ଗ୍ରହଣ କରିଥିଲେ କଠୋର ପରିଶ୍ରମ ଓ କାର୍ଯ୍ୟଦକ୍ଷତା, ଏହା ସହିତ ପରିଷ୍କାର ପରିଚ୍ଛନ୍ନତା, ନିଷ୍ଠା, ସାଧୁତା, ନିଃସ୍ୱାର୍ଥପରତା ଆଦି ସଦ୍ଗୁଣ ଗ୍ରହଣ କରିଥିଲେ। ବାପାଙ୍କଠାରୁ ପାଇଥିବା ଏହିସବୁ ସଦ୍ଗୁଣ ଶୁଦ୍ଧତା, ସାଧୁତା, ନିଷ୍ଠା, କଠୋର ପରିଶ୍ରମ ବର୍ତ୍ତମାନ ସୁଦ୍ଧା ବଜାଇ ରଖିଛନ୍ତି। ବ୍ୟବସାୟରେ ନିଜ ଓ ନିଜ ପରିବାରର ସ୍ୱାର୍ଥ ଚିନ୍ତା ନ କରି ସମାଜ ମଙ୍ଗଳ ଓ ମାନବ ସମାଜର ମଙ୍ଗଳ ପାଇଁ ଦୃଷ୍ଟି ଦେଇଛନ୍ତି ଏଣୁ ତାଙ୍କ ରୁଚି ଦିନକୁ ଦିନ ବଢ଼ିବା ସହିତ ସମସ୍ତଙ୍କର ରୁଚିକର ହୋଇଛି।
ହୋଟେଲ ଭଲ ଚାଲିଥିଲା, ବାପ ପୁଅ ଉତ୍ସାହିତ ଥିଲେ। ଦିନେ ହଠାତ୍ ରାସ୍ତା ଚଉଡ଼ା କରିବା ପାଇଁ ମ୍ୟୁନିସିପାଲିଟି ଦ୍ୱାରା ତାଙ୍କ ହୋଟେଲ ଭାଙ୍ଗି ଦିଆଗଲା। ହତାଶ ହେଲେ ନାହିଁ ଶରତ। ରୋଜଗାର ବିକଳ୍ପ ଭାବି ବାପାଙ୍କ ସହିତ ମସଲା ବେପାର କରିବା ପାଇଁ ସରକାରଙ୍କ ମନୋଭାବ ନେଇ ଅଣ୍ଟା ଭିଡ଼ିଲେ ଶରତ ବାବୁ।
ମାତ୍ର ୫ ହଜାର ଟଙ୍କା ପୁଞ୍ଜିରେ ପ୍ରବଳ ଇଚ୍ଛାଶକ୍ତି, ନିଷ୍ଠାପର ଉଦ୍ୟମ ଏବଂ କଠୋର ପରିଶ୍ରମ ଦ୍ୱାରା ୧୯୭୬ ପବିତ୍ର ଶ୍ରୀ ଗୁଣ୍ଡିଚା ଦିନ ରାଜ୍ୟ ତଥା ଦେଶର ଗର୍ବ ଓ ଗୌରବ ‘ରୁଚି ମସଲା’ ଓମ୍ ଅଏଲ ଫ୍ଲୋର ମିଲ୍ସ ଲିଃ. ସ୍ଥାପିତ ହେଲା। ହଜାର ବର୍ଷର ପୁରାତନ ରୌପ୍ୟନଗରୀ କଟକର ମଧୁପାଟଣା ଶିଳ୍ପାଞ୍ଚଳ ଖପୁରିଆର ୪୦ ବର୍ଗଫୁଟର ଗୋଟିଏ ଭଡ଼ାଘରେ।
ପ୍ରଥମେ ଶରତ ବାବୁ ମାଲଗୋଦାମରୁ ଗହମ ବସ୍ତା ଆଣି ତା’କୁ ପରିଷ୍କାର ପରିଚ୍ଛନ୍ନ କରି ଛୋଟ ଅଟାକଳରେ ପେଷି ‘ରୁଚି ଅଟା’ ନାମରେ କଟକ ବଜାରରେ ବିକ୍ରି ଆରମ୍ଭ କଲେ। ଏହାର ଶୁଦ୍ଧତା ଓ ଗୁଣବତ୍ତା ଯୋଗୁଁ ରୁଚି ଅଟା ସମସ୍ତଙ୍କୁ ରୁଚିକର ଲାଗିଲା ଏବଂ ଏହାର ବିକ୍ରି ବଢ଼ିବାକୁ ଲାଗିଲା। ଏଥିରୁ ଉତ୍ସାହିତ ହୋଇ ଶରତ ବାବୁ ଫୁଲବାଣୀରୁ ହଳଦୀ, ବ୍ରହ୍ମପୁରରୁ ଲଙ୍କା ଆଣି ତା’କୁ ପରିଷ୍କାର କରି ମେସିନ୍ରେ ଗୁଣ୍ଡ କରି ପ୍ୟାକେଟ୍ରେ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଇଲେ। ଏହାପରେ ଜିରା, ଧନିଆ, ଡାଳଚିନି, ଗୋଲମରିଚ ଆଦି ଗୁଣ୍ଡ କରି ପ୍ୟାକେଟରେ ବିଭିନ୍ନ ସ୍ଥାନକୁ ପଠାଇଲେ। ପ୍ରଥମେ ନିଜେ ଶରତ ବାପା ଓ ୨ ଜଣ ଆଦିବାସୀ କର୍ମଚାରୀଙ୍କ ସହଯୋଗରେ କଞ୍ଚାମାଲକୁ ପରିଷ୍କାର ପରିଚ୍ଛନ୍ନ କରି ତା’କୁ ଗୁଣ୍ଡ କରି ପ୍ୟାକେଟରେ ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଉଥିଲେ। କାଳକ୍ରମେ ଗରମ ମସଲା, ମଟନ ମସଲା, ଚିକେନ୍ ମସଲା, ଫିସ୍ ମସଲା, ବିରିଆନି ମସଲା, ଚୁଡ଼ା ପାଉଡର, ଛତୁଆ ଆଦି ବିଭିନ୍ନ ସ୍ଥାନକୁ ପଠାଗଲା।
୧୯୭୮-୭୯ରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ଶିଳ୍ପ ମେଳାରେ ଯୋଗ ଦେବା ପାଇଁ ଶରତ ବାବୁଙ୍କୁ ଦକ୍ଷିଣ କୋରିଆ ପଠାଇଲେ। ୭୨ ଜଣ ପ୍ରତିନିଧିଙ୍କ ମଧ୍ୟରେ ଭାରତର ଜଣେ ମାତ୍ର ପ୍ରତିନିଧି ଥିଲେ ଶରତ କୁମାର ସାହୁ। ସେଠାରେ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ସ୍ୱୟଂଚାଳିତ ସିମାଇ, ଗହମ, ଚାଉଳ ଆଦି ଖାଦ୍ୟ ପ୍ରକ୍ରିୟାକରଣ ପଦ୍ଧତି ଅର୍ଜନ କଲେ।
ଦକ୍ଷିଣ କୋରିଆ ଗସ୍ତ ପରେ ଶରତ ବାବୁ ବିଭିନ୍ନ ସମୟରେ କାନାଡା, ଆମେରିକା, ଇଂଲଣ୍ଡ, ଚୀନ, ଇଟାଲି ଆଦି ଦେଶକୁ ଯାଇ ଖାଦ୍ୟ ପ୍ରକ୍ରିୟାକରଣର ନୂତନ ଜ୍ଞାନକୌଶଳ ଅର୍ଜନ କରି ଶ୍ରୀ ଜଗନ୍ନାଥଙ୍କ ମାଟିରେ ଭାରତୀୟ ରୁଚିର ଖାଦ୍ୟ ପଦାର୍ଥ ଓ ପାନୀୟ ପ୍ରସ୍ତୁତ କରିବାକୁ ଲାଗିଲେ। ଯେପରିକି ଚୀନ୍ର ନୁଡ଼ୁଲ୍ସ, କାନାଡାର ଥ୍ରୋଜନ ଫୁଡ, ଇଟାଲି ଓ ଦକ୍ଷିଣ କୋରିଆର ସିମାଇ ଓ ଗହମ ଚାଉଳ।
୧୯୭୬ରେ କେବଳ ହଳଦୀ ଓ ଲଙ୍କା ଗୁଣ୍ଡ ପ୍ରସ୍ତୁତ କରୁଥିବା ‘ରୁଚି’ ବର୍ତ୍ତମାନ ୫୦୦ରୁ ଅଧିକ ଦ୍ରବ୍ୟ ଉତ୍ପାଦନ କରି କେବଳ ଓଡ଼ିଶା ଓ ଭାରତ ନୁହେଁ ଅଷ୍ଟ୍ରେଲିଆ, ତାଞ୍ଜାନିଆ, ଦୁବାଇ, କୁଏତ, ଓମାନ୍, ସିଙ୍ଗାପୁର, ବଙ୍ଗଳାଦେଶରେ ସଫଳତା ସହ ବ୍ୟବସାୟ କରୁଛନ୍ତି।
୧୯୭୬ ମସିହାରେ ଲଗାଯାଇଥିବା ରୁଚିର ଛୋଟ ଚାରା ବର୍ତ୍ତମାନ ବିରାଟ ଦ୍ରୁମରେ ପରିଣତ ହୋଇ ଦେଶ ବିଦେଶରେ ବିଭିନ୍ନ ସ୍ଥାନରେ ତାହାର ଶାଖା ପ୍ରଶାଖା ବିସ୍ତାର କରିଛି। ପ୍ରଥମେ କେବଳ ଦୁଇ ଜଣଙ୍କୁ ନେଇ କାମ କରୁଥିବା ରୁଚି ବର୍ତ୍ତମାନ ୨୦୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି କରିଛି। ପ୍ରଥମେ କେବଳ ପାଞ୍ଚ ହଜାର ଟଙ୍କାରେ ଆରମ୍ଭ ହୋଇଥିବା ବ୍ୟବସାୟ ବର୍ତ୍ତମାନ ଅଢ଼େଇ ଶହ କୋଟିରେ ପହଞ୍ଚିଛି।
ମସଲା ଓ ସିମେଇ ବିଭାଗର ସଫଳତା ପରେ ରୁଚି ଉଦ୍ୟୋଗ ଆରମ୍ଭ କରିଛି ଅତ୍ୟାଧୁନିକ ପାସ୍ତା ବିଭାଗ। ଏହି ପାସ୍ତା ବିଭାଗରେ ବିଭିନ୍ନ ପ୍ରକାରର ପାସ୍ତା ଉତ୍ପାଦିତ ହେଉଛି।
ଶରତ ବାବୁଙ୍କ ଅନ୍ୟ ଗୋଟିଏ ପ୍ରଶଂସନୀୟ କାର୍ଯ୍ୟ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଛାତ୍ରୀ ଏବଂ ଗୃହିଣୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଦେଶୀ ଜ୍ଞାନକୌଶଳ ଦ୍ୱାରା ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ବିଭିନ୍ନ ଖାଦ୍ୟ ଦ୍ରବ୍ୟ। ସେମାନଙ୍କ ମାଧ୍ୟମରେ ବିଭିନ୍ନ ପ୍ରକାର ଜୈବିକ ଖାଦ୍ୟ, ପନିର, ମାଖନ ମସଲା, ଡାଲତଡ଼କା, ବିରିଆନୀ, ଚିଲି ଚିକେନ୍, କ୍ଷୀର ମିକ୍ସ, ଜଲଜିରା, ଆମ୍ବସରବତ ଆଦି ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ପଦାର୍ଥ ପ୍ୟାକିଂ କରି ବଜାରକୁ ଛଡ଼ାଯାଉଛି।
ବ୍ୟବସାୟରେ ସଫଳତା ପାଇବା ପରେ ଲୋକହିତକର ଓ ସମାଜ କଲ୍ୟାଣ ପାଇଁ ୧୯୯୭ରେ ଗଠିତ ହେଲା ‘ରୁଚି ପ୍ରତିଭା ଫାଉଣ୍ଡେସନ’। ୧୯୯୭ରୁ ରୁଚି ପ୍ରତିଭା ସମ୍ମାନ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଜଣେ ଛାତ୍ର ଏବଂ ଆଉ ଜଣେ ଛାତ୍ରୀଙ୍କୁ ତାଙ୍କ ପ୍ରଧାନଶିକ୍ଷକ ଓ ବାପା ମା’ଙ୍କ ସହିତ ସମ୍ମାନିତ କରାଯାଉଛି। ଏହା ସହିତ ଗୋଟିଏ ମଞ୍ଚରେ ହିଁ ଶିକ୍ଷା, ଚିକିତ୍ସା ବିଜ୍ଞାନ, କୃଷି ବିଜ୍ଞାନ, ପ୍ରଶାସକ, ସମାଜସେବା, କ୍ରୀଡ଼ା, ଅଭିନୟ ଆଦି କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଉଛି। ଯାହା ମୋର ମନେ ପଡ଼ୁଛି ରୁଚି ସମ୍ମାନରେ ଓଡ଼ିଶାର ବହୁ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି।
ରୁଚିର ଶୁଦ୍ଧତା ଗୁଣବତ୍ତା, ସାଧୁତା ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ପାଇଁ ଶରତ ବାବୁଙ୍କୁ ବିଭିନ୍ନ ସମୟରେ ଗୌରବଜନକ ସମ୍ମାନ ପ୍ରାପ୍ତ ହୋଇଛି ଯଥା-
୧୯୯୮ରେ ଭାରତ ସରକାରଙ୍କ ମସଲା ବୋର୍ଡ ପକ୍ଷରୁ ସ୍ପାଇସ୍ ହାଉସ ସାର୍ଟିଫିକେଟ, ୧୯୯୯ରେ ରାଜ୍ୟ ସରକାରଙ୍କ ଦ୍ୱାରା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗିରିଧାରୀ ଗମାଙ୍ଗୋଙ୍କ ଦ୍ୱାରା ସ୍ୱାଭିମାନ ପୁରସ୍କାର, ୨୦୦୦ରେ ବିଜୁ ପଟ୍ଟନାୟକ ସ୍ମାରକୀ ପୁରସ୍କାର, ୨୦୦୧ରେ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟଠାରୁ ଆଗମାର୍କ ପ୍ରମାଣପତ୍ର, ୨୦୧୨ରେ ଓଟିଭି ଦ୍ୱାରା ନାଗରିକ ସମ୍ମାନ ଓ ଅନ୍ୟାନ୍ୟ ବହୁ ସମ୍ମାନରେ ଶରତବାବୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି।
ଏହା ବ୍ୟତୀତ ରାଜ୍ୟ ଶ୍ରମ ବିଭାଗ, ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମସଲା, ସିମାଇ, ରୁଚି ଚାଉଳ, କ୍ଷୀରମିକ୍ସ, ପାସ୍ତା, ଫ୍ରୋଡଜନ ଫୁଡ ଆଦିର ଉତ୍ପାଦନ, ବିତରଣ ଓ ରପ୍ତାନୀ ପାଇଁ ମିଳିଛି ରପ୍ତାନୀ ପୁରସ୍କାର।
ଶରତ ବାବୁ ଜଣେ ସରଳ ସଚ୍ଚୋଟ ବ୍ୟକ୍ତି। ବେଶ ପୋଷାକ, ଚାଲିଚଳଣ, କଥାବାର୍ତ୍ତାରେ ଜଣେ ସାଧାରଣ ବ୍ୟକ୍ତି ପରି ଦେଖାଯାଆନ୍ତି। ମୁଁ ଓ ମୋର ଶବ୍ଦ ତାଙ୍କ ମୁହଁରୁ କେହି ଶୁଣି ନଥିବେ। ସେ କେବେ ହେଲେ କହି ନାହାନ୍ତି ଏହା ମୁଁ କରିଛି ଏ ସବୁ ମୋର।
ଶରତ ବାବୁ କଠୋର ପରିଶ୍ରମୀ, ପ୍ରତିଦିନ ସକାଳ ୫ଟାରୁ ଉଠି ଚାଲି ଚାଲି କିମ୍ବା ସାଇକେଲରେ ପ୍ରାତଃ ଭ୍ରମଣରେ ଯାଆନ୍ତି। ତା’ପରେ ଖୁବ୍ ଅଳ୍ପ ସମୟରେ ନିତ୍ୟକର୍ମ ସାରି କାରଖାନାକୁ ଯାଆନ୍ତି ଏବଂ ଘୂରି ଘୂରି କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା, ଅଗ୍ରଗତି ଦେଖାନ୍ତି। କର୍ମଚାରୀମାନଙ୍କ ସହିତ ସହୃଦତା ସହ କଥାବାର୍ତ୍ତା କରନ୍ତି। ଉଚିତ ପରାମର୍ଶ ଦିଅନ୍ତି। କର୍ମଚାରୀଙ୍କ ଅଭାବ ଅସୁବିଧା ବୁଝନ୍ତି। ଆବଶ୍ୟକ ଥିଲେ ଯଥା ସମ୍ଭବ ସହାୟତା କରନ୍ତି, ଆସୁଥିବା ଅତିଥିମାନଙ୍କ ସହିତ କଥାବାର୍ତ୍ତା କରନ୍ତି। ଏହିପରି ରାତି ଏଗାରଟା ଯାଏଁ କାର୍ଯ୍ୟକରି ବିଶ୍ରାମ ପାଇଁ ଘରକୁ ଯାଆନ୍ତି।
ଶରତ ବାବୁଙ୍କ ଶ୍ରେଷ୍ଠତା, ସଫଳତା ଆଦି ବର୍ଣ୍ଣନା କରିବା ସମୟରେ ତାଙ୍କ ଧର୍ମପତ୍ନୀ ସଙ୍ଗୀତା ସାହୁଙ୍କ ଅବଦାନକୁ କେବେହେଲେ ଭୁଲି ହେବ ନାହିଁ। ଶ୍ରୀମତୀ ସଙ୍ଗୀତା ସାହୁ ଜଣେ ସୁଗୃହିଣୀ ହେବା ସହିତ ପତିଙ୍କୁ ସବୁ ସମୟରେ ସବୁ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ଦେଇଛନ୍ତି। ସଂକ୍ଷେପରେ କହିବାକୁ ଗଲେ ସଙ୍ଗୀତାଙ୍କ ବିନା ଶରତ ବାବୁଙ୍କ ଏ ବିରାଟ ସ୍ୱପ୍ନ କେବେହେଲେ ସଫଳ ହୋଇପାରି ନଥାନ୍ତା।
ଶରତ ବାବୁଙ୍କ ଦୁଇଟି ମାତ୍ର ସନ୍ତାନ। ପୁଅ ଅରବିନ୍ଦ ସାହୁ ଓ ଝିଅ ରଶ୍ମୀ ସାହୁ। ଏ ଦୁଇ ଜଣ ବାପାଙ୍କ ଦୁଇ ବାହୁ। ପଢ଼ା ଶେଷ କରି ବାପାଙ୍କ ପରି ଦେଶ ବିଦେଶକୁ ବୁଲି ଖାଦ୍ୟ ପ୍ରକ୍ରିୟାକରଣ ନୂତନ ଜ୍ଞାନ କୌଶଳ ଅର୍ଜନ କରି ରୁଚି ଅନୁଷ୍ଠାନକୁ ସର୍ବଶ୍ରେଷ୍ଠ ସୋପାନରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି।
ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ମହାବାହୁ ଶରତ ବାବୁ ଏବଂ ତାଙ୍କ ପରିବାର ଓ ଅନୁଷ୍ଠାନକୁ ଦୀର୍ଘାୟୁ କରି ସମାଜ ଓ ଜନସେବାରେ ନିୟୋଜିତ କରନ୍ତୁ।
(ସୌଜନ୍ୟ:ଶରତ ଶତମ୍)