ବ୍ୟାଙ୍କ ଡିପୋଜିଟରୁ ମିଳୁଥିବା ସୁଧ ଉପରେ ଆପଣଙ୍କୁ ୧୦ ପ୍ରତିଶତ ଟିଡିଏସ ଦେବାକୁ ପଡ଼େ। ଯଦି ଆପଣ ୨୦ କିମ୍ବା ୩୦ ପ୍ରତିଶତ ଆୟକର ସ୍ଲାବ୍ ମଧ୍ୟରେ ଆସୁଛନ୍ତି, ତେବେ ଆପଣଙ୍କୁ ସୁଧରୁ ହେଉଥିବା ଆୟ ଉପରେ ଟ୍ୟାକ୍ସ ଦେବାକୁ ପଡ଼ିବ..

କେବେ ମଧ୍ୟ ଟ୍ୟାକ୍ସ ପରମର୍ଶଦାତାଙ୍କୁ ଭୁଲ ତଥ୍ୟ ଦିଅନ୍ତୁ ନାହିଁ। କାରଣ ଆପଣଙ୍କ ଦ୍ୱାରା ଦିଆ ଯାଇଥିବା ଭୁଲ ତଥ୍ୟ ଆଗକୁ ଆପଣଙ୍କୁ ହିଁ ଅଡୁଆରେ ପକାଇ ପାରେ। ଅନେକ ବ୍ୟକ୍ତି ଟ୍ୟାକ୍ସ ସଂକ୍ରାନ୍ତିୟ ପରାମର୍ଶ ମାଗିବା ବେଳେ ବ୍ୟାଙ୍କ ସୁଧରୁ ମିଳୁଥିବା ଆୟ ବାବଦରେ କିଛି ମଧ୍ୟ ସୂଚନା ଦେଇନଥାନ୍ତି। ସେମାନେ ଆଇଟିଆରର ସମ୍ବନ୍ଧିତ କଲମ(ସ୍ତମ୍ବ)ରେ ସୁଧରୁ ଆସିଥିବା ଆୟ ବାବଦରେ ସୂଚନା ଦେବା ଜରୁରୀ ବୋଲି ଭାବିନଥାନ୍ତି।

ଏଭଳି ଭୁଲ ପାଇଁ ଆପଣଙ୍କୁ ଦଣ୍ଡ ମିଳିବାର ଆଶଙ୍କା ରହିଛି। ବ୍ୟାଙ୍କ ଡିପୋଜିଟ୍, ବଣ୍ଡ ଓ ପୋଷ୍ଟ୍‌ ଅଫିସର ଅଧିକାଂଶ ସ୍କିମରୁ ମିଳୁଥିବା ସୁଧ ଆୟକର ବ୍ରାକେଟ୍ ଭିତରକୁ ଆସିଥାଏ। ଆଇଟିଆରରେ ଆପଣଙ୍କୁ ଅନ୍ୟସ୍ରୋତରୁ ଆୟ କଲମରେ ଏହି ଆୟକୁ ଦେଖାଇବାକୁ ପଡ଼ିବ।

୧୦ ପ୍ରତିଶତ ଟିଡିଏସ ପରେ ବି ଟ୍ୟାକ୍ସ!

ଅନଲାଇନ୍ ରିଟର୍ଣ୍ଣ ଭରୁଥିବା ୮୦ ପ୍ରତିଶତ କରଦାତା ନିଜ ରିଟର୍ଣ୍ଣରେ ସୁଧରୁ ହେଉଥିବା ଆୟ ବାବଦରେ ସୂଚନା ଦେଇନଥାନ୍ତି। ସୁଧରୁ ହେଉଥିବା ଆୟ ବାବଦରେ ରିଟର୍ଣ୍ଣରେ ଉଲ୍ଲେଖ ନକରିବା ଆୟକର ଆଇନର ଉଲ୍ଲଂଘନ। ଏଭଳି କଲେ ଆପଣଙ୍କ ଆଇଟିରୁ ନୋଟିସ ମିଳିବ। ଆୟକର ବିଭାଗ ରାଡାର ଭିତରୁ ଆପଣ ଆସିବା ସମ୍ଭାବନା ସେତେବେଳେ ହୋଇଥାଏ, ଯେତେବେଳେ ସୁଧରୁ ଆପଣଙ୍କ ମୋଟା ରକମର ଆୟ ଆସୁଥିବ।

ଯଦି ଆପଣ ଏହି ଆୟ ଉପରେ କର ଦେଇନାହାନ୍ତି ଓ ପରେ ଦେଉଛନ୍ତି ତେବେ ଆପଣଙ୍କୁ ଡେରିରେ ଟ୍ୟାକ୍ସ ଦେବା କାରଣରୁ ଜମରିମାନା ମଧ୍ୟ ଦେବାକୁ ପଡିପାରେ। ଅନେକ କରଦାତା ଭାବନ୍ତି ଯେ, ସୁଧ ଉପରେ ଆଗରୁ ଟିଡିଏସ କଟୁଥିବାରୁ ଏହା ସମ୍ପର୍କରେ ରିଟର୍ଣ୍ଣରେ ଉଲ୍ଲେଖ କରିବା ଜରୁରୀ ନୁହେଁ କିମ୍ବା ଏହି ଆୟ ଉପରେ ପୁଣି କର ଦେବାର କିଛି କାରଣ ନାହିଁ। କିନ୍ତୁ ସତ ହେଲା ସାଧାରଣତଃ ବ୍ୟାଙ୍କ ଜମାରୁ ମିଳୁଥଇବା ସୁଧ ଉପରେ ୧୦ ପ୍ରତିଶଥ ଟିଡିଏସ କଟିଥାଏ। କିନ୍ତୁ ଯଦି ଆପଣ ୨୦ରୁ ୩୦ ପ୍ରତିଶତ ଟ୍ୟାକ୍ସ ସ୍ଲାବ ଭିତରେ ଆସୁଛନ୍ତି ତେବେ ଆପଣଙ୍କୁ ଏହି ଆୟ ଉପରେ ପୁଣି ଥରେ ଆୟକର ଦେବାକୁ ପଡ଼ିବ।

ଟିଡିଏସ ଦେଇଦେଲେ ଆପଣଙ୍କ ଟ୍ୟାକ୍ସ ଦେବା ସମ୍ପୂର୍ଣ୍ଣ ହୋଇଯାଏନା। ଏହା ସୁଧ ଉପରେ କେବଳ ୧୦ ପ୍ରତିଶତ ଟ୍ୟାକ୍ସ ନିଏ। କିନ୍ତୁ ଯଦି ଆପଣ ଆୟକର ଆଇନ ଅନୁସାରେ ଅଧିକ ଟ୍ୟାକ୍ସ ସ୍ଲାବ ଭିତରେ ଆସୁଛନ୍ତି ତେବେ ଆପଣଙ୍କୁ ଆହୁରି ଟ୍ୟକ୍ସ ଦେବାକୁ ପଡ଼ିବ।

ସଂଚୟ ଖାତା ଉପରେ ସୁଧ

ଟ୍ୟାକ୍ସ ରିହାତି କାରଣରୁ କରଦାତାଙ୍କ ମଧ୍ୟରେ ସୁଧ ଉପରେ ଟ୍ୟାକ୍ସକୁ ନେଇ ଭ୍ରମ ରହିଛି। ଆୟକର ଆଇନ ସେକ୍ସନ ୮୦ଟିଟିଏ ଅନୁସାରେ ଯଦି ଆପଣଙ୍କ ସଂଚୟ ଖାତାରୁ ବାର୍ଷିକ ସୁଧରୁ ଆୟ ୧୦ ହଜାର ପର୍ଯ୍ୟନ୍ତ ତେବେ ଆପଣଙ୍କୁ ସେହି ଆୟ ଉପରେ କୌଣସି କର ଦେବାକୁ ପଡ଼ିବ ନାହିଁ। ଏହି ଆଇନକୁ ନେଇ କରଦାତାଙ୍କ ମଧ୍ୟରେ ଭ୍ରମ ରହିଛି। ସୁଧରୁ ଆୟ ୧୦ ହଜାର ଟଙ୍କାରୁ ଅଧିକ ହେଲେ କର ଦେବାକୁ ପଡ଼ିବ ଏକଥାକୁ ଅନେକ ଭୁଲିଯାନ୍ତି କିମ୍ବା ଜାଣି ପାରନ୍ତି ନାହିଁ।

ଏହାକୁ ବୁଝନ୍ତୁ:

ଯଦି ଆପଣଙ୍କ ବ୍ୟାଙ୍କ ଖାତାରେ ୨.୫ ଲକ୍ଷ ଟଙ୍କା ଅଛି ତେବେ ୪ ପ୍ରତିଶତ ସୁଧ ହିସାବରେ ଆପଣଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ମିଳିବ। ଏହି ୧୦ ହଜାର ଟଙ୍କାର ଆୟ ଉପରେ ଆପଣଙ୍କୁ ସୁଧ ଦେବାକୁ ପଡ଼ିବ ନାହିଁ। ଏଠାରେ କିନ୍ତୁ ଆପଣଙ୍କୁ ଏହା ଧ୍ୟାନରେ ରଖିବାକୁ ହେବ ଯେ, ଆୟକରରେ ଏହି ଛାଡ଼ କେବଳ ସଂଚୟ ଖାତାରୁ ଆସୁଥିବା ସୁଧ ଉପରେ ମିଳିଥାଏ। ଫିକ୍ସଡ୍ ଡିପୋଜିଟ୍ କିମ୍ବା ଅନ୍ୟ ଜମା ଉପରେ ଏହି ଛାଡ଼ ମିଳେନାହିଁ।

ଟ୍ୟାକ୍ସ ଫ୍ରି ଆୟର ସୂଚନା

ସଂଚୟ ଖାତାରୁ ଆସୁଥିବା ସୁଧ ଆୟ ଉପରେ ଆଂଶିକ କର ଲାଗୁ ହୋଇପାରେ। ଏହି ଆୟ ଟ୍ୟାକ୍ସ ଫ୍ରି ହୋଇଥିଲେ ମଧ୍ୟ ଆପଣଙ୍କୁ ଏବାବଦରେ ଆୟକର ବିଭାଗକୁ ସୂଚନା ଦେବାକୁ ପଡ଼ିବ। ପିପିଏଫ୍ କିମ୍ବା ଟ୍ୟାକ୍ସ ଫ୍ରି ବଣ୍ଡ୍ ଭଳି ନିବେଶ ଉଠାଇବା ପରେ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସୁଥିବା ଆୟ ବାବଦରେ ଆପଣଙ୍କୁ ଆୟକର ରିଟର୍ଣ୍ଣରେ ସୂଚନା ଦେବାକୁ ପଡ଼ିବ। ଯଦି ଆପଣ ଆଇଟିଆର-୧ରେ ରିଟର୍ଣ୍ଣ ଫାଇଲ କରୁଛନ୍ତି ତେବେ ତେବେ କରଛାଡ଼ ଆୟ ସମ୍ପର୍କିତ ସୂଚନା ଦେବାକୁ ଅଲଗା କଲମ୍ ରହିଛି। ଅନ୍ୟ ଫର୍ମ ଦ୍ୱାରା ଆଇଟିଆର ଫାଇଲ କରୁଥିଲେ ଆପଣଙ୍କୁ ଶେଡ୍ୟୁଲ EI (ଏଗଜେମ୍ପଟେଡ୍ ଇନକମ) ମାନେ କର ଛାଡ଼ ଆୟର ଉଲ୍ଲେଖ କରିବାକୁ ପଡ଼ିବ।

କିଛି ଏହିଭଳି ଆୟକର ଆଇନର ସେକ୍ସନ-୧୦(୩୪) ଅନ୍ତର୍ଗତରେ ଡିଭିଡେଣ୍ଡରୁ ମିଳୁଥିବା ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା କରମୁକ୍ତ। ଜୀବନ ବୀମା ପଲିସିରୁ ମିଳୁଥିବା ଆୟ ମଧ୍ୟ ଆୟକର ଆଇନର ସେକ୍ସନ ୧୦(୧୦ଡି) ଅନୁସାରେ ଆୟକର ମୁକ୍ତ ଆୟ। କିନ୍ତୁ ଅନେକ କରଦାତା ଏହି ଆୟ ବାବଦରେ ଉଲ୍ଲେଖ କରିବା ଭୁଲିଯାନ୍ତି। ବିଶେଷଜ୍ଞଙ୍କ କହିବା ହେଉଛି ଆପଣଙ୍କୁ ଏଭଳି ଆୟ ବାବଦରେ ଆଇଟିଆରରେ ସୂଚନା ଦେବାକୁ ପଡ଼ିବ। ଏଭଳି ଆୟ ବାବଦରେ ସୂଚନା ଦେବା ଦ୍ୱାରା ଆପଣ ଆୟର ସ୍ରୋତ ସମ୍ପର୍କରେ କହିପାରିବେ। ଭବିଷ୍ୟତରେ ଆପଣ ଏହା ବ୍ୟବହାର କରିବେ ତ’ ହୋଇପାରେ ଆପଣଙ୍କୁ ସେତେବେଳେ ଏବାବଦରେ ସୂଚନା ଦେବାକୁ ପଡ଼ିବ। ଯଦି ଆପଣ କୌଣସି ବଡଧରଣର ଦେଣନେଣ କରନ୍ତି କିମ୍ବ କ୍ରୟ କରନ୍ତି ତେବେ ଆୟକର ବିଭାଗକୁ ଏସମ୍ପର୍କରେ ସୂଚନା ଦେବାକୁ ପଡିଥାଏ। ଯଦି ଆପଣ ୮ରୁ ୧୦ ଲକ୍ଷ ଟଙ୍କାର କାର କିଣୁଛନ୍ତି କିମ୍ବା ଘର କିଣିବା ପାଇଁ ୧୫ ଲକ୍ଷ ଟଙ୍କା ଡାଉନପେମେଣ୍ଟ ଦେଉଛନ୍ତି ତେବେ ସମ୍ବନ୍ଧିତ ପାର୍ଟିକୁ ଏହାର ସୂଚନା ଆଇଟିକୁ ଦେବାକୁ ପଡ଼େ।

ଟ୍ୟାକ୍ସ ଫ୍ରି କ୍ୟାପିଟାଲ ଗେନ୍ସର ସୂଚନା ଦେବାକୁ ପଡ଼ିବ

ଆଇଟିଆରରେ କରଛାଡ଼ ପାଉଥିବା କ୍ୟାପିଟାଲ ଗେନ୍ସ ବାବଦରେ ମଧ୍ୟ ସୂଚନା ଦେବାକୁ ପଡେ। ବିଶେଷଜ୍ଞଙ୍କ ଅନୁସାରେ ଯେଉଁମାନଙ୍କ ଆୟ କରଯୋଗ୍ୟ ନୁହେଁ କିନ୍ତୁ ଯଦି କୌଣସି ବ୍ୟକ୍ତି ଲମ୍ବା ଅବଧିର ନିବେଶରୁ ୨.୫ ଲକ୍ଷ ଟଙ୍କାରୁ ଅଧିକ ଆୟ କରିଛନ୍ତି ତେବେ ତାଙ୍କ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବା ଜରୁରୀ। ଏହିଭଳି ଆୟର ସୂଚନା ଆଇଟିକୁ ଦେବାକୁ ପଡ଼ିବ।

ଆୟକର ବିଭାଗ ସବୁ ଛାଡ଼ ଓ କରମୁକ୍ତ ଆୟ ଉପରେ ନଜର ରଖିଥାଏ। ଯେଉଁ କରଦାତା ନକଲି ବିଲ୍ ଲଗାଇ କରଛାଡ଼ର ଲାଭ ଉଠଇଥାନ୍ତି, ସେମାନଙ୍କ ଉପରେ ଆୟକର ବିଭାଗର କଡା ନଜର ରହିଥାଏ। ବିଶେଷକରି ଭୁଲ ତଥ୍ୟଦେଇ ଘରଭଡା ଉପରେ ଟ୍ୟାକ୍ସ ଛାଡ଼ର ଲାଭ ଉଠାଉଥିବା କରଦାତାଙ୍କ ଉପରେ ବିଭାଗର ନଜର ରହିଛିଦରମାରୁ ଆୟକରୁଥିବା କରଦାତା ଯଦି ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ଘର ଭଡା ଭାବେ ଦେଉଛନ୍ତି ତେବେ ତାଙ୍କୁ ଟ୍ୟାକ୍ସ ଛାଡ଼ ପାଇବା ପାଇଁ ଘର ମାଲିକଙ୍କ ପ୍ୟାନ୍ ନମ୍ବର ଦେବାକୁ ପଡ଼ିବ। ଯଦି କୌଣସି ବ୍ୟକ୍ତି ମାସିକ ୫୦ ହଜାର ଘର ଭଡା ଦେଉଛନ୍ତି ତେବେ ତାଙ୍କୁ ୫୦ ହଜାର ଉପରେ ୫ ପ୍ରତିଶତ ଟିଡିଏସ ଦେବାକୁ ପଡ଼ିବ।