ଘର ବିକ୍ରିର ଟାଇମିଂ ଠିକ୍ ନହେଲେ ଦେବାକୁ ପଡ଼ିବ ଅଧିକ ଆୟକର।
ଘର କିମ୍ବା ପ୍ଲଟ କିଣିବା କେବଳ ନିବେଶ ନୁହେଁ ଏହା ମଧ୍ୟ ଆୟକର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ପୁରୁଣା ଘର ବିକ୍ରି କରିବା ଓ ନୂଆ ଘର କିଣିବା ମଧ୍ୟରେ ଅଧିକ ସମୟର ଅନ୍ତର ଯେଉଁଠି ଆପଣଙ୍କ ଟ୍ୟାକ୍ସ କମ୍ କରିଥାଏ, ସେଇଠି ନୂଆ ଘର କିଣି ସଙ୍ଗେ ସଙ୍ଗେ ବିକ୍ରି କରିବା ଫଳରେ ଆପଣଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ତେଣୁ ଘର ବିକ୍ରି କରିବା ବେଳେ କ୍ୟାଲେଣ୍ଡର ଉପରେ ନଜର ପକାନ୍ତୁ। ଘର ବିକ୍ରିର ଟାଇମିଂ ଠିକ୍ ନରହିଲେ ଆପଣଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିବ।
ଆପଣଙ୍କୁ ମହଙ୍ଗା ପଡ଼ିବ ସର୍ଟ ଟର୍ମ କ୍ୟାପିଟାଲ ଗେନ୍ସ
ଆୟକର ଆଇନ ଅନୁସାରେ ଘର କିଣିବାର ତିନି ବର୍ଷ ମଧ୍ୟରେ ଯଦି ଘର ବିକ୍ରି କରାଯାଏ ତେବେ ଆପଣଙ୍କୁ ଅଧିକ ଆୟକର ଦେବାକୁ ପଡ଼ିବ। କାରଣ ତିନି ବର୍ଷ ମଧ୍ୟରେ ଘର ବିକ୍ରି କରି ଆପଣ ଯେଉଁ ଲାଭ ପାଇବେ ତାହ ସର୍ଟ ଟାଇମ୍ କ୍ୟାପିଟାଲ ଗେନ୍ସରେ(STCG) ଯିବ। ଘର ବିକ୍ରିରୁ ମିଳିଥିବା ଲାଭକୁ ଆପଣଙ୍କ ମୋଟ ଆୟ ସହ ଯୋଡ଼ାଯିବ। ଏହାପରେ ଆପଣଙ୍କ ଟ୍ୟାକ୍ସ ସ୍ଲାବ ଅନୁସାରେ ଆପଣଙ୍କଠାରୁ ଆୟକର ଆଦାୟ କରାଯିବ। ଯଦି ଆପଣ ବାର୍ଷିକ ୧୦ ଲକ୍ଷ ଟଙ୍କା ଆୟ କରୁଛନ୍ତି ତେବେ ଆପଣ ୩୦ ପ୍ରତିଶତ ଆୟକର ସ୍ଲାବ ଭିତରେ ଆସିବ। ଅର୍ଥାତ ଆପଣଙ୍କୁ ଘର ବିକ୍ରିରୁ ମିଳିଥିବା ଅର୍ଥରୁ ୩୦ ପ୍ରତିଶତ ଟ୍ୟାକ୍ସ ଭାବେ ଦେବାକୁ ପଡ଼ିବ।
୫ ବର୍ଷରୁ ଶେଷ ହେବା ପୂର୍ବରୁ ଘର ବିକ୍ରି କଲେ କଣ ହେବ ?
ଆୟକର ଆଇନ ଅନୁସାରେ ଯଦି ଆପଣ ଘର କିଣିବାର ୫ ବର୍ଷ ପୂରା ହେବା ପୂର୍ବରୁ ତାକୁ ବିକ୍ରି କରୁଛନ୍ତି ତେବେ ଆପଣ ଆଉ କରଛାଡ଼ ସୁବିଧା ପାଇବେ ନାହିଁ। ଯଦି ଆପଣ ଆୟକର ଆଇନର ସେକ୍ସନ ୮୦ସିସି ଅନ୍ତର୍ଗତରେ ମୂଳଧନ ପେମେଣ୍ଟ, ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଚାର୍ଜ ଉପରେ ଟ୍ୟାକ୍ସ କ୍ଲେମ୍ କରିଥିବେ ଓ ପାଇଥିବେ ତେବେ ଏଭଳି ପରିସ୍ଥିତିରେ ଆପଣଙ୍କୁ ସବୁ ଲାଭ ଫେରସ୍ତ କରିବାକୁ ପଡ଼ିବ। ଆପଣ ଯେଉଁ ଆର୍ଥିକ ବର୍ଷରେ ଘର ବିକ୍ରି କରିବେ, ସେହି ବର୍ଷ ଆପଣଙ୍କୁ ବିକ୍ରି ଟଙ୍କା ଉପରେ ଟ୍ୟାକ୍ସ ଦେବାକୁ ପଡ଼ିବ। ଆପଣ କେବଳ ଆୟକର ଆଇନର ସେକ୍ସନ ୨୪ବି ଅନ୍ତର୍ଗତରେ ହୋମ ଲୋନ୍ ସୁଧ ଉପରେ ନିଆଯାଇଥିବା କରଛାଡ଼ର ଲାଭ ଉଠାଇ ପାରିବେ। ଆୟକର ଆଇନ ଅନୁସାରେ ଆପଣ ଯଦି ଟ୍ୟାକ୍ସ ସଞ୍ଚୟ ପାଇଁ କୌଣସି ଘର କିଣିଛନ୍ତି ତେବେ ତାକୁ ନିଜ ପାଖରେ ଅତିକମରେ ତିନି ବର୍ଷ ରଖିବାକୁ ପଡ଼ିବ। ଯଦି ଆପଣ ପ୍ରପର୍ଟି କିଣିବାର ତିନି ବର୍ଷ ପରେ ତାକୁ ବିକ୍ରି କରନ୍ତି ତେବେ ଏଥିରୁ ମିଳିବାକୁ ଥିବା ଲାଭ ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ସରେ (LTCG)ରେ ଗଣାଯିବ। ଏଭଳି ଆୟ ଉପରେ ଆପଣଙ୍କୁ ଇଣ୍ଡେକ୍ସେସନ ଲାଭ ପରେ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ।
କାହାକୁ ମିଳି ଇଣ୍ଡେକ୍ସେସନ ଲାଭ ?
ଇଣ୍ଡେକ୍ସେସନର ଅର୍ଥ ହେଉଛି ଆପଣ ପ୍ରପର୍ଟି କିଣିବା ପରେ ଯେତେ ସମୟ ପାଇଁ ତାକୁ ନିଜ ପାଖରେ ରଖିଛନ୍ତି, ସେହି ସମୟ ଅବଧିର ମୁଦ୍ରାସ୍ପିତି ଦରର ପ୍ରଭାବ ପ୍ରପର୍ଟିର କ୍ରୟ ମୁଲ୍ୟ ସହ ଯୋଡ଼ିହୁଏ। ଫଳରେ ଘର ବିକ୍ରି ପରେ ହୋଇଥିବା ଲାଭରେ ଆପଣଙ୍କ ଟ୍ୟାକ୍ସ ବୋଝ କମ ହୋଇଯାଏ। ପ୍ରପର୍ଟିକୁ ଅଧିକ ଦିନ ରଖିବା ଓ ତା’ପରେ ବିକ୍ରିର ଅଲଗା ଲାଭ ମଧ୍ୟ ରହିଛି। ଯଦି ଆପଣ ପ୍ରପର୍ଟି କିଣିବାର ବହୁତ ଦିନ ପରେ ତାକୁ ବିକ୍ରି କରନ୍ତି ତେବେ ଆପଣଙ୍କ ଲଙ୍ଗଟର୍ମ କ୍ୟାପିଟାଲ ଗେନସ୍ କ୍ରମରେ ଅନେକ କର ଛାଡ ମିଳିଥାଏ। କିନ୍ତୁ ଏଭଳି କରଛାଡ଼ ସୁବିଧା ଆପଣଙ୍କୁ ସର୍ଟ ଟର୍ମ କ୍ୟାପିଟାଲ ଗେନ୍ସରେ(STCG) ମିଳିନଥଏ।
ଘର ମରାମତି କରିବାରେ ଆପଣ ଯେଉଁ ଅର୍ଥ ଖର୍ଚ୍ଚ କରନ୍ତି, ତାକୁ ଆପଣ ସମ୍ପତ୍ତି କିଣା ମୂଲ୍ୟ ସହ ଯୋଡ଼ି ପାରିବେ। ଏହାପରେ ଆପଣ ସେଥିରେ ମୁଦ୍ରସ୍ଫିତୀ ପ୍ରଭାବକୁ ସାମିଲ କରିପାରିବେ। ଏହାପରେ ଘର ବିକ୍ରି ଦାମରୁ ଏହି ସବୁକୁ ହଟାଇ ଲାଭ ଗଣନା କରିପାରିବେ। ଏହା ଉପରେ ଆପଣ ୨୦ ପ୍ରତିଶତ ହିସାବରେ ଲଙ୍ଗଟର୍ମ କ୍ୟାପିଟାଲ (LTCG) ବାହାର କରିପାରିବେ। ଘର ତିଆରି କରିବା ବେଳେ ଯଦି ଆପଣ ଲୋନ୍ ନେଇଛନ୍ତି ଓ ତା’ ଉପରେ ସୁଧ ଦେଇଛନ୍ତି ତେବେ ଆପଣ ତାକୁ ମୂଳପୁଞ୍ଜି ସହ ଯୋଡ଼ି ପାରିବେ। ତେବେ ସର୍ତ୍ତ ହେଉଛି ଆପଣ ପୂର୍ବରୁ ସେହି ସୁଧ ଉପରେ କରଛାଡ଼ ସୁବିଧା ନେଇନଥିବେ।
ଟ୍ୟାକ୍ସ କେମିତି ବଞ୍ଚାଇବେ?
ଯେତେବେଳେ ଆପଣ ସଂପତି ବିକ୍ରି କରନ୍ତି ସେତେବେଳେ ସେଥିରୁ ମିଳୁଥିବା ଲାଭ ଉପରେ ଆୟକର ବଞ୍ଚାଇବାର ଅନେକ ରାସ୍ତା ଅଛି। ସମ୍ପତ୍ତି ବିକ୍ରିରୁ ମିଳିଥିବା ଅର୍ଥରେ ଯଦି ଆପଣ ଦୁଇ ବର୍ଷ ଭିତରେ ଆପଣ ଆଉ ଗୋଟିଏ ପ୍ରପର୍ଟି କିଣନ୍ତି କିମ୍ବା ତିନି ବର୍ଷ ଭିତରେ ଆଉ ଗୋଟିଏ ଘର ତିଆରି କରନ୍ତି ତେବେ ଆପଣଙ୍କୁ କୌଣସି କର ଦେବାକୁ ପଡ଼ିବ ନାହିଁ।
ଗୋଟିଏ ଘର ବିକ୍ରି ପୂର୍ବରୁ ଯଦି ଆଉ ଗୋଟିଏ ଘର କିଣିବେ ତେବେ କ’ଣ ରିହାତି ପାଇବେ ?
ଆପଣ ନିଜର ପ୍ରଥମ ଘର ବିକ୍ରି କରିବା ପୂର୍ବରୁ ଯଦି ଆଉ ଗୋଟିଏ ନୂଆ ଘର କିଣନ୍ତି ତେବେ ମଧ୍ୟ ଏହି ରିହାତି ପାଇବେ। ଅର୍ଥାତ୍ ଆପଣଙ୍କୁ ନୂଆ ଘର କିଣିବା ଉପରେ କିଛି ମଧ୍ୟ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ତେବେ ଏହି ଲାଭ ପାଇଁ ନୂଆ ପ୍ରପର୍ଟି ମଧ୍ୟ ପୁରୁଣା ପ୍ରପର୍ଟି ବିକ୍ରେତାଙ୍କ ନାମରେ କିଣିବାକୁ ପଡ଼ିବ। ସମ୍ପତି କିଣାବିକାର ଏଭଳି ମାମଲାରେ ଯଦି ଆପଣ ପୂରା ଲାଭକୁ ନିବେଶ ନକରନ୍ତି ତେବେ ବଳକା ରାଶି ଉପରେ ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ ଲାଗିବ।
କ’ଣ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ?
ସମ୍ପତ୍ତି କିଣିବାର ତିନି ବର୍ଷ ମଧ୍ୟରେ ଯଦି ଆପଣ ତାକୁ ବିକ୍ରି କରିଦିଅନ୍ତି ତେବେ ଆୟକର ବାବଦରେ ମିଳିଥିବା ଛାଡ଼କୁ ଫେରସ୍ତ କରିବାକୁ ପଡ଼ିବ। ଘର ବିକ୍ରିରୁ ମିଳିଥିବା ଲାଭକୁ ସର୍ଟ ଟର୍ମ କ୍ୟାପିଟାଲ ଗେନ୍ସ ଭାବେ ଗଣନା କରାଯିବ। ଯାହା ଉପରେ ଆୟକର ଆଇନର ସାମାନ୍ୟ ସ୍ଲାବ ଅନୁସାରେ କର ଲାଗିବ।
କର ସଞ୍ଚବର ଅଲଗା ବିକଳ୍ପ
ଯଦି ଆପଣ ସମ୍ପତ୍ତି ବିକ୍ରିରୁ ମିଳିଥିବା ଲାଭକୁ ଅନ୍ୟ ପ୍ରପର୍ଟିରେ ନିବେଶ କରୁନାହାନ୍ତି ତେବେ ସମ୍ପୂର୍ଣ୍ଣ ରାଶିକୁ ବିକ୍ରିର ଛ’ ମାସ ମଧ୍ୟରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ(NHAI) ଓ ରୁରାଲ ଇଲେକ୍ଟ୍ରିଫିକେସନ କରପୋରେସନ(REC) ବଣ୍ଡ୍ରେ ନିବେଶ କରନ୍ତୁ। ତେବେ ଏହି ଦୁଇ ବଣ୍ଡ୍ରେ କୌଣସି ଆର୍ଥିକ ବର୍ଷରେ ସର୍ବାଧିକ ୫୦ ଲକ୍ଷ ଟଙ୍କା ନିବେଶ କରାଯାଇପାରିବ।