ଡାଇରେକ୍ଟ୍ ମ୍ୟୁଚୁଆଲ୍ ଫଣ୍ଡ୍ ଦେଉଛି ୧ ପ୍ରତିଶତ ଅଧିକ ରିଟର୍ଣ୍ଣ, ଦେବାକୁ ପଡ଼େନି କମିଶନ।

ଡାଇରେକ୍ଟ ମ୍ୟୁଚୁଆଲ୍ ଫଣ୍ଡ୍ କ’ଣ ?

ମ୍ୟୁଚୁଆଲ୍ ଫଣ୍ଡ ନିବେଶ ଆଜିର ସମୟରେ ବେଶ୍‌ ଆଦୃତ ହୋଇ ପାରିଛି। ମ୍ୟୁଚୁଆଲ୍ ଫଣ୍ଡ୍ ଆପଣ ଦୁଇଟି ବାଟରେ କିଣି ପାରିବେ। ଗୋଟିଏ ଏଜେଣ୍ଟ ଜରିଆରେ ଅନ୍ୟଟି ସିଧାସଳଖ। ମ୍ୟୁଚୁଆଲ ଫଣ୍ଡ୍‌ କମ୍ପାନି ନିଜର ସବୁ ସ୍କିମ୍‌ରେ ଡାଇରେକ୍ଟ୍ ପ୍ଲାନ୍ ବିକଳ୍ପ ରଖିଥାନ୍ତି। ଡାଇରେକ୍ଟ୍ ପ୍ଲାନ୍ ଆପଣ ସିଧାସଳଖ କମ୍ପାନିର ୱେବସାଇଟକୁ ଯାଇ କିଣିପାରିବେ। ଏହି ପ୍ରୋସେସ୍‌ରେ ମଝିରେ ଏଜେଣ୍ଟ ନଥିବା କାରଣରୁ ଏକ୍ସପେନ୍ସ ରେସିଓ କମିଯାଇଥାଏ। ଯାହାର ଫାଇଦା ନିବେଶକ ପାଇଥାନ୍ତି। ନିବେଶକ ଡାଇରେକ୍ଟ ପ୍ଲାନ୍ ଜରିଆରେ ମ୍ୟୁଚୁଆଲ ଫଣ୍ଡ୍‌ କିଣି ୧ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ରିଟର୍ଣ୍ଣ ପାଇ ପାରିବେ।

କେମିତି ମିଳେ ଅଧିକ ରିଟର୍ଣ୍ଣ ?

ମ୍ୟୁଚୁଆଲ୍ ଫଣ୍ଡ୍ କମ୍ପାନି ନିଜର ପ୍ରତି ସ୍କିମରେ ରେଗୁଲାର ଓ ଡାଇରେକ୍ଟ୍ ପ୍ଲାନ୍ ରଖିଥାନ୍ତି। ରେଗୁଲାର ପ୍ଲାନରେ ଆପଣଙ୍କୁ ଏଜେଣ୍ଟ ଜରିଆରେ ମ୍ୟୁଚୁଆଲ୍ ଫଣ୍ଡ୍  କିଣିବାକୁ ପଡ଼ିଥାଏ। କିନ୍ତୁ ଡାଇରେକ୍ଟ ପ୍ଲାନରେ ଆପଣ ସିଧାସଳକ କମ୍ପାନିର ୱେବସାଇଟ୍‌ରୁ ମ୍ୟୁଚୁଆଲ୍ ଫଣ୍ଡ୍ କିଣନ୍ତି। ମନେରଖନ୍ତୁ, ଦୁଇଟି ଯାକ ପ୍ଲାନରେ ନିବେଶ ରଣନୀତି ସମାନ ହୋଇଥାଏ। ଏକ ପ୍ରକାର ସେୟାର ଏଥିରେ ଥାଏ। ଉଭୟଙ୍କର କିଣା ଓ ବିକା ଏକ ସମୟରେ ହୋଇଥାଏ। କିନ୍ତୁ ଏହି ସ୍କିମରେ ଆକାଉଣ୍ଟିଂ ରେଗୁଲାର ଓ ଡାଇରେକ୍ଟ ପ୍ଲାନ୍ ହିସାବରେ ହୋଇଥାଏ। ଏହି ଦୁଇ ହିସାବରେ ଏକ୍ସପେନ୍ସ ରେସିଓ ମାନେ ଖର୍ଚ୍ଚ ରେସିଓ ଅଲଗା ରହିଥାଏ। ଡାଇରେକ୍ଟ୍‌ ପ୍ଲାନରେ ଏକ୍ସପେନ୍ସ ରେସିଓ କମ ଓ ରେଗୁଲାରରେ ଅଧିକ ଥାଏ। ତେଣୁ ଡାଇରେକ୍ଟ୍‌ ପ୍ଲାନରେ ନିବେଶକ ଅଧିକ ଲାଭ ପାଇଥାନ୍ତି କାରଣ ରେଗୁଲାର ପ୍ଲାନ୍ ଭଳି ଏଥିରେ ଏଜେଣ୍ଟ କମିଶନ ନଥାଏ।

ଜାଣନ୍ତୁ କ୍ୟାଟେଗୋରୀ ହିସାବରେ ଏକ୍ସପେନ୍ସ ରେସିଓ

କ୍ୟାଟେଗୋରୀ ଡାଇରେକ୍ଟ ପ୍ଲାନ୍ ଏକ୍ସପେନ୍ସ ରେସିଓ ରେଗୁଲାର ପ୍ଲାନ୍ ଏକ୍ସପେନ୍ସ ରେସିଓ ଅନ୍ତର
ଲାର୍ଜ କ୍ୟାପ୍ ୧.୧୧% ୧.୭୪% ୦.୬୩%
ମଲ୍ଟି କ୍ୟାପ୍ ୧.୪୦% ୨.୨୯% ୦.୮୯%
ମିଡ୍ କ୍ୟାପ୍ ୧.୩୦% ୨.୪୦% ୧.୧୦%
ସ୍ମଲ କ୍ୟାପ୍ ୧.୪୯% ୨.୪୧% ୦.୯୨%
ଇଏଲଏସଏସ୍ ୧.୩୪% ୨.୨୬% ୦.୯୨%
ହାଇବ୍ରିଡ୍ ଇକ୍ୱିଟି ୧.୦୪% ୨.୨୦% ୧.୧୬%

 

ନିବେଶ ବେଳେ ସାବଧାନ ରୁହନ୍ତୁ

ଡାଇରେକ୍ଟ ମ୍ୟୁଚୁଆଲ ଫଣ୍ଡରେ ନିବେଶକଙ୍କୁ ଟିକେ ଅଧିକ ଫାଇଦା ମିଳିଥାଏ। କିନ୍ତୁ ଅର୍ଥନୀତି ବିଶେଷଜ୍ଞଙ୍କ ଅନୁସାରେ ଡାଇରେକ୍ଟ ମ୍ୟୁଚୁଆଲ ଫଣ୍ଡ୍ କିଣିବା ବେଳେ ନିବେଶକ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ପ୍ରଥମେ ଏଭଳି ପ୍ଲାନ୍ ଚୟନ କରିବାକୁ ପଡ଼ିବ ଯାହା ଅଧିକ ରିଟର୍ଣ୍ଣ ଦେବ। ଏଜେଣ୍ଟ୍ ଜରିଆରେ ଏଭଳି ପ୍ଲାନ୍ କିଣିଲେ ନିବେଶକଙ୍କୁ ସଠିକ ଯୋଜନାର ପରାମର୍ଶ ମିଳିପାରେ। କିନ୍ତୁ ଡାଇରେକ୍ଟ ପ୍ଲାନରେ ଆପଣଙ୍କୁ ନିଜ ବୁଦ୍ଧି ଓ ବିବେକ ପ୍ରୟୋଗ କରିବାକୁ ପଡ଼ିବ। ତେଣୁ ଯଦି ଆପଣଙ୍କୁ କୌଣସି ମ୍ୟୁଚୁଆଲ ଫଣ୍ଡ ବାବଦରେ ସଠିକ ତଥ୍ୟ ଜଣାନାହିଁ ତେବେ କୌଣସି ଆର୍ଥିକ ପରାମର୍ଶଦାତାଙ୍କ ଟିପ୍ସ ନେବାକୁ ପଡ଼ିବ। ତା’ପରେ ହିଁ ଉପଯୁକ୍ତ ସ୍କିମରେ ନିବେଶ କରନ୍ତୁ।