କିଛି ବ୍ୟକ୍ତି ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଖୁବଶୀଘ୍ର ଘର କିଣିବାକୁ ଚାହନ୍ତି।

ନିଜ ଘର କିଣିବା ଏକ ବଡ ନିଷ୍ପତି ହୋଇଥାଏ। ଖୁବ୍ କମ ଲୋକ ହିଁ କ୍ୟାରିୟର ଆରମ୍ଭର ନିଜ ଘର ବାବଦରେ ଚିନ୍ତା କରିଥାନ୍ତି। କିନ୍ତୁ ଖୁବ୍ କମ ବୟସ ଅର୍ଥାତ ୨୦ରୁ ୩୦ ବର୍ଷ ବୟସ ଭିତରେ ଘର କିଣିବାର ଲାଭ ବି ଅଛି ଲୋକସାନ ବି ରହିଛି। ଆସନ୍ତୁ ଜାଣିବା ଫାଇଦା କ’ଣ ଲୋକସାନ କଣ?

କଣ ପାଇଁ ଜଣେ କମ ବୟସରେ ଘର କିଣିବାକୁ ଚାହେଁ?

ନୂଆ ନୂଆ କ୍ୟାରିୟର ଆରମ୍ଭ କରିଥିବା ବ୍ୟକ୍ତିଙ୍କ ପାଇଁ ନିଜ ଘର କିଣିବା ଗୋଟିଏ ବଡ ଚ୍ୟାଲେଞ୍ଜ୍‌ ହୋଇଥାଏ। କିନ୍ତୁ ଯେମିତି ଯେମିତି ଜଣକର ଆୟ ବୃଦ୍ଧି ପାଇଥାଏ, ସେମିତି ନିଜ ଘର କିଣିବା କଥା ମନକୁ ଆସିଥାଏ। ଭଡ଼ା ଘରେ ରହିଥିବା ବ୍ୟକ୍ତିଟିଏ ଭାବେ ଯେ ଭଡ଼ା ଟଙ୍କା ଇଏମଆଇ ଭାବେ ଦେଇ କଣ ପାଇଁ ନିଜ ଘର ମାଲିକ ନହେବା? କିଛି ମଧ୍ୟ ନିଜ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଶୀଘ୍ର ଘର କିଣିଥାନ୍ତି। ଅନେକଙ୍କ ପାଇଁ ନିଜ ଘର କିଣିବା ହେଉଛି ଜୀବନର ସବୁଠୁ ବଡ଼ ଆର୍ଥିକ ଲକ୍ଷ୍ୟ। ତେଣୁ ସେମାନେ ଖୁବଶୀଘ୍ର ନିଜ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବାକୁ ଚାହିଁଥାନ୍ତି। କିଛି ମଧ୍ୟ ଏହା ଭାବନ୍ତି ଯେ, ଆଗକୁ ଦାୟିତ୍ୱ ବଢିବା ସହ ଘର କିଣିବା କଷ୍ଟକର ହୋଇପଡିବ, ତେଣୁ ସେମାନେ ଶୀଘ୍ର ଘର କିଣିବାକୁ ଇଛାକରନ୍ତି।

ଶୀଘ୍ର ଘର କିଣିବାର ଏହା ହେଉଛି ଲାଭ

କ୍ୟାରିୟର ଆରମ୍ଭରୁ ଘର କିଣିବାର ସବୁଠୁ ବଡ ଫାଇଦା ହେଉଛି ରିଟାୟରମେଣ୍ଟ୍ ପୂର୍ବରୁ ଆପଣ ନିଜ ହୋମ୍ ଲୋନ୍ ସୁଝି ସାରିଥିବେ। ଆପଣ ଲୋନ୍ ସୁଝିବା ଭିତରେ ହିଁ ଆପଣଙ୍କ ପ୍ରପର୍ଟିର ମୁଲ୍ୟ ବଢ଼ି ସାରିଥିବ। ରିଟାୟରମେଣ୍ଟ୍ ବେଳକୁ ଆପଣଙ୍କ ଉପରେ ଲୋନ୍ ବୋଝ ନଥିବ। ଦ୍ୱିତୀୟରେ ଭଡ଼ା ଘରେ ରହି ଆପଣ ଯେଉଁ ଟଙ୍କା ଭଡ଼ା ବାବଦରେ ଦିଅନ୍ତି ସେହି ଟଙ୍କା ଇଏମଆଇ ଭାବେ ଦେଇ ଆପଣ ନିଜ ଘର ମାଲିକ ହୁଅନ୍ତି। ଏହା ସହ ଆପଣଙ୍କୁ କିଛି ବର୍ଷ ଅନ୍ତରାଳରେ ନୂଆ ଘର ଖୋଜିବାକୁ ପଡ଼େନାହିଁ। ଆପଣ କମ୍ ବୟସରେ ଘର ନେବା ଫଳରେ ଆପଣଙ୍କୁ ଟ୍ୟାକ୍ସ ରିହାତି ମଧ୍ୟ ମିଳିଥାଏ। ଯେଉଁଥିରେ ଇନକମ୍ ଟ୍ୟାକ୍ସ ଆଇନ ଅନ୍ତର୍ଗତରେ ଟ୍ୟାକ୍ସ ବେନିଫିଟ୍ ରହିଛି। ଆପଣ ସେହି ବଳକା ଅର୍ଥକୁ ଅନ୍ୟ କାମରେ ବ୍ୟବହାର କରିପାରିବେ। ତେବେ କ୍ୟାରିୟର ଆରମ୍ଭରେ ଲୋନ୍ ନେବା ଦ୍ୱାରା ଆପଣଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥାଏ।

କମ ବୟସରେ ଘର କିଣିବାର ଲୋକସାନ

ଜଣେ ବ୍ୟକ୍ତି ତାଙ୍କ ଆୟ ବଢିବା ସହ ଲୋନ୍ ନେବା କଥା ଚିନ୍ତା କରିଥାନ୍ତି। ଅନେକ ଭାବିଥାନ୍ତି ଯେ, ସେମାନଙ୍କ ଆୟ ଲୋନ୍ ସମୟସୀମା ମଧ୍ୟରେ ସ୍ଥିର ରହିବ। କିନ୍ତୁ ବର୍ତମାନର ସ୍ଥିତିରେ ଜଣକ ଆୟ ସ୍ଥିରରହିବାର କୌଣସି ଗ୍ୟାରେଣ୍ଟି ନାହିଁ। ଲୋନ୍ କାଳରେ କୌଣସି କାରଣରୁ କିଛି ଦିନ ପାଇଁ ହେଉ ପଛେ ଯଦି ଆପଣ ଚାକିରି ଛାଡ଼ନ୍ତି ତେବେ ଇଏମ୍‌ଆଇ ଠିକ୍ ସମୟରେ ପେମେଣ୍ଟ୍ କରିବା ଏକ ବଡ ପ୍ରଶ୍ନ ହୋଇଯାଏ। ଯଦି ଆପଣ ତିନି ମାସରୁ ଅଧିକ ସମୟ ଧରି ନିଜ ଇଏମ୍‌ଆଇ ସୁଝି ପାରନ୍ତି ନାହିଁ ତେବେ ତାହା ଏନପିଏ ଶ୍ରେଣୀକୁ ଚାଲିଯାଏ। ବ୍ୟାଙ୍କ୍‌ ପାଖରେ ଲୋନ୍ ରିକଭରି ପାଇଁ ଅନେକ ବିକଳ୍ପ ଥାଏ। ବ୍ୟାଙ୍କ ଚାହିଁଲେ ଆପଣଙ୍କ ପ୍ରପର୍ଟି ନିଲାମ ମଧ୍ୟ କରିପାରେ। ଏହାସହ ଯଦି ଆପଣ ଏହାକୁ ନେଇ ପ୍ଲାନିଂ କରିନାହାନ୍ତି ତେବେ ଆପଣଙ୍କ ଉପରେ ବ୍ୟାଙ୍କ ଲୋନ୍ ଶୁଝିବାକୁ ଚାପ ବୃଦ୍ଧିପାଇବ। ଆପଣ ଭଡ଼ାରେ ଘର ନେବେ ନାହିଁ ବୋଲି ଲୋନ୍ ଆଣି ଘର କରିଛନ୍ତି କିନ୍ତୁ ଯଦି ଆପଣଙ୍କୁ ପ୍ରଫେସନାଲ କାରଣରୁ ଅଲଗା ସହରକୁ ଯିବାକୁ ପଡ଼ିଲା ତେବେ ଆପଣଙ୍କୁ ଗୋଟିଏ ସମୟରେ ଘର ଭଡ଼ା ଓ ଇଏମ୍‌ଆଇ ଦେବାକୁ ପଡ଼ିବ। ଯାହାଫଳରେ ଏକା ସାଥିରେ ଭଡ଼ା ଓ ଇଏମ୍‌ଆଇ ଦେବା ମୁସ୍କିଲ ହୋଇଯିବ।

ସଠିକ୍ ପ୍ଲାନିଂର ଆବଶ୍ୟକତା

ଯଦି ଆପଣ କ୍ୟାରିୟର ଆରମ୍ଭରୁ ଘର କିଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଦେଖନ୍ତୁ ଯେ, ଆପଣ ଏଥିପାଇଁ କେତେ ପ୍ରସ୍ତୁତ। ନିଜକୁ ସମ୍ଭାବ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତ କରନ୍ତୁ। ଆପଣଙ୍କୁ ଯଦି ଚାକିରି ପାଇଁ ଅଲଗା ସହରକୁ ଯିବାକୁ ପଡ଼େ ତେବେ ଏକା ସମୟରେ ଆପଣ ଗୋଟିଏ ସହରରେ ଘର ଭଡା, ଆଉ ଗୋଟିଏ ସହରରେ ଘର ପାଇଁ ଇଏମ୍‌ଆଇ ଦେଇ ପାରିବେ କି? ଯଦି ଆପଣଙ୍କୁ କୌଣସି କାରଣରୁ ଚାକିରି ହରାଇବାକୁ ପଡ଼େ ତେବେ କେତେ ମାସ, କେତେ ବର୍ଷ ପାଇଁ ଆପଣଙ୍କ ପାଖରେ ଇଏମଆଇ ଅଛି? ଏସବୁ ପାଇଁ ପୁଞ୍ଜି ଥିବା ଅନୁଭବ ହେଲେ କ୍ୟାରିୟର ଆରମ୍ଭରୁ ଘର କଥା ଚିନ୍ତା କରନ୍ତୁ।