ଟିକେ ସାହସ କରନ୍ତୁ ବଜାରରେ ପୁଞ୍ଜି ଖଟାନ୍ତୁ, ହୁଏତ ମାର୍କେଟ୍ ଆପଣଙ୍କୁ କରିଦେବ ମାଲାମାଲ…।

ଦେଶର ଅର୍ଥନୀତିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ବଜାର ମାନ୍ଦା ଅଛି। ଆଗକୁ ବିପଦ ଆସୁଛି। ଏମିତି ଚର୍ଚ୍ଚା ଆପଣଙ୍କ କାନରେ ମଧ୍ୟ ପଡ଼ିଥିବ। ଯଦି ଆପଣ ନିବେଶକାରୀ କିମ୍ବା ନିବେଶ କରିବାକୁ ଚାହୁଁଛନ୍ତି କିନ୍ତୁ ବଜାରର ଚାଲୁ ଅବସ୍ଥା ଆପଣଙ୍କୁ ଡରାଉଛି, ତେବେ ବେଶି ଡରନ୍ତୁ ନାହିଁ। ୨୦୦୮ର ଅନ୍ତର୍ଜାତୀୟ ମାନ୍ଦାବସ୍ଥା କଥା ଚିନ୍ତା କରନ୍ତୁ। ଉତ୍ତର ଆପଣଙ୍କୁ ମିଳିଯିବ।  

୨୦୦୮ରେ ସେୟାର ବଜାରର ସୂଚକାଙ୍କ ୨୧,୦୦୦ରୁ ଖସି ୮,୦୦୦ରେ ପହଞ୍ଚିଥିଲା। ଚାରିଆଡ଼େ ହାହାକାର ବ୍ୟାପିଯାଇଥିଲା। ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଥିଲେ। କିନ୍ତୁ ସେଇ ସମୟରେ କିଛି ଲୋକଙ୍କ ପାଖରେ ନିବେଶର ଅବସର ସୃଷ୍ଟି ହୋଇଥିଲା। ସେମାନେ ଆର୍ଥିକ ମାନ୍ଦାବସ୍ଥାରେ ଦେଖିଥିଲେ ଭବିଷ୍ୟତରେ ଭଳ ଧନ ଅମଳର ସୁଯୋଗ। ଯେତେବେଳେ ମାର୍କେଟରୁ ନିବେଶକ ନିଜ ସେୟାର ବିକ୍ରି କରି ବାହାରି ଯିବାକୁ ଚାହୁଁଥିଲେ ସେତିକିବେଳେ କିଛି ସେୟାର କିଣୁଥିଲେ। ସେମାନେ ବଜାରର ସେଇ ନିୟମକୁ ଅନୁସରଣ କରୁଥିଲେ ଯାହା କୁହେ, ଯେତେବେଳେ ସମସ୍ତେ ବଜାର ଛାଡ଼ି ପଳାୟନ କରୁଛନ୍ତି, ସେତେବେଳେ ତୁମେ ନିବେଶ କର। ସେଇଆ ମଧ୍ୟ ହୋଇଥିଲା। ୨୦୦୮ରେ ଯେଉଁ ସେୟାର ସବୁ ତଳକୁ ଖସିପଡ଼ିଥିଲେ ମାର୍କେଟ୍ ସମ୍ଭାଳିବା ପରେ ସେହି ସବୁ ସେୟାର ପ୍ରଚୁର ଲାଭ ଦେଲେ। ତେଣୁ ମନେ ରଖନ୍ତୁ ନିରାଶଜନକ ପରିସ୍ଥିତିରେ ନିବେଶର ଭଲ ସୁଯୋଗ ଥାଏ।

ସେୟାର କିଣିବାର ସବୁଠୁ ଭଲ ସମୟ

ବଜାର ମାନ୍ଦା ଥିବାବେଳ ହିଁ ସେୟାର କିଣିବାର ସବୁଠୁ ଭଲ ସମୟ। ସେୟାରଗୁଡ଼ିକର ମୁଲ୍ୟ ଏବେ ବହୁତ କମ ଅଛି। ଆହୁରି ବି କମ ହୋଇପାରେ। କିନ୍ତୁ ଆପଣ ଯେଉଁ ସେୟାରକୁ ଏବେ କମ୍ ମୁଲ୍ୟରେ କିଣୁଛନ୍ତି ତାହା ଆଗକୁ ବଢିବ ହିଁ ବଢିବ। ବର୍ତ୍ତମାନ ଅଟୋମୋବାଇଲ୍,ଏଫ୍‌ଏମ୍‌ସିଜି ଓ ରିଟେଲ୍ ସେକ୍ଟରରେ ମାନ୍ଦାବସ୍ଥା ଦେଖିବାକୁ ମିଳୁଛି। ତେଣୁ ଏହି ସେକ୍ଟରର ସେୟାର ମୁଲ୍ୟ କମ ରହିଛି। କିନ୍ତୁ ମାନ୍ଦାବସ୍ଥା ଚିରନ୍ତନ ନୁହେଁ। ଆଗକୁ ସେୟାର ରେଟ୍ ବଢ଼ିବ ହିଁ ବଢିବ। ଆପଣ ଏବେ କମ୍ ମୁଲ୍ୟରେ କିଣିଥିବା ସେୟାର ଆଗକୁ ଅଧିକରେ ବିକ୍ରି କରିପାରିବେ।  ତେଣୁ ଡରନ୍ତୁ ନାହିଁ ନିଜ ସକ୍ଷମତା ଅନୁସାରେ କିଛି ସେୟାର କିଣନ୍ତୁ। କିଏ ଜାଣେ, ଆଗକୁ ଆପଣ କୋଟିପତି ହୋଇପାରନ୍ତି!

କ୍ଷୁଦ୍ର ସୌକିନ୍ ନିବେଶକ କେଉଁଠି ଲଗାଇବେ ଟଙ୍କା ?

ଛୋଟ ଓ ସୌକିନ୍ ନିବେଶକ ମିଡକ୍ୟାପ୍ ସେୟାରରେ ଏବେ ଟଙ୍କା ଲଗାଇବା କଥା ବୋଲି ବିଶେଷଜ୍ଞ କୁହନ୍ତି। ଆଇଟି ସେୟାର ସବୁବେଳେ ଭଲ ରିଟର୍ଣ୍ଣ ଦେଇଥାଏ। ବିଜୁଳି, ଫାଇନାନ୍ସ, ବ୍ୟାଙ୍କିଙ୍ଗ୍ ଓ ଏଫ୍‌ଏମ୍‌ସିଜି ସେୟାର ମଧ୍ୟ ନିକଟ ଭବିଷ୍ୟତରେ ଭଲ ରିଟର୍ଣ୍ଣ ଦେବେ। ତେଣୁ ଏବେ ଏହି ସେବୁ ସେକ୍ଟରର ସେୟାର କିଣିବା ଠିକ୍ ରହିବ।

କେତେ ସମୟ ପାଇଁ କରିବେ ନିବେଶ?

ବିଶେଷଜ୍ଞଙ୍କ ଅନୁସାରେ ଆଜି ସେୟାରର ମୁଲ୍ୟ ଯାହା ରହିଛି ୬ ମାସ ପରେ ହୁଏତ ଆପଣଙ୍କୁ ମିଳିବ ନାହିଁ। ମୁଲ୍ୟ ତ’ ଆଗକୁ ନିଶ୍ଚୟ ବଢ଼ିବ। ଏଭଳି ରେଟ୍ ହୁଏତ ଆପଣଙ୍କୁ ଆଉ କେବେ ମଧ୍ୟ ମିଳିବ ନାହିଁ। ସମ୍ଭବତଃ ଏହା ଲାଇଫ୍ ଟାଇମ୍ ଅପରଚ୍ୟୁନିଟି। ଭାବିଚିନ୍ତି ନିବେଶ କଲେ ଆଗାମୀ ଦୁଇ ବର୍ଷରେ ଆପଣଙ୍କ ସେୟାର ଦୁଇ ଗୁଣ ହେବାର ପୁରା ସମ୍ଭାବନା ରହିଛି।

mutual fund

କେଉଁ କାରଣରୁ ବଜାର ପୁଣି ଉଠିବ?

ବଜାରରେ ମାରକାଟ୍ ଚାଲିଥିବା ବେଳେ ମଧ୍ୟ ଆଗକୁ ତେଜି ଆସିବାର ସଂକେତ ଲୁଚି ରହିଛି। ଉଦାହରଣ ସ୍ୱରୁପ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଅନେକ କମ୍ପାନିଙ୍କର ଆର୍ଥିକ ଫଳାଫଳ ଭଲ ରହିଛି। ବ୍ୟାଙ୍କମାନଙ୍କର ଏନ୍‌ପିଏରେ ହ୍ରାସ ଆସୁଛି। ବିଦେଶୀ ନିବେଶକଙ୍କ ଉପରେ ଲାଗୁଥିବା ସୁପର ରିଚ୍ ଟ୍ୟାକ୍ସର ସମୀକ୍ଷା ସରକାର କରୁଛନ୍ତି ଓ ଆଗକୁ ଏହାର କିଛି ବାଟ ବାହାରି ପାରେ। ସରକାରୀ କମ୍ପାନିଙ୍କ ବିକ୍ରିରୁ ମଧ୍ୟ ଅର୍ଥବ୍ୟବସ୍ଥାକୁ ପୁଞ୍ଜି ଆସିପାରେ।

ନିବେଶ ପାଇଁ ନିଜ ଫଣ୍ଡ୍‌ର ବ୍ୟବହାର କରନ୍ତୁ

ତେବେ ଛୋଟ ନିବେଶକ କେବେ ମଧ୍ୟ ଲୋନ୍ ନେଇ ପୁଞ୍ଜି ନିବେଶର ଭୁଲ କରନ୍ତୁ ନାହିଁ। ସେମାନେ ନିଜ ପାଖରେ ଥିବା ଅର୍ଥକୁ ବଜାରରେ ଲଗାନ୍ତୁ। ତେଣିକି ସେହି ପୁଞ୍ଜି ଯେତେ ହେଉ ପଛେ କିନ୍ତୁ କେବେ ମଧ୍ୟ ଲୋନ୍ ନିଅନ୍ତୁ ନାହିଁ। କାରଣ ବଜାର ତୁରନ୍ତ ରିଟର୍ଣ୍ଣ ଦେବ ସେମିତି ଜରୁରୀ ନୁହେଁ। ଏହା କିଛି ଦିନ ପାଇଁ ଶୋଇ ରହିପାରେ, ଭଲ ରିଟର୍ଣ୍ଣ ଆସିନପାରେ। ତେଣୁ ନିଜ ପଇସା ହିଁ ଖଟାନ୍ତୁ।