ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ନୂଆବର୍ଷର ଭେଟି ଆଣିଦେଇଛି। ଏସ୍‌ବିଆଇ ନିଜର ଏକ୍ସଟରନାଲ ବେଞ୍ଚମାର୍କ ରେଟ୍‌କୁ ୨୫ ପ୍ରତିଶତ କମାଇ ଦେଇଛି। ଏହା ଫଳରେ ଗୃହ ଋଣ ଏବଂ କାର୍‌ ଋଣ ଶସ୍ତା ହୋଇଯିବ। ଏହା ଆସନ୍ତା ନୂଆବର୍ଷଠାରୁ ଦେଶରେ ଲାଗୁ ହେବ। ବ୍ୟାଙ୍କର ଉଭୟ ନୂଆ ଏବଂ ପୁରୁଣା ଗ୍ରାହକ ଏହାର ଲାଭ ପାଇପାରିବେ।

ବର୍ତ୍ତମାନ ନୂଆ ଘର କିଣିବା ପାଇଁ ଏସ୍‌ବିଆଇ ୮.୧୫ ପ୍ରତିଶତ ସୁଧହାରରେ ଋଣ ଦେଉଛି। ତେବେ ଏକ୍ସଟରନାଲ ବେଞ୍ଚମାର୍କ ରେଟ୍‌(ଇବିଆର୍‌) ୮.୦୫ ପ୍ରତିଶତରୁ ୭.୮୦ କମିଯିବା ପରେ ଘର କିଣିବା ପାଇଁ ବ୍ୟାଙ୍କ୍‌ ୭.୯୦ ପ୍ରତିଶତ ସୁଧହାରରେ ଋଣ ଦେବ।

ସୂଚନାଯୋଗ୍ୟ, ରେପୋ ରେଟ୍‌କୁ ଆଧାର କରି ବ୍ୟାଙ୍କ୍‌ଗୁଡ଼ିକୁ ୩ ମାସ ବ୍ୟବଧାନରେ ନିଜର ଏକ୍ସଟରନାଲ ବେଞ୍ଚମାର୍କ ରେଟ୍‌କୁ ସ୍ଥିର କରିବାକୁ ପଡ଼ିଥାଏ। ରେପୋ ରେଟ୍‌ରେ ୨୫୬ ବେସିସି ପଏଣ୍ଟ ଅର୍ଥାତ୍‌ ୨.୬୫ ପ୍ରତିଶତ ଯୋଡ଼ିଲେ ଇବିଆର୍‌ ସ୍ଥିର କରାଯାଇଥାଏ।

ଗତ ଅକ୍ଟୋବର ମାସରେ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ କମାଇ ଦେଇଥିଲା। ଫଳରେ ଏହାର ପ୍ରଭାବ ଷ୍ଟେଟ୍‌ ବ୍ୟାଙ୍କ୍‌ର ଏକ୍ସଟରନାଲ ବେଞ୍ଚମାର୍କ ରେଟ୍‌ ଉପରେ ପଡ଼ିଛି। ବର୍ତ୍ତମାନ ଆର୍‌ବିଆଇ ଦ୍ୱାରା ସ୍ଥିର ହୋଇଥିବା ରେପୋ ରେଟ୍ ହେଉଛି ୫.୧୫ ପ୍ରତିଶତ।