ନିବେଶ ନିଷ୍ପତ୍ତି ଉପରେ ଭାବନାକୁ ଭାରି ହେବାକୁ ଦିଅନ୍ତୁ ନାହିଁ।

ନିବେଶ ଭାବିଚିନ୍ତି କରାଯାଏ। ନିବେଶରେ ଭାବନାର ସ୍ଥାନ ନଥାଏ। ଭାବନାରେ ବହି ନିବେଶ କରୁଥିବା ନିବେଶକ ନିଜ ମୂଳ ପୁଞ୍ଜି ହରାଇଥାନ୍ତି। ଭାବନା ଦ୍ୱାରା ପ୍ରଭାବିତ ନହୋଇ ନିବେଶ ନିଷ୍ପତ୍ତି ନେବା ପ୍ରତି ନିବେଶକଙ୍କ ପକ୍ଷରେ ଜରୁରୀ। ଭାବନା ଦ୍ୱାରା ପ୍ରଭାବିତ ନହୋଇ କେମିତି ନିବେଶ କରିବେ ଆସନ୍ତୁ ଜାଣିବା…

ପୁରୁଣା ସ୍ମୃତିକୁ ନିବେଶ ସହ ଯୋଡ଼ନ୍ତୁ ନାହିଁ

ଫାଇନାନ୍ସିଆଲ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ, ଅନେକ ସମୟରେ ନିବେଶ କରିବା ବେଳେ ପୁରୁଣା ସ୍ମୃତି ଆମ ଉପରେ ଭାରି ପଡ଼େ। ଉଦାହରଣ ସ୍ୱରୁପ ଜେଜେବାପା କିମ୍ବା ବାପାଙ୍କଠାରୁ ମିଳିଥିବା ପୁରୁଣା ସମ୍ପତ୍ତି କିମ୍ବା ସେୟାର ସହ ଆମେ ଭାବନାତ୍ମକ ଭାବେ ଏତେ ଯୋଡ଼ି ହୋଇ ରହୁଥାଉ ଯେ, ତାକୁ ବିକ୍ରି କରିବାକୁ ଚାହୁଁନା। ସେମିତି ଯଦି ଆମେ ଆମ ପ୍ରଥମ ଦରମାରେ କିଛି ନିବେଶ କରିଥାଉ ତାକୁ ମଧ୍ୟ ବିକ୍ରି କରିବାକୁ ଚାହୁଁନା। ତେବେ ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ ଏହା ମାରାତ୍ମକ ଭୁଲ। ନିବେଶ ମାମଲାରେ ଭାବନାତ୍ମକ ନିଷ୍ପତି ବିପରିତ ଫଳ ଦେଇଥାଏ। ଏମିତି ବି ହୋଇପାରେ ଏହି ନିଷ୍ପତି ପାଇଁ ଆପଣ ନିଜର ସମ୍ପୂର୍ଣ୍ଣ ପୁଞ୍ଜି ହରାଇ ପାରନ୍ତି। ଏମିତି ପରିସ୍ଥିତିରେ ନିଜକୁ ପ୍ରଶ୍ନ କରନ୍ତୁ ‘ସେହି ସମ୍ପତି ରଖିଲେ ମୁଁ ଧନି ହେବି ନା ମୋର ସବୁ ପୁଞ୍ଜି ବୁଡ଼ିଯିବ’। ଯଦି ପୁଞ୍ଜି ବୁଡ଼ିବାର ଆଶଙ୍କା ଅଛି ତେବେ ତୁରନ୍ତ ସେହି ସମ୍ପତିକୁ ବିକ୍ରି କରନ୍ତୁ।

‘ପଛରେ ରହିଯିବା ଡରକୁ ଡରନ୍ତୁ ନାହିଁ

ଅନେକ ସମୟରେ ଆମେ ଏମିତି କିଛି ସେୟାର କିଣିଥାଉ ଯାହାର ମାର୍କେଟ୍ ଭାଲ୍ୟୁ ଅଳ୍ପଦିନରେ ଉଚ୍ଚା ହୋଇଯାଏ। ଆମେ ଭାବୁ ଯେ, ଯଦି ଆମେ ଏହି ସେୟାର ଏବେ କିଣିବା ନାହିଁ ତେବେ ପଛରେ ରହିଯିବା। ଯଦି ଆପଣ ଏହିଭଳି ଭାବି ସେୟାର କିଣୁଛନ୍ତି, ତେବେ ମନେ ରଖନ୍ତୁ ଆପଣ ଜୁଆ ଖେଳୁଛନ୍ତି। ସମସ୍ତେ କିଣୁଛନ୍ତି, ଆଗକୁ ଆହୁରି ରେଟ୍ ବଢିବ, କେବଳ ଏହା ଭାବି ସେୟାର କିଣନ୍ତୁ ନାହିଁ। ସବୁବେଳେ ସେୟାରର ଭବିଷ୍ୟତ ମୂଲ୍ୟ କଥା ଚିନ୍ତା କରୁଛନ୍ତି। ଏବେ ଯେଉଁ ମୂଲ୍ୟରେ ସେୟାର କିଣୁଛନ୍ତି, ଆଗକୁ ତାର ମୁଲ୍ୟ ବଢିବ କି? ଯଦି ବଢିବ ତେବେ ତା’ର ଆଧାର କ’ଣ ଜାଣି ନିବେଶ କରନ୍ତୁ। ଏହା ଜରୁରୀ ନୁହେଁ ଯେ, ଗତ କେଇ ବର୍ଷ ଧରି ଭଲ ରିଟର୍ଣ୍ଣ ଦେଉଥିବା ସେୟାର ଆଗାମୀ ବର୍ଷରେ ମଧ୍ୟ ଭଲ ରିଟର୍ଣ୍ଣ ଦେବ।

ବଜାର ମାନ୍ଦା ଥିବା ବେଳେ ମଧ୍ୟ ସବୁକିଛି ବୁଡ଼ିବ ନାହିଁ

ସେୟାର ବଜାରରେ ମାନ୍ଦାବସ୍ଥା ଥିବା ବେଳେ ଡର ଲାଗେ ଯେ, କାଳେ ଆମର ସବୁ ପୁଞ୍ଜି ବୁଡ଼ିଯିବ। କିନ୍ତୁ ମନେ ରଖନ୍ତୁ ସବୁବେଳେ ମାର୍କେଟ୍ ଡାଉନ୍ ରହେନା। ମାନ୍ଦାବସ୍ଥା ସ୍ଥାୟୀ ନୁହେଁ। ଯଦି ସେୟାର କିମ୍ବା ଅନ୍ୟ କୌଣସି ନିବେଶ ସମ୍ପତିର ଭିତ୍ତିଭୂମି ସୁଦୃଢ ଥାଏ, ତେବେ ବଜାର ସୁଧୁରିଲେ ସେୟାର ରେଟ୍ ପୁଣି ବଢ଼ିବ। ଏମିତିରେ ମାନ୍ଦାବସ୍ଥାକୁ ଦେଖି ନିଜ ସେୟାର ବିକ୍ରି କରି ବଜାରରୁ ବାହାରି ଆସିଥିବା ନିବେଶକ ଯେତେବେଳେ ମାର୍କେଟ ଉପରକୁ ଉଠେ ସେତେବେଳେ ଲାଭ ପାଇବାରୁ ବଞ୍ଚିତ ହୁଅନ୍ତି। ତେଣୁ ବଜାରରେ ମାନ୍ଦାବସ୍ଥା ବେଳେ ନଡରି ଧୈର୍ଯ୍ୟର ସହ ନିଷ୍ପତି ନିଅନ୍ତୁ।

ଏକାଥରକେ ଅଧିକ ଟଙ୍କା ଲଗାନ୍ତୁ ନାହିଁ

ଲାଭର ଲୋଭରୁ ବଞ୍ଚନ୍ତୁ। ଅନେକ ସମୟରେ ବଡ଼ ଲାଭ ଲୋଭରେ ଆମେ ଏକାଥରକେ ଅଧିକ ଅର୍ଥ ନିବେଶ କରିଦେଇଥାଉ। ଏମିତିର ଅଧିକ ଲାଭ ବଦଳରେ ବଡ଼ କ୍ଷତି ହେବାର ଅଧିକ ଆଶଙ୍କା ଥାଏ। ତେଣୁ ଏକାଥରକେ ଅଧିକ ଟଙ୍କା ନିବେଶ ନକରି ଅଳ୍ପଅଳ୍ପ ଟଙ୍କା ନିବେଶ କରନ୍ତୁ। ଉଦାହରଣ ସ୍ୱରୁପ ଯଦି ଆପଣ କୌଣସି କମ୍ପାନିର ୫୦୦ ସେୟାର କିଣିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ କେବଳ ୨୦୦ ସେୟାର କିଣନ୍ତୁ। ଦେଖନ୍ତୁ, ସେୟାର ମୂଲ୍ୟ ଯଦି ୨୦ ପ୍ରତିଶତ ହ୍ରାସ ପାଉଛି ତେବେ ସେହି କମ୍ପାନିର ଆଉ କିଛି ସେୟାର କିଣନ୍ତୁ। ଏମିତି କଲେ ଆପଣ ଦୁଇପଟୁ ଲାଭରେ ରହିବେ। ପ୍ରଥମରେ ଯଦି ସେୟାର ମୁଲ୍ୟ ବଢୁଛି ତେବେ ଆପଣ ଆଗରୁ କିଣିଥିବା ୨୦୦ ସେୟାରରେ ଲାଭ ପାଉଛନ୍ତି। ସେହିଭିଳି ବିକ୍ରି କରିବା ସମୟରେ ମଧ୍ୟ ସେୟାରକୁ ଏକାଥରକେ ବିକ୍ରି କରନ୍ତୁ ନାହିଁ। ବିଭିନ୍ନ ସମୟରେ ଅଳ୍ପ ଅଳ୍ପ କରି ବିକ୍ରି କରନ୍ତୁ।