ସହଦେବ ସାହୁ
‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍। ଆଜି ଏଥିରେ ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା।
କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ବେଶ୍ ପରିଚିତ ନାମ ‘ରୁଚି’ର ମାଲିକ ଶ୍ରୀ ଶରତ କୁମାର ସାହୁ। କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ତାଙ୍କ ବ୍ରାଣ୍ଡର ଖ୍ୟାତି ଅଛି। ଓଡ଼ିଶାର ଘରେ ଘରେ ରୁଚି ମସଲା ପରିଚିତ କହିଲେ କଥା ସରିଯାଏ ନାହିଁ। ବିଭିନ୍ନ ଆନ୍ତର୍ଜାତିକ ଖାଦ୍ୟ ଓ ଖାଦ୍ୟ ସମ୍ପର୍କିତ ମେଳା ଓ ପ୍ରଦର୍ଶନୀରେ ତାଙ୍କ ଷ୍ଟଲ୍ କେବଳ ସ୍ଥାନ ପାଉଛି ତାହା ନୁହେଁ, ବହୁତ ଗ୍ରାହକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେଉଛି।
ରୁଚି ନାମ ଏବେ ପ୍ରସିଦ୍ଧ ହୋଇଯାଇଛି ଯେ ଆମ ଦେଶର କେତେକ କମ୍ପାନୀ ସେହି ନାମରେ ମସଲା, ତେଲ ଓ ରେଡିମେଡ୍ ଖାଦ୍ୟ ବଜାରକୁ ଛାଡ଼ୁଛନ୍ତି। କେଉଁ କମ୍ପାନୀ ଏହାର ଉତ୍ପାଦନକାରୀ ତାହା ଜାଣିଗଲା ପରେ ଗ୍ରାହକମାନେ ଏହା ଅସଲୀ ରୁଚି କି ନକଲି ଜାଣିପାରନ୍ତି। ଶ୍ରୀ ଶରତ ସାହୁଙ୍କ ରୁଚି କମ୍ପାନୀର ନାମ ହେଲା ‘ଓମ୍ ଅଏଲ ଆଣ୍ଡ୍ ଫ୍ଲାୱାର ମିଲ୍ସ ଲିମିଟେଡ୍’। ତାଙ୍କ ବ୍ରାଣ୍ଡକୁ ନକଲ କରୁଥିବା କମ୍ପାନୀମାନଙ୍କ ବିରୋଧରେ କୌଣସି ମକଦ୍ଦମା କରି ସେମାନଙ୍କୁ ରୁଚି ଟ୍ରେଡମାର୍କ ବ୍ୟବହାରରୁ ବିରତ କରିବା ପାଇଁ ଚାହିଁ ନାହାନ୍ତି ଶ୍ରୀ ସାହୁ। ଫଳରେ ରୁଚି ଟ୍ରେଡମାର୍କ ବ୍ୟବହାର କରିଥିବା କମ୍ପାନୀ ସଂଖ୍ୟା ବହୁତ। ସମ୍ଭବତଃ ଶ୍ରୀ ସାହୁ ଭାବନ୍ତି ତାଙ୍କ ମାନସସନ୍ତାନର ପାଳନକାରୀ ଜନକ ଜନନୀ ଯେତେ ହେବେ ତାଙ୍କ ସାମଗ୍ରୀର ବିକ୍ରି ସେତେ ବଢ଼ିବ। ନକଲ କରୁଥିବା ଲୋକଙ୍କୁ ଏମିତି ଉଦାର ଦୃଷ୍ଟିରେ ଦେଖିବା କେବଳ ଉଦାର ହୃଦୟ ଶରତ କୁମାର ସାହୁଙ୍କ ପକ୍ଷେ ସମ୍ଭବ।
ଶ୍ରୀ ଶରତ କୁମାର ସାହୁଙ୍କ ସହ ମୁଁ ସମ୍ପର୍କରେ ଆସିଲି ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ୍ ସୋସାଇଟିଜ୍ ଥିବା ବେଳେ। ପରେ ପରେ ମୁଁ ରାଉରକେଲା ଇସ୍ପାତ କାରଖାନାର ଡେପୁଟି ଜେନେରାଲ ମ୍ୟାନେଜର ହିସାବରେ ଚାଲିଗଲା ପରେ ଥରେ ଅଧେ ଦେଖା। କିନ୍ତୁ ଯେତେବେଳେ ମୁଁ ମୁଖ୍ୟ ଶାସନ ସଚିବ ହିସାବରେ କିଛିଦିନ ଥିଲି ଶ୍ରୀ ସାହୁ ତାଙ୍କର ବିଭିନ୍ନ ସମସ୍ୟା ନେଇ ମୋ ସହିତ ଆଲୋଚନା କରିବାକୁ ଆସନ୍ତି ଏବଂ ବିଭିନ୍ନ ସମସ୍ୟା, ବିଶେଷତଃ ସରକାରୀ ଅଧିକାରୀମାନଙ୍କ ସହଯୋଗର ଅଭାବ ଓ ଆର୍ଥିକ ସମସ୍ୟା ବିଷୟରେ ଆଲୋଚନା କରନ୍ତି। ତାଙ୍କର ଅଭୂତପୂର୍ବ ସହନଶୀଳତା ଓ ସମସ୍ୟା ଘେରରେ ଉଧେଇବାର ପ୍ରବଳ ଚେଷ୍ଟା ମୋ ଆଖି ଆଗରେ ତାଙ୍କୁ ରୋଦଗମର ଛବି ଭଳି ଭାସି ଆସେ।
ଭୂପୃଷ୍ଠର କେତେ ଚାପ ଓ ତାପ ସତ୍ତ୍ୱେ ବୀଜଟିଏ କିପରି ସଗର୍ବରେ ମୁଣ୍ଡ ଟେକେ ତାହା ହିଁ ଶ୍ରୀ ଶରତ କୁମାର ସାହୁ ଏବଂ ଅଙ୍କୁରଟି ହେଲା ‘ଓମ୍ ଅଏଲ ଆଣ୍ଡ୍ ଫ୍ଲାୱାର ମିଲ୍ସ’ – ଆଜି ସେ ଏକ ମହାଦ୍ରୁମରେ ପରିଣତ। କେତେ ଚାପ ଏବଂ ଆପାତତଃ ଅଲଘଂନୀୟ ଆର୍ଥିକ ୠଣ ଭାର ତାଙ୍କୁ ଦବାଇ ପାରିଲା ନାହିଁ।
୧୯୭୬ରେ ରୁଚି ସ୍ପାଇସେସ ଆଣ୍ଡ୍ ଭର୍ମିସେଲ୍ ନାମରେ ଆରମ୍ଭ ହୋଇଥିବା କମ୍ପାନୀ ପରେ ପରେ ପାସ୍ତା ଡିଭିଜନ ଖୋଲିଲା, ଏକ ଇଟାଲୀୟ କମ୍ପାନୀ ସହିତ ବୁଝାମଣା ପରେ ଭର୍ମିସେଲ ଡିଭିଜନ କାମ ବଢ଼ିଲା। ସ୍ପାଇସେସ୍ ଡିଭିଜନ ଓ ଫ୍ରୋଜଡ ଫୁଡ ଡିଭିଜନ ଚାଲୁ କରିବା ଏହାର ପ୍ରାକୃତିକ ଶାଖା ମାତ୍ର। ସିମେଇ, ମସଲା, ବରଫୀକୃତ ପାକେଜ ଖାଦ୍ୟ ଘରେ ଘରେ ଅପରିହାର୍ଯ୍ୟ ହୋଇଗଲା। ୨୦୦୫ରେ ଓମ୍ ଅଏଲ ଆଣ୍ଡ୍ ଫ୍ଲାୱାର ମିଲ୍ସର ରୁଚି ସ୍ପାଇସେସ୍ ଶାଖା ଆଇଏସ୍ଓ ୨୨୦୦୦ ସାର୍ଟିଫିକେଟ୍ ପାଇଲା। ଶ୍ରୀ ସାହୁ କେବଳ ସାମଗ୍ରୀ ତିଆରି କାରଖାନାଟିଏ ପ୍ରତିଷ୍ଠା କରି ଚୁପ୍ ରହିଲେ ନାହିଁ, ଖାଦ୍ୟ ତିଆରି କରିବାର ମଣିଷ ତିଆରି କରିବା ଯୋଜନା ତାଙ୍କ ଉର୍ବର ମସ୍ତିଷ୍କରେ ପଶିଲା ତ ସେ ରୁଚି ଫୁଡକ୍ରାଫ୍ଟ ଇନିଷ୍ଟିଚ୍ୟୁଟ୍ ନାମରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ଓ ପାକେଜିଂ ଶିଳ୍ପର ତାଲିମ କେନ୍ଦ୍ର ସଫଳ ଭାବେ ଚଳାଇଲେ। ଶ୍ରୀ ସାହୁଙ୍କ ଏପରି ଅନେକ ଉଦ୍ୟମରେ ମୁଁ ଉପସ୍ଥିତ ରହିବାର ନିମନ୍ତ୍ରଣ ପାଇଛି। ଶ୍ରୀ ସାହୁଙ୍କ ଅନୁଷ୍ଠାନଟି ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଏକ ବୈପ୍ଳବାତ୍ମିକ ପଦକ୍ଷେପ। ବହୁତ ବ୍ୟକ୍ତି ଏଠାରୁ ଶିକ୍ଷା ପାଇ ସ୍ୱାସ୍ଥ୍ୟକର ସୁସ୍ୱାଦୁ ପ୍ୟାକେଟ୍ରେ ସଂରକ୍ଷିତ କରି ଖାଦ୍ୟ ବିକ୍ରି ଆରମ୍ଭ କରି ଦେଇଛନ୍ତି।
ଲୋକ ବିଶ୍ୱାସ କରି ପାରନ୍ତି ନାହିଁ ଯେ ମାତ୍ର ୫୦୦୦ ଟଙ୍କା ପୁଞ୍ଜି ଧରି ଶ୍ରୀ ଶରତ କୁମାର ସାହୁ ରୁଚି କାରଖାନା ସ୍ୱପ୍ନ ଦେଖିଥିଲେ ଏବେ ତାଙ୍କର ସ୍ୱପ୍ନ ସଫଳ ହୋଇ ୧୦୦ କୋଟିର କାରବାର କରିବାରେ ସଫଳ ହୋଇପାରିଛି।
୫୦୦୦ ଟଙ୍କା ଧରି ଉଦ୍ୟୋଗ ଆରମ୍ଭ କରିଥିବା ଲୋକ ଇଟାଲି ଓ ଦକ୍ଷିଣ କୋରିଆରୁ ଟେକ୍ନୋଲୋଜି ଆଣିପାରିବ, ପାସ୍ତା ଓ ଭର୍ମିସେଲ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ନାମ ତିଆରି କରିପାରିବ କେହି ଭାବି ପାରି ନଥିଲେ – କେବଳ ଜଣେ ଭାବିଥିଲେ ସେ ହେଉଛନ୍ତି ଶ୍ରୀ ଶରତ କୁମାର ସାହୁ। ରୁଚିର ବିଭିନ୍ନ ସାମଗ୍ରୀ ସିଙ୍ଗାପୁର, ଟାଞ୍ଜାନିଆ, ମସ୍କାଟ, ଦୁବାଇ, କୁଏତ, ନେପାଳ, ବାଂଲାଦେଶ ଓ ଅଷ୍ଟ୍ରେଲିଆରେ ବହୁତ ଆଦୃତ ଏବଂ ରପ୍ତାନୀ କ୍ଷେତ୍ରରେ ଶ୍ରୀ ସାହୁ ଏକ ଉଲ୍ଲେଖନୀୟ ସ୍ଥାନ ପାଇଛନ୍ତି। ଏ ସବୁ ମାତ୍ର ଗତ ୪୦ ବର୍ଷ ଭିତରେ ଘଟିଯାଇଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ ସାହୁ ତାଙ୍କ କମ୍ପାନୀର ସାମଗ୍ରୀଗୁଡ଼ିକର ଗୁଣବତ୍ତା ଓ ସ୍ୱାସ୍ଥ୍ୟପ୍ରଦତା ଉପରେ ଜୋର ଦେଇ ଆସୁଛନ୍ତି। ଆଜିକାଲିର କଳାବଜାରୀ ଓ ଭେଜାଲ ବଜାରରେ ତାଙ୍କର ସୃଷ୍ଟି ଏକ ମାର୍ଗଦର୍ଶୀ ଆଲୋକ ବର୍ତ୍ତିକା। ଏଥିଲାଗି ସେ ବର୍ଷ ବର୍ଷ ଧରି ପ୍ରାକୃତିକ ଉପାୟରେ ଚାଷ ଦେଉଥିବା ଫସଲରୁ କଞ୍ଚାମାଲ ସଂଗ୍ରହ କରୁଛନ୍ତି ଏବଂ ତାହା ହିଁ ତାଙ୍କ ମସଲାର ଉପାଦାନ। ଏଥିଲାଗି ସେ ଫୁଲବାଣୀ ଜିଲ୍ଲାକୁ ନିଜର କରି ନେଇଛନ୍ତି। ଅର୍ଗାନିକ ପ୍ରଡକ୍ଟ ଯୋଗାଇବାରେ ସେ ଓଡ଼ିଶାରେ ପ୍ରଥମ ଉଦ୍ୟୋଗୀ।
ତାଙ୍କ ରୁଚି ରାଇସ୍ ବା ରୁଚି ଚାଉଳ ଘରେ ଘରେ ଆଦୃତ। କିନ୍ତୁ ଏହା ଚାଉଳ ନୁହେଁ, ଗହମ ଅଟାରୁ ତିଆରି ଚାଉଳ ଭଳି ଦାନା। ଉଚ୍ଚ ରକ୍ତଚାପ ଓ ମେଦବହୁଳତା ରୋଗରୁ ଉପଶମ ପାଇବା ପାଇଁ ରୁଚି ରାଇସ୍ର ବିକ୍ରି ବଢ଼ି ଚାଲିଛି। ଶ୍ରୀ ସାହୁ କହନ୍ତି ଯେ କୋଳଥର ସାମଗ୍ରୀ ଲୋକପ୍ରିୟ କରିବାର ସାଧନାରେ ଲାଗିଛନ୍ତି ତାଙ୍କ ରୁଚି ମାର୍କା କୋଳଥ ସାମଗ୍ରୀ ଗଲ୍ ବ୍ଲାଡର୍ ଷ୍ଟୋନ ଓ କିଡିନ୍ ଷ୍ଟୋନ୍ ହ୍ରାସ କରିବା ଓ ଆଣ୍ଠୁଗଣ୍ଠି କଷ୍ଟକୁ ଲାଘବ କରିବା ଲାଗି ଉଦ୍ଦିଷ୍ଟ ବୋଲି ଶ୍ରୀ ସାହୁ ଗର୍ବ କରନ୍ତି ଏବଂ ଗର୍ବ ଜଣେ ସଫଳ ଉଦ୍ୟୋଗୀର ଗର୍ବ। ଖାଦ୍ୟକୁ ଔଷଧିୟ କରିବା ନ୍ୟୁଟ୍ରିସେଟିକାଲ୍ସ ତିଆରି କରିବା ଉଦ୍ୟମରେ ଲାଗି ଦେଶର ପ୍ରଭୂତ ଉପକାର ଚାହୁଁଛନ୍ତି, କାରଣ ସେ ଅନୁମାନ କରିଛନ୍ତି ଏବଂ ତାଙ୍କ ଅନୁମାନ ଠିକ୍ ଯେ ବୃଦ୍ଧ ଓ ବୃଦ୍ଧାଙ୍କ ସଂଖ୍ୟା ଅଭୂତପୂର୍ବ ରୀତିରେ ବଢ଼ିବ ଏବଂ ସେମାନଙ୍କ ଆୟୁଷ – ସମ୍ପର୍କୀୟ ସ୍ୱାସ୍ଥ୍ୟ ଏବଂ ସାଧାରଣ ସର୍ଦ୍ଦିକୁ ଉପଶମ ପାଇଁ କୋଳଥ ଭଳି କଞ୍ଚାମାଲର ଖାଦ୍ୟ ଉପରେ ବେଶି ନିର୍ଭର କରିବ। ଏ ସବୁକୁ ଫଳବତୀ କରାଉଛି ତାଙ୍କର ସୁସ୍ଥ ପ୍ୟାକେଜିଂ ବ୍ୟବସ୍ଥା। ଖାଦ୍ୟର ପ୍ରକ୍ରିୟାକରଣରେ ସେ ଭାରତୀୟ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଇଛନ୍ତି ବୋଲି ଜଣାଇବା ପାଇଁ ସେ ବିଜ୍ଞାପନର ଶିରୋନାମା ରଖିଛନ୍ତି ‘ଦି ଅଥେଣ୍ଟିକ୍ ଟେଷ୍ଟ ଅଫ୍ ଇଣ୍ଡିଆ’ ବା ଭାରତ ଖାଣ୍ଟି ସୁଆଦ।
୧୯୯୦ ଦଶକର ଘରୋଇକରଣ ହାୱା ୧୯୭୬ରେ ନଥିଲା। ଶ୍ରୀ ସାହୁଙ୍କ ପ୍ରତି ପଦକ୍ଷେପରେ ସରକାରୀ ନିୟମ ଓ ଲାଇସେନ୍ସ ରାଜର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ବ୍ୟାଙ୍କମାନଙ୍କଠାରୁ ୠଣ ମିଳିବା ବହୁତ କଷ୍ଟ ହେଉଥିଲା। ୠଣ ଦାନରେ ସାହାଯ୍ୟ କରୁଥିବା ବାବୁମାନଙ୍କୁ ତୋଷାମଦ କରିବାକୁ ପଡ଼ୁଥିଲା। ସେମାନଙ୍କୁ ଜ୍ୱାଇଁ ଭଳି ବ୍ୟବହାର ଦେଖାଇବାକୁ ପଡ଼ୁଥିଲା। ୠଣ ଦେଇଥିବା ବ୍ୟାଙ୍କ ଓ କମ୍ପାନୀମାନେ ବା ଭେଞ୍ଜର କ୍ୟାପିଟାଲ ଏତେ ସହଜ ନଥିଲା। ଆଇଏଲ ଆଣ୍ଡ୍ ଏଫ୍ଏସ୍ ଭଳି ନିବେଶକାରୀ ସଂସ୍ଥା ୠଣ ଦେଲେ କମ୍ପାନୀର ବୋର୍ଡରେ ଡାଇରେକ୍ଟର ହେବାର ସର୍ତ୍ତ ରଖୁଥିଲେ। ବାହାରର ଲୋକ ଡାଇରେକ୍ଟର ହେଲେ କିଭଳି ଖର୍ଚ୍ଚାନ୍ତ ହେବାକୁ ପଡ଼େ ତାହା ଶ୍ରୀ ସାହୁ ମୋ ପାଖରେ ବର୍ଣ୍ଣନା କରନ୍ତି ଏବଂ ମୁଁ ତାଙ୍କୁ କହେ ଶୀଘ୍ର ସେମାନଙ୍କ କବଳରୁ ମୁକ୍ତ ହୁଅନ୍ତୁ। ଆଶ୍ଚର୍ଯ୍ୟର କଥା ଏହି କମ୍ପାନୀମାନେ ଶୀଘ୍ର ଟଙ୍କା ଫେରାଇନେବା ଚାହାନ୍ତି ନାହିଁ, କାରଣ ସୁନା ଅଣ୍ଡା ଦେଉଥିବା ହଂସଟି ହାତଛଡ଼ା ହୋଇଯିବ। ପ୍ରତିଥର ବୋର୍ଡର ଯୋଗଦେବା ବେଳେ ଏମାନେ ଏପରି ଦାବି ଓ ଚାହିଦା ପ୍ରଦର୍ଶନ କରନ୍ତି ଯେ ତାହା କମ୍ପାନୀକୁ କ୍ଷତି ଆଡ଼କୁ ଟାଣି ନିଏ ଅଥଚ କମ୍ପାନୀକୁ ସୁପ୍ରତିଷ୍ଠିତ କରିବା ପାଇଁ ଆଇଏଲ ଆଣ୍ଡ ଏଫଏସ୍ ଭଳି ପୁଞ୍ଜି ଯୋଗାଣକାରୀ ସଂସ୍ଥାମାନେ କାମ କରନ୍ତି ବୋଲି କହନ୍ତି। ପଇସା ଯିଏ ଦେବ ତା’ କଥା ନମାନିଲେ ପଇସା ମିଳିବ ନାହିଁ କିମ୍ବା ପଇସା ଦେଇଥିବା କଡ଼ା ସର୍ତ୍ତକୁ ସେମାନେ ଲାଗୁ କରିଦେବେ। ସାଧାରଣ ଲୋକ ପାଇଁ ସାହୁକାର ଯାହା ଛୋଟ ଓ ମଧ୍ୟମ ଧରଣ କମ୍ପାନୀ ପାଇଁ ପୁଞ୍ଜି ଯୋଗାଣକାରୀ (ଇନଭେଷ୍ଟର) ସେଇୟା। ୠଣ ଶୁଝାଇଦେଲେ ବୋର୍ଡର ଡାଇରେକ୍ଟର ରହିବେ ନାହିଁ କି ହଇରାଣ କରାଇବେ ନାହିଁ। ଶ୍ରୀ ସାହୁଙ୍କ ହଇରାଣ ହରକତ କାହାଣୀ ମୁଁ ବହୁ ସମୟରେ ଶୁଣିଛି।
୧୯୯୯ରେ ସ୍ୱଳ୍ପକାଳ ପାଇଁ ମୁଁ ମୁଖ୍ୟ ଶାସନ ସଚିବ ଥିବାବେଳେ ଶ୍ରୀ ସାହୁ ମୋତେ ଜଣାଇଥିଲେ ଶିଳ୍ପଦ୍ୟୋଗୀମାନଙ୍କୁ ସଚିବାଳୟକୁ ଆସିବାକୁ କିପରି ସହଜରେ ଅନୁମତି ମିଳୁନଥିଲା। ସେମାନଙ୍କ ସଫଳତା ଉପରେ ନିର୍ଭର କରି ବିଭିନ୍ନ ଶ୍ରେଣୀର କାର୍ଡ ପାଇବାର ହକ୍ଦାର ଥିଲା। କହିବା ବାହୁଲ୍ୟ ଯେ ମୋର ବିଦାୟ ପରେ ଏ ବ୍ୟବସ୍ଥାର ବି ବିଦାୟ ହୋଇଗଲା। ଶ୍ରୀ ଶରତ ସାହୁଙ୍କର ଉଦ୍ୟମ ଓ ସଫଳତାକୁ ଦେଖିଲେ ତାଙ୍କ ଅନୁଷ୍ଠାନ ଯେ ସବୁଦିନ ଯେ ଗୋଲ୍ଡ କାର୍ଡ ପାଇବାର ଯୋଗ୍ୟତା ହାସଲ କରିଛି ତାହା ଏବେ ମୁଁ କହନ୍ତି। ଆଜିକାଲି ଗୋଲ୍ଡଠାରୁ ପ୍ଲାଟିନମ୍ ଉଚ୍ଚତର ମୂଲ୍ୟ ହୋଇଥିବାରୁ ଏବେ ତାଙ୍କୁ ପ୍ଲାଟିନମ୍ କାର୍ଡ ଦେବା ଉଚିତ୍ ମନେ କରୁଛି।
ସେ ତ ବହୁତ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇସାରିଛନ୍ତି। ତାଙ୍କୁ ପ୍ରବନ୍ଧରେ ପ୍ରଶଂସା କରି ତାଙ୍କର ସମ୍ମାନକୁ ଅଧିକ କିଛି ଯୋଗାଇ ପାରିବି ନାହିଁ। ଏତିକି କହିବି ଯେ ସେ ପ୍ରବାସୀ ଓଡ଼ିଆ ଦିବସ ପାଳନରେ ବେଶ୍ ସାହାଯ୍ୟ କରୁଥିଲେ ଏବଂ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ସମ୍ମାନ ପ୍ରଦାନ କରି ଆସୁଥିଲେ। ଯେଉଁମାନେ ପ୍ରଥମ ଉଦ୍ୟମରେ ଶିଳ୍ପ ବା କାରଖାନା ବସାଇ ପାରୁ ନାହାନ୍ତି ବା ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ଶ୍ରୀ ଶରତ କୁମାର ସାହୁ ଜୀବନ କାହାଣୀ ଶୁଣିବା କଥା ଏବଂ ତାଙ୍କ ପଦାଙ୍କ ଅନୁସରଣ କରିବା କଥା।
ପୂର୍ବତନ ମୁଖ୍ୟ ଶାସନସଚିବ, ‘ଶାଶ୍ୱତ’, ଡି-୩, ବିଜେବି ନଗର, ଭୁବନେଶ୍ୱର
ସୌଜନ୍ୟ:ଶରତ ଶତମ୍