ଆପଣଙ୍କ ମାସିକିଆ ବଜେଟ ଯଦି ମୁଣ୍ଡବିନ୍ଧାର କାରଣ ତେବେ ଏହି ଉପାୟ ହେଉଛି ରାମବାଣ..

monthly budget

ଦେଶ ପାଇଁ ଯେମିତି ବଜେଟ୍ ଜରୁରୀ ଆପଣଙ୍କ ପାଇଁ ମଧ୍ୟ ବଜେଟ୍ ସେମିତି ଆବଶ୍ୟକ। ବଜେଟ୍ ଆପଣଙ୍କୁ ନିଜ ଆୟ ଓ ବ୍ୟୟ ଉପରେ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ। ଏହା ମଧ୍ୟ ଆପଣଙ୍କ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ କରେ। ଆପଣଙ୍କ ଆୟ ଓ ବ୍ୟୟ ସ୍ଥିର ରହିଲେ, ଆପଣ ନିଜ ସମ୍ପତ୍ତି ବଢାଇ ପାରିବେ। ତେଣୁ ସବୁବେଳେ ଆମକୁ ନିଜ ପାଇଁ ମାସିକିଆ ବଜେଟ୍ ତିଆରି କରିବାକୁ ପଡିବ। ଖାଲି ତିଆରି କରିଲେ ହେବ ନାହିଁ ଆପଣଙ୍କୁ ମଧ୍ୟ ସେହି ବଜେଟକୁ ମାନି ଚଳିବାକୁ ପଡିବ।

ତେବେ ଆମ ସମସ୍ତଙ୍କ ଉଣା ଅଧିକ ଅନୁଭୂତି ହେଉଛି ବଜେଟ୍ ତିଆରି କରିବା ସହଜ କିନ୍ତୁ ବଜେଟକୁ ମାନି ଚଳିବା ବହୁତ କାଠିକର ପାଠ। ତେବେ ବଜେଟ୍ ଭିତରେ ନିଜ ଖର୍ଚ୍ଚକୁ ସୀମିତ ରଖିବା ଦ୍ୱାରା ଆମେ ଲାଭ ହିଁ ପାଇଥାଉ। କାରଣ ବଜେଟ୍ ଭିତରେ ରହି ଆମେ ନୂଆ ସମ୍ପତ୍ତି ପାଇଁ ଅଧିକ ଧନ ଏକାଠି କରିଥାଉ।

money

ବଜେଟ୍ ଅନୁସାରେ ଚଳିବା ମାନେ କେବଳ ଅର୍ଥ ସଂଚୟ କରିବା ନୁହେଁ। ବଜେଟର ଅର୍ଥ ହେଉଛି ଆପଣଙ୍କୁ ନିଜ ଆୟକୁ ଏମିତି ଖର୍ଚ୍ଚ କରିବାକୁ ପଡିବ ଯେଉଁଥିରେ ଆପଣ ଜୀବନର ଆନନ୍ଦ ନେବା ସହ ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିପାରିବେ।

ପ୍ରଭାବି ବଜେଟ୍ ତିଆରି କରିବାକୁ ହେଲେ ଆପଣଙ୍କୁ ସଚ୍ଚୋଟତାର ସହ କାମ କରିବାକୁ ପ଼ଡିବ। ନିଜ ଲାଇଫ୍ ଷ୍ଟାଇଲରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ। ଯଦି ଆପଣ ଆଗରୁ କେବେ ବଜେଟ୍ ତିଆରି କରି ମଧ୍ୟ ସଫଳ ହୋଇନାହାନ୍ତି ତେବେ ପ୍ରଥମେ ବୁଝନ୍ତୁ ଆପଣଙ୍କ ତିଆରି ବଜେଟ୍ କେତେ ପ୍ରାକ୍ଟିକାଲ ଥିଲା। କେଉଁଠି ଭୁଲ୍ ଥିଲା ତାକୁ ତର୍ଜମା କରନ୍ତୁ। ଏହାପରେ ବି ଯଦି ଗୋଟିଏ ଭଲ ବଜେଟ୍ ତିଆରି କରିବାରେ ଆପଣ ଏବେବି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ତେବେ ଆପଣଙ୍କ ପାଇଁ ଆମ ପାଖରେ କିଛି ଟିପ୍ସ ରହିଛି। ଆସନ୍ତୁ ପଢିବା ଓ ଜାଣିବା କେମିତି ଗୋଟିଏ ଭଲ ଘରୋଇ ବଜେଟ୍ ତିଆରି କରାଯାଇପାରେ।

monthly budget

  • ବାସ୍ତବିକ୍ ବଜେଟ୍ ତିଆରି କରନ୍ତୁ

ବହୁତ ଥର ବଜେଟ୍ ବନାଇଲିଣି କିନ୍ତୁ ବଜେଟ୍ ଭିତରେ ଘର ଚଳାଇ ହେଉନି। ଏହା ଆପଣ ଅନେକଙ୍କ ପାଖରୁ ଶୁଣିଥିବେ କିମ୍ବା ଆପଣ ନିଜେ ଏମିତି କହୁଥିବେ। ତେବେ ଆମ ବଜେଟ୍ କଣ ପାଇଁ ଫେଲ୍ ହୁଏ? କାରଣ ହେଉଛି ଅନେକ ସମୟରେ ଆମେ ବାସ୍ତବିକ୍ ବା ରିୟଲିଷ୍ଟିକ୍ ବଜେଟ୍ ବଦଳରେ ଅବାସ୍ତବ ବଜେଟ୍ ତିଆରି କରିଥାଉ। ବଜେଟ୍ ତିଆରି କରିବା ବେଳେ କେବେ ମଧ୍ୟ ଗ୍ରସୋରୀ କିମ୍ବା ମାନସିକ ଖୁସି ପାଇଁ ଆବଶ୍ୟକ ଖର୍ଚ୍ଚ କାଟ କରନ୍ତୁ ନାହିଁ। କାରଣ ଏସବୁ ଖର୍ଚ୍ଚ କାଟ କେବେ ମଧ୍ୟ ଆପଣ ଲାଗୁ କରିପାରିବେ ନାହିଁ। ଆଉ ଯଦି ବି ଆପଣ କେଇମାସ ବଜେଟ୍ ଭିତରେ ଚାଲିଲେ ତଥାପି ଏଥିରେ ଶାନ୍ତି ପାଇବେ ନାହିଁ। ତେଣୁ ପ୍ରଥମେ ଜରୁରୀ ଆବଶ୍ୟକତାର ତାଲିକା ତିଆରି କରନ୍ତୁ। ସେଥିରେ କୌଣସି ପ୍ରକାରର କାଟଛାଣ୍ଟ୍ କରନ୍ତୁ ନାହିଁ। ମାସିକିଆ ବଜେଟର ତାଲିକା ତିଆରି କରିବା ବେଳେ ପ୍ରାଥମିକତା ସୂଚି ମଧ୍ୟ ପ୍ରସ୍ତୁତ କରନ୍ତୁ। ଅର୍ଥାତ ଯାହା ଜରୁରୀ ତାକୁ ତାଲିକାର ସଭା ଉପରେ ରଖନ୍ତୁ।

online shopping

  • ନିଜ ସମସ୍ୟାକୁ ଚିହ୍ନନ୍ତୁ, ସପିଂ ରୋଗରୁ ଦୁରେଇ ରୁହନ୍ତୁ

ଆପଣ ଯଦି ନିଜ ସମସ୍ୟାକୁ ଚିହ୍ନି ପାରିବେ ତେବେ ବଜେଟ୍ ଭିତରେ ରହି ପାରିବେ। ଉଦାହରଣ ସ୍ୱରୁପ,ଆପଣଙ୍କୁ ବାହାରେ ଖାଇବାକୁ ଭଲ ଲାଗେ କିନ୍ତୁ ସବୁ ବେଳେ ବାହାରେ ଖାଇ ବଜେଟ୍ ବିଗାଡନ୍ତୁ ନାହିଁ। ମାସକୁ ଦିନେ ବା ଦୁଇ ଦିନ ବାହାରେ ଖାଇବା ପ୍ରୋଗ୍ରାମ କରନ୍ତୁ। ସେହିଭଳି ଅନଲାଇନ୍ କିଣାକିଣିରେ ବେଶି ଖର୍ଚ୍ଚ କରନ୍ତୁ ନାହିଁ। ଯାହା ଜରୁରୀ ତାହା କିଣନ୍ତୁ। ଦେଖିବେ ଖର୍ଚ୍ଚ ନିୟନ୍ତ୍ରଣ ଭିତରକୁ ଆସିଯିବ।

  • ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ

ଆପଣ ନିଜ ଆୟ ଓ ବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। କେବେ ମଧ୍ୟ ନିଜ ମାସିକ ଆୟଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଏହାସହ ହାତ ଉଧାରିରୁ ବଂଚନ୍ତୁ। ଏଥିପାଇଁ ନିଜ ମାସିକ ଖର୍ଚ୍ଚର ଲିଷ୍ଟ ତିଆରି କରିବା ପାଇଁ ଗୋଟିଏ ଏକ୍ସଲ ସିଟ୍ କିମ୍ବା ମୋବାଇଲ ଆପ୍ ବ୍ୟବହାର କରନ୍ତୁ। ଫଳରେ ଆପଣଙ୍କ ପାଖରେ ନିଜ ଖର୍ଚ୍ଚର ରେକର୍ଡ ରହିବ। ଏହାସହ ହୋଇପାରିଲେ ସପ୍ତାହରେ ଏମିତି ଗୋଟିଏ ଦିନ ନିର୍ଧାରିତ କରନ୍ତୁ ଯେଉଁଦିନ ଆପଣ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବେ ନାହିଁ।

bill payment in auto mode

  • ବିଲ୍ ପେମେଣ୍ଟକୁ ଅଟୋ ମୋଡରେ ରଖନ୍ତୁ

ଏହା ବଜେଟ ଭିତରେ ରହିବାର ଗୋଟିଏ ଭଲ ଫର୍ମୁଲା। ଆପଣ ନିଜ କ୍ରେଡିଟ୍ କାର୍ଡ ବିଲ ପେମେଣ୍ଟ,ବିଦ୍ୟୁତ ବିଲ, ଇତ୍ୟାଦିକୁ ନିଜ ଆକାଉଣ୍ଟରେ ଅଟୋ ଡେବିଟ୍ କରିପାରିବେ। ଏମିତି କଲେ ଆପଣଙ୍କ ବିଲ୍ ସମୟରେ ପେମେଣ୍ଚ ହେବ। ଏହାସହ ଆପଣ ବଜେଟ୍ ଭିତରେ ମଧ୍ୟ ରହିପାରିବେ। ଅଟୋ ଡେବିଟ୍ ଦ୍ୱାରା ଆପଣ ଏହା ସୁନିଶ୍ଚିତ କରନ୍ତି ଯେ, ଆପଣଙ୍କ ଟଙ୍କା ଜରୁରୀ ଖର୍ଚ୍ଚ ପାଇଁ ବ୍ୟବହୃତ ହେଉଛି।

  • ବଜେଟ୍ ମିତ୍ର ଯୋଗାଡ କରନ୍ତୁ

ଆପଣ ଘରୋଇ ବଜେଟ୍ ତିଆରି କରିବା ବେଳେ ପତ୍ନୀ କିମ୍ବା ଅନ୍ୟ ସମ୍ପର୍କୀୟଙ୍କ ସାହାଯ୍ୟ ନିଅନ୍ତୁ। ସେମାନଙ୍କୁ ନିଜ ବଜେଟ୍ ପ୍ଲାନରେ ସାମିଲ କରନ୍ତୁ। ସେମାନଙ୍କ ସହ ନିଜ ବଜେଟ୍ ପ୍ଲାନ୍ ସେୟାର କରନ୍ତୁ। ଫଳରେ ଯଦି ଆପଣ କେବେ ଭୁଲ ଭଟକା କରୁଛନ୍ତି,ତେବେ ସେ ଆପଣଙ୍କୁ ତାଗିଦ କରିପାରିବେ।
ସମୀକ୍ଷା କରନ୍ତୁ

ସରକାର ଯେମିତି ନିଜ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରନ୍ତି ସେମିତି ଆପଣ ମଧ୍ୟ ମଝିରେ ମଝିରେ ନିଜ ଘରୋଇ ବଜେଟର ସମୀକ୍ଷା କରନ୍ତୁ। ଯଦି ବଜେଟ୍ ପ୍ଲାନ୍ ଠିକରେ କାମ କରୁନି ତେବେ ଜାଣିବାକୁ ଚେଷ୍ଟା କରନ୍ତୁ କେଉଁଠି ଭୁଲ ରହୁଛି। ଭୁଲ ଭଟକା ସୁଧାରନ୍ତୁ।