ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ଟାକ୍ସ ପୈଠ କରିବା ପର୍ଯ୍ୟନ୍ତ ଆଧାର କାର୍ଡର ଆବଶ୍ୟକତା ସବୁ ଜାଗାରେ ରହିଛି। ବର୍ତ୍ତମାନ ଆଧାର କାର୍ଡକୁ ଅନେକ ସରକାରୀ କାଗଜପତ୍ର ସହିତ ଯୋଡିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଅନଲାଇନରେ ବିଭିନ୍ନ ସରକାରୀ ସେବା ପାଇବା ପାଇଁ ହେଲେ ଆଧାର ସହିତ ମୋବାଇଲ୍ ନମ୍ବର ସଂଯୋଗ କରିବା ଆବଶ୍ୟକ। ଆଧାର ଅନଲାଇନ୍ ସେବାଗୁଡିକୁ ପାଇବା ପାଇଁ ତୁମର ମୋବାଇଲ୍ ନମ୍ବର ପ୍ରଥମେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI)ରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।

କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଅନଲାଇନ ପୋର୍ଟାଲ୍ uidai.gov.in ଯାଇ ଆଧାରକାର୍ଡ ସମ୍ବନ୍ଧିତ ଅନେକ ତଥ୍ୟ ଜାଣି ପାରିବେ। ଅନଲାଇନରେ ଆଧାର କାର୍ଡରେ ମୋବାଇଲ୍ ନମ୍ବର ପଞ୍ଜୀକୃତ ହୋଇପାରିବ ନାହିଁ । ଯଦି ଆଧାରକାର୍ଡ ପାଇଁ ନାମାଙ୍କନ କରିବା ସମୟରେ ଆପଣ ନିଜର ମୋବାଇଲ୍ ନମ୍ବରକୁ ଅଧାର ସହିତ ପଞ୍ଜୀକୃତ କରିନାହାଁନ୍ତି, ତେବେ ଆପଣ ନିକଟସ୍ଥ ସ୍ଥାୟୀ ଆଧାର ନାମଲେଖା କେନ୍ଦ୍ରକୁ ଯାଇ ସେଠାରେ ନିଜ ନମ୍ବରକୁ ଆଧାର ସହ ସଂଯୋଗ କରିପାରିବେ।

ଅନେକ ଜରୁରୀ କାମ ଯେପରିକି ଆୟକର ରିଟର୍ଣ୍ଣ ଦାଖଲ କରିବା, ପାନ୍ କାର୍ଡ, ନୂତନ ବ୍ୟାଙ୍କ୍ ଖାତା ପାଇଁ ଆବେଦନ କରିବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆଧାର କାର୍ଡ ଅତ୍ୟନ୍ତ ବାଧ୍ୟତାମୂଳକ ଅଟେ । ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବା ପାଇଁ ମଧ୍ୟ ଏହା ଆବଶ୍ୟକ ହୁଏ ।

ତେବେ ଆସନ୍ତୁ ଜାଣିବା କେମିତି ନିଜ ମୋବାଇଲ୍ ନମ୍ବରକୁ ଆଧାର ସହ ସଂଯୋଗ କରିବେ:  

  • ସର୍ବପ୍ରଥମେ UIDAIର ଅଫିସିଆଲ ୱେବସାଇଟ uidai.gov.in କୁ ଯାଆନ୍ତୁ। ତା ପରେ ନିକଟସ୍ଥ ନାମାଙ୍କନ କେନ୍ଦ୍ର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
  • My Aadhaar ବିକଳ୍ପରେ ଥିବା ଆଧାର ସଂଶୋଧନ ଫର୍ମକୁ ପୁରଣ କରନ୍ତୁ।
  • ଆଧାର ସହ ସଂଯୋଗ ପାଇଁ ନିଜର ସଠିକ୍ ମୋବାଇଲ୍ ନମ୍ବରକୁ ସେଥିରେ ଲେଖନ୍ତୁ।
  • ଉକ୍ତ ଫର୍ମକୁ ଦାଖଲ କରନ୍ତୁ ଏବଂ ଅଥେଣ୍ଟିକେସନ ପାଇଁ ଆପଣଙ୍କର ବାୟୋମେଟ୍ରିକ୍ସ ପ୍ରଦାନ କରନ୍ତୁ।
  • ଆପଣ ଏବେ ଏକ ସ୍ୱୀକୃତି ସ୍ଲିପ୍ ପାଇବେ ଯେଉଁଥିରେ ଅପଡେଟ୍ ଅନୁରୋଧ ନମ୍ବର (URN) ଦିଆଯାଇଥିବ।
  • ଏହି URN ବ୍ୟବହାର କରି ନୂଆ ଆଧାର କାର୍ଡର ସ୍ଥିତିକୁ ଟ୍ରାକ୍ କରାଯାଇପାରିବ।

ଆଧାରରେ ମୋବାଇଲ୍ ନମ୍ବରକୁ ଅପଡେଟ୍ କିମ୍ବା ପଞ୍ଜୀକରଣ କରିବା ପାଇଁ ଆବେଦନକାରୀଙ୍କୁ କୌଣସି ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ପଡେ ନାହିଁ । ଅନଲାଇନ୍ ମାଧ୍ୟମରେ କେବଳ ଠିକଣା ପରିବର୍ତ୍ତନ ପାଇଁ ଅନୁମତି ଦିଆଯାଇଛି । ହେଲେ ସେଥିପାଇଁ ସେଲ୍ଫ ଜେନେରେଟେଡ OTPର ଆବଶ୍ୟକ ପଡିଥାଏ । ଏହି ସୁବିଧା କେବଳ ମୋବାଇଲ୍ ନମ୍ବର ସଂଯୋଗ କରିଥିବା ବ୍ୟକ୍ତିମାନେ ପାଇପାରିବେ। ତେଣୁ ଏହି ସମସ୍ତ କାର୍ଯ୍ୟ ପାଇଁ ଆଧାର କାର୍ଡ ସହ ମୋବାଇଲ୍ ନମ୍ବର ସଂଯୋଗ ବାଧ୍ୟତାମୂଳକ ।