COVID-Hospital

ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଝାରସୁଗୁଡ଼ାରେ ୧୦୦ ଶଯ୍ୟାବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଉଦଘାଟନ୍ କରିଛନ୍ତି।

  • ଝାରସୁଗୁଡ଼ାରେ ଉଦଘାଟିତ ହେଲା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍
  • ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କଲେ ଉଦଘାଟନ୍
  • ହସ୍ପିଟାଲରେ ରହିଛି ୧୦୦ଟି ଶଯ୍ୟା ଓ ୧୦ଟି ଆଇସିୟୁ
  • ବେଦାନ୍ତ ଓ ଡିଏମ୍ଏଫ୍ ଝାରସୁଗୁଡ଼ାର ମିଳିତ ସହାୟତାରେ ନିର୍ମାଣ ହୋଇଛି ହସ୍ପିଟାଲ

ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ। ୧୦୦ ଶଯ୍ୟା ଏବଂ ୧୦ଟି ଆଇସିୟୁ ସୁବିଧା ଥିବା ଏହି ସ୍ୱତନ୍ତ୍ର ହସ୍ପିଟାଲକୁ ବୁଧବାର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦଘାଟନ୍ କରିଛନ୍ତି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକଗୁଡ଼ିଏ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ଯେଉଁଥିରେ ରାଜ୍ୟର ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଏହିକ୍ରମରେ ଝାରସୁଗୁଡ଼ାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି।

CN-Singh-addressing-media-at-COVID-Hospital-inauguration

ଜିଲ୍ଲାପାଳ ସରୋଜ ସାମଲ, ବେଦାନ୍ତ ସିଇଓ ସିଏନ୍ ସିଂହ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ହାଇଟେକ୍ ହସ୍ପିଟାଲର ନିର୍ଦ୍ଦେଶକ ତିରୁପତି ପାଣିଗ୍ରାହୀଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ବୁଧବାର ଏହି ହସ୍ପିଟାଲକୁ ଉଦଘାଟନ୍ କରିଛନ୍ତି। ବେଦାନ୍ତ ଓ ଡିଏମ୍ଏଫ୍ ଝାରସୁଗୁଡ଼ାର ମିଳିତ ସହାୟତାରେ ନିର୍ମାଣ ହୋଇଥିବା ଏହି ହସ୍ପିଟାଲରେ କରୋନା ସନ୍ଦିଗ୍ଧ ଓ ଆକ୍ରାନ୍ତମାନେ ମାଗଣାରେ ଚିକିତ୍ସିତ ହୋଇପାରିବେ।

ହସ୍ପିଟାଲକୁ ନେଇ ବେଦାନ୍ତ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଏନ୍ ସିଂହ କହିଛନ୍ତି, “ଝାରସୁଗୁଡ଼ାର ପାଞ୍ଚ ଲକ୍ଷ ଜନସାଧାରଣଙ୍କୁ ବେଦାନ୍ତ ଏହି ହସ୍ପିଟାଲଟି ଅର୍ପିତ କରିଛି। କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛି। ବେଦାନ୍ତ ପ୍ରତି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ସହିତ ରହିଛି।”

100 Bed COVID Hospital Jharsuguda

ଝାରସୁଗୁଡ଼ା ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଥିବା ଏହି ହସ୍ପିଟାଲକୁ ହାଇଟେକ୍ ମେଡିକାଲ୍ କଲେଜର ମଧ୍ୟ ସହଯୋଗ ରହିଛି। ହସ୍ପିଟାଲର ପ୍ରତ୍ୟେକ ଟେକ୍ନିକାଲ୍ କାମ ହାଇଟେକ୍ ମେଡିକାଲ୍ କଲେଜ ବୁଝାସୁଝା କରିବ ବୋଲି ସ୍ଥିର ହୋଇଛି। ଏଥିସହିତ ହସ୍ପିଟାଲକୁ ସମସ୍ତ ମାସ୍କ, ଗ୍ଲୋବସ୍, ସର୍ଜିକାଲ ଗାଉନ୍ ଓ କ୍ୟାପ୍, ଭେଣ୍ଟିଲେଟର, ଅକ୍ସିଜେନ୍ ସିଲିଣ୍ଡର, ପର୍ଯ୍ୟାପ୍ତ ପରିମାଣର ମେଡିସିନ୍ ଏବଂ ବେଡ୍  ଆଦି ସୁବିଧା ବେଦାନ୍ତ ପକ୍ଷରୁ ଯୋଗାଇ ଦିଆଯିବ।

ଏହାବାଦ୍ ଝାରସୁଗୁଡ଼ା ବେଦାନ୍ତ ଲିମିଡେଟ୍ ଜିଲ୍ଲାର ପ୍ରାୟ ୧ ହଜାର ଦିନ ମଜୁରିଆ, ବସ୍ତି ବାସିନ୍ଧା ଓ ଅଭାବୀ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛି। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିର୍ମାଣ କରିଥିବା ୮୦ ହଜାର ମାସ୍କକୁ ମଧ୍ୟ କମ୍ପାନି ବଣ୍ଟନ କରିଛି। ଲୋକମାନଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ କମ୍ପାନି ଜିଲ୍ଲାର ୩୦ଟି ଗାଁକୁ ସାନିଟାଇଜ୍ ମଧ୍ୟ କରିଛି। ସେହିଭଳି ବେଦାନ୍ତ କମ୍ପାନି ଗ୍ରାମର କେତେକ କୃଷକଙ୍କୁ ସିଏସଆର୍ ପ୍ରକଳ୍ପ ‘ଜୀବିକା ସମୃଦ୍ଧି’ସହ ଯୋଡ଼ିଛି। ଏହାଫଳରେ କୃଷକମାନେ ନିଜର ଜୀବିକାକୁ ସୁନିଶ୍ଚିତ କରିବା ସହ କମ୍ପାନିର କର୍ମଚାରୀମାନେ ମଧ୍ୟ ଘରେ ବସି ଆବଶ୍ୟକୀୟ ଜିନିଷ ପାଇପାରୁଛନ୍ତି।