କୋର୍ଟରେ ହାଜର ହେଲେ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁର। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ମୁମ୍ଵାଇର ଏକ କୋର୍ଟରେ ହାଜର କରିଛି। ଟଙ୍କା ହେରଫେର ମାମଲାରେ ରବିବାର ରାଣା କପୁରଙ୍କୁ ଇଡି ଗିରଫ କରିଥିଲା। ଅଧିକ ତଥ୍ୟ ପାଇଁ ଇଡି ତାଙ୍କୁ ରିମାଣ୍ଡରେ ନେଇପାରେ।

ଶୁକ୍ରବାର ୟେସ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହାପରେ ଟଙ୍କା ବୁଡ଼ିଯିବା ଆଶଙ୍କାରେ ୟେସ ବ୍ୟାଙ୍କ ଖାତାଧାରୀଙ୍କ ମଧ୍ୟରେ ଭାଳେଣୀ ପଡ଼ିଥିଲା। ୟେସ ବ୍ୟାଙ୍କକୁ ଦେବାଳିଆ ପରିସ୍ଥିତିରୁ ମୁକୁଳିବା ପାଇଁ ୨୦ହଜାର କୋଟି ଆବଶ୍ୟକ ରହିଛି। ତେବେ ଏସବିଆଇ ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କଣିବାକୁ ମନ ବଳାଇଛି। ତେବେ ଏଥିପାଇଁ ଏସବିଆଇ ୨ ହଜାର ୪୫୦କୋଟି ଟଙ୍କା ନିବେଶ କରିପାରେ ବୋଲି କହିଛନ୍ତି ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର।

ଅନ୍ୟପକ୍ଷରେ ବ୍ୟାଙ୍କରେ ସୃଷ୍ଟି ହୋଇଥିବା ଏଭଳି ଅବସ୍ଥା କାରଣ ସମ୍ପର୍କରେ ଭରତୀୟ ରିଜର୍ଭ ବ୍ୟାଙ୍କ ତଦନ୍ତ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେହିପରି ବ୍ୟାଙ୍କରେ ଥିବା ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି ବୋଲି ଷ୍ଟେଟ ବ୍ୟାଙ୍କ ମୁଖ୍ୟ ରଜନୀଶ କୁମାର କହିଛନ୍ତି।

ରାଣାଙ୍କୁ ଅଟକ ରଖାଯିବା ପରେ ତାଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ପ୍ରକ୍ରିୟା ଆହୁରି କିଛି ଦିନ ଚାଲିବ। ଚଢ଼ଉ ସମୟରେ କିଛି ଆପତ୍ତିଜନକ କାଗଜପତ୍ର ଓ ଇଲୋକ୍ଟ୍ରନିକ୍ସ କାଗଜପତ୍ର ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି।