ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭାରତୀୟ ଘରୋଇ ବ୍ୟାଙ୍କ ‘YES Bank’। ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ୟେସ୍‌ ବ୍ୟାଙ୍କ ବୋର୍ଡକୁ ନିଜ ଅଧୀନରେ ରଖିଛି। ଏଥିସହିତ ବ୍ୟାଙ୍କ ଟଙ୍କା ଉଠାଇବା ଉପରେ ମଧ୍ୟ କଟକଣା ଜାରି କରିଛି। ଆଗାମୀ ୩୦ ଦିନ ଯାଏଁ ୟେସ୍‌ ବ୍ୟାଙ୍କ ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେନି। ଅନ୍ୟପକ୍ଷରେ ଗ୍ରାହକଙ୍କ କୌଣସି ଟଙ୍କା ବୁଡ଼ିବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ କହିଛନ୍ତି।

କେତେକ ନିର୍ଦ୍ଦି‌ଷ୍ଟ ପରିସ୍ଥିତ‌ରେ ଗ୍ରାହକମାନେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ। ଗ୍ରାହକ ନିଜ କିମ୍ବା ନିଜର ପରିବାରର ମେଡିକାଲ୍ ବାବଦ ଖର୍ଚ୍ଚ, ପିଲାଙ୍କ ପାଠପଢ଼ା ଓ ବିବାହ କିମ୍ବା ସେହି ଧରଣର ସାମାଜିକ କାର୍ଯ୍ୟକ୍ରମ ପାଇଁ ଅଧିକ ଟଙ୍କା ଉଠାଇ ପାରିବେ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ୟେସ୍‌ ବ୍ୟାଙ୍କର ଇତିହାସକୁ ଦେଖିଲେ, ଗତ କିଛି ବର୍ଷ ମଧ୍ୟରେ ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ଖରାପ ହୋଇଯାଇଛି। ଏହି ବ୍ୟାଙ୍କ ଭାରତର ଅଧିକାଂଶ କମ୍ପାନିକୁ ଟଙ୍କା ଦେଇଥିଲା ଯାହାର ଆର୍ଥିକ ରେକର୍ଡ ସ୍ପଷ୍ଟ ନୁହେଁ। ସେହିପରି ଋଣରୁ ସମ୍ଭାବ୍ୟ କ୍ଷତି ନହେବା ପାଇଁ ବ୍ୟାଙ୍କ ପୁଞ୍ଜି ସଂଗ୍ରହ କରିବାରେ ମଧ୍ୟ ବିଫଳ ହୋଇଥିଲା। ଏହି କାରଣରୁ ବ୍ୟାଙ୍କର ରେଟିଂ ଖରାପ ହୋଇଗଲା ଏବଂ ନିବେଶକ ଓ ଜମାକାରୀମାନେ ଟଙ୍କା ବାହାର କରିବା ଆରମ୍ଭ କରିଦେଇଥିଲେ। ଫଳରେ ବର୍ତ୍ତମାନ ବ୍ୟାଙ୍କ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ୟେସ୍‌ ବ୍ୟାଙ୍କର ବୋର୍ଡ‌କୁ ନିଜ ହାତକୁ ନେଇଯାଇଛି। ବ୍ୟାଙ୍କର ଦେଖାଶୁଣା କରିବା ଲାଗି ଆର୍‌ବିଆଇ ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ସିଏଫ୍‌ଓ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରିଛି। ଆସନ୍ତା ୩୦ ଦିନ ଭିତରେ ବ୍ୟାଙ୍କର ସ୍ଥିତିକୁ ସ୍ୱଭାବିକ କରିବା ପାଇଁ ଆର୍‌ବିଆଇ ଯୋଜନା ପ୍ରସ୍ତୁତ କରିବ।