ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିବା ପରେ ଏବେ ମ୍ୟୁଚୁଆଲ୍ ଫଣ୍ଡ ନିବେଶକଙ୍କ ଛାତିରେ ଛନକା। ନିବେଶକମାନେ ଭୟଭୀତ ଅଛନ୍ତି ଯେ, ସେମାନଙ୍କର ଟଙ୍କା ୟେସ୍‌ ବ୍ୟାଙ୍କର ସେୟାର ଏବଂ ବଣ୍ଡ୍‌ରେ ବିନିଯୋଗ ହୋଇନାହିଁ ତ! ତେବେ ଟଙ୍କା ବୁଡ଼ିଯିବା ଭୟରେ ଏବେ ଚିନ୍ତାରେ ନିବେଶକ।

ମ୍ୟୁଚୁଆଲ୍ ଫଣ୍ଡ ଟ୍ରାକିଂ କମ୍ପାନି ନିପନ୍ ଇଣ୍ଡିଆର ତଥ୍ୟ ଅନୁଯାୟୀ, ନିପନ୍ ଇଣ୍ଡିଆର ୪ଟି ସ୍କିମ୍ ୟେସ୍ ବ୍ୟାଙ୍କ ସେୟାର ଏବଂ ବଣ୍ଡ୍‌ରେ ବିପୁଳ ପରିମାଣର ବିନିଯୋଗ କରିଛି। ଏହା ବ୍ୟତୀତ ଫ୍ରାଙ୍କଲିନ୍ ଟେମ୍ପଲେଟନ୍, HDFC ମ୍ୟୁଚୁଆଲ୍ ଫଣ୍ଡ ଏବଂ ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ ପରି କେତେକ ବଡ଼ ମ୍ୟୁଚୁଆଲ୍ ଫଣ୍ଡ ହାଉସ୍ ମଧ୍ୟ ୟେସ୍ ବ୍ୟାଙ୍କ ସେୟାର ଏବଂ ବଣ୍ଡ୍‌ରେ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି।

ଆରବିଆଇ ୟେସ୍‌ ବ୍ୟାଙ୍କ ଉପରେ ଏକ ମାସ ପାଇଁ କଟକଣା ଲାଗୁ କରିଛି। ବ୍ୟାଙ୍କର ଖାତାଧାରୀମାନେ ଏକ ମାସ ମଧ୍ୟରେ ସେମାନଙ୍କ ଆକାଉଣ୍ଟରୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। ପୂର୍ବରୁ ବ୍ୟାଙ୍କ ଖାତାଧାରୀ ସେମାନଙ୍କ ଟଙ୍କା ବୁଡ଼ିଯିବା ନେଇ ଭୟଭୀତ ଥିବା ବେଳେ ବର୍ତ୍ତମାନ ନିପନ୍ ଇଣ୍ଡିଆର ରିପୋର୍ଟ ପରେ ମ୍ୟୁଚୁଆଣ୍ଡ୍‌ ନିବେଶକଙ୍କୁ ମଧ୍ୟ ଝଟ୍‌କା ଲାଗିଛି।

ଅନ୍ୟପକ୍ଷରେ କୌଣସି ଟଙ୍କା ବୁଡ଼ିବ ନାହିଁ ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୟେସ୍‌ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱାସନା ଦେଇଛନ୍ତି। ଆଗାମୀ ଏକ ମାସ ମଧ୍ୟରେ ବ୍ୟାଙ୍କର ସ୍ଥିତି ସୁଧାର ଆସିବ ବୋଲି ସୀତାରମଣ କହିଛନ୍ତି।