ପ୍ରତ୍ୟକ୍ଷ ଟିକସରେ ବିବାଦର ସମାଧାନ ପାଇଁ ଏହା ହେଉଛି ମୋଦି ସରକାରଙ୍କ ଯୋଜନା। ଲମ୍ବା ସମୟ ଧରି ପଡ଼ି ରହିଥିବା ପ୍ରତ୍ୟକ୍ଷ କର ମାମଲାର ହେବ ସମାଧାନ।

‘ବିବାଦ ସେ ବିଶ୍ୱାସ ସ୍କିମ୍’ କେନ୍ଦ୍ର ସରକାରଙ୍କ ଏଭଳି ଏକ ଯୋଜନା, ଯେଉଁଥିରେ ଡାଇରେକ୍ଟ ଟ୍ୟାକ୍ସ(ଆୟକର) ସହ ସଂପର୍କିତ ବିବାଦର ସମାଧାନର ସୁବିଧା କରଦାତା ଉଠାଇ ପାରିବେ। ଗତ ମାର୍ଚ୍ଚ ୪ ତାରିଖରେ ବିବାଦ ସେ ବିଶ୍ୱାସ ବିଲ୍‌ ଲୋକସଭାରେ ପାରିତ ହୋଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବ୍ରୁଆରି ୨୦୨୦ରେ ବଜେଟ୍ ଭାଷଣରେ ଏବାବଦରେ ସୂଚନା ଦେଇଥିଲେ। ଏହି ଯୋଜନାରେ ଦେଶରେ ପ୍ରତ୍ୟକ୍ଷ କରକୁ ନେଇ ଅନେକ ଦିନ ଧରି ପଡି ରହିଥିବା ମାମଲାର ସମାଧାନ ଶୀଘ୍ର ହୋଇ ପାରିବ ବୋଲି ଆଶା କରାଯାଉଛି।

ଲୋକସଭାରେ ବିବାଦରୁ ବିଶ୍ୱାସ ବିଲକୁ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ସୀତାରମଣ କହିଥିଲେ ଯେ, ଏହି ବିଲ୍ ବିବାଦୀୟ କର ମାମଲାରେ ସମାଧାନର ସମସ୍ତ ବିକଳ୍ପ ଉପଲବ୍ଧ କରାଇବ। ଯାହା ସାଧାରଣ ଲୋକଙ୍କୁ ଲାଭ ପହଞ୍ଚାଇବ। କାରଣ ଏଭଳି ମାମଲାର ଶୁଣାଣି ଓ ସମାଧାନରେ ଅଧିକ ସମୟ ଓ ଟଙ୍କା ଖର୍ଚ୍ଚ ହୋଇଥାଏ। ‘ବିବାଦ ସେ ବିଶ୍ୱାସ ସ୍କିମ୍’ ଫଳରେ ସହଜରେ ଏଭଳି ମାମଲାର ସମାଧାନ ହୋଇପାରିବ।

ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ କର କଣ?

ଭାରତରେ ଡାଇରେକ୍ଟ ଟ୍ୟାକ୍ସ(ପ୍ରତ୍ୟକ୍ଷ କର) ଅନ୍ତର୍ଗତରେ ଆୟକର ଆସିଥାଏ। ବର୍ତ୍ତମାନ ଯେଉଁମାନଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ଅଧିକ ସେମାନଙ୍କୁ ନିଜ ଆୟ ଅନୁସାରେ କର ଦେବାକୁ ପଡ଼ିଥାଏ। ଏଥିପାଇଁ ଟ୍ୟାକ୍ସ ସ୍ଲାବ ରହିଛି। କରଦାତାଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିଥାଏ। ଅନ୍ୟପକ୍ଷରେ ଇନଡାଇରେକ୍ଟ ଟ୍ୟାକ୍ସ ଅନ୍ତର୍ଗତରେ ଜିଏସଟି (ବସ୍ତୁ ଓ ସେବା କର) ଆସିଥାଏ। ଆପଣ ଯେଉଁ ବସ୍ତୁ କିଣନ୍ତି କିମ୍ବା ଟେଲିଫୋନ୍ ଆଦି ସେବା ଉପରେ ଯେଉଁ କର ଦେଇଥାନ୍ତି ତାହା ହେଉଛି ଅପ୍ରତ୍ୟକ୍ଷ କର।

ଯୋଜନା କ’ଣ?

‘ବିବାଦ ସେ ବିଶ୍ୱାସ ସ୍କିମ୍’ ଅନ୍ତର୍ଗତରେ ଏଭଳି ଆୟକର ଦାତାଙ୍କ ପୁରା ସୁଧ ଓ ଜରିମାନା କ୍ଷମା କରି ଦିଆଯିବ ଯେଉଁମାନେ ନିଜ ବକେୟା କରକୁ ୩୧ ମାର୍ଚ୍ଚ ସୁଧା ପୈଠ କରି ଦେବେ। ଏହି ଯୋଜନାର ଉଦ୍ଦେଶ୍ୟ ସେହି ଲୋକଙ୍କୁ ଆଶ୍ୱସ୍ତି ଦେବ, ଯେଉଁମାନଙ୍କ ଟ୍ୟାକ୍ସ ଦେୟକୁ ନେଇ ଅନେକ ପ୍ରକାର ବିବାଦ ଚାଲିଛି।

‘ବିବାଦ ସେ ବିଶ୍ୱାସ ସ୍କିମ୍’ ଭଳି ପୂର୍ବରୁ ଅପ୍ରତ୍ୟକ୍ଷ କର ବା ଇନଡାଇରେକ୍ଟ ଟ୍ୟାକ୍ସ ସମ୍ବନ୍ଧିତ ମାମଲାର ସମାଧାନ ପାଇଁ ‘ଇନଡାଇରେକ୍ଟ ଟ୍ୟାକ୍ସ, ସବକା ବିଶ୍ୱାସ’ ଯୋଜନା ଆସିଥିଲା।

ଏହି ସ୍କିମ୍‌ର ବିଶେଷତା ସବୁ କଣ ?

  • ପ୍ରତ୍ୟକ୍ଷ କର ସମ୍ବନ୍ଧିତ ପଡ଼ି ରହିଥିବା ମାମଲାର ସମାଧାନ
  • ବିଭିନ୍ନ ଅପିଲି ମଞ୍ଚରେ ପଡ଼ିରହିଥିବା ୪.୮୩ ଲକ୍ଷ ମାମଲାର ସମାଧାନ ହେଉଛି ଲକ୍ଷ୍ୟ
  • ୩୧ ମାର୍ଚ୍ଚ ୨୦୨୦ ପୂର୍ବରୁ ଯଦି ବିବାଦିତ କର ରାଶି ପୈଠ କରାଯିବ ତେବେ ଜରିମାନା କିମ୍ବା ସୁଧ ଦେବାକୁ ପଡିବ ନାହିଁ।
  • ଯଦି କୌଣସି ଆୟକର ଦାତ୍ତା ୩୧ ମାର୍ଚ୍ଚ ସୁଧା ଡାଇରେକ୍ଟ୍ ଟ୍ୟାକ୍ସର ବକେୟା ରାଶି ଦିଅନ୍ତି ନାହିଁ, ତେବେ ତାଙ୍କୁ ୩୦ ଜୁନ୍ ପର୍ଯ୍ୟନ୍ତ ସମୟ ଦିଆଯିବ। କିନ୍ତୁ ଏକ୍ଷେତ୍ରରେ ତାଙ୍କୁ ୧୦ ପ୍ରତିଶତ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିବ।
  • ଯଦି କୌଣସି ଆୟକର ଦାତ୍ତାଙ୍କ କେବଳ ସୁଧ ଓ ଜରିମାନାକୁ ନେଇ ବିବାଦ ରହିଛି ତେବେ ତାଙ୍କୁ ୩୧ ମାର୍ଚ୍ଚ ସୁଧା ବିବାଦୀୟ ରାଶିର ୨୫ ପ୍ରତିଶତ ଦେବାକୁ ପଡ଼ିବ ଓ ଏହାପରେ ତାଙ୍କୁ ଆଉ ୩୦ ପ୍ରତିଶତ ଦେବାକୁ ପଡ଼ିବ।

କେମିତି କରିବେ ଆବେଦନ?

  • ଆୟକର ବିବାଦ ସେ ବିଶ୍ୱାସ ଡିକ୍ଲାରେସନ୍ ଫର୍ମରେ ସବୁ ତଥ୍ୟ ଦେଇ ଫୋରମରେ ଜମା କରି ପାରିବେ।
  • ଏହାପରେ ଆୟକର ବିଭାଗ ପକ୍ଷରୁ ୧୫ ଦିନ ଭିତରେ ପ୍ରମାଣ ପତ୍ର ଜାରି କରାଯିବ। ଯେଉଁଥିରେ ଆୟକର ଦାତାଙ୍କୁ ମୋଟ କେତେ ଟଙ୍କା ଦେବାକୁ ହେବ ତାହାର ଉଲ୍ଲେଖ ଥିବ।
  • ସେଥିରେ ଉଲ୍ଲେଖ କରା ଯାଇଥିବା ରାଶିକୁ କରଦାତାଙ୍କୁ ପ୍ରମାଣ ପତ୍ର ମିଳିବାର ୧୫ ଦିନ ଭିତରେ ଜମା କରିବାକୁ ହେବ।
  • ଏହାର ସୂଚନାକୁ ଏକ ନିର୍ଦ୍ଧାରିତ ଫର୍ମରେ ଉଲ୍ଲେଖ କରକି ପୁଣିଥରେ ଆୟକର ବିଭାଗକୁ ଦେବାକୁ ପଡିବ।
  • ଏହାପରେ ଆୟକର ଦାତାଙ୍କୁ ପେମେଣ୍ଟ କରାଯାଇଥିବା ସମ୍ବନ୍ଧରେ ଏକ ଆଦେଶ ଜାରି କରାଯିବ।
  • ଏହି ଆଦେଶକୁ ଦେଶ ଭିତରେ କିମ୍ବା ଦେଶ ବାହାରେ କୌଣସି ଅଦାଲତରେ ଚାଲେଞ୍ଜ କରାଯାଇ ପାରିବ ନାହିଁ।