ଜୁଲାଇ ୩୧ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ। ଜାଣନ୍ତୁ, କେମିତି କରିବେ ଆଇଟିଆର୍‌ ଫାଇଲ୍।

୨୦୧୯-୨୦ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ଆସନ୍ତା ଜୁଲାଇ ୩୧। ଆୟକର ରିଟର୍ଣ୍ଣ ଫାଇଲ ତାରିଖ ପାଖେଇ ଆସିବା ସହ ଅନେକଙ୍କର ହାର୍ଟବିଟ୍ ବଢିଯାଇଥାଏ। ତରବରରେ ରିଟର୍ଣ୍ଣ ଫାଇଲ କରିବା ଚକ୍କରରେ ଅନେକ ଭୁଲ ହୁଏ। ଯାହା ଆଗକୁ ଚାଲି ମହଙ୍ଗା ପଡ଼ିପାରେ। ତେଣୁ ଆୟକର ରିଟର୍ଣ୍ଣ ଫାଇଲ କରିବା କାମ ଡେଡ୍ ଲାଇନ୍ ପୂର୍ବରୁ ସାରିଦିଅନ୍ତୁ। ଆଉ ଧିରେସୁସ୍ଥେ ଡାଟା ଦିଅନ୍ତୁ ଯେମିତି ଆଗକୁ ଭୁଲ ତଥ୍ୟ ପାଇଁ ଆପଣଙ୍କୁ ଆଇଟି ନୋଟିସର ଜବାବ ଦେବାକୁ ପଡ଼ିବ ନାହିଁ। ଚାଲନ୍ତୁ ଜାଣିବା କେମିତି ରିଟର୍ଣ୍ଣ ଫାଇଲ କରାଯାଏ।

ଇନକମ୍ ଟ୍ୟାକ୍ସ ଫାଇଲିଂର ସବୁଠୁ ସହଜ ମାଧ୍ୟମ ହେଉଛି ଇ-ଫାଇଲିଂ। ଅନଲାଇନରେ ଆୟକର ରିଟର୍ଣ୍ଣ ଫାଇଲ କରିବାକୁ ଇ-ଫାଇଲିଂ କୁହାଯଏ।  ଯାହାକି ବହୁତ ସରଳ ହୋଇଥାଏ। ଯଦି ଆପଣଙ୍କ ପାଖରେ ସବୁ ତଥ୍ୟ ଅଛି ଓ ଦସ୍ତାବିଜ ରହିଛି ତେବେ ନିଜ କମ୍ପ୍ୟୁଟର ଖୋଲି ଖୁବ କମ ସମୟ ମଧ୍ୟରେ ଆୟକର  ରିଟର୍ଣ୍ଣ ଫାଇଲ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରଥମେ ଆୟକର ବିଭାଗର ୱେବସାଇଟ୍‌ https://incometaxindiaefiling.gov.inକୁ ଯିବାକୁ ପଡ଼ିବ। ଏହାପରେ ଆପଣଙ୍କୁ କ’ଣ କରିବାକୁ ପଡ଼ିବ, ଆସନ୍ତୁ ଜାଣିବା..।

୧. ରିଟର୍ଣ୍ଣ ଫାଇଲ କରିବାକୁ ପ୍ରଥମେ ଆପଣଙ୍କୁ ଏହି ୱେବ୍‌ସାଇଟ୍‌ରେ ଗୋଟିଏ ଆକାଉଣ୍ଟ ଖୋଲିବାକୁ ପଡ଼ିବ। ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ନିଜ ପାନ୍ ନମ୍ବର ଓ ଜନ୍ମତିଥି ଦେବାକୁ ପଡ଼ିବ। ଆୟକର ବିଭାଗ ୱେବସାଇଟ୍‌ରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ଆପଣ ନିଜେ ଆକାଉଣ୍ଟ କ୍ରିଏଟ୍ କରିପାରିବେ। ଆପଣଙ୍କ ପାନ୍ ନମ୍ବର ହିଁ ଆପଣଙ୍କ ୟୁଜର ଆଇଡି ହେବ।

୨. ଆକାଉଣ୍ଟ୍ ତିଆରି କରି ଲଗ୍ ଇନ୍ କରିବା ପରେ ଆପଣଙ୍କ ପାଖରେ ଇ-ଫାଇଲିଂ ପାଇଁ ଦୁଇଟି ବିକଳ୍ପ ଉପଲବ୍ଧ ହେବ। ପ୍ରଥମ ବିକଳ୍ପ- ଆୟକର ବିଭାଗ ୱେବସାଇଟର ଡାଉନଲୋଡ୍ ସେକ୍ସନକୁ ଯାଇଁ ନିଜ କ୍ୟାଟେଗୋରି ହିସାବରେ ଫର୍ମ ଡାଉନଲୋଡ୍ କରନ୍ତୁ। କମ୍ପ୍ୟୁଟରରେ ଫର୍ମକୁ ସେଭ୍ କରିବା ପରେ ସଠିକ ଭାବେ ପୁରଣ କରନ୍ତୁ।  ଏହି ଫର୍ମ ପୁରଣ ହେବା ପରେ ଜେନେରେଟ୍ ଏକ୍ସଏମଏଲ(generate XML) କୁ କ୍ଲିକ୍ କରନ୍ତୁ।   XML ଫାଇଲ ଜେନେରେଟ୍ ହୋଇସାରିବା ପରେ ଆୟକର ବିଭାଗ ୱେବସାଇଟକୁ ପୁଣି ଯା’ନ୍ତୁ। ଏବେ ଲଗ୍ ଇନ୍ ପରେ ଅପଲୋଡ୍ ଏକ୍ସଏମଏଲ ଫାଇଲ(upload XML) କୁ କ୍ଲିକ୍ କରନ୍ତୁ।  ଫାଇଲ ଅପଲୋଡ୍ କରିବ ପାରେ ସବମିଟ୍(submit)  ବଟନକୁ କ୍ଲିକ୍ କରନ୍ତୁ।

୩. ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଇ-ଫାଇଲିଂର ଦ୍ୱିତୀୟ ବିକଳ୍ପ ମଧ୍ୟ ସହଜ। ଏଥିପାଇଁ ୱେବସାଇଟ୍‌ରେ  ଇ-ଫାଇଲି ସେକ୍ସନକୁ ଯାଇ ଲଗଇନ୍ କରନ୍ତୁ। ଯେଉଁ ଫର୍ମ ଓ ଆସେସମେଣ୍ଟ ବର୍ଷ ଆବଶ୍ୟକ ତାକୁ ବାଛିକରି ଫର୍ମ ପୁରଣ କରନ୍ତୁ।

୪. ଆୟକର ବିଭାଗର ୱେବସାଇଟ୍‌ରେ ଫର୍ମ ବାଛିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଯେଉଁ କ୍ୟାଟେଗୋରିରେ ଯାଉଛନ୍ତି ସେହି ଫର୍ମ ଯେମିତି ପୁରଣ କରିବେ। ସାଲାରି, ପେନସନ, ସମ୍ପତ୍ତି ଓ ଅନ୍ୟ ସ୍ରୋତରୁ ଆୟ (ଯେମିତି ଲଟେରି ଆଦି) ଥିବା ବ୍ୟକ୍ତିଙ୍କୁ ଫର୍ମ ITR-1 ବାଛିବାକୁ ପଡ଼ିବ। ପୁଞ୍ଜିଗତ ଲାଭ ମାମଲାରେ ITR-2 ବାଛିବାକୁ ପଡ଼ିବ। ଏକରୁ ଅଧିକ ଘର ଥିଲେ  ITR-2A ବାଛନ୍ତୁ। ତେବେ ଏହି କ୍ଷେତ୍ରରେ କୌଣସି ପୁଞ୍ଜିଗତ ଲାଭ ହେଉନଥିବ ITR-3, ITR-4, ITR-4S ଫର୍ମ ବ୍ୟବସାୟୀ  ଓ ପେଶାଦାରଙ୍କ ପାଇଁ ଉଦ୍ଦିଷ୍ଟ।

୫. ଆୟକର ରିଟର୍ଣ୍ଣ ଫାଇଲ କରିବା ବେଳେ ନିଜ ପାଖରେ ପ୍ୟାନ୍ କାର୍ଡ, ଫର୍ମ -16, ବ୍ୟାଙ୍କ ଖାତାରେ ସେହି ଆର୍ଥିକ ବର୍ଷରେ ମିଳିଥିବା ମୋଟ ସୁଧ, ଟିଡିଏସ ସମ୍ବନ୍ଧିତ ତଥ୍ୟ ତଥା ସବୁ ପ୍ରକାରର ସଞ୍ଚୟ ଓ ନିବେଶ ସମ୍ବନ୍ଧିତ ଦସ୍ତାବିଜ୍ ରଖିବେ। ହୋମ ଲୋନ୍, ଜୀବନ ବୀମା କାଗଜପତ୍ର ବି ନିଜ ପାଖରେ ରଖନ୍ତୁ। ଏହା ସହ ଆପଣ ଆୟକର ବିଭାଗର ୱେବସାଇଟ୍‌ରୁ 26AS ଡାଉନଲୋଡ୍ କରିପାରିବେ। ଯେଉଁଥିରେ ବିଭିନ୍ନ ସ୍ରୋତରୁ କଟିଥିବା ଟିଡିଏସର ବିବରଣୀ ରହିଥାଏ। ନିଜ ଟ୍ୟାକ୍ସକୁ ସତ୍ୟାପନ କରିବାକୁ ଏହି ଦସ୍ତାବିଜ କାମରେ ଆସିଥାଏ।

୬. ଯେଉଁମାନଙ୍କ ବାର୍ଷିକ ଆୟ ୫୦ ଲକ୍ଷରୁ ଅଧିକ ସେମାନଙ୍କୁ ଗୋଟିଏ କଥା ମନେ ରଖିବାକୁ ପଡ଼ିବ। ଏଭଳି କରଦାତାଙ୍କୁ ନିଜ ଫର୍ମରେ ଗୋଟିଏ ଅତିରିକ୍ତ କଲମ AL ପୁରଣ କରିବାକୁ ପଡ଼ିଥାଏ। ଯେଉଁଥିରେ ତାଙ୍କୁ ନିଜର ସବୁ ସମ୍ପତିର ମୂଲ୍ୟ ଓ ଅନ୍ୟ ଆର୍ଥିକ କାରବାର ବାବଦରେ ତଥ୍ୟ ଦେବାକୁ ପଡିଥାଏ। ALର ଅର୍ଥ ହେଉଛି ଆସେଟ୍ ଓ ଲାୟାବିଲିଟିଜ୍।

୭. ଯଦି ଆପଣ ଡଜିଟାଲ ଦସ୍ତଖତ ବ୍ୟବହାର କରି ଆୟକର ରିଟର୍ଣ୍ଣ ସବମିଟ୍ କରନ୍ତି ତେବେ ଆପଣଙ୍କୁ ଗୋଟିଏ Acknowledgement Number, ଅର୍ଥାତ ଗୋଟିଏ ରସିଦ୍ ଜେନେରେଟ୍ ହୋଇଥାଏ। ଯଦି ଡିଜିଟାଲ ସିଗନେଚର ବିନା ଫର୍ମ ସବମିଟ୍ କରାଯାଇଥାଏ, ତେବେ ITR-V ଜେନେରେଟ୍ ହୋଇଥାଏ। ଯାହା ଆପଣଙ୍କୁ ରେଜିଷ୍ଟ୍ରଡ୍ ଇମେଲ୍ ଆଇଡିରେ ଆସି ପହଞ୍ଚିବ ITR-V ଜେନେରେଟ୍ ହେବା ଅର୍ଥ ହେଉଛି ଆପଣଙ୍କ ରିଟର୍ଣ୍ଣ ସବମିଟ୍ ହୋଇସାରିଛି।

୮. ତେବେ ପ୍ରକ୍ରିୟା ଏବେ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏବେ ଆପଣଙ୍କୁ ITR-Vରେ ଦସ୍ତଖତ କରି ବେଙ୍ଗାଳୁରୁ କାର୍ଯ୍ୟାଳୟକୁ ପଠାଇବାକୁ ପଡ଼ିବ।  ୧୨୦ ଦିନ ଭିତରେ ଦସ୍ତଖତ ଥିବା ITR-V ସମ୍ବନ୍ଧିତ କାର୍ଯ୍ୟାଳରେ ପହଞ୍ଚିବା ଆବଶ୍ୟକ।  ଏହି ଅବଧି ଭିତରେ ଯଦି ଦସ୍ତଖତ ବିଶିଷ୍ଟ କାଗଜ ନପହଞ୍ଚିବ ତେବେ ଆୟକର ରିଟର୍ଣ୍ଣ ଫାଇଲ ଅସମ୍ପୂର୍ଣ୍ଣ ବୋଲି ଧରାଯିବ। ଆଇଟିଆର-ଭି’କୁ ସାଧାରଣ ଡାକରେ ହିଁ ପଠାନ୍ତୁ। ବେଙ୍ଗାଳୁରୁ କାର୍ଯ୍ୟାଳର ଠିକଣା  ITR-V  ତଳେ ରହିଥାଏ।

୯. ଏହାଛଡ଼ା କରଦାତା ଏହି ୱେବସାଇଟ୍‌ରେ ଥିବା ଇ–ଭେରିଫାଇ ରିଟର୍ଣ୍ଣ ଅପସନକୁ ଯାଇ ନିଜ ଆୟକର ରିଟର୍ଣ୍ଣର ଭେରିଫାଇ କରିପାରିବେ। ନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ମଧ୍ୟ ଏହାକୁ ଭେରିଫାଇ କରାଯାଇପାରିବ। ଯଦି ଆପଣ ଏହି ବିକଳ୍ପ ବାଛନ୍ତି ତେବେ ଆପଣଙ୍କୁ ଡାକ ଯୋଗେ ITR-V କୁ ବେଙ୍ଗାଳୁରୁ ପଠାଇବାର ଆବଶକ୍ୟକତା ପଡ଼ିବ ନାହିଁ।