ଦେଶର ସର୍ବ ବୃହତ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ‘ପେଟିଏମ୍’ର ମୂଳ କମ୍ପାନି ୱାନ୍ 97 କମ୍ୟୁନିକେସନ୍ ଲିମିଟେଡ୍‌କୁ ବୀମା ଉତ୍ପାଦ ବିକ୍ରୟ ପାଇଁ ଲାଇସେନ୍ସ ମିଳିଛି। ଏଣିକି ଗ୍ରାହକମାନେ ମୋବାଇଲରେ ବୀମା ଉତ୍ପାଦ କିଣିବାର ସୁଯୋଗ ପାଇବେ।

ଏନେଇ କମ୍ପାନି କୁହିଛି ଯେ, ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDA) ପକ୍ଷରୁ ପେଟିଏମ୍ ଇନସୁରାନ୍ସ ବ୍ରୋକିଂ ପ୍ରାଇଭେଟ ଲିମିଟେଡ୍ (PIBPL)କୁ ଜୀବନ ଏବଂ ଅଣ-ଜୀବନ ବୀମା ବିକ୍ରୟ ପାଇଁ ଲାଇସେନ୍ସ ମିଳିଛି। ବର୍ତ୍ତମାନ ସାରା ଭାରତର ଲକ୍ଷ ଲକ୍ଷ ଗ୍ରାହକ ପେଟିଏମ୍‌ ଜରିଆରେ ବୀମା କ୍ରୟ କରିପାରିବେ।

କେଉଁ ବୀମା ପାଇବେ

ପେଟିଏମ୍‌ରେ ଗ୍ରାହକ ଦୁଇ ଚକିଆ, ଚାରି ଚକିଆ, ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ବର୍ଗରେ ବିଭିନ୍ନ ବୀମା ଉତ୍ପାଦ ପାଇପାରିବେ। PIBPL ଭାରତର ୨୦ଟି ଅଗ୍ରଣୀ ବୀମା କମ୍ପାନି ସହିତ ସହଭାଗୀ ହୋଇଛି। ଆଗାମୀ କିଛି ସପ୍ତାହରେ କମ୍ପାନି ୩୦ଟି ଅଂଶୀଦାରଙ୍କ ସହ ଯୋଡ଼ି ହେବାର ଲକ୍ଷ୍ୟ ରଖିଛି।

ପେଟିଏମ୍‌କୁ ବୀମା କ୍ରୟ କରିବାର ଲାଇସେନ୍ସ ମିଳିବା ପରେ ଏହାର ଟକ୍କର ପଲିସି ବଜାର ଏବଂ ଟର୍ଟଲମିଣ୍ଟ୍‌ ଭଳି ପଲିସି ୱେବ୍‌ସାଇଟ୍‌ ସହ ହେବ। ଗତ ଫେବ୍ରୁଆରୀ ମାସରେ ଫୋନ୍ ପେ’ ମଧ୍ୟ ଅନ୍ତର୍ଜାତୀୟ ଭ୍ରମଣ ବୀମା ସେବା ଆରମ୍ଭ କରିଛି।