ମାସିକ ୧୦ ହଜାର ଟଙ୍କା ପେନସନ୍ ପାଇବାକୁ ଚାହୁଁଛନ୍ତି ତ’ ତୁରନ୍ତ କରନ୍ତୁ ନିବେଶ। ମାର୍ଚ୍ଚ ୩୧ରେ ବନ୍ଦ ହୋଇଯିବ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା।

ବରିଷ୍ଠ ନାଗରିକଙ୍କୁ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦେଉଥିବା ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ୩୧ ମାର୍ଚ୍ଚ ପରେ ବନ୍ଦ ହେବ। ଆପଣ ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ କିମ୍ବା ୩୧ ମାର୍ଚ୍ଚ ୨୦୨୦ ପୂର୍ବରୁ ଏଥିରେ ନିବେଶ କରନ୍ତୁ।

PMVVY

ଏଲଆଇସି ଦେଇଥାଏ ଏହି ଯୋଜନା

୨୦୧୭ ମସିହାରେ କେନ୍ଦ୍ରର ମୋଦି ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ସେ ସମୟରେ ଏହି ଯୋଜନାର ସର୍ବାଧିକ ନିବେଶ ସୀମା ଥିଲା ୭.୫୦ ଲକ୍ଷ ଟଙ୍କା। ୨୦୧୮-୧୯ ବଜେଟରେ ଏହାକୁ ବଢ଼ାଇ ୧୫ ଲକ୍ଷ କରାଯାଇଥିଲା। ଅର୍ଥାତ ଯଦି ପତି ଓ ପତ୍ନୀ ଉଭୟ ବରିଷ୍ଠ ନାଗରିକ ତେବେ ପ୍ରତ୍ୟେକ ୧୫ ଲକ୍ଷ ଲେଖା ନିବେଶ କରିପାରିବେ। ସେମାନଙ୍କ ମୋଟ ନିବେଶ ୩୦ ଲକ୍ଷ ଟଙ୍କା ହେବ, ଯାହା ଉପରେ ସେମାନେ ବୋନସର ଲାଭ ଉଠାଇ ପାରିବେ।

ଏହି ପେନସନ୍ ସ୍କିମର ପରିଚାଳନା ଏଲଆଇସି କରୁଛି। ବିଶେଷ କଥା ହେଲା ଏହି ସ୍କିମରେ ନିବେଶ ପରେ ପରେ ହିଁ ପେନସନ୍ ମିଳିବା ଆରମ୍ଭ ହୋଇଯାଇଥାଏ।

ଯୋଜନାର ଲାଭ ଉଠାଇବା ପାଇଁ ଆବଶ୍ୟକ ଯୋଗ୍ୟତା

  • ବୟସ ୬୦ରୁ ଅଧିକ ହୋଇଥିବ
  • ସ୍କିମ୍ ପାଇଁ ସର୍ବାଧିକ ବୟସସୀମା କିଛି ନାହିଁ
  • ପଲିସି ଅବଧି ୧୦ ବର୍ଷ
  • ସର୍ବନିମ୍ନ ପେନସନ୍ ୧,୦୦୦ ମାସିକ
  • ସର୍ବାଧିକ ପେନସନ୍ ୧୦,୦୦୦ ମାସିକ
  • ମାସିକ, ତ୍ରୈୟମାସିକ, ଛ’ମାସିଆ କିମ୍ବା ବାର୍ଷିକ ପେନସନ୍ ବିକଳ୍ପ
  • ପେନସନ୍ ପେମେଣ୍ଟ୍ ମାଧ୍ୟମ – ଏନଆଇଏଫଟି କିମ୍ବା ଆଧାର ଅଧିକୃତ ପେମେଣ୍ଟ୍ ସିଷ୍ଟମ

pension plan

କେମିତି କିଣିବେ?

ଏହି ଯୋଜନାକୁ ଏଲଆଇସି ପରିଚାଳନା କରିଥାଏ। ତେଣୁ ଯୋଜନାର ଲାଭ ପାଇଁ ଆପଣଙ୍କୁ ଏହା ଏଲଆଇସିଠାରୁ କିଣିବାକୁ ପଡିବ। ଅନଲାଇନ୍ କିମ୍ବା ଅଫ୍ ଲାଇନ୍ ଉଭୟ ଉପାୟରେ ଆପଣ ନିବେଶ କରିପାରିବେ। ଅଫଲାଇନ୍ ନିବେଶ ପାଇଁ ନିକଟରେ ଥିବା ଏଲାଆଇସି ଅଫିସ ସହ ଯୋଗାଯୋଗ କରନ୍ତୁ। ଅନଲାଇନ୍ ନିବେଶ ପାଇଁ licindia.inକୁ ଯାଇ ଫର୍ମ ପୂରଣ କରନ୍ତୁ। ତେବେ ଗୋଟିଏ କଥା ମନେ ରଖନ୍ତୁ ଏଥିରେ ଆପଣ ଆୟକର ଧାରା ୮୦-ସି ଅନ୍ତର୍ଗତରେ କୌଣସି ରିହାତି ଲାଭ ପାଇବେ ନାହିଁ।

ପେନସନ୍ ଛଡ଼ା ଆଉ କଣ ଲାଭ ପାଇବେ?

ମାଚ୍ୟୁରିଟି ଲାଭ: ଯଦି ନିବେଶକ ୧୦ ବର୍ଷର ପଲିସି ଅବଧି ପରେ ଜୀବିତ ରହନ୍ତି ତେବେ ତାଙ୍କୁ ଅନ୍ତିମ ପେନସନ୍ ସହ ନିବେଶ ରାଶି ଫେରାଇ ଦିଆଯାଇଥାଏ।

ମୃତ୍ୟୁ ଲାଭ: ଯଦି କୌଣସି ନିବେଶକଙ୍କ ମୃତ୍ୟୁ ପଲିସି ଅବଧି ଭିତରେ ହୁଏ ତେବେ ତାଙ୍କ ନୋମିନିଙ୍କୁ ସଂପୂର୍ଣ୍ଣ ନିବେଶ ରାଶି ମିଳିଥାଏ।

ଲୋନ୍ ସୁବିଧା:  ଏଥିରେ ନିବେଶର ରାଶିର ୭୫ ପ୍ରତିଶତ ପର୍ଯ୍ୟନ୍ତ ଲୋନ୍ ଭାବେ ଜଣେ ନେଇ ପାରିବେ।