ଜିଏସଟି ଲାଗୁ ହେବାର ତିନି ବର୍ଷ ପରେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଏହା ଅବୁଝା। ଆସନ୍ତୁ ପ୍ରଶ୍ନ ଉତ୍ତର ମାଧ୍ୟମରେ ଜାଣିବା କିଛି ଜରୁରୀ କଥା..

ପ୍ରଶ୍ନ . ବସ୍ତୁ ଉପରେ ଜିଏସଟି ଦର କଣ ?

ଉତ୍ତର. ବର୍ତ୍ତମାନ ବସ୍ତୁ ଉପରେ ୫ ପ୍ରକାରର ଜିଏସଟି ଲାଗୁ ହେଉଛି। ୦.୨୫% (କଟା ଯାଇଥିବା ଓ ସେମି ପଲିସ୍ ପଥର), ୫% (ଘରୋଇ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ), ୧୨% (କମ୍ପ୍ୟୁଟର), ୧୮% (କେଶ ତୈଳ ଆଦି) ଓ ୨୮% (ମୃଦୁ ପାନୀୟ ଭଳି ସାମଗ୍ରୀ).

ପ୍ରଶ୍ନ . ସେବା ଉପରେ GST ଦର କ’ଣ?

ଉତ୍ତର. ସେବା ଉପରେ ଚାରି ପ୍ରକାରର ଜିଏସଟି ଲାଗୁ ହୋଇଥାଏ। ୫% (ଟୁର ଅପରେଟର ସେବା ଆଦି), ୧୨% (ଇକୋନମି ଶ୍ରେଣୀକୁ ଛାଡ଼ି ବିମାନଯାତ୍ରା ), ୧୮% (ଆଉଟ୍ ଡୋର କ୍ୟାଟେରିଂ ଭଳି ସେବା) ଓ ୨୮% (ଜୁଆ).

ପ୍ରଶ୍ନ . କିଏ GST ଦର ନିର୍ଦ୍ଧାରଣ କରିଥାନ୍ତି?

ଉତ୍ତର. GST ଦରକୁ GST କାଉନସିଲ୍ ଧାର୍ଯ୍ୟ କରିଥାନ୍ତି। କାଉନସିଲରେ ୩୩ ଜଣ ସଦସ୍ୟ ଥାନ୍ତି। ସବୁ ରାଜ୍ୟର ଅର୍ଥମନ୍ତ୍ରୀ ଏଥିରେ ସାମିଲ ଥିବାବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହାର ମୁଖ୍ୟ।

ପ୍ରଶ୍ନ . GST କେତେ ପ୍ରକାରର ହୋଇଥାଏ ?

ଉତ୍ତର. ତିନି ପ୍ରକାରର GST ରହିଛି:

  • SGST:  ଏହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସଂଗ୍ରହ କରିଥାନ୍ତି,ଯଦି ଗୋଟିଏ ରାଜ୍ୟ ମଧ୍ୟରେ ଦେଣନେଣ ହୋଇଥାଏ। ଉଦାହରଣ ସ୍ୱରୁପ ଯଦି, ଗୋଟିଏ ଦ୍ରବ୍ୟ ଓଡ଼ିଶାରେ ଉତ୍ପାଦିତ ହୋଇ ଓଡ଼ିଶାରେ ହିଁ ବିକ୍ରି ହୋଇଥାଏ, ତେବେ ଏସଜିଏସଟି ଓଡ଼ିଶା ସରକାରଙ୍କ ଦ୍ୱାରା ଲାଗୁ କରାଯିବ।
  • CGST: ଏହାକୁ କେନ୍ଦ୍ର ସରକାର ସଂଗ୍ରହ କରିଥାନ୍ତି,ଯଦି ଦେଣନେଣ ଗୋଟିଏ ହିଁ ରାଜ୍ୟ ଭିତରେ ହୋଇଥାଏ। ଉପର ଉଦାହରଣରେ ଏସଜିଏସଟି ସହ  ସିଜିଏସଟି ମଧ୍ୟ ଲାଗୁ ହେବ।
  • IGST: IGST ବା  Integrated GST  କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦାୟ କରା ଯାଇଥାଏ। ଉଦାହରଣ ସ୍ୱରୁପ ଓଡ଼ିଶାର ଜଣେ ବ୍ୟବସାୟୀ ଯଦି ଗୁଜୁରାଟର ଜଣେ ଉତ୍ପାଦକଙ୍କଠାରୁ କିଛି କିଣୁଛନ୍ତି ତେବେ ଏହି ମାମଲାରେ ଆଇଜିଏସଟି ଆଦାୟ ହେବ। ଆଦାୟ କରକୁ ପରେ ରାଜ୍ୟ ଓ କେନ୍ଦ୍ର ବାଣ୍ଟି ନେଇଥାନ୍ତି।

ପ୍ରଶ୍ନ . ଜଳ ଏବଂ ଜଳ ଭିତ୍ତିକ ଉତ୍ପାଦ ଉପରେ GST ହାର କେତେ?

ଉତ୍ତର. ଜଳ ଏବଂ ଜଳ ଭିତ୍ତିକ ଉତ୍ପାଦ ଉପରେ ୪ ପ୍ରକାରର ଜିଏସଟି ଲାଗୁ ହୋଇଥାଏ।  ୫%, ୧୨%, ୧୮% ଓ  ୨୮% ଦରରେ ଜିଏସଟି ଲାଗୁ ହୋଇଥାଏ। ଏଠାରେ ଧ୍ୟାନରେ ରଖନ୍ତୁ ଯେ, ପାଣି ଯଦି ବନ୍ଦ କଣ୍ଟେନରରେ ବିକ୍ରି ହୋଇ ନଥାଏ, ତେବେ କୌଣସି ଜିଏସଟି ଆଦାୟ ହୋଇନଥାଏ।

ପ୍ରଶ୍ନ . ଶୁନ୍ୟ ଜିଏସଟି ଓ ଜିଏସଟି ଛାଡ ଦ୍ରବ୍ୟ ତଥା ସେବା ମଧ୍ୟରେ ଫରକ କଣ ?

ଉତ୍ତର. ଶୂନ୍ୟ ଜିଏସଟି ଅର୍ଥ କୌଣସି ଜିଏସଟି ଆଦାୟ ହୋଇନଥାଏ। ଅନ୍ୟପକ୍ଷରେ ଜିଏସଟି ଛାଡ ଦ୍ରବ୍ୟ ଓ ସେବାର ମାନେ ହେଲା ଅସ୍ଥାୟୀ ଭାବେ ଏହି ସବୁ ଦ୍ରବ୍ୟ ଓ ସେବା ଉପରେ କୌଣସି ଜିଏସଟି ଲାଗୁ ହୋଇନଥାଏ। ସରକାର ଚାହିଁଲେ ପରେ ଏହାକୁ ଜିଏସଟି ବ୍ରାକେଟ୍ ମଧ୍ୟକୁ ଆଣି ପାରିବେ। ପ୍ରଶ୍ନ . ହୋଟେଲ ରହଣି ଉପରେ ଜିଏସଟି ଦର କଣ ?

ଉତ୍ତର.  ୩୭ତମ  GST କାଉନସିଲ୍ ବୈଠକ ଅନୁସାରେ ହୋଟେଲ ରହଣି ଉପରେ ଏହିଭଳି ଜିଏସଟି ଦର ଲାଗୁ ହେବ

ଦୈନିକ ହୋଟେଲ ରହଣି ମୁଲ୍ୟ GST ଦର
୧ ହଜାର ଟଙ୍କା ଓ ତା’ଠାରୁ କମ ଶୂନ୍ୟ
 ୧୦୦୧ ଟଙ୍କାରୁ ଅଧିକ ୭୫୦୦ ଟଙ୍କାରୁ କମ ୧୨%
୭୫୦୧ ଟଙ୍କା ଓ ତା’ଠାରୁ ଅଧିକ ୧୮%

ପ୍ରଶ୍ନ . ସୁନା ଉପରେ GST ଦର କଣ ?

ଉତ୍ତର. ଏକ ଦ୍ରବ୍ୟ ହିସାବରେ ସୁନା ଉପରେ GST ଦର ହେଉଛି ୩%। ସ୍ୱର୍ଣ୍ଣ ଗହାଣର ମେକିଂ ଚାର୍ଜେସ୍ ଉପରେ ଜିଏସଟି  ୫%।

ପ୍ରଶ୍ନ . GST କ୍ଷତିପୁରଣ ସେସ୍ ଓ ଜିଏସଟି ଦର କ’ଣ ସମାନ ?

ଉତ୍ତର. ଗୋଟିଏ ଦ୍ରବ୍ୟ ଓ ସେବା ଉପରେ କେଉଁ ଦରରେ ଜିଏସଟି ଲାଗୁ ହେଉଛି ତାହା ହେଉଛି ଜିଏସଚି ରେଟ୍। ପ୍ରତି ସ୍ତରରେ ଜିଏସଟି ଲାଗୁ ହୋଇଥାଏ ଓ ଏହା ବ୍ୟବହାରର ଗନ୍ତବ୍ୟସ୍ଥଳ ଉପରେ ନିର୍ଭର କରିଥାଏ। ଉଦାହରଣ ସ୍ୱରୁପ, ଯଦି ଗୋଟିଏ ବସ୍ତୁ ଓଡ଼ିଶାରେ ଉତ୍ପାଦିତ ହୋଇଥାଏ କିନ୍ତୁ ଏହାର ବ୍ୟବହାର ବିହାରରେ ହୋଇଥାଏ, ତେବେ ଜିଏସଟି ସଂଗ୍ରହ ଦ୍ୱାରା ଆଦାୟ ହୋଇଥିବା ରାଜସ୍ୱ ଉପଭୋକ୍ତା ରାଜ୍ୟ ଅର୍ଥାତ ବିହାର ଖାତାକୁ ଯାଇଥାଏ। ଏଠାରେ ଓଡ଼ିଶା କିଛି ମଧ୍ୟ ପାଏନା।

ଫଳରେ ଉତ୍ପାଦକ ରାଜ୍ୟର କ୍ଷତି (ଏଠାରେ ଓଡ଼ିଶା) ହେବାର ସମ୍ଭାବନା ରହିଥାଏ। ଏହାକୁ ଲକ୍ଷ୍ୟରେ ରଖି ଜିଏସଟି କମ୍ପେନସେସନ୍ ସେସ୍ (କ୍ଷତିପୁରଣ ସେସ୍) ପ୍ରବର୍ତ୍ତିତ ହୋଇଥିଲା। ତେବେ ଏହା କେବଳ ୨୦୨୨ ପର୍ଯ୍ୟନ୍ତ ଲାଗୁ ରହିବ।

ପ୍ରଶ୍ନ ୧୦. ହସ୍ପିଟାଲ ସେବା ପାଇଁ ଜିଏସଟି ଦର କ’ଣ?

ଉତ୍ତର. ଉଭୟ ମଣିଷ ଓ ପଶୁ ସ୍ୱାସ୍ଥ୍ୟ ସେବା ଜିଏସଟି ଆଇନରେ ସାମିଲ ଅଛି। ବର୍ତ୍ତମାନର ପ୍ରଚଳିତ ନିୟମ ଅନୁସାରେ, ଅଧିକୃତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ଦ୍ୱାରା ଦିଆ ଯାଉଥିବା ସେବା ଉପରେ କୌଣସି ଜିଏସଟି ଲାଗୁ ହୋଇନଥାଏ। ସେହିଭଳି ପଶୁ ଓ ପକ୍ଷୀଙ୍କ ମେଡିକାଲ ସେବା ଉପରେ ମଧ୍ୟ କୌଣସି ଜିଏସଟି ଲାଗୁ ହୋଇନଥାଏ।