କରୋନା ଭାଇରସ କାରଣରୁ ଦେଶରେ ୨୧ ଦିନ ଲକଡାଉନ୍ ଜାରି ହୋଇଛି। ଏହି ପରିସ୍ଥିତିରେ ସେହି ମାନେ ଅଧିକ ଚିନ୍ତାରେ ଅଛନ୍ତି ଯେଉଁମାନେ ପ୍ରତି ମାସରେ ହୋମ, ପର୍ସନାଲ କିମ୍ବା କାର ଲୋନର ଇଏମଆଇ ଦେଇଥାନ୍ତି। ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କ ସାଧାରଣ ଗ୍ରାହକଙ୍କ ଏହି ଚିନ୍ତା ଦୂର କରିବା ପାଇଁ ପଦକ୍ଷେପ ନେଇଛି। କିନ୍ତୁ ଲୋକଙ୍କ ମନରେ ଏବେ ମଧ୍ୟ ଅନେକ ପ୍ରଶ୍ନ ରହିଛି। ଆସନ୍ତୁ ୮ ଟି ପ୍ରଶ୍ନରୁ ଖୋଜିବା ଆପଣଙ୍କ ଉତ୍ତର।

ପ୍ରଶ୍ନ . ଆରବିଆଇ କ’ଣ କହିଛି ?

– ଆରବିଆଇ ବ୍ୟାଙ୍କଙ୍କୁ ଲୋନ୍ ଇଏମଆଇ ଉପରେ ୩ ମାସର ରିହାତି ଦେବାକୁ ପରାମର୍ଶ ଦେଇଛି।

ପ୍ରଶ୍ନ ୨. ଏପ୍ରିଲ ମାସରେ ଆପଣଙ୍କୁ  EMI ଦେବାକୁ ପଡ଼ିବ କି?

– ଏହା ବ୍ୟାଙ୍କ ଉପରେ ନିର୍ଭର କରେ। ଆରବିଆଇ କୌଣସି ବ୍ୟାଙ୍କଙ୍କୁ କିସ୍ତି ତିନି ମାସ ପର୍ଯ୍ୟନ୍ତ ନିଅ ନାହିଁ ବୋଲି ଆଦେଶ ଦେଇନି। ଏହା କେବଳ ପରାମର୍ଶ ଦେଇଛି। ଏବେ ଏହା ବ୍ୟାଙ୍କଙ୍କ ଉପରେ ନିର୍ଭର କରେ ଯେ,ସେମାନେ ନିଜ ଗ୍ରାହକଙ୍କୁ ରିହାତି ଦେଉଛନ୍ତି କି ନାହିଁ।

ପ୍ରଶ୍ନ ୩.ଏମିତିରେ ମୋତେ କଣ କରିବାକୁ ହେବ ?

– ଏଭଳି ପରିସ୍ଥିତିରେ ଆପଣଙ୍କୁ ନିଜ ବ୍ୟାଙ୍କକୁ ଇଏମଆଇ ନନେବା ପାଇଁ ଅନୁରୋଧ କରିବାକୁ ପଡ଼ିବ ଓ ସେମାନଙ୍କୁ ବୁଝାଇବାକୁ ପଡ଼ିବ ଯେ, କରୋନା ପାଇଁ ଆପଣଙ୍କ ଆୟ ପ୍ରଭାବିତ ହୋଇଛି। ତେବେ ଶେଷ ନିଷ୍ପତି ବ୍ୟାଙ୍କ ନେବ। ଯଦି ବ୍ୟାଙ୍କ ଅନୁମତି ଦିଏ ନାହିଁ, ତେବେ ଆପଣଙ୍କୁ ପୂର୍ବଭଳି କିସ୍ତି ଶୁଝିବାକୁ ପଡ଼ିବ।

ପ୍ରଶ୍ନ ୪. ଯଦି ବ୍ୟାଙ୍କ ଆପଣଙ୍କ କଥା ମାନେ ତେବେ ?

– ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଆପଣଙ୍କୁ ଇଏମଆଇ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ କିସ୍ତି ଟଙ୍କା ମାଫ୍ ହୋଇଗଲା। ଏହାର ମାନେ ହେଉଛି ଆପଣ ତିନି ମାସ ପରେ ସେହି କିସ୍ତିକୁ ଶୁଝିବେ।

ପ୍ରଶ୍ନ ୫. ତେବେ ତିନି ମାସ ପରେ ଇଏମଆଇ ବୋଝ ବଢ଼ିଯିବ ?

– ନା, ସେମିତି କିଛି ହେବନି। ଆପଣଙ୍କ ଇଏମଆଇ ପଜ୍ ହୋଇକି ରହିବ। ହୁଏତ ବ୍ୟାଙ୍କ ଆପଣଙ୍କ ମାସିକ କିସ୍ତି ଟଙ୍କା ବଢାଇ ଦେଇପାରେ କିମ୍ବା ଅବଧି ବଢାଇ ଦେଇପାରେ। ଅର୍ଥାତ ଆପଣଙ୍କୁ ଯଦି ଆଉ ୧୦ଟି କିସ୍ତି ଦେବାକୁ ଅଛି, ତେବେ ତିନି ମାସ ପରେ ବି ସେହି ୧୦ କିସ୍ତି ଦେବାକୁ ପଡ଼ିବ। କିନ୍ତୁ ଯେଉଁ ସମୟରେ ଆପଣଙ୍କ ଲୋନ୍ କିସ୍ତି ସରିବାର ଥିବ ତାହା ଆଉ ତିନି ମାସ ବଢିଯିବ। କିମ୍ବା ୱାନ୍ ଟାଇମ୍ ସେଟେଲମେଣ୍ଟର ବିକଳ୍ପ ମଧ୍ୟ ଦେଇପାରେ। ଏଥିପାଇଁ ୬ରୁ ୯ ମାସର ସମୟ ଦେଇପାରେ ବ୍ୟାଙ୍କ।

ପ୍ରଶ୍ନ ୬. କେଉଁ ପ୍ରକାରର ଲୋନ୍ ଉପରେ ତିନି ମାସର ଆଶ୍ୱସ୍ତି ମିଳିବ?

-ଆରବିଆଇ ଅନୁସାରେ ହୋମ୍ ଲୋନ୍, ଶିକ୍ଷା ଲୋନ୍, ପର୍ସନାଲ ଲୋନ୍ ବ୍ୟତିତ ଅନ୍ୟ ପ୍ରକାରର ରିଟେଲ କିମ୍ବା କଞ୍ଜୁମର ଲୋନ୍ ମଧ୍ୟ ଏଥିରେ ସାମିଲ ଅଛି। ତେବେ ବିଜନେସ୍ ଲୋନକୁ ନେଇ ଚିତ୍ର ସ୍ପଷ୍ଟ ନୁହେଁ।  ଏହି ଲାଭ କୌଣସି ଘରୋଇ,ରାଷ୍ଟ୍ରାୟତ କିମ୍ବା ଆଂଚଳିକ ବ୍ୟାଙ୍କଠାରୁ ଟର୍ମ ଲୋନ୍ ନେଇଥିବା ଗ୍ରାହକଙ୍କୁ ମିଳିବ।

ପ୍ରଶ୍ନ ୭. କ୍ରେଡିଟ୍ କାର୍ଡ ପେମେଣ୍ଟ ଉପରେ ଆଶ୍ୱସ୍ତି ମିଳିବ କି ?

– କ୍ରେଡିଟ୍ କାର୍ଡ ଟର୍ମ ଲୋନ୍ ଅନ୍ତର୍ଗତରେ ଆସିନଥାଏ ଓ ଏହାକୁ ରଭଲଭିଂ କ୍ରେଡିଟ୍ ଭାବେ ଗ୍ରହଣ କରାଯାଇଥାଏ। ଏମିତିରେ ଏହି ବିଲ୍ ଉପରେ ଆପଣଙ୍କୁ କୌଣସି ଆଶ୍ୱସ୍ତି ମିଳିବା ସମ୍ଭାବନା ନାହିଁ।

ପ୍ରଶ୍ନ ୮. ଲୋନ୍ EMI ନଦେଲେ କ୍ରେଡିଟ୍ ସ୍କୋର ଖରାପ ହେବ କି ?

-ନା, ତିନି ମାସ ପାଇଁ ଇଏମଆଇ ନଦେଲେ ମଧ୍ୟ ଆପଣଙ୍କ କ୍ରେଡିଟ୍ ସ୍କୋର ପ୍ରଭାବିତ ହେବନାହିଁ। ଆରବିଆଇ ଏହା ସ୍ପଷ୍ଟ କରିଛି।