କମ ବୟସରୁ ନିବେଶ କରିବା ଆପଣଙ୍କ ଭବିଷ୍ୟତ ସୁଧାରି ପାରିବ।

ପ୍ରଥମ ଚାକିରି ଓ ପ୍ରଥମ ଦରମା। ସବୁବେଳେ ମନେ ରୁହେ। ଆଉ ଏହା ସହ ମନେ ରହେ, ପ୍ରଥମ ଦରମା ସହ ଆମେ ଆରମ୍ଭ କରିଥିବା ଭୁଲ। ପ୍ରଥମ ଦରମା ମିଳିବା ସହ ଆମେ ନିଜ ପସନ୍ଦର ଗ୍ୟାଡେଟ୍ କିମ୍ବା ଅନ୍ୟ ଖର୍ଚ୍ଚ କରିଥାଉ। ଆମ ଭିତରୁ ହୁଏତ ଖୁବ କମ ନିବେଶ କଥା ପ୍ରଥମ ଦରମା ବେଳେ ଚିନ୍ତା କରିଥିବେ। କମ ଅବଧିର ନିବେଶ କଥା ଛାଡ଼ନ୍ତୁ ଲମ୍ବା ଅବଧିର ନିବେଶ ମଧ୍ୟ ଯୁବାବସ୍ଥାରେ ଆମେ ପ୍ରାଥମିକତାରେ ନଥାଏ।

ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ ପ୍ରଥମ ଚାକିରି ଓ ପ୍ରଥମ ଦରମା ଦିନରୁ ନିବେଶ ନକରିବା ଗୋଟିଏ ମାରତ୍ମକ ଭୁଲ। କାରଣ ଲମ୍ବା ଅବଧିରେ ନିବେଶ ଆପଣଙ୍କ ପାଣ୍ଠିକୁ ଚକ୍ରବୃଦ୍ଧି ହାରରେ ବଢାଇ ଥାଏ। ଆରମ୍ଭରୁ ନିବେଶ ନକରିବା କାରଣରୁ ଆମ ଜୀବନ ଓ ଲାଇଫ୍ ଷ୍ଟାଇଲ ଦରମା ଉପରେ ହିଁ ନିର୍ଭର କରେ। ଆସନ୍ତୁ ଜାଣିବା କଣ ପାଇଁ ଆମେ କ୍ୟାରିଅର ଆରମ୍ଭରୁ ନିବେଶ କରିବା ନିହାତି ଜରୁରୀ।

ମ୍ପାଉଣ୍ଡିଂର ପ୍ରଭାବ

ଚକ୍ରବୃଦ୍ଧି ହାରରେ ସୁଧ ବଢିବା କଥା ଯଦି ଶୁଣିଥିବେ ତେବେ ଏହା ମଧ୍ୟ ଜାଣନ୍ତୁ ଯେ, ନିବେଶ ଯେତେ ଲମ୍ବା ଅବଧି ପାଇଁ କରିବେ ସେତେ ଅଧିକ ରିଟର୍ଣ୍ଣ ପାଇବେ। ଉଦାହରଣ ସ୍ୱରୁପ ଦୁଇ ଜଣ ବ୍ୟକ୍ତିଙ୍କୁ ନିଅନ୍ତୁ। ଉଭୟ ୬୦ ବର୍ଷ ବୟସରେ ଅବସର ନେବେ। ଦୁହିଁଙ୍କ ମଧ୍ୟରୁ ଜଣଙ୍କ ବୟସ ୨୫ ଓ ଦ୍ୱିତୀୟ ବ୍ୟକ୍ତିଙ୍କ ବୟସ ୩୫। ଉଭୟ ମାସିକ ୧ ହଜାର ଟଙ୍କା ନିବେସ କରୁଛନ୍ତି। ୬୦ ବର୍ଷ ବୟସ ଟାର୍ଗେଟ୍ ହେଲେ ପ୍ରଥମ ବ୍ୟକ୍ତିଙ୍କ ପାଖରେ ଲକ୍ଷ୍ୟରେ ପହଂଚିବାକୁ ୩୫ ବର୍ଷ ସମୟ ଅଛି। ଅନ୍ୟପକ୍ଷରେ ଦ୍ୱିତୀୟ ବ୍ୟକ୍ତିଙ୍କ ପାଖରେ ଅଛି ୨୫ ବର୍ଷ। ୧୨ ପ୍ରତିଶତ ଆମୁମାନିକ ରିଟର୍ଣ୍ଣ ହେଲେ ପ୍ରଥମ ବ୍ୟକ୍ତିଙ୍କୁ ୬୦ ହେଲା ବେଳକୁ ୬୪ ଲକ୍ଷ ଟଙ୍କା ମିଳିବ। କିନ୍ତୁ ସମାନ ଟଙ୍କା ନିବେଶ କରି ଦ୍ୱିତୀୟ ବ୍ୟକ୍ତି(୩୫ ବର୍ଷ ବୟସ୍କ) ପାଇବେ ୩୫ ଲକ୍ଷ ଟଙ୍କା। ଏହା ହେଉଛି ନିବେଶର କମ୍ପାଉଣ୍ଡିଂ ଫଣ୍ଡା।

କମ୍ପାଉଣ୍ଡିଂ କେତେ ରୋଚକ ତାହା ଆଉ ଏକ ଉଦାହରଣରୁ ବୁଝନ୍ତୁ। ନିତା ଓ ସରିତା ଦୁଇ ସାଙ୍ଗ। ଦୁହିଁଙ୍କ ବୟସ ୩୦ ଥିବା ବେଳେ ଉଭୟ ନିବେଶ ଆରମ୍ଭ କରିଥିଲେ। ନିତା ମାସିକ ୨୦୦୦ ନିବେଶ କରୁଥିଲେ। ନିତା ୧୫ ବର୍ଷ ପର୍ଯ୍ୟନ୍ତ ୨ ହଜାର ଟଙ୍କା ମାସିକ ନିବେଶ କରିବା ପରେ କୌଣସି କାରଣରୁ ନିବେଶ ବନ୍ଦ କରିଦେଲେ କିନ୍ତୁ ଟଙ୍କା ଉଠାଇଲେ ନାହିଁ। ଅନ୍ୟପକ୍ଷରେ ସରିତା ମାସିକ ୧ ହଜାର ଟଙ୍କା ୩୦ ବର୍ଷ ପର୍ଯ୍ୟନ୍ତ ନିବେଶ କଲେ। ହିସାବରେ ଉଭୟ ୩୦ ହଜାର ଟଙ୍କା ନିବେଶ କରିଛନ୍ତି। କିନ୍ତୁ ନିତାଙ୍କ ପାଖରେ ୩୫ ଲକ୍ଷ ଟଙ୍କା ଜମା ଥିବା ବେଳେ ସରିତାଙ୍କୁ ମିଳିବ ୫୫ ଲକ୍ଷ। ଏହା ହିଁ ହେଉଛି କଂପାଉଣ୍ଡିଂର ଯାଦୁ।

ସାଧାରଣ ଭାଷାରେ କହିଲେ କଂପାଉଣ୍ଡିଂ ଯେକୌଣସି ସଂଚୟ ଉପରେ ବଡ ପ୍ରଭାବ ପକାଇଥାଏ। ଶୀଘ୍ର ଓ ଅଧିକ ନିବେଶ ଲମ୍ବା ଅବଧିରେ ଉତ୍ତମ ସେଭିଂ ଦେଇଥାଏ। ମଝିରେ ମଝିରେ ଆସୁଥିବା ଆର୍ଥିକ ମାନ୍ଦାବସ୍ଥା ଓ ଅର୍ଥନୈତିକ ଉତ୍ଥାନ ପତନରେ ଏହା ସୁରକ୍ଷା ପ୍ରଦାନ କରିଥାଏ। କ୍ୟାରିଅର ଆରମ୍ଭରେ ସଂଚୟର ଅଲଗା ଫାଇଦା ମଧ୍ୟ ରହିଛି।

ଉତ୍ତମ ମାନସିକ ସ୍ୱାସ୍ଥ୍ୟ : କମ ବୟସରୁ ନିବେଶ ଆରମ୍ଭ କରିବା ଦ୍ୱାରା ଆପଣ ନିଜ ପାଇଁ ଏକ ଶକ୍ତ ପ୍ଲାଟଫର୍ମ ତିଆରି କରନ୍ତି। ଏହା ଆପଣଙ୍କୁ ଆର୍ଥିକ ଚିନ୍ତାରୁ ମୁକ୍ତ ରଖିଥାଏ।ଫଳରେ ଆପଣ ମାନସିକ ଶାନ୍ତି ପାଇଥାନ୍ତି।

ବଦଖର୍ଚ୍ଚ ଅଭ୍ୟାଶ ଦୁର ହୁଏ: ସଂଚୟ ଗୋଟିଏ ଭଲ ଅଭ୍ୟାଶ ହୋଇଥାଏ। ଆପଣ ଯେତେବେଳେ ନିୟମିତ ସଂଚୟ କରନ୍ତି,ସେତେବେଳେ ଆପଣ ବଦଖର୍ଚ୍ଚରୁ ଦୁରେଇ ରୁହନ୍ତି। ଆପଣ ନିଜ ଆୟ ଭିତରେ ଖର୍ଚ୍ଚ କରିବାର କଳା ଶିଖନ୍ତି। କାରଣ ଆପଣଙ୍କୁ କିଛି ଖର୍ଚ୍ଚ କମ କରି ସଂଚୟ କରିବାକୁ ପଡିଥାଏ।

ବିଭିନ୍ନ ନିବେଶ ବିକଳ୍ପ ଚୟନର ସ୍ୱତନ୍ତ୍ରତା : ଆରମ୍ଭରୁ ହିଁ ଆପଣଙ୍କୁ ନିବେଶର ଅଧିକ ବିକଳ୍ପ ବାଛିବାର ସ୍ୱାଧିନତା ମିଳିଥାଏ। ବିଭିନ୍ନ ନିବେଶ ବିକଳ୍ପ ଭିନ୍ନ ଭିନ୍ନ ପ୍ରକାର ରିସ୍କ ଓ ରିଟର୍ଣ୍ଣ ସହ ଆସିଥାନ୍ତି। କମ ବୟସରେ ଜଣେ ଅଧିକ ରିସ୍କ ନେଇ ପାରିବେ। ନିବେଶରେ ଯଦି କିଛି କ୍ଷତି ହୁଏ ତେବେ ବୟସ କମ ହୋଇଥିଲେ ଜଣେ ଏଥିରୁ ଉବୁରିବାର ସମୟ ପାଇଥାନ୍ତି। କିନ୍ତୁ ବୟସ ଅଧିକ ହୋଇଥିଲେ ଜଣେ ନିବେକଶକଙ୍କ ପକ୍ଷରେ କ୍ଷତିରୁ ଉବୁରିବାର ସମୟ ନଥିବ।

ଲମ୍ବା ଅବଧି ନିବେଶ ଏବେ ଲୋକଙ୍କ ପସନ୍ଦର ବିକଳ୍ପ ହୋଇଗଲାଣି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ,ମେସିନ୍ ଲର୍ଣ୍ଣିଂର ଉପଯୋଗ କରି ଅନେକ ଫାଇନାନ୍ସିଆଲ ପ୍ଲାଟଫର୍ମ ନିବେଶର ପରାମର୍ଶ ଦେଇଥାନ୍ତି। ତେଣୁ ଉପଲବ୍ଧ ଟେକ୍ନୋଲଜିର ଲାଭ ଉଠାଇ କମ ବୟସରୁ ନିବେଶ କରନ୍ତୁ।