ସବୁ ପ୍ରକାର ଲୋନ୍ ହେଉଛି ଏକ ପ୍ରକାର ସେବା, ତେଣୁ ଆପଣଙ୍କୁ ଏହା ଉପରେ ମଧ୍ୟ ଜିଏସ୍‌ଟି ଦେବାକୁ ପଡ଼େ।

ପୂର୍ବରୁ ଲୋନ୍ ଉପରେ ସେବା କର ଲାଗୁ ହେଉଥିଲା। ବର୍ତ୍ତମାନ ସେବା କରର ସ୍ଥାନ ନେଇଛି ଜିଏସଟି। ଆଗରୁ ଆପଣଙ୍କୁ ସେବା କର ଭାବେ ୧୫ ପ୍ରତିଶତ ଦେବାକୁ ପଡୁଥିଲା। ଏବେ ଜିଏସଟି ଭାବେ ଦେବାକୁ ପଡୁଛି ୧୮ ପ୍ରତିଶତ।  ଅନେକ ବ୍ୟକ୍ତିଙ୍କ ଧାରଣା ଯେ, ସେବା କର ତୁଳନାରେ ଜିଏସ୍‌ଟି ଅଧିକ ୩ ପ୍ରତିଶତ ପଡୁଥିବାରୁ ସେମାନଙ୍କ କିସ୍ତି ଟଙ୍କା ବଢ଼ିଯିବ। କିନ୍ତୁ ଏହା ଭୁଲ ଧାରଣା।

ଜିଏସଟି କାରଣରୁ ଆପଣଙ୍କ କିସ୍ତି ପରିମାଣ ବଢ଼ିବ ନାହିଁ। କାରଣ ଆପଣ ଲୋନ୍ ଶୁଝିବାକୁ ଦେଉଥିବା ଟଙ୍କା କିମ୍ବା ଲୋନ୍ ବାବଦରେ ଦେଉଥିବା ସୁଧ ଉପରେ ଜିଏସଟି ଲାଗୁ ହୋଇନଥାଏ।  ବ୍ୟାଙ୍କକୁ ପ୍ରୋସେସିଂ ଫି’ ଓ ଅନ୍ୟ ବାବଦେର ଯେଉଁ ଚାର୍ଜ୍ ଆପଣ ଦେଇଥାନ୍ତି(ମୂଳଧନ ଓ ସୁଧକୁ ବାଦ ଦେଇ) ତାହାରି ଉପରେ ଜିଏସଟି ଲାଗୁ ହୋଇଥାଏ।

GST

କାହା ଉପରେ ଜିଏସଟି ଲାଗୁ ହୁଏ?

ପ୍ରୋସେସିଂ ଫି’,ଲୋନ୍ ପ୍ରିପେମଣ୍ଟ୍ ଚାର୍ଜେସ୍ ଓ ଯଦି ଅନ୍ୟ କିଛି ଚାର୍ଜ ଥାଏ। ଲୋନ୍ ପରିଶୋଧରେ ଅଧିକ ଭାଗ ମୂଳଧନ ଓ ସୁଧ ଥାଏ,ତେଣୁ ଜିଏସଟିର ପ୍ରଭାବ ନଗନ୍ୟ ଥାଏ। ହୋମ୍ ଲୋନ୍ ଓ ପର୍ସନାଲ ଲୋନ୍ ଉପରେ ଜିଏସଟିର କଣ ପ୍ରଭାବ ଥାଏ, ଆସନ୍ତୁ ତାହା ଭଲ ଭାବରେ ବୁଝିବା।

ଗୁରୁତ୍ୱପୂର୍ଣ୍ଣ ଲୋନ୍ ଓ ଜିଏସଟି ଦର:

(କ) ପର୍ସନାଲ ଲୋନ୍- ୧୮%

(ଖ) ହୋମ୍ ଲୋନ୍ – ୧୮%

(ଗ) କାର ଲୋନ୍– ୧୮%

କାର ଲୋନ୍ ଉପରେ ଜିଏସଟି

ପୂର୍ବରୁ କାର ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁଥିଲା। ତେବେ ଆର୍ଥିକ ମାନ୍ଦାବସ୍ଥା ଓ ମୋଟର ସେକ୍ଟରକୁ ପୁଣିଥରେ ଟ୍ରାକକୁ ଫେରାଇବା ପାଇଁ ଏହାକୁ ୧୮ ପ୍ରତିଶତ କରି ଦିଆଯାଇଛି।

ସୁନା ଉପରେ GST

ଜିଏସଟି ଲାଗୁ ହେବା ପରେ ସୁନା ନିର୍ମିତ ଅଳଙ୍କାର ଉପରେ ଜିଏସଟି ଦର ହେଉଛି 3 ପ୍ରତିଶତ। ତେବେ ମେକିଂ ଚାର୍ଜ୍ ଉପରେ ଜିଏସଟି 5 ପ୍ରତିଶତ ଲାଗିଥାଏ,ଯଦି କାମକୁ ବାହାର ଜଣେ ସ୍ୱର୍ଣ୍ଣକାର କରିଥାନ୍ତି। ତେବେ ଏହାକୁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଭାବେ  ଚାର୍ଜ କରାଯାଇଥାଏ ଓ ଶେଷରେ କ୍ରୟକାରୀଙ୍କୁ କେବଳ 3 ପ୍ରତିଶତ ଜିଏସଟି ଦେବାକୁ ପଡିଥାଏ।

ରିୟଲ ଇଷ୍ଟେଟ୍ ଉପରେ GST

ଯଦି ଆପଣ ଗୋଟିଏ ନିର୍ମାଣାଧିନ ଘର କିଣୁଛନ୍ତି ତେବେ ଏହା ଉପରେ ଜିଏସଟି ଲାଗୁ ହେବ। ଏଭଳି ବ୍ୟବସାୟିକ କିମ୍ବା ଆବାସିକ କ୍ରୟ ଉପରେ ୩୧ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ୧୨ ପ୍ରତିଶତ ଜିଏସଟି ଲାଗୁଥିଲା। ୧ ଏପ୍ରିଲ ୨୦୧୯ଠାରୁ ଦାମି ଆବାସିକ ରିୟଲ ଇଷ୍ଟେଟ୍ ଉପରେ ଜିଏସଟି ଦର ହେଉଛି ୫ ପ୍ରତିଶତ  ଓ ଶସ୍ତା ରିୟଲ ଇଷ୍ଟେ୍ ଉପରେ ୧ ପ୍ରତିଶତ। କିନ୍ତୁ ଯଦି ଆପଣ ଗୋଟିଏ ଏମିତି ଘର କିଣୁଛନ୍ତି ଯାହା ଆଗରୁ ତିଆରି ସରିଛି ତେବେ ତା’ଉପରେ କୌଣସି ଜିଏସଟି ଦେବାକୁ ପଡ଼ିବ ନାହିଁ।

ଏହା ସହ ଘର ତିଆରି ସାମଗ୍ରୀ ଉପରେ ମଧ୍ୟ ଜିଏସଟି ଲାଗୁ ହୋଇଥାଏ। ଏହା ୫ ପ୍ରତିଶତରୁ ଆରମ୍ଭ (ବାଲି, ମାର୍ବଲ, ଚିପ୍ସ ଆଦି) ହୋଇ ୨୮ ପ୍ରତିଶତ (ସିମେଣ୍ଟ୍ ଆଦି) ପର୍ଯ୍ୟନ୍ତ ଯାଇଥାଏ।

ଖାଦ୍ୟ ଉପରେ GST

ଖାଦ୍ୟ ସାମଗ୍ରୀ ବିଶେଷକରି ତଟକା ଖାଦ୍ୟ ଉପରେ କୌଣସି ଜିଏସଟି ଲାଗୁ ହୋଇନଥାଏ। ତେବେ ପ୍ୟାକେଜଡ୍ ଫୁଡ୍, ପ୍ରକ୍ରିୟାକୃତ ଖାଦ୍ୟ, ସେମି ପ୍ରୋସେସଡ୍ ଫୁଡ୍ ଉପରେ ଜିଏସଟି ଲାଗୁ ହୋଇଥାଏ। ଏହା ୫ ପ୍ରତିଶତରୁ ଆରମ୍ଭ ହୋଇ ୧୮ ପ୍ରତିଶତ ପର୍ଯ୍ୟନ୍ତ ଯାଇଥାଏ। ଚକଲେଟ୍ ଓ କେକ୍ ଭଳି କିଛି ଖାଦ୍ୟ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହୁଏ।