ଆସନ୍ତାକାଲିଠାରୁ ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଯାଉଛି। ମାର୍ଚ୍ଚ ୧ରୁ ସାରା ଦେଶରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ପକେଟ୍‌ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ନିୟମଗୁଡ଼ିକ ଆପଣଙ୍କ ଯାନବାହନଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ। ତେବେ ଆସନ୍ତୁ ଜାଣିବା, ଆସନ୍ତାକାଲିଠୁ ଦେଶରେ କେଉଁ ନିୟମରେ ପରିବର୍ତ୍ତନ ହେବ ଏବଂ ଏହା ଆପଣଙ୍କ ଉପରେ କି ପ୍ରଭାବ ପକାଇବ।

SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର

ଯେଉଁଏସ୍‌ବିଆଇ ଗ୍ରାହକମାନେ ସେମାନଙ୍କର KYC କରିନାହାଁନ୍ତି ସେମାନେ ମାର୍ଚ୍ଚ ୧ରୁ ଟଙ୍କା ଉଠାଇପାରିବେନି। ଏସ୍‌ବିଆଇ ଏନେଇ ଫେବ୍ରୁଆରି ୧୮ ସୁଦ୍ଧା କେୟାଇସି କରିବାକୁ ଗ୍ରାହକମାନଙ୍କୁ କହିଥିଲା। ତେବେ ଆସନ୍ତାକାଲିଠୁ କେୟାଇସି କରିନଥିବା ଗ୍ରାହକଙ୍କ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯାହାଫଳରେ ସେମାନେ କୌଣସି କାରବାର କରିପାରିବେ ନାହିଁ।

ଫାଷ୍ଟ ଟାଗ୍ ନିୟମରେ ପରିବର୍ତ୍ତନ

ମାଗଣା ଫାଷ୍ଟ ଟାଗ୍ ସୁବିଧା ଫେବ୍ରୁଆରି ୨୯ରେ ଶେଷ ହୋଇଯାଇଛି। ମାର୍ଚ୍ଚ ୧ରୁ ଅର୍ଥାତ୍‌ ଆସନ୍ତାକାଲିଠୁ ଆପଣଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ। କେନ୍ଦ୍ର ସରକାର ଫେବ୍ରୁଆରି ୧୫ରୁ ୨୯ ପର୍ଯ୍ୟନ୍ତ ଫାଷ୍ଟ ଟାଗ୍ ମାଗଣାରେ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲେ। ଆସନ୍ତାକାଲିଠୁ ଏବାବଦରେ ୧୦୦ଟଙ୍କା ଦେବାକୁ ପଡ଼ିବ।

money

ଏଟିଏମ୍‌ରୁ ବାହାରିବନି ୨ ହଜାର ନୋଟ୍!

ମାର୍ଚ୍ଚ ୧ରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍ରୁ ୨ ହଜାର ଟଙ୍କା ନୋଟ୍ ବାହାରିବ ନାହିଁ। ଏନେଇ ନିକଟରେ ବ୍ୟାଙ୍କ ପକ୍ଷରୁ  ଘୋଷଣା କରାଯାଇଥିଲା। ଯଦି କାହାକୁ ୨ ହଜାର ଟଙ୍କା ନୋଟ୍ ଦରକାର ହୁଏ, ସେମାନେ ବ୍ୟାଙ୍କ ଶାଖାକୁ ଯାଇ ପାଇପାରିବେ।

HDFC ଗ୍ରାହକଙ୍କ ପାଇଁ ସୂଚନା

ପୁରୁଣା HDFC ଆପ୍ ମାର୍ଚ୍ଚ ୧ରୁ ଆଉ କାମ କରିବ ନାହିଁ। କିଛି ମାସ ଧରି ବ୍ୟାଙ୍କର ଉଭୟ ନୂଆ ଏବଂ ପୁରୁଣା ଆପ୍ ପ୍ଲେ-ଷ୍ଟୋରରେ ଥିଲା।| ଯଦି ଆପଣଙ୍କର ସ୍ମାର୍ଟଫୋନରେ ପୁରୁଣା ଆପ୍ ରହିଛି, ତେବେ ଏହାକୁ ତୁରନ୍ତ ଅନ୍‌ ଇନ୍‌ଷ୍ଟାଲ କରି ନୂଆ ଆପ୍ ଡାଉନଲୋଡ୍ କରନ୍ତୁ।