ଆଧାରକାର୍ଡ ଭଳି ପାନ୍କାର୍ଡ ବି ଏବେ ଗୋଟିଏ ଜରୁରୀ ପ୍ରମାଣପତ୍ର। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ବିଦେଶ ଯାତ୍ରା ଯାଏଁ, ଅନେକ ଜରୁରୀ କାମରେ ପାନ୍କାର୍ଡର ଆବଶ୍ୟକତା ରହୁଛି।
ଆସନ୍ତୁ, ଜାଣିବା କେଉଁ କେଉଁ ଜରୁରୀ କାମ ପାଇଁ ପାନ୍କାର୍ଡର ଆବଶ୍ୟକତା ରହିଛି।
ବ୍ୟାଙ୍କରେ ନୂଆ ଆକାଉଣ୍ଟ୍ ଖୋଲିବା ଏବଂ ‘ଫିକ୍ସ୍ ଡିପୋଜିଟ୍’ କରିବା ପାଇଁ ପାନ୍କାର୍ଡ ନିହାତି ଜରୁରୀ। ଯେକୌଣସି ବ୍ୟାଙ୍କରେ ୫୦ ହଜାର କିମ୍ବା ତା’ଠାରୁ ଅଧିକ ଟଙ୍କା ଜମା କରିବା ପାଇଁ ପାନ୍କାର୍ଡର ଆବଶ୍ୟକତା ରହିଛି। ପାନ୍କାର୍ଡ ନ ଥିଲେ ଡେବିଟ୍ ତଥା କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିପାରିବେ ନାହିଁ।
୫୦ ହଜାର କିମ୍ବା ତା’ଠାରୁ ଅଧିକ ଟଙ୍କାର ମ୍ୟୁଚୁଆଲ୍ ଫଣ୍ଡ ବା ବଣ୍ଡ୍ କିଣିବା ପାଇଁ ପାନ୍କାର୍ଡର ଆବଶ୍ୟକତା ପଡ଼ିଥାଏ। ଏହାଛଡ଼ା ସେୟାର୍ ବଜାରରୁ ସେୟାର୍ କିଣାବିକା କରିବା ପାଇଁ ବ୍ୟାଙ୍କରେ “ଡିମେଟ୍ ଆକାଉଣ୍ଟ୍” ଖୋଲାଯାଏ। ଏହି ଡିମେଟ୍ ଖାତା ଖୋଲିବା ପାଇଁ ପାନ୍କାର୍ଡ ନମ୍ବର ମାଗନ୍ତି।
- ନୂଆ ଗାଡ଼ି କିଣିବା ଓ ପୁରୁଣା ଗାଡ଼ି ବିକ୍ରି କରିବା ପାଇଁ ପାନ୍କାର୍ଡ ନମ୍ବରର ଆବଶ୍ୟକତା ରହିଛି।
- ପାନ୍କାର୍ଡ ନ ଥିଲେ କୌଣସି ନୂଆ ସଂପତ୍ତି କିଣାବିକା କରିବା ସମ୍ଭବ ନୁହେଁ।
- ବିଦେଶ ଯାତ୍ରା ପାଇଁ ଟିକେଟ୍ ବୁକିଂ ପ୍ରକ୍ରିୟାରେ ପାନ୍କାର୍ଡ ନିହାତି ଜରୁରୀ।
- ପାନ୍କାର୍ଡ ବିନା ସେୟାର୍ ମାର୍କେଟ୍ରେ ଟଙ୍କା ଲଗାଇ ପାରିବେ ନାହିଁ।
- ହୋଟେଲ୍ କିମ୍ବା ରେସ୍ତୋରାଁରେ ୫୦ ହଜାରରୁ ଅଧିକ ଟଙ୍କା ବିଲ୍ ପୈଠ କରିବା ପାଇଁ ପାଖରେ ପାନ୍କାର୍ଡ ରଖନ୍ତୁ।