ସମ୍ପର୍କୀୟଙ୍କଠାରୁ ଋଣ ନେବାର ଫାଇଦା ଅଛି କିନ୍ତୁ ମିଳେନା ଟ୍ୟାକ୍ସ ରିହାତି

ଅଭାବ ଅସୁବିଧା ସମୟରେ ପରିବାର ଓ ସମ୍ପର୍କୀୟ କାମରେ ଆସିଥାନ୍ତି। ବେଳେ ବେଳେ ଆମେ ନିଜ ସଂପର୍କୀୟଙ୍କଠାରୁ ଧାର ଉଧାର ନେଇଥାଉ। ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନିଙ୍କଠାରୁ ଧାର ନେବା ତୁଳନାରେ ଏହା ଶସ୍ତା ପଡ଼ିଥାଏ। କିନ୍ତୁ ଯେମିତି କୁହନ୍ତି, ଅର୍ଥ ଅନର୍ଥର କାରଣ, ଅର୍ଥ ପାଇଁ ସମ୍ପର୍କ ମଧ୍ୟ ଭାଙ୍ଗିଯିବାର ଆପଣଙ୍କ ଆଖପାଖରେ ଅନେକ ଉଦାହରଣ ଆପଣ ଥିବ।

ଏମତିରେ ଆର୍ଥିକ ସ୍ଥିତି ଖରାପ ସମୟରେ ବନ୍ଧୁବାନ୍ଧବଙ୍କଠାରୁ ଧାର ନେବା କଣ ଠିକ୍? ନା ଲୋନ୍ ପାଇଁ କେବଳ ବ୍ୟାଙ୍କ ପାଖକୁ ଯିବା ଠିକ୍? ଏନେଇ କୌଣସି ନିଷ୍ପତି ନେବା ପୂର୍ବରୁ ଆସନ୍ତୁ ସମ୍ପର୍କୀୟଙ୍କଠାରୁ ଧାର ନେବାର ଭଲ ଓ ଖରାପ ଦିଗ ଉପରେ ଆଲୋଚନା କରିବା।

ବିଲକୁଲ ସୁଧ ପଡେନି କିମ୍ବା କମ ସୁଧ

ଯଦି ଆପଣଙ୍କର ସମ୍ପର୍କୀୟଙ୍କ ସହ ଭଲ ସମ୍ପର୍କ ଅଛି ଓ ଆପଣ ଆଗରୁ କେବେ ମଧ୍ୟ ତାଙ୍କଠାରୁ ଲୋନ୍ ନେଇ ନାହାନ୍ତି ତେବେ ସମ୍ଭାବନା ଅଧିକ ଯେ, ସେ ଆପଣଙ୍କୁ ଶୂନ୍ୟ ସୁଧରେ କିମ୍ବା ଖୁବ କମ ସୁଧରେ ଧାର ଦେବେ।

ପର୍ସନାଲ ଲୋନ୍ ଉପରେ ୧୪ରୁ ୨୪ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପଡ଼ିଥାଏ। ଏମିତିରେ କମ ସୁଧ କିମ୍ବା ବିନା ସୁଧରେ ଯଦି ଆପଣ କିଛି ଟଙ୍କା ପାଉଛନ୍ତି ତେବେ ବହୁତ ଭଲ।  ଯଦି ଆପଣ ଅଧିକ ସୁଧ ଦେବା ସ୍ଥିତିରେ ନାହାନ୍ତି ତେବେ ସଂପର୍କୀୟଙ୍କଠାରୁ ଲୋନ୍ ନେବା ଠିକ୍ ହେବ।

କରଜ ଶୁଝିବାର କୌଣସି ସମୟ ସୀମା ପ୍ରାୟତଃ ନଥାଏ

ସମ୍ପର୍କୀୟଙ୍କଠାରୁ ଲୋନ୍ ନେବାର ସବୁଠାରୁ ବଡ଼ ଲାଭ ହେଉଛି ଏଭଳି ଲୋନ୍ ଶୁଝିବାର ପ୍ରାୟତଃ ସମୟସୀମା ନଥାଏ। ଆପଣଙ୍କୁ ଲୋନ୍ ଦେଉଥିବା ବ୍ୟକ୍ତି ଜାଣିଥାନ୍ତି ଯେ, ଆର୍ଥିକ ସ୍ଥିତି ସୁଧୁରିବା ପରେ ଆପଣ ଲୋନ୍ ଶୁଝି ଦେବେ। ଏଥିରେ ଇଏମ୍‌ଆଇ, ସମୟସୀମା କିମ୍ବା ଜରିମାନାର ଡର ନଥାଏ।

ଲୋନ ଶୁଝିବାରେ ବିଳମ୍ବ ହେଲେ ଫାଇନ୍ ମଧ୍ୟ ଦେବାକୁ ପଡ଼ି ନଥାଏ କିମ୍ବା ଆପଣଙ୍କ ସିବିଲ ସ୍କୋର ଖରାପ ହୋଇନଥାଏ। ତେଣୁ ଭବିଷ୍ୟତରେ ବ୍ୟାଙ୍କ ଲୋନ୍ ମିଳିବାରେ ଅସୁବିଧା ହୋଇନଥାଏ।

ଔପଚାରିକତା ନଥାଏ

ସମ୍ପର୍କୀୟଙ୍କଠାରୁ ଲୋନ୍ ନେବାର କୌଣସି ଔପଚାରିକ ପ୍ରକ୍ରିୟା ନଥାଏ। ବ୍ୟାଙ୍କରୁ ଲୋନ୍ ପାଇଁ ଆପଣଙ୍କୁ ଦସ୍ତାବିଜ, ଦରଖାସ୍ତ କିମ୍ବା ସ୍ତାବର ସମ୍ପତି ବନ୍ଧକ ରଖିବାକୁ ପଡ଼େ। କିନ୍ତୁ ଘର ଭିତରୁ ଲୋନ୍ ପାଇଁ ଆପଣଙ୍କୁ ସେମିତି କିଛି କରିବାକୁ ପଡ଼େ ନାହିଁ। ଲୋନକୁ ସମୟ ପୂର୍ବରୁ ଶୁଝିଲେ ମଧ୍ୟ ଆପଣଙ୍କୁ ଫାଇନ୍ ଦେବାକୁ ପଡ଼େ ନାହିଁ।

ଟ୍ୟାକ୍ସ ବେନିଫିଟ୍ ମିଳିନଥାଏ

ଯଦି ଆପଣ ଘର କିଣିବାକୁ କୌଣସି ସମ୍ପର୍କୀୟଙ୍କଠାରୁ ଲୋନ୍ ନେଇଥାନ୍ତି ତେବେ ଆପଣଙ୍କୁ କିଛି ମଧ୍ୟ ଟ୍ୟାକ୍ସ ବେନିଫିଟ୍ ମିଳିନଥାଏ।. ହୋମଲୋନ୍ ଉପରେ ଆପଣଙ୍କୁ ସେକ୍ସନ ୮୦-ସି ଅନ୍ତର୍ଗତରେ ମୂଳଧନ ଉପରେ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ମିଳିଥାଏ। ଏହାସହ ସେକ୍ସନ ୨୪ ଅନ୍ତର୍ଗତରେ ସୁଧରେ ୨ ଲକ୍ଷ ପର୍ଯ୍ୟନ୍ତ ଛାଡ଼ ମିଳିଥାଏ।

ସେହିଭଳି ପ୍ରଥମ ଘର କିଣିବା ଉପରେ ସେକ୍ସନ ୮୦-ଇଇ ଅନ୍ତର୍ଗତରେ ସୁଧ ଉପରେ ୫୦ ହଜାର ଟଙ୍କାର ଅତିରିକ୍ତ ଛାଡ଼ ପାଇଥାନ୍ତି (ତେବେ ସର୍ତ୍ତ ହେଲା ଯଦି ଆପଣ ନୂଆ ବଜେଟ୍ ଅନୁସାରେ ପୁରୁଣା ଟ୍ୟାକ୍ସ ସ୍ଲାବକୁ ଚୟନ କରୁଛନ୍ତି) କିନ୍ତୁ ସମ୍ପର୍କୀୟଙ୍କଠାରୁ ଲୋନ୍ ଆଣି ଘର କିଣିଥିଲେ ଆପଣଙ୍କୁ ଏଭଳି କୌଣସି ଟ୍ୟାକ୍ସ ଛାଡର ଲାଭ ମିଳିନଥାଏ।

ସମ୍ପର୍କରେ ଭଟ୍ଟା

ତେବେ ସମ୍ପର୍କୀୟଙ୍କଠାରୁ ମିଳୁଥିବା ଲୋନକୁ ନେଇ ପରେ ସମ୍ପର୍କ ମଧ୍ୟ ଖରାପ ହେବାର ଆଶଙ୍କା ଥାଏ। ବ୍ୟାଙ୍କ ଲୋନକୁ ଆପଣ ଯେମିତି ପ୍ରାଥମିକତା ଦିଅନ୍ତି ହୁଏତ ସମ୍ପର୍କୀୟଙ୍କଠାରୁ ଆଣିଥିବା ଟଙ୍କା ଶୁଝିବାକୁ ସେମିତି ଗୁରୁତ୍ୱ ଦେବେନାହିଁ। ଏଭଳି ହେଲେ ଟଙ୍କା ଶୁଝିବାରେ ବିଳମ୍ବ ହେବ। ଯାହାଫଳରେ ସମ୍ପର୍କ ଖରାପ ହେବାର ଆଶଙ୍କା ଥାଏ।

କରିବା ଉଚିତ?

ସମ୍ପର୍କ ନଭାଙ୍ଗିବା ପାଇଁ ଯଦି ଲୋନ୍ ନେଇଛନ୍ତି ତେବେ ଶୁଝନ୍ତୁ। ବଡ଼ ଧରଣର ଲୋନ୍ ନିଅନ୍ତୁ ନାହିଁ, ଯାହା ଆପଣଙ୍କ ଶୁଝିବା କ୍ଷମତା ବାହାରେ।

ସେତିକି ଧାର ନିଅନ୍ତୁ ଯେତିକି ଶୁଝି ପାରିବେ

ଲିଖିତ ଭାବେ କରଜ ନିଅନ୍ତୁ। ଏମିତିରେ ଲୋନ୍ ଶୁଝିବା ପାଇଁ ଆପଣଙ୍କ ଗମ୍ଭିରତା ବଢ଼ିବ ଓ କରଜ ଦେଉଥିବା ବ୍ୟକ୍ତିଙ୍କ ବିଶ୍ୱାସ ଦୃଢ଼ ହେବ।