ଆର୍ଥିକ ବୋଝ ନଥିବା ସମୟ ହିଁ ନିବେଶର ସୁବର୍ଣ୍ଣ କାଳ।

ଆପଣଙ୍କ ବୟସ ୪୫। ଏବେ ଆପଣଙ୍କୁ ଭବିଷ୍ୟତ ଚିନ୍ତା ଘାରିବାରେ ଲାଗିଲାଣି। ଅବସର ପରେ ଚଳିବା ପାଇଁ ଆପଣ ୧ କୋଟିର ନିବେଶ ଚାହୁଁଛନ୍ତି। କାରଣ ଆପଣ ଭାବୁଛନ୍ତି ଏତିକି ଜମାରାଶି ଜୀବନଶୈଳି ବଜାୟ ରଖିବାକୁ ଯଥେଷ୍ଟ। କିଛି ସଞ୍ଚୟ କରି ଆପଣ ସେହି ଲକ୍ଷ୍ୟ ଛୁଇଁବାକୁ ଚାହୁଁଛନ୍ତି। ଏଥିପାଇଁ ଆପଣ ଜଣେ ଫାଇନାନ୍ସିଆଲ ପ୍ଲାନରଙ୍କ ପାଖକୁ ପରାମର୍ଶ ପାଇଁ ଯାଇଛନ୍ତି।

ଆର୍ଥିକ ପରାମର୍ଶଦାତ୍ତାଙ୍କ ପରାମର୍ଶ କିନ୍ତୁ ଆପଣଙ୍କୁ ଝଟକା ଭଳି ଲାଗିବ। କାରଣ ଏକ କୋଟିର ଫଣ୍ଡ୍ ପାଇଁ ସେ ଆପଣଙ୍କୁ ନିଜ ଆୟର ୮୦ ପ୍ରତିଶତ ସଞ୍ଚୟ କରିବାକୁ ପରାମର୍ଶ ଦେବେ। ଆପଣ ଏବେ ଚିନ୍ତା କରିବେ ଯେ, ଯଦି ମୁଁ ଆୟର ୮୦ ପ୍ରତିଶତ ସଞ୍ଚୟ କରିବି ତେବେ ବାକି ବଜେଟ୍ କେମିତି ଚାଲିବ? ଏଠି ପ୍ରଶ୍ନ ଉଠିବ ଏମିତି କାହିଁକି ହେଲା? ଏହାର ଉତ୍ତର ହେଉଛି ଆପଣଙ୍କ ସଞ୍ଚୟ ନକରିବାର ଅଭ୍ୟାସ।

ସବୁଠୁ ବଡ଼ କଥା ହେଲା ଯୁବାବସ୍ଥା, ଯାହାକୁ ସଞ୍ଚୟର ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ। ସେହି ସମୟରେ ଆପଣ କେବଳ ଖର୍ଚ୍ଚ କରୁଥିଲେ। ସଞ୍ଚୟ ଆପଣଙ୍କ ପ୍ରାଥମିକତା ନଥିଲା। ଯାହାର ପରିଣାମ ହେଉଛି, ଏକ କୋଟିର ଫଣ୍ଡ୍ ପାଇଁ ଏବେ ଆପଣଙ୍କୁ ନିଜ ଆୟର ୮୦ ପ୍ରତିଶତ ସଞ୍ଚୟ କରିବାକୁ ପଡ଼ିବ।

ଯୁବାବସ୍ଥାରେ ସଞ୍ଚୟ

ଏହାକୁ ଏମିତି ବୁଝନ୍ତୁ, ୨୫ ବର୍ଷ ବୟସରେ ଯଦି ଆପଣ ଏକ କୋଟି ଫଣ୍ଡ୍ କଥା ଭାବିଥାନ୍ତେ, ତେବେ ଆପଣଙ୍କୁ ସେତେବେଳେ ମାସିକ ୨ ହଜାର ଟଙ୍କାର ନିବେଶ କରିବାକୁ ପଡ଼ିଥାନ୍ତା। ଏହି ନିବେଶ ଉପରେ ୧୨ ପ୍ରତିଶତ ସମ୍ଭାବ୍ୟ ରିଟର୍ଣ୍ଣ ଆପଣଙ୍କୁ ଏକ କୋଟିର ଫଣ୍ଡ୍ ତିଆରି କରିବାରେ ସାହାଯ୍ୟ କରିଥାନ୍ତା।

କିନ୍ତୁ ୪୫ ବର୍ଷ ବୟସରେ ଏବେ ଆପଣଙ୍କୁ ଏକ କୋଟି ଫଣ୍ଡ ତିଆରି କରିବାକୁ ୧୫ ବର୍ଷ ପର୍ଯ୍ୟନ୍ତ ମାସିକ ୨୧ ହଜାର ଟଙ୍କା ନିବେଶ କରିବାକୁ ପଡ଼ିବ। ଏହାର ଅର୍ଥ ହେଲା ଆପଣ ଯଦି ୨୫ ବର୍ଷ ବୟସରେ ଏକ କୋଟି ଫଣ୍ଡ୍ ପାଇଁ ନିବେଶ ଆରମ୍ଭ କରିଥାନ୍ତେ ତେବେ ଆପଣଙ୍କୁ ମାସିକ ମାତ୍ର ୨ ହଜାର ଟଙ୍କା ଦେବାକୁ ପଡିଥାନ୍ତା।

ଆମ ଭିତରୁ ଅଧିକାଂଶ ଯୁବାବସ୍ଥାରେ କରିଥିବା ଏଭଳି ଆର୍ଥିକ ଭୁଲ ପାଇଁ ଭବିଷ୍ୟତରେ ପସ୍ତାଇଥାନ୍ତି। ତେବେ ଆପଣଙ୍କ ବୟସ ଯଦି ୩୦ ଭିତରେ, ତେବେ କେବେ ମଧ୍ୟ ଏଭଳି ଆର୍ଥିକ ଭୁଲ କରନ୍ତୁ ନାହିଁ। ବିଶେଷକରି ଏହି ୧୧ ଆର୍ଥିକ ଭୁଲ ଯାହା ପ୍ରାୟତଃ ଅଧିକାଂଶ ଭୁଲରେ କରିଥାନ୍ତି..

୧. SIP ଆରମ୍ଭ ନକରିବା

ଯୁବାବସ୍ଥାରେ ଏସ୍‌ଆଇପି (ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ) ଜରିଆରେ ନିବେଶ ଏକ ଭଲ ଅଭ୍ୟାସ। ଏଥିରେ ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ରାଶି ନିବେଶ କରାଯାଇଥାଏ। ଏକକାଳୀନ ନିବେଶ କରା ଯାଉନଥିବାରୁ ଆପଣଙ୍କୁ ଅଧିକ ଟଙ୍କା ଆବଶ୍ୟକ ହୋଇନଥାଏ। ତେବେ ଏସ୍‌ଆପିକୁ ସବୁବେଳେ ଜାରି ରଖିବା ଆବଶ୍ୟକ। ଏସ୍‌ଆଇପି ନିରନ୍ତର ଭାବେ ଜାରି ରହିଲେ ଆପଣ ବଡ ରାଶି ଏକାଠି କରିପାରିବେ। ସିପ୍ ନିବେଶ ବେଳେ ୫୦ ପ୍ରତିଶତ ଲାର୍ଜ-ମିଡ୍ କ୍ୟାପ୍, ୨୦ରୁ ୩୦ ପ୍ରତିଶତ ସ୍ମଲ କ୍ୟାପ୍‌ରେ ଓ ବାକି ଡେବ୍ଟ ଫଣ୍ଡ୍‌ରେ ନିବେଶ କରନ୍ତୁ।

୨. PPF ଖାତା ନଖୋଲିବା

ପିପିଏଫ୍ ହେଉଛି ସବୁଠାରୁ ଭଲ ରିଟାୟରମେଣ୍ଟ୍ ଫଣ୍ଡ୍। ଏହା ତିନି ପ୍ରକାରର ଟ୍ୟାକ୍ସ ବେନିଫିଟ୍ ଦେଇଥାଏ। ପ୍ରଥମେ ଆୟକର ଧାରା ୮୦-ସି’ ଅନ୍ତର୍ଗତରେ ଆପଣ ଟ୍ୟାକ୍ସ ଡିଡକ୍ସନ ଦାବି କରିପାରିବେ। ଦ୍ୱିତୀୟରେ ଏଥିରୁ ମିଳୁଥିବା ସୁଧ ଆୟକର ମୁକ୍ତ ହୋଇଥାଏ। ତୃତୀୟରେ, ଜମା ଅବଧି ସରିବା ପରେ ଏକକାଳୀନ ମିଳିବାକୁ ଥିବା ରାଶି ମଧ୍ୟ କରମୁକ୍ତ ହୋଇଥାଏ। ପିପିଏଫ୍ ଆକାଉଣ୍ଟ୍ ନଖୋଲିବା ଆପଣଙ୍କର ଆଉ ଗୋଟିଏ ଆର୍ଥିକ ଭୁଲ ହୋଇପାରେ।

୩. ଟର୍ମ ଇନସୁରାନ୍ସ କ୍ରୟ ନକରିବା

ଯଦି ଆପଣଙ୍କ ପରିବାର ଆପଣଙ୍କ ଉପରେ ନିର୍ଭରଶୀଳ, ତେବେ ଆପଣଙ୍କ ପକ୍ଷରେ ଗୋଟିଏ ଟର୍ମ ବୀମା କିଣିବା ନିହାତି ଜରୁରୀ। ଯଦି ଆପଣଙ୍କ ବୟସ ୨୫ ବର୍ଷ  ଓ ତେବେ ଆପଣଙ୍କୁ ୧ କୋଟିର ଟର୍ମ କଭର ବାର୍ଷିକ ୮ରୁ ୧୦ ହଜାର ଟଙ୍କା ବଦଳରେ ମିଳିଯିବ। କିନ୍ତୁ ଅଧିକ ବୟସରେ ଟର୍ମ ପ୍ଲାନ୍ ନେଲେ ଆପଣଙ୍କୁ ଅଧିକ ପ୍ରିମିୟମ ଦେବାକୁ ପଡ଼ିଥାଏ। ୧ କୋଟିର ଟର୍ମ ପ୍ଲାନ୍ ପାଇଁ ଯଦି ଜଣେ ୨୫ ବର୍ଷ ବୟସ୍କଙ୍କୁ ୮ରୁ ୧୦ ହଜାର ଟଙ୍କା ଦେବାକୁ ପଡୁଛି, ତେବେ ୪୫ ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ଏହାର ଦୁଇ ଗୁଣରୁ ଅଧିକ ଟଙ୍କା ପ୍ରିମିୟମ ଭାବେ ଦେବାକୁ ପଡ଼ିବ। ତେଣୁ ଟର୍ମ ପ୍ଲାନ୍ ସବୁବେଳେ କମ ବୟସରେ ନେବା କଥା।

୪. ସ୍ୱାସ୍ଥ୍ୟବୀମାକୁ ଗୁରୁତ୍ୱ ନଦେବା

ହସ୍ପିଟାଲ ଖର୍ଚ୍ଚ ଆପଣଙ୍କ ସଞ୍ଚୟକୁ ସମାପ୍ତ କରିପାରେ। ସାଧାରଣ ମୁଦ୍ରାସ୍ଫୀତି ତୁଳନାରେ ମେଡିକାଲ ମୁଦ୍ରାସ୍ଫୀତି ୧୫ ପ୍ରତିଶତ ଅଧିକ ହାରରେ ବଢୁଛି। ଅର୍ଥାତ ଆପଣଙ୍କୁ ଭବିଷ୍ୟତରେ ସ୍ୱାସ୍ଥ୍ୟ ସେବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।

ଆପଣ ଯଦି କମ ବୟସରେ ସ୍ୱାସ୍ଥ୍ୟବୀମା ନେଇ ନାହାନ୍ତି ତେବେ ଭବିଷ୍ୟତରେ ଏଥିପାଇଁ ଅଧିକ ଅର୍ଥସ୍ୱାହା କରିବାକୁ ପଡ଼ିବ। କାରଣ କମ ବୟସରେ ସ୍ୱାସ୍ଥ୍ୟବୀମା କମ ପ୍ରିମିୟମରେ ମିଳିଥାଏ। ଏହାସହ ଆପଣ ଯେତେବେଳେ କୌଣସି କ୍ଲେମ୍ କରିନଥାନ୍ତି ସେତେବେଳେ କଂପାନି ଆପଣଙ୍କୁ ନୋ-କ୍ଲେମ୍ ବୋନସ ମଧ୍ୟ ଦେଇଥାଏ। ୪୦ ପରେ ସ୍ୱାସ୍ଥ୍ୟବୀମା କରାଇବା ପାଇଁ ଆପଣଙ୍କୁ ଅଧିକ ପ୍ରିମିୟମ ଦେବାକୁ ପଡ଼ିଥାଏ।

୫. ଚକ୍ରବୃଦ୍ଧିର ଶକ୍ତିକୁ ବୁଝିବାରେ ଅକ୍ଷମତା

ଆମେ ନିବେଶକୁ ଗଡ଼ାଇ ଚାଲିଥାଉ। ନିବେଶ ନକରିବାର ଅନେକ ବାହନା ଖୋଜୁ। ଏ ମାସରେ ନୁହେଁ ଆର ମାସରୁ ନିୟମିତ ସଞ୍ଚୟ କରିବି, ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବି। ନିଜକୁ ଏଭଳି ସାନ୍ତ୍ୱନା ଦେଇ ଆମେ ନିବେଶକୁ ବିଳମ୍ବ କରୁ। କିନ୍ତୁ ବିଶେଷଜ୍ଞଙ୍କ କହିବା ହେଉଛି, ଏହା ଯୁବାବସ୍ଥାରେ କରାଯାଇଥିବା ସବୁଠୁ ବଡ଼ ଆର୍ଥିକ ଭୁଲ।

ନିବେଶ ଚକ୍ରବୃଦ୍ଧି ହାରରେ ବଢିଥାଏ। ଉଦାହରଣ ସ୍ୱରୁପ ଆପଣ ଯଦି ୧୫ ବର୍ଷ ପାଇଁ ମାସିକ ୫ ହଜାର ଟଙ୍କା ନିବେଶ କରନ୍ତି ତେବେ ଆପଣଙ୍କ ସଞ୍ଚୟ ହେବ ୯ ଲକ୍ଷ ଟଙ୍କା। ଏହି ୯ ଲକ୍ଷ ଟଙ୍କା ଉପରେ ଯଦି ଆପଣ ୧୦ ପ୍ରତିଶତ ରିଟର୍ଣ୍ଣ ବି ପାଆନ୍ତି ତେବେ ଆପଣଙ୍କ ମୋଟ ଆୟ ହେବ ୨୦ ଲକ୍ଷ ଟଙ୍କା। ଏହା ହେଉଛି ଚକ୍ରବୃଦ୍ଧିର ଶକ୍ତି।

investment

୬. ଭୁଲ ନିବେଶ

ଆମେ ଏଜେଣ୍ଟମାନଙ୍କୁ ପ୍ରଶ୍ନ କରି ନଥାଉ, ଯାହା ଭବିଷ୍ୟତରେ ଆମକୁ ଆର୍ଥିକ କ୍ଷତି ଦେଇଥାଏ। ଯୁବାବସ୍ଥାରେ ନିବେଶ କରୁଥିଲେ ପ୍ରଶ୍ନ କରନ୍ତୁ। ଆପଣ ଯେଉଁ କମ୍ପାନିଠାରୁ ପ୍ଲାନ୍ ନେଉଛନ୍ତି ତାର ଫଣ୍ଡ୍ ମ୍ୟାନେଜମେଣ୍ଟ୍ କଷ୍ଟ୍ ଓ ଏଜେଣ୍ଟ କମିଶନ କେତେ ପଚାରନ୍ତୁ। କାରଣ ଆପଣଙ୍କ ଟଙ୍କାରେ ହିଁ କମ୍ପାନି ଏହି ସବୁ ଖର୍ଚ୍ଚ କରିବା ପରେ ନିଜ ଲାଭ ଉଠାଇ ଥାଏ। ଧରି ନିଅନ୍ତୁ ଆପଣ ୩୦ ବର୍ଷ ବୟସରେ ୩୦ ବର୍ଷ ପାଇଁ ୧୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ଯଦି କଂପାନି ଆପଣଙ୍କଠାରୁ ଅଧିକ ୧ ପ୍ରତିଶତ କଷ୍ଟ୍‌ ନେଇଥାଏ, ତେବେ ଆପଣ ୩୦ ବର୍ଷ ଭିତରେ ୩.୫ ଲକ୍ଷ ଟଙ୍କା ହରାଇବେ। ତେଣୁ ପ୍ରଶ୍ନ କରନ୍ତୁ ଓ ଭୁଲ ନିବେଶରୁ ବଞ୍ଚନ୍ତୁ।

୭. ନିବେଶ ବଦଳରେ ସଞ୍ଚୟ

ଅନେକ ଯୁବାବସ୍ଥାରୁ ସଞ୍ଚୟ କରନ୍ତି। ସେମାନେ ସଞ୍ଚୟକୁ ନିବେଶ ବୋଲି ଭାବି ନିଅନ୍ତି। ସଞ୍ଚୟ ଖାତା ଉପରେ ମିଳୁଥିବା ନାମମାତ୍ର ରିଟର୍ଣ୍ଣ (୪ ପ୍ରତିଶତ) ଭବିଷ୍ୟତର ଆବଶ୍ୟକତା ପୂରଣ କରିବ ବୋଲି ସେମାନେ ଆଶା କରନ୍ତି। କିନ୍ତୁ ଏହା ଆପଣଙ୍କର ସବୁଠୁ ବଡ଼ ଭୁଲ। କାରଣ ୪ ପ୍ରତିଶତ ରିଟର୍ଣ୍ଣ ବର୍ତ୍ତମାନର ମୁଦ୍ରାସ୍ଫିତି ହାରକୁ ଲମ୍ବା ଅବିଧିରେ ମାତ୍ ଦେଇ ପାରିବ ନାହିଁ। ତେଣୁ ସଂଚୟ କରିବା ସହ କିଛି ନିବେଶ କରନ୍ତୁ।

ଥରେ ନିବେଶ କରିବା ପାଇଁ ନିଷ୍ପତି ନେବା ପରେ କେଉଁଥିରେ ନିବେଶ କରିବେ ତାହା ବାଛନ୍ତୁ। ଇକ୍ୱଟି ବା ସେୟାର ମାର୍କେଟରେ ନିବେଶ କରିବାର ସାହାସ କରନ୍ତୁ। କାରଣ ରିସର୍ଚ୍ଚ କହୁଛି ଲମ୍ବା ଅବଧିରେ ଇକ୍ୱିଟି ନିବେଶ ରିୟଲ ଇଷ୍ଟେଟଠାରୁ ଅଧିକ ଲାଭ ଦେଇଥାଏ।

ଆପଣ ଯଦି ନିଜ ପ୍ରାପ୍ତ ବୟସରେ ଅଛନ୍ତି ତେବେ ଇକ୍ୱିଟିରେ ନିବେଶ କରିବାର ରିସ୍କ ନିଅନ୍ତୁ। କାରଣ ୪୦ ବର୍ଷ ଅତିକ୍ରମ କରିବା ପରେ ଆପଣଙ୍କ ରିସ୍କ ନେବା କ୍ଷମତା ହ୍ରାସ ପାଇବ। ଇକ୍ୱିଟି ଲମ୍ବା ଅବଧିରେ ୧୨ରୁ ୧୮ ପ୍ରତିଶତ ରିଟର୍ଣ୍ଣ ଦେଇଥାଏ। ଯାହା ଆପଣଙ୍କ ସଂଚୟ ରିଟର୍ଣ୍ଣଠାରୁ ଅଧିକ।

୮. EPFରୁ ଉଠାଣ

ଚାକିରି ପରିବର୍ତ୍ତନ ସହ ଆମ ମଧ୍ୟରୁ ଅଧିକାଂଶ ଇପିଏଫ୍ ଟଙ୍କା ଉଠାଇ ନେଇଥାନ୍ତି। କିନ୍ତୁ ଏଭଳି କରିବା ଗୋଟିଏ ମସ୍ତବଡ଼ ଭୁଲ। ଇପିଏଫରୁ ଏମିତି ଟଙ୍କା ଉଠାଇ ଚାଲିଲେ ଆପଣ ବଡ ଫଣ୍ଡ୍ ତିଆରି କରି ପାରିବେ ନାହିଁ। ଆଗରୁ ଗୋଟିଏ ଇପିଏଫ୍ ଆକାଉଣ୍ଟରୁ ଆଉ ଗୋଟିଏ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର କରିବା ସମୟ ସାପେକ୍ଷ ଥିଲା, ଏବେ ୟୁଏଏନ୍ ବା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଆସିବା ପରେ ସେହି ଅସୁବିଧା ନାହିଁ।

ଆପଣଙ୍କୁ ନୂଆ କଂପାନିକୁ କେବଳ କେୱାସି ଓ ୟୁଏଏନ୍ ଡାଟା ଦେବାକୁ ପଡିବ। ପିଏଫ୍ ନମ୍ବର ବଦଳୁ ନଥିବାରୁ ଆପଣଙ୍କୁ ଫଣ୍ଡ୍ ଟ୍ରାନସ୍ଫର କରିବାକୁ ପଡିବ ନାହିଁ। ତେଣୁ ଇପିଏଫ ଆକାଉଣ୍ଟ୍ ବନ୍ଦ କରନ୍ତୁ ନାହିଁ। ଯଦି ଆପଣ ଇପିଏଫ୍ ଆକାଉଣ୍ଟ ବନ୍ଦ କରୁଛନ୍ତି ତେବେ ଭବିଷ୍ୟତରେ ଆପଣଙ୍କୁ ଏକ ବଡ ଫଣ୍ଡରୁ ହାତ ଧୋଇବାକୁ ପଡିବ।

୯. ପୁରୁଣା ଅଭ୍ୟାସରେ ପରିବର୍ତ୍ତନ ନଆଣିବା

ପୁରୁଣା ଅଭ୍ୟାସ ଛାଡ଼ି ନୂଆ ଟେକ୍ନୋଲଜିକୁ ଆପଣାନ୍ତୁ। ଅଫଲାଇନ୍ ବୀମା ନକିଣି ଅନଲାଇନରେ ବୀମା କିଣନ୍ତୁ। ଏହା ଆପଣଙ୍କୁ ଫାଇଦା ଦେଇଥାଏ। ସେହିଭଳି ଅନଲାଇନ୍‌ରେ ମ୍ୟୁଚୁଆଲ ଫଣ୍ଡ କିଣନ୍ତୁ। ଅନଲାଇନ୍‌ରେ ମ୍ୟୁଚୁଆଲ ଫଣ୍ଡ୍‌ ଓ ବୀମ କିଣିଲେ ଆପଣଙ୍କୁ ଏଜେଣ୍ଟଙ୍କୁ କମିଶନ ଦେବାକୁ ପଡି ନଥାଏ। ମୋବାଇଲ ୱାଲେଟ୍ ଜରିଆର ବିଲ୍ ପେମେଣ୍ଟ୍ କରି ରିୱାର୍ଡ ପଏଣ୍ଟସ ସଂଗ୍ରହ କରନ୍ତୁ।

loan management

୧୦. ଲୋନ ନେବା ବେଳେ ସତର୍କ ରୁହନ୍ତୁ

ଯେତିକି ସୁଝି ପାରିବେ ସେତିକି ଲୋନ କରନ୍ତୁ। ଯଦି ଆଗରୁ ଲୋନ୍ ଅଛି, ତେବେ ତାକୁ ଶୁଝିବା ପରେ ନୂଆ ଲୋନ୍ ନିଅନ୍ତୁ। ସେହି ଲୋନକୁ ପ୍ରଥମେ ଶୁଝନ୍ତୁ ଯାହାର ସୁଧ ହାର ଅଧିକ। ଠିକ ସମୟରେ କିସ୍ତି ଶୁଝନ୍ତୁ କାରଣ ଏହା ଆପଣଙ୍କ ସିବିଲ ସ୍କୋରକୁ ପ୍ରଭାବିତ କରିଥାଏ। ଖରାପ ସିବିଲ ସ୍କୋର ମାନେ ଆପଣଙ୍କୁ ଲୋନ ମିଳିବାରେ ଅସୁବିଧା।

୧୧. ମୁଦ୍ରାସ୍ଫୀତିକୁ ଉପେକ୍ଷା କରିବା

ବର୍ତ୍ତମାନର ମୁଦ୍ରାସ୍ଫୀତି ଯଦି ୭ ପ୍ରତିଶତ ବୋଲି ଧରି ନିଆଯାଏ, ତେବେ ୩୦ ବର୍ଷ ପରେ ୧ ଲକ୍ଷ ଟଙ୍କାର ମୁଲ୍ୟ ମାତ୍ର ୧୩ ହଜାର ଟଙ୍କା ହେବ। ଯାହାର ଅର୍ଥ ହେଉଛି ଆଗାକୁ ପ୍ରତି ବସ୍ତୁର ମୂଲ୍ୟ ବଢିବ। ତେଣୁ ଆପଣଙ୍କୁ ଏମିତି ରଣନୀତି ଅବଲମ୍ବନ କରିବାକୁ ପଡ଼ିବ, ଯାହାଦ୍ୱାରା ଆପଣ ମୁଦ୍ରସ୍ପୀତିକୁ ମାତ୍ ଦେଇ ପାରିବେ।