ବୀମା କ୍ଷେତ୍ରରେ ସବୁଠାରୁ ବଡ଼ କମ୍ପାନି ଜୀବନବୀମା ନିଗମର ପ୍ରସ୍ତାବିତ ଆଇପିଓ ଆସନ୍ତା ଅକ୍ଟୋବର ବେଳକୁ ଆସିପାରେ। ସେତେବେଳେ ଏଲ୍‌ଆଇସିକୁ ଲିଷ୍ଟିଙ୍ଗ କରାଯିବ। କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ରବିବାର ଦିନ ଏହା କହିଛନ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଘୋଷଣା ବେଳେ କହିଥିଲେ ପରବର୍ତ୍ତୀ ଆର୍ଥିକ ବର୍ଷରେ ଭାରତୀୟ ଜୀବନବୀମା ନିଗମର ପ୍ରାରମ୍ଭିକ ସାର୍ବଜନୀନ ନିର୍ଗମନ ବା ଇନିସିଆଲ ପବ୍ଲିକ ଅଫରିଙ୍ଗ ଆସିବ।

ରାଜୀବ କୁମାର କହିଛନ୍ତି ଯେ ଷ୍ଟକ ଏକ୍ସଚେଞ୍ଜରେ ସୂଚୀବଦ୍ଧ କରିବାକୁ ହେଲେ କିଛି ବୈଧାନିକ ପ୍ରକ୍ରିୟା ଶେଷ କରିବାକୁ ହେବ। ଆଇନ ମନ୍ତ୍ରାଳୟ ସହ ବିଚାର ବିମର୍ଶ ପୂର୍ବକ ଏହା କରାଯିବ। ବହୁ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓ ଏହା ଶେଷ ହେବା ପାଇଁ ସମୟ ଲାଗିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏଲ୍‌ଆଇସିର ଦଶ ପ୍ରତିଶତ ମୂଳଧନ ବିକ୍ରି କରିବାକୁ ସରକାର ଚିନ୍ତା କରିଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ୨.୧୦ ଲକ୍ଷ କୋଟି  ଟଙ୍କା ଜୁଟାଇବାର ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ସୁତରାଂ,ଏହାର ଏକ ମୋଟା ଭାଗ ଜୀବନ ବୀମା ନିଗମରୁ ଆସିବ।