ମାନସ ପଣ୍ଡା

ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ରୁଚିର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା।

Ruchi founder Sarat Sahoo

ରାଜ୍ୟ କି ଦେଶ ବାହାରକୁ ଗଲେ ସମସ୍ତଙ୍କ ପରି ସେ ପାହାଡ଼-ଝରଣା ଘୂରି ବୁଲନ୍ତିନି – ନୂଆ ଟେକ୍ନୋଲୋଜି ଖୋଜନ୍ତି ବିଦେଶର କେଉଁ ଭଲ ଜିନିଷଟି ଓଡ଼ିଶା ମାଟିକୁ ଆଣିହେବ ସେ କଥା ଚିନ୍ତା କରନ୍ତି। ଏଇ ଯେମିତି କାନାଡ଼ାର ଫ୍ରୋଜେନ୍‌ ଫୁଡ୍‌ ପ୍ରସେସିଂ ଟେକ୍ନୋଲୋଜି, ଇଂଲଣ୍ଡର ପ୍ୟାକିଂ ବିଶେଷତା, ଚୀନ୍‌- ସାଂଘାଇ ପ୍ରସିଦ୍ଧ ନୁଡୁଲସ୍‌ର ବୈଷୟିକ କୌଶଳ, ଇଟାଲି ଓ ଦକ୍ଷିଣକୋରିଆ ଜ୍ଞାନକୌଶଳରେ ଗହମରୁ ପ୍ରସ୍ତୁତ ରୁଚି ରାଇସ୍‌ ତିଆରି କରିବାର ବିଶେଷ ପ୍ରଣାଳୀ… ସଦାବେଳେ କିଛି ନା କିଛି ନୂଆ ଆଇଡିଆ, ନୂଆ ତଥା ଉନ୍ନତମାନର କାରିଗରୀ କୌଶଳ ଆବିଷ୍କାର କରିବାରେ ସେ ବ୍ୟସ୍ତ ଥା’ନ୍ତି। ପାଇଗଲେ ନୂଆ ଟେକ୍ନୋଲୋଜିଟିକୁ ଆଣି ଭାରତୀୟ ବିଶେଷତଃ ଓଡ଼ିଶା ଖାଦ୍ୟାଭ୍ୟାସ ଢାଞ୍ଚାରେ ପକାନ୍ତି। ଏଇ ଅବିରାମ ଖୋଜିଚାଲିବା ଏବଂ ନିତ୍ୟନୂତନର ସନ୍ଧାନରେ ବ୍ୟସ୍ତ ରହିବାର ଅନନ୍ୟ କାର୍ଯ୍ୟକୁଶଳତା ପାଇଁ ଓଡ଼ିଶାର ଖାଦ୍ୟ ଓ ମସଲା ବଜାରରେ ସେ ଆଜି ଅଖଣ୍ଡ ଅଧୀଶ୍ୱର – ଅବିକଳ୍ପ ଅବତାର। ୩୮ ବର୍ଷ ତଳେ କେବଳ ହଳଦୀ ଓ ଲଙ୍କାଗୁଣ୍ଡରୁ ଆରମ୍ଭ ହୋଇଥିବା ତାଙ୍କ ମାନସ ସନ୍ତାନ ‘ରୁଚି’ ଏବେ ପାଞ୍ଚ ଶହରୁ ଅଧିକ ଦ୍ରବ୍ୟ ଉତ୍ପାଦନର ଅଧିକାରୀ। ଓଡ଼ିଶା ମାଟିରୁ ଯାତ୍ରା ଆରମ୍ଭ କରି ଆମେରିକା, ଅଷ୍ଟ୍ରେଲିଆ, ତାଞ୍ଜନିଆ, କୁଏତ୍‌, ଓମାନ୍‌, ସିଙ୍ଗାପୁର, ନେପାଳ ଓ ବଙ୍ଗଳାଦେଶରେ ବ୍ୟବସାୟର ବିଜୟ ବୈଜୟନ୍ତୀ ଉଡ଼ାଇ ଚାଲିଥିବା ସେହି ସଫଳ ଶିଳ୍ପୋଦ୍ୟୋଗୀ ଜଣକ ହେଲେ ଶରତ କୁମାର ସାହୁ। ମସଲା, ସିମାଇ ଓ ଫ୍ରୋଜେନ୍‌ ଫୁଡ୍‌ସ ପ୍ରସ୍ତୁତକାରୀ ‘ରୁଚି’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ।

business card_Udyog

କଟକର ମଧୁପାଟଣା ଶିଳ୍ପାଞ୍ଚଳସ୍ଥିତ ରୁଚିର କାରଖାନା ତଥା କାର୍ଯ୍ୟାଳୟକୁ ଗଲେ କିନ୍ତୁ ଦେଖିବାକୁ ମିଳେ ଭିନ୍ନ ଏକ ବାତାବରଣ। ବେଶପୋଷାକ, ଚାଲିଚଳଣ, ହାବଭାବ ଏବଂ କଥାବାର୍ତ୍ତାରେ ବେଶ୍ ସାଧାସିଧା ପ୍ରତୀୟମାନ ଶରତବାବୁ ଘୂରି ବୁଲୁଥାନ୍ତି କାରଖାନା ଭିତରେ ସାଧାରଣ ଲୋକଟିଏ ପରି। ବାହାରୁ ଆସୁଥିବା ଅତିଥି ଅଭ୍ୟାଗତ ତାଙ୍କୁ ସାଧାରଣ କର୍ମଚାରୀଟିଏ ବୋଲି ଭାବିଥାନ୍ତି। ଯେଉଁ ବିଭାଗରେ ଯାହା ପାଖରେ ତାଙ୍କର କାମ ଥାଏ, ଯାହାକୁ କିଛି କହିବାର ଥାଏ, ସେଠି ନିଜେ ଯାଇ ହାଜର ହୋଇଯାଆନ୍ତି। କର୍ମଚାରୀମାନେ ବି ଏତେବଡ଼ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ ଏଭଳି ଆଚରଣରେ ଅଭ୍ୟସ୍ତ। ବର୍ଷ ବର୍ଷର ଏ ଆଦବ୍‌କାଇଦା ସହ ସେମାନେ ବି ଖୁବ୍‌ ବେଶି ପରିଚିତ। ତେଣୁ ସେମାନେ କେହି ଆଶ୍ଚର୍ଯ୍ୟ ହୁଅନ୍ତି ନାହିଁ।

ଥମ୍‌ସଅପ୍‌ କି କୋକାକୋଲା ନୁହେଁ, ନିଜ ଉତ୍ପାଦିତ ଜୈବିକ ଲେମ୍ବୁପାଣି ‘ଫ୍ରେସ୍‌ ଲାଇମ୍‌’ ବା କାକୁଡ଼ି ସୁପ୍‌ ଆଣ୍ଟିଲୁରେ ଅତିଥି ସତ୍କାର କରିବା ଅବସରରେ ପୁରୁଣା ଦିନକୁ ମନେ ପକାନ୍ତି ଶରତବାବୁ। ରାଣୀହାଟ ଛକର ହିନ୍ଦ୍‌ ସିନେମା ପାଖରେ ବାପା ବନମାଳୀ ସାହୁ କରିଥିଲେ ଏକ ଛୋଟ ହୋଟେଲ୍‌। ବାପାଙ୍କ ନାଁରେ ‘ବନା ହୋଟେଲ୍‌’ ଭାବେ ପରିଚିତ ସେ ସାନ ଦୋକାନଟିର ବୈଶିଷ୍ଟ୍ୟ ଥିଲା ସୁସ୍ୱାଦୁ ମଟନ୍‌ ଚାମ୍ପ୍‌। ଲୋକେ ଭିଡ଼ କରୁଥିଲେ ହୋଟେଲ୍‌ରେ କେବଳ ମଟନ୍‌ ଚାମ୍ପ୍‌ ଖାଇବାକୁ। ମ୍ୟୁନିସିପାଲଟି ପକ୍ଷରୁ ହୋଟେଲ୍‌ଟିକୁ ଭାଙ୍ଗି ଦିଆଯିବା ପରେ ରୋଜଗାରର ବିକଳ୍ପ ଭାବେ ବାପାଙ୍କ ସହ ମିଶି ଶରତ ଆରମ୍ଭ କଲେ ମସଲା ବେପାର। ଅଳ୍ପ କେଇ ଟଙ୍କାରେ ଓଏସ୍‌ଆଇସିର ଏକ ଭଡ଼ାଘରେ ୩୭ ବର୍ଷ ତଳେ ଆରମ୍ଭ ହୋଇଥିବା ସେ ବ୍ୟବସାୟର ଚାରାଟି ଇତିମଧ୍ୟରେ ବିଶାଳ ଦ୍ରୁମ ପାଲଟି ଗଲାଣି। ମସଲା ଓ ସିମାଇ ଡିଭିଜନର ସଫଳତା ପରେ ରୁଚି ଉଦ୍ୟୋଗ ଆରମ୍ଭ କରିଛନ୍ତି ଅତ୍ୟାଧୁନିକ ପାସ୍ତା ଡିଭିଜନ। ‘ରୁଚି ପାସ୍ତା ଭିଲେଜ’ ଯେଉଁଠି ଦିନକୁ ଦୁଇ ଶହ କିସମର ୨୪ ମେଟ୍ରିକ୍‌ ଟନ୍‌ ପାସ୍ତା ଉତ୍ପାଦିତ ହେବା ସାମର୍ଥ୍ୟ ରହିଛି। ଗୋଟିଏ ପଟେ ରୁଚି ପ୍ରତିଭା ଫାଉଣ୍ଡେସନ ଜରିଆରେ ନାନାବିଧ ଲୋକହିତକର କାମ କରାଯିବା ସହ ରାଜ୍ୟର ପ୍ରତିଭାଧରମାନଙ୍କୁ ସମ୍ମାନିତ କରାଯାଉଛି ଏବଂ ଏହି ଅବସରରେ ରାଜ୍ୟର ମାଟ୍ରିକ୍‌ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହେଉଥିବା ଛାତ୍ର ଓ ଛାତ୍ରୀଙ୍କ ସହିତ କୃତବିଦ୍ୟ ତଥା ଅନନ୍ୟ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ମର୍ଯ୍ୟାଦାଜନକ ରୁଚି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଉଛି। ଅନ୍ୟ ପଟେ ପ୍ରତିଷ୍ଠିତ ହୋଇଛି ରୁଚି ଫୁଡ୍, କ୍ରାଫ୍ଟ ସଂସ୍ଥାନ ଓ ରୁଚି ଫୁଡ୍‌ପଟ୍‌। ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଛାତ୍ରୀ ଓ ଗୃହିଣୀମାନଙ୍କୁ ରନ୍ଧନ ପ୍ରଶିକ୍ଷଣ ଦେଇ ସ୍ୱାବଲମ୍ବୀ କରାଯିବା ସହ ବିଦେଶୀ ଜ୍ଞାନକୌଶଳ ଉପଯୋଗରେ ପ୍ରସ୍ତୁତ କରାଯାଉଛି ବିଭିନ୍ନ ଖାଦ୍ୟଦ୍ରବ୍ୟ। ଢିଙ୍କିକୁଟା ଚାଉଳର ଭାତଠାରୁ ଆରମ୍ଭ କରି ଫ୍ରାଏଡ୍‌ ରାଇସ୍‌, ଇଣ୍ଡୋ-ଇଟାଲିଆନ୍‌ କ୍ଷୀରି, ଜୈବିକ ପରିବାରୁ ତରକାରୀ, ହର୍ବାଲ ସୁପ୍‌, ଚିଲ୍ଲୀ ଚିକେନ୍‌ ଆଦି ଖାଦ୍ୟଦ୍ରବ୍ୟକୁ ପ୍ୟାକିଂ କରି ବଜାରକୁ ଛଡ଼ାଯାଉଛି। ‘ଫ୍ରୋଜିଟ୍‌’ ବ୍ରାଣ୍ଡ୍‌ରେ ମଧ୍ୟ ସ୍ୱାସ୍ଥ୍ୟପ୍ରଦ ରୁଚିର ଖାଦ୍ୟବଜାର ଧୀରେ ଧୀରେ ଜମିଆସୁଛି। ବନା ହୋଟେଲ୍‌ ଦିନର ସେହି ପୁରୁଣା ଅଭିଜ୍ଞତା ‘କ୍ୱାଲିଟି ହିଁ ଗ୍ରାହକଙ୍କୁ ଆକର୍ଷିତ କରିବ’ କଥାଟିକୁ କିନ୍ତୁ ଭୁଲି ନାହାନ୍ତି ଶରତବାବୁ।

Ruchi founder Sarat Sahoo

ଏକାବେଳକେ ଏତେସବୁ କାମରେ ହାତ ଦେବା ଏବଂ ସବୁଥିରେ ଶତପ୍ରତିଶତ ସଫଳ ହେବା କିଛି ସୂତ୍ର ନିଶ୍ଚୟ ରହିଛି ଏ ଭିତରେ – ପ୍ରଶ୍ନଟିକୁ ସାମ୍ନା କଲାବେଳେ ଶରତବାବୁ ହସନ୍ତି ଏକ ଅମାୟିକ ହସ। ‘ହଁ ସୂତ୍ର ଅଛି ସଫଳତାର – ନିଷ୍ଠା, ପରିଶ୍ରମ ଓ ସଚ୍ଚୋଟପଣିଆର’। ବାସ୍‌, ଏଇ ହେଉଛି ଶରତଙ୍କ ସୂତ୍ର। ଶରତଙ୍କ ଭାଷାରେ ପ୍ରତିବର୍ଷ ମୋର ଦଶଜଣ ପ୍ରତିଦ୍ୱନ୍ଦ୍ୱୀ ଜନ୍ମ ନେଉଛନ୍ତି – ବର୍ଷ ଶେଷକୁ ନଅଜଣ ମରୁଛନ୍ତି। ବହୁତ ଶିଳ୍ପ ସଂସ୍ଥା ବର୍ଷ କେତେଟାରେ ମାଟି କାମୁଡ଼ିବାର ମୁଁ ଦେଖିଲିଣି। ଅସଲ କଥା ହେଲା କେହି ବି କଷ୍ଟ ସହିବାକୁ ଚାହୁନାହାନ୍ତି। ସମସ୍ତେ ମୋ ସଫଳତାକୁ ଦେଖୁଛନ୍ତି – ମୁଁ ଯେ କି କଠିନ ପରିସ୍ଥିତିକୁ ସାମ୍ନା କରିଛି ତା’ କେହି ବୁଝିବାକୁ ଚାହୁଁନାହାନ୍ତି – ସେତିକି ଧୈର୍ଯ୍ୟ, ନିଷ୍ଠା ବି ରଖୁନାହାନ୍ତି ସଫଳତା ମିଳିବା କ’ଣ ଏତେ ସହଜ?

ରୁଚିର ଏତେ ସବୁ ସାଫଲ୍ୟ ପାଇଁ ବିଭିନ୍ନ ସମୟରେ ଏହାକୁ ମିଳିଛି ପ୍ରମୁଖ ଅନୁଷ୍ଠାନ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କଠାରୁ ଅନେକଗୁଡ଼ିଏ ଗୌରବଜନକ ସମ୍ମାନ। ସେଗୁଡ଼ିକ ଭିତରେ ରହିଛି ୧୯୯୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଷ୍ଠିତ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ପ୍ରଥମ ସ୍ୱାଭିମାନ ସମ୍ମାନ। ଏହା ବ୍ୟତୀତ ଭାରତ ସରକାରଙ୍କର ମସଲା ବୋର୍ଡ ପକ୍ଷରୁ ପୂର୍ବାଞ୍ଚଳ ରାଜ୍ୟ ମଧ୍ୟରେ ରୁଚିକୁ ପ୍ରଥମ ସ୍ପାଇସ୍‌ ହାଉସ୍‌ ସାର୍ଟିଫିକେଟ୍‌, କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ପକ୍ଷରୁ ଆଗ୍‌ମାର୍କ ପ୍ରମାଣପତ୍ର, ଓଡ଼ିଶା ରାଜ୍ୟ ଅର୍ଥନିଗମ ଏବଂ ଭାରତ ସରକାରଙ୍କ କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ ଔଦ୍ୟୋଗିକ ବିକାଶ ପୁରସ୍କାର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଓସ୍‌ମେ ପକ୍ଷରୁ ବିଜୁ ପଟ୍ଟନାୟକ ସ୍ମାରକୀ ପୁରସ୍କାର, ରୋଟାରୀ ଇଣ୍ଟରନ୍ୟାସନାଲ୍‌ ପକ୍ଷରୁ ଆର.ଆର.ସିକ୍କା ସ୍ମାରକୀ ପୁରସ୍କାର, ରାଜ୍ୟ ଶ୍ରମ ବିଭାଗ, ରାଜ୍ୟ ସମାଜ ମଙ୍ଗଳ ବୋର୍ଡ, ଭାରତ ସରକାରଙ୍କର ଏମ୍‌.ଏସ୍‌.ଏମ୍‌.ଇ ବିଭାଗ, ଉତ୍କଳ ଚ୍ୟାମ୍ବର ଅଫ୍‌ କମର୍ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ବହୁ ବିଶିଷ୍ଟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଶ୍ରେଷ୍ଠ ଓ ସଫଳ ଉଦ୍ୟୋଗୀ ଭାବରେ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ‘ଦି ଟାଇମ୍ସ ଅଫ୍ ଇଣ୍ଡିଆ’ ପକ୍ଷରୁ ଥିଙ୍କ୍‌ ଓଡ଼ିଶା ଲିଡରସିପ୍‌ ଆୱାର୍ଡ ଏବଂ ଓଟିଭି ପକ୍ଷରୁ ଓଡ଼ିଶା ସିଟିଜେନ୍‌ ଆୱାର୍ଡରେ ମଧ୍ୟ ଶ୍ରୀ ସାହୁଙ୍କୁ ସମ୍ମାନିତ କରାଯାଇଛି। ନିଜର ଗୁଣାତ୍ମକ ମାନବତ୍ତା ପାଇଁ ‘ରୁଚି’ ଅନୁଷ୍ଠାନ ଆଇ.ଏସ୍‌.ଓ. ଓ ହାଜାପ୍‌ ପ୍ରମାଣପତ୍ର ମଧ୍ୟ ହାସଲ କରିଛି। ଓଡ଼ିଶାର ଘରେ ଘରେ ଆଜି ‘ରୁଚି’ ମସଲାର ସୁଗନ୍ଧ ପହଞ୍ଚିବା ପଛରେ ରହିଛି ଦୀର୍ଘ ୩୮ ବର୍ଷର ଶ୍ରମସାଧନା, ସେବା, ସଂକଳ୍ପ ଓ ଉତ୍ସର୍ଗୀକୃତ କର୍ତ୍ତବ୍ୟନିଷ୍ଠାର ଫଳଶ୍ରୁତି। ଗୁଣାତ୍ମକ ମାନରକ୍ଷା କ୍ଷେତ୍ରରେ କେବେ ସାଲିସ୍‌ କରି ନଥିବାରୁ ‘ରୁଚି’ ଆଜିର ପ୍ରତିଯୋଗିତାମୂଳକ ବଜାର ବ୍ୟବସ୍ଥା ଭିତରେ ତିଷ୍ଠି ରହିବାରେ ସଫଳ ହୋଇଛି।

sarat sahoo

ବ୍ୟବସାୟ ଆରମ୍ଭ କରିବାବେଳେ ଶରତ କବାଡ଼ି ଖେଳୁଥିଲେ। ରାଜ୍ୟ କବାଡ଼ି ଦଳର କ୍ୟାପ୍‌ଟେନ୍‌ ବି ଥିଲେ। ଏବେ ଓଡ଼ିଶା କବାଡ଼ି ସଂଘର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ମସଲା ଶିଳ୍ପ ଆରମ୍ଭ କରିବା ବେଳେ ସାଧାରଣ ଯୁବକଟେ ପରି ଶରତବାବୁ ପରିବାର ପୋଷଣ ଓ ସ୍ୱଚ୍ଛଳ ଆର୍ଥିକ କାରବାରର ସ୍ୱପ୍ନ ଦେଖୁଥିଲେ। ଏବେ କିନ୍ତୁ ସେଦିନର ସେ ସ୍ୱପ୍ନ ବଦଳି ଯାଇଛି। ଏବେ ସବୁ ଋଣମୁକ୍ତ ମୁଁ। ‘ରୁଚି’ ପରିବାର ପାଇଁ, ଦେଶ ପାଇଁ କିଛି କରିବାକୁ ଚାହୁଛି – ମଣିଷ ନିରୋଗ ଓ ଦୀର୍ଘାୟୁ କରିବା ପାଇଁ ଉଦ୍ଦିଷ୍ଟ ସବୁ ସାଧନ ନିଜେ ଉତ୍ପାଦନ କରିବାକୁ ଚାହୁଁଛି। କିଛି ସ୍ୱପ୍ନ ସାକାର ହେଲାଣି – ଆଉ କିଛି ବାକି ରହିଯାଇଛି। ଶରତଙ୍କ ବାକିଆ ସ୍ୱପ୍ନ ତାଲିକା ଭିତରେ ରହିଛି ଓଡ଼ିଶାର ‘ରୁଚି’ ପରି ଆଉ ପଚାଶଟି ସଫଳ ଶିଳ୍ପ ପ୍ରତିଷ୍ଠାନ ଗଢ଼ିବା ଏବଂ ଆଉ ପଚାଶ ଜଣ ସଫଳ ଶିଳ୍ପଦ୍ୟୋଗୀ ତିଆରି କରିବା। ବାକିଆ ସ୍ୱପ୍ନ ସବୁକୁ ଚରିତାର୍ଥ କରିବାକୁ ହେଲେ ସମୟ ଲୋଡ଼ା, ସର୍ବୋପରି ସରକାରୀ ସହଯୋଗ ବି ଲୋଡ଼ା। ସରକାରଙ୍କ ଶିଳ୍ପ ବିକାଶ କାର୍ଯ୍ୟକ୍ରମକୁ ନେଇ ଶରତଙ୍କ ପାଖରେ ରହିଛି ଅନେକ ସୁଚିନ୍ତିତ ପରାମର୍ଶ ଏବଂ ଅନେକ ଅଙ୍ଗେ ଲିଭାଇଥିବା ଅନୁଭୂତି। ତେବେ ତାଙ୍କ ମତରେ ଏ କ୍ଷେତ୍ରରେ ଆନ୍ତରିକ ଆଗ୍ରହ ନାହିଁ, ଉଚ୍ଚ ଗବେଷଣା କିମ୍ବା ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କି ତାଲିମ ମଧ୍ୟ ନାହିଁ। ସବୁଠି କିଛିଟା କମ୍ୟୁନିକେସନ୍‌ ଗ୍ୟାପ୍‌ ରହିଯାଉଛି। ଏସବୁକୁ ଦୂର କଲେ ଯାଇ ରାଜ୍ୟ ଶିଳ୍ପ ଉନ୍ନତ ଓ ସମୃଦ୍ଧ ହୋଇପାରିବ ବୋଲି ଶରତଙ୍କ ମତ। ଲାଲବାହାଦୂର ଶାସ୍ତ୍ରୀଙ୍କୁ ନିଜ ଆଦର୍ଶ ମାନୁଥିବା ଓ ସକାଳ ପାଞ୍ଚଟାରୁ ରାତି ଏଗାରଟା ଯାଏ ନିଜକୁ କାର୍ଯ୍ୟବ୍ୟସ୍ତ ରଖୁଥିବା ଶରତଙ୍କ ଶେଷ କଥା – ‘ମୁଁ ବହୁବିଧ ଜୈବିକ ଖାଦ୍ୟ ଓ ପାନୀୟ ବଜାରକୁ ଛାଡ଼ିଛି – ସେଥିରୁ ଅଧିକାଂଶ ସ୍ୱାସ୍ଥ୍ୟପ୍ରଦ। ଲୋକେ ଯଦି ଟିକିଏ ଖାଦ୍ୟ ଓ ସ୍ୱାସ୍ଥ୍ୟ ସଚେତନ ହୁଅନ୍ତେ ଏବଂ ସରକାର ଯଦି ସହଯୋଗର ହାତ ବଢ଼ାନ୍ତେ ତେବେ ‘ରୁଚି’ ନୁହେଁ ବା ମୁଁ ନୁହେଁ, ମୋ ପରି ଆଉ ଶହେ ଜଣ ସଫଳ ଶିଳ୍ପପତି ଓଡ଼ିଶାରେ ମୁଣ୍ଡ ଟେକନ୍ତେ। ମୋ ନାଁ ‘ରୁଚି’ – ମୁଁ କେବେ ବି କିଛି ଅରୁଚିକର ଜିନିଷ ତିଆରି କରିବିନି। ମତେ ବହୁ ଆଗରୁ ଗୁଟ୍‌ଖା ଜାତୀୟ ସ୍ୱାସ୍ଥ୍ୟ ପ୍ରତି ଅହିତକର ସାମଗ୍ରୀ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଆସିଥିଲା କିନ୍ତୁ ମୁଁ ଏହାକୁ ଟାଳି ଦେଇଛି। ବରଂ ସ୍ୱାସ୍ଥ୍ୟପ୍ରଦ ଛତୁଆ ଗୁଣ୍ଡ, କୋଳଥ, ତାଳମିଶ୍ରି, ମାଣ୍ଡିଆଗୁଣ୍ଡ, ଢିଙ୍କିକୁଟା ଚାଉଳ ସମେତ ଅନେକ ଜୈବିକ ଖାଦ୍ୟସାମଗ୍ରୀକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଦାୟିତ୍ୱ ଗ୍ରହଣ କରିଛି। ଲୋକଙ୍କ କ୍ଷତି କରିବା ପରି କିଛି ବି ଉତ୍ପାଦନ କରିବି ନାହିଁ।’ ଏହା ହିଁ ହେଉଛି ଓଡ଼ିଶା ପ୍ରତି ଏବଂ ଓଡ଼ିଶାରେ କିଛି କରିବା ପାଇଁ ପାଦ ବଢ଼ାଉଥିବା କିଛି ଯୁବ ଉଦ୍ୟୋଗୀମାନଙ୍କୁ ଶରତଙ୍କ ବାର୍ତ୍ତା।

ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ କଠିନ ପରିଶ୍ରମ ହେଉଛି ଶ୍ରୀ ସାହୁଙ୍କ ସଫଳତାର ଶ୍ରେଷ୍ଠ ମନ୍ତ୍ର। ଏହି ତିନୋଟି ଶକ୍ତିର ଆଧାରରେ ହିଁ ସେ ହୋଇପାରିଛନ୍ତି ଓଡ଼ିଶା ଶିଳ୍ପ ସାମ୍ରାଜ୍ୟର ଜଣେ ସଫଳ ରୂପକାର।

(ସୌଜନ୍ୟ:ଶରତ ଶତମ୍‌)