ସେୟାର ମାର୍କେଟରେ ଅଧିକ ଟଙ୍କା ଲଗାଇବାକୁ ପଡ଼େ, ଅନ୍ୟପକ୍ଷରେ ମାତ୍ର ୫୦୦ ଟଙ୍କାରୁ ଆରମ୍ଭ କରିପାରିବେ ମ୍ୟୁଚୁଆଲ ଫଣ୍ଡ୍।

ରିସ୍କ ନେବାର ପୁରସ୍କାର ହେଉଛି ଲାଭ। ଆପଣ ଯଦି ରିସ୍କ ନେଉଛନ୍ତି ଓ ରିସ୍କ ନେବା ଦ୍ୱାରା ଲାଭ ହେବ ବୋଲି ସଠିକ ଅନୁମାନ କରିପାରୁଛନ୍ତି ତେବେ ଆପଣ ସିଧାସଳଖ ସେୟାର ମାର୍କେଟରେ ଟ୍ରେଡିଂ କରିବା ଠିକ୍ ରହିବ। ଆପଣ ଯଦି କମ୍ପାନିଙ୍କ ଗତିବିଧି, ସେମାନଙ୍କ ଆର୍ଥିକ ସ୍ଥିତି ଓ ଭବିଷ୍ୟତ ବାବଦରେ ରିସର୍ଚ୍ଚ କରିପାରୁଛନ୍ତି ତେବେ ସେୟାର ବଜାର ଆପଣଙ୍କ ପାଇଁ ଉପଯୁକ୍ତ।

କିନ୍ତୁ ଜଣେ ସାଧାରଣ ନିବେଶକଙ୍କ ପାଇଁ କମ୍ପାନି ବାବଦରେ ରିସର୍ଚ୍ଚ କରିବା ମୁସ୍କିଲ କାମ ହୋଇଥାଏ। ସାଧାରଣ ନିବେଶକଙ୍କ ପାଇଁ ଏହି କାମ ସହଜ କରିଥାନ୍ତି ମ୍ୟୁଚୁଆଲ ଫଣ୍ଡ୍।

ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ୍ ଗୋଟିଏ କମ୍ପାନିର ସେୟାରରେ ନିବେଶ କରିନଥାଏ, ଏହା ଅନେକ କମ୍ପାନିର ସେୟାରରେ ନିବେଶ କରିଥାଏ। ତେଣୁ ଗୋଟିଏ କମ୍ପାନି ଭଲ ରିଟର୍ଣ୍ଣ ନଦେଲେ ମଧ୍ୟ ଆପଣଙ୍କ ନିବେଶ ପୋର୍ଟଫୋଲିଓ ଅଧିକ ପ୍ରଭାବିତ ହୋଇ ନଥାଏ।

ସେୟାର ବଜାରରେ ପ୍ରତ୍ୟକ୍ଷ ନିବେଶର ଲାଭ କ୍ଷତି

ଯଦି ନିବେଶକ ସେୟାର ବଜାରରେ ସିଧାସଳଖ ନିବେଶ କରିଥାନ୍ତି ତେବେ ତାଙ୍କୁ ଅଧିକ ରିଟର୍ଣ୍ଣ ମିଳିଥାଏ, ଏହା ସହ କ୍ଷତିର ମଧ୍ୟ ଆଶଙ୍କା ଥାଏ। ସିଧାସଳଖ ସେୟାରରେ ନିବେଶରେ ଯଦି ଆପଣଙ୍କୁ ଅଧିକ ଲାଭ ମିଳିଥାଏ, ତେବେ ସେୟାର ମୂଲ୍ୟ ହ୍ରାସ ହେବା ପରିସ୍ଥିତିରେ ଭାରି କ୍ଷତି ମଧ୍ୟ ହୋଇଥାଏ।

ଏମିତିକି ଆପଣଙ୍କ ସମ୍ପୂର୍ଣ୍ଣ ପୁଞ୍ଜି ବୁଡ଼ିଯିବାର ଆଶଙ୍କା ମଧ୍ୟ ଥାଏ। ଏହାସହ ସେୟାର ମାର୍କେଟରେ ନିବେଶର ଅର୍ଥ ଆପଣଙ୍କୁ ସବୁବେଳେ ସେୟାର ବଜାରର ଗତିବିଧି ଉପରେ ସବୁବେଳେ ନଜର ରଖିବାକୁ ପଡ଼ିବ। ମାର୍କେଟ ଯଦି ଉପରକୁ ଯାଉଛି ତେବେ ଆପଣଙ୍କୁ ତୁରନ୍ତ ଲାଭ ନେଇ ବଜାରରୁ ବାହାରିବାକୁ ପଡ଼େ। ଯଦି ଆପଣ ସତର୍କ ନାହାନ୍ତି, ଟଙ୍କା ନିବେଶ ପରେ ମାର୍କେଟକୁ ଭୁଲି ଯାଇଛନ୍ତି ତେବେ ମାର୍କେଟ୍ ତଳକୁ ଖସିବା ପରିସ୍ଥିତିରେ ଆପଣଙ୍କ କ୍ଷତି ହେବ।

ବିଶେଷଜ୍ଞଙ୍କ ମତ

ଯଦି ଆପଣ ଏଭଳି ଜଣେ ନିବେଶକ ଯିଏ ବଜାରକୁ ଭଲ କରି ଜାଣନ୍ତି ନାହିଁ, ଆପଣଙ୍କ ସେୟାର ମାର୍କେଟ୍ ଜ୍ଞାନ କମ, ତେବେ ଆପଣ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରିବା ଠିକ୍ ବୋଲି ବିଶେଷଜ୍ଞ କୁହନ୍ତି। କାରଣ ମ୍ୟୁଚୁଆଲ ଫଣ୍ଡ୍‌କୁ ପେସାଦାର ଫଣ୍ଡ୍‌ ମ୍ୟାନେଜର ପରିଚାଳନା କରନ୍ତି। ଆପଣଙ୍କୁ ବଜାରକୁ ନେଇ ଚିନ୍ତା କରିବାକୁ ପଡ଼େ ନାହିଁ।

ତେବେ ଆପଣ ଯଦି ବଜାରକୁ ଜାଣନ୍ତି, ଚିହ୍ନନ୍ତି ଓ ଆପଣଙ୍କ ପାଖରେ ନଜର ରଖିବାକୁ ପର୍ଯ୍ୟାପ୍ତ ସମୟ ଅଛି ତେବେ ଆପଣ ସିଧାସଳଖ ସେୟାର ବଜାରରେ ନିବେଶ କରିବା ଠିକ୍ ହେବ। ନଚେତ୍ ମ୍ୟୁଚୁଆଲ ଫଣ୍ଡ୍ ଆପଣଙ୍କ ପାଇଁ ସର୍ବୋତ୍ତମ।

mutualfund

ଲମ୍ବା ଅବଧି ପାଇଁ କରନ୍ତୁ ନିବେଶ                                                 

ସେୟାର ମାର୍କେଟରେ ନିବେଶ କରିବାକୁ ଚାହାନ୍ତି ତ’ ଧୈର୍ଯ୍ୟ ରଖନ୍ତୁ। ଅନେକ ସମୟରେ ତୁରନ୍ତ ଧନ ଅର୍ଜନ ପାଇଁ ଆମେ ସେୟାର ମାର୍କେଟ୍ ମୁହାଁ ହୋଇଥାଉ। ଆଶା କରୁଯେ, ଖୁବଶୀଘ୍ର ବଡ଼ଧରଣର ରିଟର୍ଣ୍ଣ ମିଳିଯିବ। କିନ୍ତୁ ଯେମିତିକି ବଜାରର ଭରସା ନଥାଏ, ତେଣୁ ଆପଣ ମନ ମୂତାବକ ଲାଭ ପାଆନ୍ତି ନାହିଁ।

ଧୈର୍ଯ୍ୟହରା ହୋଇ ଆପଣ ବଜାରରୁ ବାହାରି ଯାନ୍ତି। ବିଶେଷଜ୍ଞଙ୍କ କହିବା ହେଲା, ଆପଣଙ୍କ ରିସ୍କ ନେବା ସାମର୍ଥ୍ୟ ଯେତିକି ଜରୁରୀ ସେତିକି ଭୂମିକା ଧୈର୍ଯ୍ୟର ମଧ୍ୟ ରହିଛି। ଯେଉଁମାନେ ବଜାରର ଖରାପ ସମୟରେ ଧୈର୍ଯ୍ୟ ଧରନ୍ତି ସେମାନେ ବଜାର ସୁଧୁରିବା ପରେ ଲାଭ କମାନ୍ତି।

ଫଣ୍ଡ୍ମ୍ୟାନେଜରଙ୍କ ପାଖରେ ଥାଏ ସୂଚନା

ଯଦି ଆପଣ ମ୍ୟୁଚୁଆଲ ଫଣ୍ଡ୍ ମାଧ୍ୟମରେ ନିବେଶ କରନ୍ତି, ତେବେ ଜଣେ ଫଣ୍ଡ୍ ମ୍ୟାନେଜର ଏହାର ପରିଚାଳନା କରିଥାନ୍ତି। ଫଣ୍ଡ୍ ମ୍ୟାନେଜରଙ୍କ ପାଖରେ ବଜାରର ଗତିବିଧିକୁ ନେଇ ତଥ୍ୟ ଥାଏ ବା ସେ ବଜାରର ଗତିବିଧିକୁ ଭଲ କରି ବୁଝି ପାରନ୍ତି।

ମ୍ୟୁଚୁଆଲ ଫଣ୍ଡ୍ରେ କମ ଟଙ୍କାରେ ଆରମ୍ଭ କରିପାରିବେ ନିବେଶ?

ସେୟାର ମାର୍କେଟରେ ନିବେଶ ପାଇଁ ମୋଟା ଅଙ୍କର ନିବେଶ ରାଶି ଆବଶ୍ୟକ ହୋଇଥାଏ। କିନ୍ତୁ ମ୍ୟୁଚୁଆଲ ଫଣ୍ଡ୍‌ରେ ଏମିତି ହୋଇନଥାଏ। ମାତ୍ର ୫୦୦ ଟଙ୍କାରେ ଆପଣ ମ୍ୟୁଚୁଆଲ ଫଣ୍ଡର ସିପ୍ ଆରମ୍ଭ କରିପାରିବେ। ଏପରିକି କିଛି କମ୍ପାନି ମଧ୍ୟ ୧୦୦ ଟଙ୍କାରେ ନିବେଶର ସୁବିଧା ଦିଅନ୍ତି।