ଟ୍ୟାକ୍ସ ବଞ୍ଚାଇବା ପାଇଁ ଡିଭିଡେଣ୍ଡ୍ ମ୍ୟୁଚୁଆଲ ଫଣ୍ଡ୍‌ ବଦଳରେ ନିଅନ୍ତୁ ଗ୍ରୋଥ୍ ଅପସନ୍।

ଆପଣଙ୍କ ଆୟ ଯଦି ଟ୍ୟାକ୍ସ ପରିସର ଭିତରକୁ ଆସୁଛି ଓ ଆପଣ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରୁଛନ୍ତି ତେବେ କଣ କରିବେ? ବିଶେଷଜ୍ଞଙ୍କ ଅନୁସାରେ ଏଭଳି ପରିସ୍ଥିତିରେ ଆପଣ ଇକ୍ୱଟି ମ୍ୟୁଚୁଆଲ ଫଣ୍ଡରେ ଡିଭିଡେଣ୍ଡ୍ ବଦଳରେ ଗ୍ରୋଥ୍ ଅପସନକୁ ବାଛିବା ବୁଦ୍ଧିମାନର କାମ ହେବ।

ବଜେଟ୍ ଉପସ୍ଥାପନ କରିବା ବେଳେ ଅର୍ଥମନ୍ତ୍ରୀ ସିତାରମଣ ଡିଭିଡେଣ୍ଡ୍‌ରୁ ହେଉଥିବା ଆୟ ଉପେର ନିବେକଶଙ୍କ ପାଇଁ ସ୍ଲାବ୍ ଆଧାରରେ ଟ୍ୟାକ୍ସ ଲାଗୁ କରିବାର ପ୍ରସ୍ତାବ ଦେଇଥିଲେ। ଯାହା ଏପ୍ରିଲ ୧ ତାରିଖରୁ ଲାଗୁ ହେବ। ଏହାସହ ପ୍ରତି ୫ ହଜାର ଟଙ୍କାରୁ ଅଧିକ ଡିଭିଡେଣ୍ଡ୍ ଉପରେ ଟିଡିଏସ୍ ଦେବାକୁ ପଡିବ।

ଏଗ୍‌ଜିଟ୍ ଲୋଡ୍ ଓ ଟ୍ୟାକ୍ସକୁ ଦେଇ ନିଅନ୍ତୁ ନିଷ୍ପତି

ମ୍ୟୁଚୁଆଲ ଫଣ୍ଡ୍ ମ୍ୟାନେଜରଙ୍କ କହିବା ହେଉଛି ଯେଉଁ ନିବେଶକଙ୍କ ଆୟ ଟ୍ୟାକ୍ସ ପରିସର ଭିତରକୁ ଆସୁଛି ସେମାନେ ଗ୍ରୋଥ୍ ବିକଳ୍ପ ବାଛିବା ଉଚିତ। ଯେଉଁମାନେ ମାସିକ ଆୟ ଆବଶ୍ୟକ କରନ୍ତି ସେମାନେ ସିଷ୍ଟମେଟିକ୍ ୱିଥଡ୍ରଲ୍ ପ୍ଲାନ୍ ବାଛି ପାରିବେ।  ତେବେ ସେମାନେ ଏହା ମଧ୍ୟ ପରାମର୍ଶ ଦିଅନ୍ତି ଯେ, ନିବେଶକ ଡିଭିଡେଣ୍ଡରୁ ଗ୍ରୋଥକୁ ସ୍ୱିଚ୍ କରିବା ବେଳେ ଏଗଜିଟ୍ ଲୋଡ୍ ଓ ଟ୍ୟାକ୍ସକୁ ମଧ୍ୟ ଦେଖିବାକୁ ପଡ଼ିବ।

LTCG ଉପରେ କର ଛାଡ଼

ଗ୍ରୋଥ୍ ଅପସନ ବାଛୁଥିବା ନିବେଶକଙ୍କୁ ଆଉ ଗୋଟିଏ ଲାଭ ମିଳିଥାଏ, ଏକ ବର୍ଷ ପରେ ମ୍ୟୁଚୁଆଲ ଫଣ୍ଡ୍ ବିକ୍ରି କରିଲେ ଏକ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ ଉପରେ କର ଛାଡ଼ ମିଳିଥାଏ।

ଆର୍ଥିକ ବିଶେଷଜ୍ଞଙ୍କ କହିବା ହେଉଛି, ଯେଉଁମାନେ ମାସିକ ଆୟ ଚାହାନ୍ତି ସେମାନେ ସିଷ୍ଟମେଟିକ୍ ୱିଥଡ୍ରଲ ପ୍ଲାନ୍ (SWP)  ବାଛିବା ଠିକ୍ ହେବ। ଏହା ଡିଭିଡେଣ୍ଡ୍ ପ୍ଲାନ୍ ଠାରୁ ଭଲ ରହିବ। ଏଥିରେ ନିବେଶକଙ୍କ ପାଖରେ ପ୍ରତି ମାସରେ କେତେ ଟଙ୍କା ଉଠାଇ ପାରିବେ ତାର ଅଧିକାର ଥାଏ। ଅନ୍ୟପକ୍ଷରେ ଡିଭିଡେଣ୍ଡ୍ ରାଶି ଫଣ୍ଡ୍ ହାଉସ୍ ନିର୍ଦ୍ଧାରିତ କରିଥାଏ।

ଯଦି ଟ୍ୟାକ୍ସ ନାହିଁ ତେବେ ଡିଭିଡେଣ୍ଡ୍ ପ୍ଲାନରେ ହିଁ ରୁହନ୍ତୁ

ଯଦି ଆପଣଙ୍କ ଆୟ ଟ୍ୟାକ୍ସ ପରିସର ଭିତରକୁ ଆସି ନଥାଏ,ତେବେ ଆପଣ ଡିଭିଡେଣ୍ଡ୍ ପ୍ଲାନରେ ରହିବା ଠିକ୍ ହେବ ବୋଲି ବିଶେଷଜ୍ଞଙ୍କ ମତ। ବିଶେଷଜ୍ଞଙ୍କ ଅନୁସାରେ ବରିଷ୍ଠ ନାଗରିକ,କିମ୍ବା ଯେଉଁମାନଙ୍କ ଆୟ ଟ୍ୟାକ୍ସବଲ ନୁହେଁ ସେମାନେ ଡିଭିଡେଣ୍ଟ ପ୍ଲାନରେ ରହିବା ଜାରି ରଖିବା ଠିକ୍। ତେବେ ସେମାନଙ୍କୁ ଏହା ଧ୍ୟାନରେ ରଖିବାକୁ ପଡିବ ଯେ, ୫ ହଜାର ଟଙ୍କାରୁ ଅଧିକ ଡିଭିଡେଣ୍ଡ୍ ଉପରେ ଟିଡିଏସ୍ କଟିବ ଓ ସେମାନଙ୍କ ଆୟ କର ପରିସର ଭିତରକୁ ଆସୁନଥିବାରୁ ଏହା ରିଫଣ୍ଡ୍‌ ହୋଇପାରିବ।

ହାଇବ୍ରିଡ୍ ଫଣ୍ଡ୍‌ରେ ଡିଭିଡେଣ୍ଡ୍

ଅନେକ ନିବେଶକ ହାଇବ୍ରିଡ୍ ଫଣ୍ଡରେ ଡିଭିଡେଣ୍ଡ୍ ବିକଳ୍ପ ବାଛିଥାନ୍ତି। ବିଶେଷକରି ଇକ୍ୱିଟି ଓ ଡେଟ୍ କ୍ୟାଟେଗୋରି(ବାଲାନ୍ସ ଫଣ୍ଡ) ଏପରି ସେମାନେ କରିଥାନ୍ତି। ଯାହା ଜରିଆରେ ସେମାନଙ୍କୁ ମାସିକ ଏକ ପ୍ରତିଶତ ପର୍ଯ୍ୟନ୍ତ ଓ ବାର୍ଷିକ ୧୨ ପ୍ରତିଶତ ପର୍ଯ୍ୟନ୍ତ ଡିଭିଡେଣ୍ଡ୍ ମିଳିଥାଏ। କମ୍ପାନିଙ୍କ ତରଫରୁ ଦିଆ ଯାଉଥିବା ଡିଭିଡେଣ୍ଡ୍ ଡିଷ୍ଟ୍ରିବ୍ୟୁସନ୍ ଟ୍ୟାକ୍ସ (DDT )କୁ ଶେଷ କରିବା ପାଇଁ ବଜେଟରେ ପ୍ରସ୍ତାବ ଦିଆଯାଇଛି। ମ୍ୟୁଚୁଆଲ ଫଣ୍ଡ୍ ସ୍କିମକୁ ପ୍ରଥମେ DDT ଦେବାକୁ ପଡୁଥିଲା। DDTଦେବା ପରେ ୟୁନିଟ୍ ହୋଲ୍‌ଡରଙ୍କ ପେଆଉଟ୍ ଦିଆଯାଉଥିଲା।