ସୁଭାଷ ଶତପଥୀ
‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍। ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା।
ପାଟିରେ ରୂପା ଚାମଚ ଧରି ଜନ୍ମହୋଇ, ପରିବେଶ ଓ ପରିସ୍ଥିତିର ସୁଯୋଗ ନେଇ ସଫଳତାର ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତିଙ୍କ ଉଦାହରଣ ଏ ଦୁନିଆରେ ବିରଳ ନୁହେଁ। ଏହି ସବୁ ଶ୍ରେଷ୍ଠ ବ୍ୟକ୍ତିଙ୍କ ସାଫଲ୍ୟ ପଛରେ ଅନେକ ଅଜଣା ବ୍ୟକ୍ତିଙ୍କ ଶ୍ରମ ଓ ସାଧନା ଥାଏ। ତେଣୁ ସେମାନେ ବି ଶ୍ରେୟର କିଛି କିଛି ଦାବିଦାର ହୋଇଥାନ୍ତି। କିନ୍ତୁ ଆଉ କିଛି ସଫଳ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଅର୍ଜୁନ ପରିବର୍ତ୍ତେ କର୍ଣ୍ଣ ଭଳି ନିଜର ପୁରୁଷାକାରକୁ ଏ ସଂସାରରେ ପ୍ରତିପାଦିତ କରନ୍ତି। ସେମାନଙ୍କ ମନର ଦୃଢ଼ତା, କର୍ତ୍ତବ୍ୟନିଷ୍ଠା, ଆତ୍ମବିଶ୍ୱାସ ହିଁ ସେମାନଙ୍କୁ ବଡ଼ କରିଥାଏ। ସେମାନଙ୍କ ପ୍ରଗତି ପଥରେ ଅନେକ ଅନ୍ତରାୟ ଅବଶ୍ୟ ଥାଏ, କିନ୍ତୁ ପରିଶେଷରେ ସେ ପ୍ରଗତି ଭୂଲମ୍ବ ନ ହୋଇ ଉର୍ଦ୍ଧ୍ୱମୁଖ ବୋଲି ଏ ଦୁନିଆ ସ୍ୱୀକାର କରେ। ସେମାନଙ୍କ ପୁରୁଷାକାରକୁ ଆଦର୍ଶ ଭାବେ ଗ୍ରହଣ କରି ସଭିଏଁ ନତମସ୍ତକ ହୁଅନ୍ତି। ସେମାନଙ୍କୁ ଆଦର୍ଶ ଭାବେ ଆପେ ଆପେ ଗ୍ରହଣ କରି ନିଆଯାଏ।
ଯଦି ଜାମସେଦଜୀ ଟାଟା ଉନବିଂଶ ଶତାଦ୍ଦୀର ଶେଷ ପାଦରେ ପକେଟ୍ରେ ପଇସା ଥାଇ ସୁଦ୍ଧା ଭଲ ହୋଟେଲ୍ଟିରେ ରାତ୍ରିଯାପନ କରିବାର ସୁଯୋଗରୁ ବଞ୍ଚିତ ହୋଇନଥାନ୍ତେ, ତା’ ହେଲେ ‘ତାଜମହଲ’ ହୋଟେଲ ନିର୍ମାଣର ପରିକଳ୍ପନା ହୋଇପାରିନଥାନ୍ତା। କେବଳ ଗୋରା ସାହେବମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହି ଜାମସେଦଜୀଙ୍କୁ ଭଲ ହୋଟେଲ୍ରେ ରୁମ୍ଟିଏ ଦିଆଯାଇ ନଥିଲା। ବାରିଷ୍ଟର ମୋହନଦାସ କରମଚାନ୍ଦ ଗାନ୍ଧି ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ରେଳଯାତ୍ରା ବେଳେ ସେଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନିଜ ସ୍ୱାଭିମାନ ଉପରେ ଏଇ ଆଘାତ ମୋହନଦାସ କରମଚାନ୍ଦ ଗାନ୍ଧିଙ୍କୁ ପରିଣତ କରିଥିଲା ମହାତ୍ମାଗାନ୍ଧିରେ। ଜାମସେଦ୍ଜୀ ଟାଟା ନିର୍ମାଣ କରିଥିଲେ ବିଶ୍ୱର ସବୁଠୁ ବଡ଼ ଓ ସୌଖୀନ ହୋଟେଲ ‘ତାଜମହଲ’।
ଏଇ ଧାରାରେ ଲକ୍ଷ୍ୟ କଲେ – ରାଣୀହାଟ ଛକ ରାସ୍ତାକଡ଼ରେ ଥିବା ବାପା ବନମାଳୀ ସାହୁଙ୍କ ‘ବନା ହୋଟେଲ’କୁ ଯଦି କଟକ ମ୍ୟୁନିସିପାଲଟିବାଲାଏ ଆଜକୁ ଚାଳିଶ ବର୍ଷ ତଳେ ଭାଙ୍ଗି ପକାଇ ନଥାନ୍ତେ, ତା’ ହେଲେ ହୁଏତ ‘ରୁଚି ଉଦ୍ୟୋଗ’ର ମୂଳଦୁଆ ପଡ଼ି ନଥାନ୍ତା। ଈଶ୍ୱର ସମସ୍ତଙ୍କ ଅଲକ୍ଷ୍ୟରେ ସବୁ ଭଲ କାମ ପାଇଁ କିଛି ନା କିଛି ଗୋଟିଏ ଅଘଟଣ ଘଟାଇ, ସମସ୍ତଙ୍କ ମନରେ ସ୍ୱାଭିମାନ, ଆତ୍ମବିଶ୍ୱାସ ଓ ଜିଦ୍କୁ ଜାଗ୍ରତ କରିଥାନ୍ତି। ଯିଏ ଚିହ୍ନିପାରିଲା, ସିଏ ବାଜି ମାରିଲା। କବାଡ଼ି ଖେଳ ନିଶାରେ ସେତେବେଳେ ମସ୍ଗୁଲ ଥିବା ଶରତ କୁମାର ସାହୁ, ହୁଏତ ବାପାଙ୍କ ଶୁଖିଲା ଓ ଦୁଃଖିଲା ମୁହଁକୁ ସେତେବେଳେ ଚାହିଁଥିବେ। ପରିବାରର ଭବିଷ୍ୟତ କଥା ମନକୁ ଆସିଥିବ। ତେଣୁ ସେଇ ଶୁଭ ମୁହୂର୍ତ୍ତରେ ଯେଉଁ ବିକଳ୍ପ ଅନ୍ନସଂସ୍ଥାନ କଥା ମନକୁ ଆସିଥିଲା, ପରବର୍ତ୍ତୀ ସମୟରେ ଆମ ନିକଟରେ ତାହା ରୁଚି ସାମ୍ରାଜ୍ୟ ହୋଇ ଉଭା ହୋଇଛି।
ମହାପୁରୁଷଙ୍କ ବାଣୀ – ଏକ ଛୋଟିଆ ପାହୁଣ୍ଡରୁ ହିଁ ବିରାଟ ଯାତ୍ରାର ଅୟମାରମ୍ଭ ଘଟିଥାଏ।
ବାସ୍, ବାପା-ପୁଅ ମିଶି ମସଲା ବେପାର ପାଇଁ ସ୍ଥିର କଲେ। ଓ.ଏସ୍.ଆଇ.ସି.ର ଏକ ଛୋଟିଆ ଭଡ଼ାଘରେ ଆରମ୍ଭ ହେଲା ମସଲା କମ୍ପାନୀ। ଛୋଟ ଘର ହେଲେ କ’ଣ ହେଲା? ବିଲ୍ ଗେଟ୍ସ୍ ତ ପୁଣି ନିଜ ବନ୍ଧୁଙ୍କ ସହ ମିଶି ଏକ ଅବ୍ୟବହୃତ ଗ୍ୟାରେଜରୁ ଆରମ୍ଭ କରୁଥିଲେ ‘ମାଇକ୍ରୋସଫ୍ଟ’ କର୍ପୋରେସନ। ଯେତେବେଳେ ଆତ୍ମବିଶ୍ୱାସ ବଢ଼ିଯାଏ, ଅର୍ଥ, ସ୍ଥାନ, କାଳ ଓ ପାତ୍ର ସମସ୍ତେ ଗୌଣ ହୋଇଯାଆନ୍ତି। ସଫଳତା ଆଡ଼କୁ ଦୃଢ଼ ପ୍ରତିଜ୍ଞ ମଣିଷଟିର ହାତ ଆପେ ଆପେ ଲମ୍ବିଯାଏ। ଠିକ୍ ତାହା ହିଁ ହୋଇଛି ଶରତ ସାହୁ ଓ ରୁଚି କମ୍ପାନୀ କ୍ଷେତ୍ରରେ। ନଚେତ୍, ମାତ୍ର ଚାରି ଦଶନ୍ଧିରୁ କମ୍ ଅବଧି ଭିତରେ ଜଣେ ନିମ୍ନମଧ୍ୟବିତ ଅନାମଧ୍ୟେୟ ଯୁବକ ଆଜି ଦେଶ ବିଦେଶରେ ଏକ ମସଲା କମ୍ପାନୀକୁ ସୁପ୍ରତିଷ୍ଠିତ କରିପାରି ନଥାନ୍ତେ। ସଂସାରର ସବୁ ବ୍ୟକ୍ତିଙ୍କ ପାଇଁ ସଫଳତାର ସୂତ୍ର ଭିନ୍ନ। ପୁଣି ତା’ର ପ୍ରୟୋଗବିଧି ନିଆରା। କୁହାଯାଏ ବ୍ୟବସାୟରେ ସଫଳ ହେବାକୁ ହେଲେ ଅସାଧୁପନ୍ଥା ଅବଲମ୍ବନ ଏକାନ୍ତ ଜରୁରୀ। ହୁଏତ ତାହା ସାମୟିକ ସଫଳତା ଆଣିପାରେ, କିନ୍ତୁ ସୁନାମ ଅର୍ଜନ କରି ଲୋକପ୍ରିୟତା ଲାଭ କରିବା ଏବଂ ସଫଳତା ପାଇବା ଦୁଇଟି ନିଆରା କଥା। ରୁଚି କମ୍ପାନୀ ଓଡ଼ିଶାରେ ଓଡ଼ିଶା ବାହାରେ, ଦେଶରେ ଓ ଦେଶ ବାହାରେ ଯଦି ଦଶନ୍ଧି ଦଶନ୍ଧି ଧରି ନିଜ ସୁନାମ ଓ ଲୋକପ୍ରିୟତାକୁ ଟେକ ରଖିପାରିଛି, ଏହା ପଛରେ ନିଶ୍ଚୟ ରହିଛି ଗୁଣବତା। କାରଣ, ଖାଦ୍ୟ ସାମଗ୍ରୀର ଗୁଣବତା ଊଣା ହେଲେ, ଉପଭୋକ୍ତା ଯେ ନିଜ ଆଡ଼ୁ ମୁହଁ ଫେରାଇ ନେବେ। ଏହା ଏକ ସାର୍ବଜନୀନ ଆପ୍ତବାକ୍ୟ ଓ ବହୁଧା ପ୍ରମାଣିତ ସତ୍ୟ। ଆଜିର ପ୍ରତିଦ୍ୱନ୍ଦ୍ୱିତାମୂଳକ ଦୁନିଆରେ ଖାଦ୍ୟ ପଦାର୍ଥର ଗୁଣାତ୍ମକ ମାନ ପାଇଁ ସମସ୍ତେ ବ୍ୟଗ୍ର। ଏଭଳି ପୃଷ୍ଠଭୂମିରେ ରୁଚି କମ୍ପାନୀର ଜୟଯାତ୍ରା ଓ ତା’ର ପ୍ରତିଷ୍ଠାତା ଶରତ ବାବୁଙ୍କ ସାଫଲ୍ୟ ଓଡ଼ିଶା ପାଇଁ ଗର୍ବର କଥା।
ପ୍ରବାଦ ଅଛି, ବେପାର ବଣିଜ ପାଇଁ ଓଡ଼ିଶା ଏକ ଟାଙ୍ଗରା ଭୂଇଁ। ଏଠି ମଧୁବାବୁ ଉତ୍କଳଟ୍ୟାନେରୀ କରି ଦେବାଳିଆ ହୋଇଛନ୍ତି ଓ ବିଜୁବାବୁ କଳିଙ୍ଗ ଟ୍ୟୁବ୍ସ କରି ଫେଲ୍ ମାରିଛନ୍ତି। ବାରଙ୍ଗ କାଚ କାରଖାନାଠାରୁ ଆରମ୍ଭ କରି ଓଟିଏମ୍, ତାଳଚେର ସାର କାରଖାନାରେ ତାଲା ଝୁଲିଚି। ଉଦ୍ଯୋଗହୀନତା ଓ ଅଳସୁଆମୀ ଓଡ଼ିଆଙ୍କ ଅସ୍ଥିମଜ୍ଜାଗତ। ରୁଚି ଉଦ୍ୟୋଗର ପ୍ରାଣ ପ୍ରତିଷ୍ଠାତା ଶରତ ସାହୁ କିନ୍ତୁ ଏହାକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି। ବ୍ୟକ୍ତି ଅନୁଷ୍ଠାନ ଗଢ଼େ। ଅନୁଷ୍ଠାନଟି ବ୍ୟକ୍ତିର ନିଷ୍ଠା ଓ କର୍ମଦକ୍ଷତା ଉପରେ ବଞ୍ଚି ରହେ। ବ୍ୟକ୍ତିର ପୁରୋଦୃଷ୍ଟି ଉପରେ ଅନୁଷ୍ଠାନର ଭବିଷ୍ୟତ ନିର୍ଭର କରେ। ହଁ, ଏକଥା ସତ ଯେ ମଣିଷର ରୁଚି ଅନୁସାରେ ତା’ର ଆବଶ୍ୟକତା ବଦଳେ। ସେଇ ଆବଶ୍ୟକତା ସହ ତାଳଦେଇ ପ୍ରତ୍ୟେକ ଅନୁଷ୍ଠାନ ନିଜକୁ ବଦଳାଇବା ଉଚିତ। ଯେମିତି ରୁଚି ମସଲା ବ୍ୟବସାୟରୁ ଆରମ୍ଭ କରି ଏବେ ବିଭିନ୍ନ ରେଞ୍ଜର ଭାରତୀୟ ଓ ଅଣ-ଭାରତୀୟ ସୁସ୍ୱାଦୁ ଖାଦ୍ୟ ବଜାରକୁ ଛାଡ଼ୁଛି। ବିଶ୍ୱବ୍ୟାପି ହଜାର ହଜାର ମଲ୍ଟି ନ୍ୟାସନାଲ କମ୍ପାନୀ ଏବେ ମୂଳ ବ୍ୟବସାୟ ଖାଦ୍ୟ ପଦାର୍ଥ – ଯଥା, ତଟକା ସବୁଜ ପନିପରିବା, ଜୈବିକ ପଦ୍ଧତିରେ ଉତ୍ପାଦିତ ଖାଦ୍ୟଶସ୍ୟ, ଚର୍ବି- ଶର୍କରା ରହିତ ସୁଷମ ଖାଦ୍ୟ ଆଦି ବ୍ୟବସାୟକୁ ଓହ୍ଲାଇଛନ୍ତି। କାରଣ ଦୁନିଆ ଦିନକୁ ଦିନ ଯେଉଁ ଦିଗରେ ମୁହାଁଇଚି, ସେଥିରେ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ମୂଳ ପ୍ରସଙ୍ଗ ହୋଇଛି। ଏ ଦୌଡ଼ରେ ‘ରୁଚି’ ବି ରହିଚି।
ବ୍ୟାବସାୟିକ ସଫଳତା, ସୁନାମ, ଲୋକପ୍ରିୟତା, ପ୍ରଶଂସା ଓ ପୁରସ୍କାର ସମ୍ମାନ ଲାଭ ଭିତରେ ରୁଚି କମ୍ପାନୀ ଯେଉଁ ଆଦର୍ଶଟି ରାଜ୍ୟବାସୀଙ୍କୁ ଦେଖାଇଛି, ତାହା ହେଲା ସାମାଜିକ ଦାୟିତ୍ୱବୋଧ। ରୁଚି, ବିଭିନ୍ନ ସାମାଜିକ – ସାଂସ୍କୃତିକ ପ୍ରଗତି କ୍ଷେତ୍ରରେ କାର୍ଯ୍ୟରତ। ନିଜର ରୁଚି ପ୍ରତିଭା ଫାଉଣ୍ଡେସନ୍ ମାଧ୍ୟମରେ ଏହା ବର୍ଷ ବର୍ଷ ଧରି କରିବା ଓ ବିଦ୍ୟାର୍ଥୀମାନଙ୍କଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ଏକ ନିଆରା ପରମ୍ପରା। ଏହା କମ୍ପାନୀର ପ୍ରତିଷ୍ଠାତାଙ୍କ ବଦାନ୍ୟତା ଓ ମହାନୁଭବତାର ପରିଚୟ। ଗୋଟିଏ ସଂସ୍ଥା ବା ଅନୁଷ୍ଠାନ ବ୍ୟାବସାୟିକ ସଫଳତା ଅର୍ଜନ କରିବା ହୁଏତ ଏହାର ପରିଚାଳନାଗତ ପାରଦର୍ଶିତାକୁ ସୂଚାଇ ପାରେ, କିନ୍ତୁ ଲୋକଙ୍କର ପ୍ରିୟଭାଜନ ହେବା ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ। ଏହି ସାଫଲ୍ୟର ଅଧିକାରୀ ରୁଚି। ଏହା ମିଳିଛି ଶରତ ସାହୁଙ୍କ ନିଷ୍ଠାରୁ। ଈଶ୍ୱର ଶରତଙ୍କୁ ଶତେକ ଶରତ ଉପଭୋଗର ସୁଯୋଗ ଦିଅନ୍ତୁ। ସେ ଏ ମାଟିକୁ ଆହୁରି ସାଫଲ୍ୟ ଦିଅନ୍ତୁ।
(ସୌଜନ୍ୟ:ଶରତ ଶତମ୍)