ଇଏଲ୍‌ଏସ୍‌ଏସ୍‌ (ଇକୁଇଟି ଲିଙ୍କ୍ଡ ସେଭିଙ୍ଗ ସ୍କିମ୍) ହେଉଛି ମ୍ୟୁଚୁଆଲ ଫଣ୍ଡର ଏକ ପ୍ରକାର ସ୍କିମ୍ ବା ଯୋଜନା। ତେବେ ଏହା ଅନ୍ୟ ସମସ୍ତ ସ୍କିମଗୁଡ଼ିକଠାରୁ ବହୁତ ଭିନ୍ନ। କାରଣ ଏହା ଏକପ୍ରକାର ଟିକସମୁକ୍ତ ଓ ନିବେଶକଙ୍କ ପାଇଁ ଅଧିକ ଲାଭଦାୟକ ଯୋଜନା।

ଧାରା ୮୦ସି ଅନୁଯାୟୀ ଏଥିରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ିନଥାଏ ଏବଂ ଏଥିରୁ ଅଧିକ ରିଟର୍ନ ବା ଲାଭ ମିଳିଥାଏ। ଅର୍ଥାତ ଯଦି ଆପଣ ଇଏଲଏସଏସର କୌଣସି ଫଣ୍ଡରେ ନିବେଶ କରିବେ ତେବେ ୧.୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉପରେ ଟିକସ ଦେବାରୁ ମୁକ୍ତି ପାଇପାରିବେ। ଏହି ସୁବିଧା ଅନ୍ୟ କୌଣସି ସ୍କିମରେ ମିଳି ନ ଥାଏ। ସେହିପରି ଏଥିରେ ୩ବର୍ଷ ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ସ୍ଥାୟୀ ଭାବେ ଅର୍ଥ ରଖିବାକୁ ପଡିଥାଏ, ଏହା ପୂର୍ବରୁ ଆପଣ ପୁଞ୍ଜି ପ୍ରତ୍ୟାହାର କରିପାରିବେ ନାହିଁ।

money

ଅନ୍ୟ ସ୍କିମଗୁଡିକରେ ଏହି ସମୟସୀମା ୫ବର୍ଷ କିମ୍ବା ତା’ଠାରୁ ଅଧିକ ରହିଥାଏ। ଫଳରେ ଅନ୍ୟ ସମସ୍ତ ସ୍କିମଗୁଡିକଠାରୁ ଏହା ଯଥେଷ୍ଟ ଭଲ। ସେହିପରି ଏଥିରେ ଟିକସ ବଞ୍ଚିପାରୁଥିବାରୁ ନିବେଶକଙ୍କ ପାଇଁ ଅଧିକ ଉପଯୋଗୀ ହୋଇଥାଏ। ମନେକର ଯଦି ଆପଣଙ୍କ ବାର୍ଷିକ ଆୟ ୮.୫ ଲକ୍ଷ ଏବଂ ଆପଣ ସେଥିରୁ ୧.୫ ଲକ୍ଷ ଟଙ୍କା ଇଏଲଏସଏସରେ ନିବେଶ କରିଛନ୍ତି, ତେବେ ଆପଣଙ୍କୁ ୮.୫ ଲକ୍ଷ ପରିବର୍ତ୍ତେ କେବଳ ୭ଲକ୍ଷ ଟଙ୍କା ଉପରେ ଆୟକର ଦେବାକୁ ପଡ଼ିବ।  ଅବଶିଷ୍ଟ ୧.୫ ଲକ୍ଷ ଟଙ୍କା ଉପରେ ଟିକସ ଦେବାକୁ ପଡ଼ିବ ନାହିଁ।

କିପରି କରିବେ ନିବେଶ

ଯଦି ଆପଣଙ୍କର ଅନଲାଇନରେ ଟ୍ରେଡିଂ ଆକାଉଣ୍ଟ ଅଛି, ତେବେ ଆପଣ ଇଏଲଏସଏସରେ ନିବେଶ କରିପାରିବେ।

ଯଦି ଆପଣଙ୍କର ଅନଲାଇନରେ ଟ୍ରେଡିଂ ଆକାଉଣ୍ଟ ନାହିଁ ଏବଂ ଆପଣ ଅଫଲାଇନରେ କରିବାକୁ ଚାହୁଁଛନ୍ତି, ତେବେ ଇଏଲଏସଏସ ଫଣ୍ଡ ଅଫିସକୁ ଯାଇ ଫର୍ମ ମାଧ୍ୟମରେ ଆବେଦନ କରିପାରିବେ। ନଚେତ ଇଏଲଏସଏସର ଡିଷ୍ଟ୍ରିବ୍ୟୁଟର ବା ବ୍ରୋକରଙ୍କ ପାଖରେ ଫର୍ମ ପୂରଣ କରିପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ, ଯଦି ଆପଣ ଇଏଲଏସଏସ ଅଫିସକୁ ଯାଇ ଫର୍ମ ପୂରଣ କରୁଛନ୍ତି, ତେବେ ଆପଣଙ୍କୁ କୌଣସି ପ୍ରକାର ଦେୟ ଦେବାକୁ ପଡ଼ିବ ନାହିଁ। ମାତ୍ର ଯଦି ଆପଣ ଡିଷ୍ଟ୍ରିବ୍ୟୁଟରଙ୍କ ପାଖରେ ଫର୍ମ ପୂରଣ କରୁଛନ୍ତି, ତେବେ ଏଥିପାଇଁ ସେ ଆପଣଙ୍କଠାରୁ ଦେୟ ନେଇପାରନ୍ତି।

ଇଏଲଏସଏସରେ ଆପଣ ଅତିକମରେ ୫୦୦ ଟଙ୍କାରୁ ନିବେଶ ଆରମ୍ଭ କରିପାରିବେ।

ELSS
 ରହିଛି ଇଏଲଏସଏସର ଫାଇଦା

ଇଏଲଏସଏସରେ ପୁଞ୍ଜି ନିବେଶ କଲେ ଆପଣ ନିମ୍ନଲିଖିତ ଫାଇଦା ପାଇପାରିବେ।

ଟିକସରୁ ମୁକ୍ତି : ଆପଣ ଯଦି ଇଏଲଏସଏସରେ ନିବେଶ କରିବେ, ତେବେ ଧାରା ୮୦ସି ଅନୁଯାୟୀ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସରୁ ମୁକ୍ତି ପାଇପାରିବେ। ଯାହାକି ଏହି ଯୋଜନାର ସବୁଠାରୁ ବଡ଼ ଫାଇଦା।

 ବର୍ଷର ଅବଧି : ମ୍ୟୁଚୁଆଲ ଫଣ୍ଡର ଅନ୍ୟ ଯୋଜନାଗୁଡ଼ିକରେ ମ୍ୟାଚୁରିଟି ସମୟ ବା ପୂର୍ଣ୍ଣତା ଅବଧି ୫ବର୍ଷ କିମ୍ବା ତାଠାରୁ ଅଧିକ ଥିବାବେଳେ ଇଏଲଏସଏସରେ ତାହା ୩ବର୍ଷ ରହିଛି। ତେଣୁ ନିବେଶକମାନେ ମାତ୍ର ୩ବର୍ଷରେ ନିଜ ଅର୍ଥ ଲାଭ ସହିତ ଫେରିପାଇବେ।

ଫଣ୍ଡ ପରିଚାଳନା ସୁବିଧା : ଯେହେତୁ ମ୍ୟୁଚୁଆଲ ଫଣ୍ଡ ଅର୍ଥ ଷ୍ଟକ ବଜାରରେ ନିବେଶ ହୋଇଥାଏ, ତେଣୁ ଏହି ଫଣ୍ଡ ପରିଚାଳନା ପାଇଁ ଜଣେ ଦକ୍ଷ ଓ ଅଭିଜ୍ଞ ଫଣ୍ଡ ପରିଚାଳକ ରହିଥାନ୍ତି। ଇଏଲଏସଏସ ମାଧ୍ୟମରେ ଆପଣ ନିବେଶ କଲେ ମ୍ୟାଚୁରିଟି ସମୟ ୩ବର୍ଷ ରହୁଥିବାରୁ ସମ୍ପୃକ୍ତ ଫଣ୍ଡ ପରିଚାଳକ ନିର୍ଭୟରେ ଫଣ୍ଡ ପରିଚାଳନା କରିଥାନ୍ତି। ଅର୍ଥାତ୍ ୩ବର୍ଷ ପୂର୍ବରୁ ଆପଣ ପୁଞ୍ଜି ପ୍ରତ୍ୟାହାର କରିନେବାର ଭୟ ନ ଥାଏ। ତେଣୁ ସମ୍ପୃକ୍ତ ପରିଚାଳକ ଠିକ୍ ଭାବେ ନିବେଶ କରିପାରିଥାନ୍ତି।

income tax

ଅଧିକ ଲାଭ: ଯଦି ଆପଣ ଫିକ୍ସ ଡିପୋଜିଟ୍ କିମ୍ବା ଅନ୍ୟ କୌଣସି ସୂତ୍ରରେ ନିବେଶ କରୁଛନ୍ତି, ତେବେ ଆପଣ ଯେତିକି ଲାଭ ପାଇବେ ତା’ଠାରୁ ଯଥେଷ୍ଟ ଅଧିକ ଲାଭ ଇଏଲଏସଏସରେ ପାଇପାରିବେ। ଫିକ୍ସ ଡିପୋଜିଟ୍, ପିପିଏଫ(ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ), ଏନଏସସି( ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ) ଏବଂ ଏନପିଏସ୍ (ନ୍ୟାଶନାଲ ପେନସନ ସିଷ୍ଟମ) ଆଦିରେ ଆପଣ ୬ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଲାଭାଂଶ ପାଉଥିବାବେଳେ ଇଏଲଏସଏସରେ ଆପଣ ୧୫ରୁ ୨୦ ପ୍ରତିଶତ ଲାଭ ପାଇପାରିବେ।

ଟିକସ ମୁକ୍ତ ଲାଭାଂଶ: ଇଏଲଏସଏସରେ ଆପଣଙ୍କ ଲାଭାଂଶ ଟିକସମୁକ୍ତ ରହିଥାଏ।

ଟିକସ ମୁକ୍ତ ପୁଞ୍ଜି : ଇଏଲଏସଏସରେ ପୁଞ୍ଜି ନିବେଶ ଏକ ପ୍ରକାର ଲଙ୍ଗ ଟର୍ମ ନିବେଶ ହୋଇଥାଏ। ତେଣୁ ୩ବର୍ଷ ପରେ ଆପଣ ପୁଞ୍ଜି ଫେରିପାଇବାବେଳେ କୌଣସି ଟିକସ ଦେବାକୁ ପଡେନାହିଁ।

ଇଏଲଏସଏସରେ ଅସୁବିଧା ଣ?

  • ଇଏଲଏସଏସ ଯଦିଓ ଏକ ଲାଭଦାୟକ ପୁଞ୍ଜି ନିବେଶ ଯୋଜନା, ତେବେ ଏଥିରେ ମଧ୍ୟ କେତେକ ଅସୁବିଧା ରହିଛି।
  • ଇଏଲଏସଏସରେ ମ୍ୟାଚ୍ୟୁରିଟି ସମୟ ୩ବର୍ଷ ରହିଥିବାରୁ ଆବଶ୍ୟକ ଥିଲେ ମଧ୍ୟ ଆପଣ ଏହି ସମୟ ପୂର୍ବରୁ ପୁଞ୍ଜି ପ୍ରତ୍ୟାହାର କରିପାରିବେ ନାହିଁ। ସେହିପରି ଇଏଲଏସଏସରେ ପୁଞ୍ଜି ନିବେଶ କଲେ ଆପଣଙ୍କୁ ଋଣ ମିଳିବାରେ ଅସୁବିଧା ହୋଇଥାଏ।
  • ସେୟାର ବଜାର ବା ଷ୍ଟକ ବଜାରରେ ଆପଣଙ୍କ ଅର୍ଥ ନିବେଶ ହେଉଥିବାରୁ ଏଥିରେ ରିସ୍କ ମଧ୍ୟ ରହିଛି।
  • ଜରୁରୀ ପରିସ୍ଥିତିରେ ମଧ୍ୟ ଆପଣ ୩ବର୍ଷ ପୂର୍ବରୁ ପୁଞ୍ଜି ପ୍ରତ୍ୟାହାର କରିପାରିବେ ନାହିଁ। ଏହା ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ।