ଦରମାରୁ ଜାଣନ୍ତୁ ନୂଆରେ କେତେ ଦେବେ, ପୁରୁଣାରେ କେତେ ଦେବେ।

ନୂଆ ଟ୍ୟାକ୍ସ ପ୍ଲାନ୍ ସେମାନଙ୍କ ପାଇଁ ଲାଭକାରୀ ଯେଉଁମାନେ କୌଣସି ପ୍ରକାରର କର ସଞ୍ଚୟକାରୀ ପ୍ଲାନରେ ନିବେଶ କରି ନାହାନ୍ତି। ସରକାର ଚାହାନ୍ତି ଯେ, ଆୟକର ବ୍ୟବସ୍ଥାର ସରଳୀକରଣ ହେଉ। ଯେଉଁମାନେ କୌଣସି ପ୍ରକାରର ନିବେଶ କରି ନାହାନ୍ତି ସେମାନଙ୍କୁ ମଧ୍ୟ ଫାଇଦା ମିଳୁ।

ବିଶେଷଜ୍ଞଙ୍କ ଅନୁସାରେ ନୂଆ ସ୍ଲାବ ଏଭଳି ଚାକିରିଆଙ୍କ ପାଇଁ ଲାଭ ଜନକ ନୁହେଁ ଯେଉଁମାନେ ପିଏଫ୍, ହୋମ୍ ଲୋନ୍ ଆଦିରେ ନିବେଶ କରନ୍ତି। ସରକାର ଟ୍ୟାକ୍ସ ବ୍ୟବସ୍ଥାର ସରଳୀକରଣ କରିବାକୁ ଚାହାନ୍ତି। ବିଭିନ୍ନ ପ୍ରକାରର ରିହାତି ଦେବାର ଜଟିଳତା ଦୂର କରିବା ମଧ୍ୟ ସରକାରଙ୍କ ଲକ୍ଷ୍ୟ। ଆଗକୁ ଏମିତି ସିଷ୍ଟମ ଆସିବ, ଯେଉଁଥିରେ ଟ୍ୟାକ୍ସ ରେଟ୍ କମ ରହିବ ଓ ଆୟକର ରିହାତି ପାଇଁ ବିଭିନ୍ନ ପ୍ରକାରର ନିବେଶକୁ ମଧ୍ୟ ଦେଖାଇବାର ଅଡୁଆ ରହିବ ନାହିଁ। ଏହା ସେହି ନୂଆ ପ୍ରଫେସନାଲଙ୍କୁ ଫାଇଦା ମିଳିବ, ଯେଉଁମାନେ ଭଲ ଦରମ ପାଆନ୍ତି କିନ୍ତୁ ନିବେଶ କରନ୍ତି ନାହିଁ। ଏଭଳି ଲୋକଙ୍କ ଆୟରୁ ଅଧିକା ଟ୍ୟାକ୍ସ କଟିଥାଏ।  କଣ ପାଇଁ ହେବ କ୍ଷତି?

ପ୍ରକୃତରେ ଅଧିକାଂଶ ଚାକିରିଆ  ପିଏଫ୍, ଏଲଟିଏ, ହୋମ ଲୋନ୍, ଜୀବନ ବୀମା ଆଦିରେ ଅଧିକ ନିବେଶ କରିଥାନ୍ତି। ସେମାନଙ୍କ ଆୟର ବଡ଼ ଭାଗ ବାର୍ଷିକ ଏହି ନିବେଶକୁ ଯାଇଥାଏ। ତେଣୁ ସ୍ୱଭାବିକ ଭାବେ ଏଭଳି ଲୋକ ନୂଆ ଟ୍ୟାକ୍ସ ସ୍ଲାବ ଭିତରକୁ ଯିବାକୁ ଚାହିଁବେ ନାହିଁ। ତେଣୁ ନିବେଶ ବଦଳରେ ମିଳୁଥିବା ରିହାତିର ଫାଇଦା ଉଠାଇବାକୁ ପୁରୁଣା ଟ୍ୟାକ୍ସ ସ୍ଲାବରେ ରହିବେ।

ଟ୍ୟାକ୍ସ ବିଶେଷଜ୍ଞଙ୍କ କହିବା ହେଉଛି,  କୌଣସି ବ୍ୟକ୍ତିଙ୍କୁ ନୂଆ ବ୍ୟବସ୍ଥାରେ ଟ୍ୟାକ୍ସ ଡିଡକ୍ସନ ଓ ରିହାତି ଛାଡ଼ିବାରୁ କେତେ ଫାଇଦା ହେଉଛି ଜାଣିବାକୁ ଏକ୍ସପର୍ଟଙ୍କ ସାହାଯ୍ୟ ନେବାକୁ ପଡ଼ିବ।

ଏବେ ଆସନ୍ତୁ ଜାଣିବା ଅଲଗା ଅଲଗା ଦରମା ହିସାବରେ ଜଣେ ବ୍ୟକ୍ତିଙ୍କୁ ନୂଆ ଓ ପୁରୁଣା ଟ୍ୟାକ୍ସ ସ୍ଲାବ୍ ଆପଣାଇଲେ ଲାଭ ହେବ କି କ୍ଷତି?

ଯଦି ଜଣଙ୍କ ଦରମା ୧୦ ଲକ୍ଷ ଟଙ୍କା

ପୁରୁଣା ଟ୍ୟାକ୍ସ ସ୍ଲାବ୍

ଯଦି ଏଭଳି  ବ୍ୟକ୍ତି କୌଣସି ପ୍ରକାରର ନିବେଶ କରନ୍ତି ନାହିଁ ତେବେ ତାଙ୍କୁ ପୁରୁଣା ସ୍ଲାବ୍ ହିସାବରେ ମୋଟ ୧,୧୨,୫୦୦ ଟଙ୍କାର ଟ୍ୟାକ୍ସ ଦେବାକୁ ପଡ଼ିବ। କିନ୍ତୁ ଯଦି ସେଥିରୁ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ କମ କରି ଦିଆଯିବ, ଓ ସେ ୮୦-ସି ଅନ୍ତର୍ଗତରେ ୧.୫୦ ଲକ୍ଷ ଟଙ୍କା, ମେଡିକ୍ଲେମ୍ ଅନ୍ତର୍ଗତରେ ୨୫ ହଜାର ଟଙ୍କା ଓ ହୋମ୍ ଲୋନ୍ ଉପରେ ବର୍ଷକୁ ୨ ଲକ୍ଷ ଟଙ୍କା ସୁଧ ଦିଅନ୍ତି ତେବେ ତାଙ୍କ ଟ୍ୟାକ୍ସ କମିକରି ମାତ୍ର ୨୭,୫୦୦ ଟଙ୍କା ହୋଇଯିବ।

ନୂଆ ଟ୍ୟାକ୍ସ ସ୍ଲାବ

ନୂଆ ସ୍ଲାବ ହିସାବରେ ୧୦ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ମାତ୍ର ୭୫,୦୦୦ ଟଙ୍କା କର ଦେବାକୁ ପଡ଼ିବ । ଏହି ହିସାବରେ ନୂଆ ଟ୍ୟାକ୍ସ ସ୍ଲାବ ପାଇଁ ତାଙ୍କୁ ଅଧିକ ୪୭ ହଜାର ୫୦୦ ଟଙ୍କା ଆୟକର ଦେବାକୁ ପଡ଼ିବ। ପୁରୁଣା ଟ୍ୟାକ୍ସ ସ୍ଲାବ୍ ହିସାବରେ ବିଭିନ୍ନ ରିହାତି ନେଲେ ତାଙ୍କୁ ମାତ୍ର ୨୭,୫୦୦ ଟଙ୍କା ଆୟକର ଦେବାକୁ ପଡ଼ିବ କିନ୍ତୁ ନୂଆରେ ୭୫,୫୦୦ ଟଙ୍କା।

ଯଦି ବାର୍ଷିକ ଦରମା ୧୨.୫ ଲକ୍ଷ ଟଙ୍କା

ପୁରୁଣା ଟ୍ୟାକ୍ସ ସ୍ଲାବ୍

ପୁରୁଣା ଟ୍ୟାକ୍ସ ସ୍ଲାବ ହିସାବରେ ଯଦି ଆମେ ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ଯୋଡ଼ିବା ନାହିଁ ଓ ଧରି ନେବା ଯେ, ଏହି ବ୍ୟକ୍ତି କୌଣସି ପ୍ରକାରର ନିବେଶ କରି ନାହାନ୍ତି ତେବେ ତାଙ୍କୁ ୧୮୭,୫୦୦ ଟଙ୍କା ଆୟକର ଭାବେ ଦେବାକୁ ପଡ଼ିବ। କିନ୍ତୁ ଯଦି ଏଥିରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କା, ୮୦-ସି ଅନ୍ତର୍ଗତେର ୧.୫ ଲକ୍ଷ ଟଙ୍କାର ଛାଡ଼, ମେଡିକ୍ଲେମ୍ ଛାଡ଼ ୨୫ ହଜାର ଟଙ୍କା ଓ ହୋମ୍ ଲୋନ୍ ଉପରେ ବାର୍ଷିକ ୨ ଲକ୍ଷ ଟଙ୍କାର ସୁଧ ଦେଇଛନ୍ତି ତେବେ ଟ୍ୟାକ୍ସ ୧,୮୭,୦୦୦ ଟଙ୍କାରୁ କମି କରି ହୋଇଯିବ ୭୭,୫୦୦ ଟଙ୍କା ।

ନୂଆ ଟ୍ୟାକ୍ସ ସ୍ଲାବ୍

ନୂଆ ଟ୍ୟାକ୍ସ ସ୍ଲାବ୍ ବାଛିଲେ ୧୨ ଲକ୍ଷ ବାର୍ଷିକ ଆୟ କରୁଥିବା ବ୍ୟକ୍ତିଙ୍କୁ ୧,୨୫,୦୦୦ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିବ। ଯେହେତୁ ସେ ସବୁ ଛାଡକୁ ଛାଡି ଦେଇଛନ୍ତି ତେଣୁ ରିହାତି ପାଇବେ ନାହିଁ। ଏମିତିରେ ତାଙ୍କୁ ୪୭,୫୦୦ ଟଙ୍କାର କ୍ଷତି ସହିବାକୁ ପଡ଼ିବ।