ହିସାବ କହୁଛି ଯେ ଆୟକର ନିୟମ ଅନୁଯାୟୀ ବିଭିନ୍ନ କର ରିହାତି ପାଉଥିବା ବ୍ୟକ୍ତିଙ୍କ ପାଇଁ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ହିଁ ଲାଭକାରୀ। ତେବେ ନୂଆ ବ୍ୟବସ୍ଥା କାହା ପାଇଁ ଦେବ ଫାଇଦା?

ଆୟକରର ନୂଆ ଟ୍ୟାକ୍ସ ସ୍ଲାବ୍‌କୁ ନେଇ ସାରା ଦେଶରେ ଚାଲିଛି ହିସାବ କିତାବ। ବିଶେଷଜ୍ଞଙ୍କ ପ୍ରଥମ ପରାମର୍ଶ ହେଉଛି ଯେ, ଯଦି ଆପଣଙ୍କ ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ ଏବଂ ସର୍ବନିମ୍ନ ଧାରା ୮୦ ସି’ରେ ୧.୫ ଲକ୍ଷ, ୮୦ଡି’ରେ ୨୫ ହଜାର ଟଙ୍କାର ରିହାତି ସହିତ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ କ୍ଲେମ୍ କରୁଛନ୍ତି, ତେବେ ଆପଣଙ୍କୁ ନୂଆ ବ୍ୟବସ୍ଥାରେ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିବ।

ଆସନ୍ତୁ କିଛି ଉଦାହରଣ ଦେଇ କଥାଟା ବୁଝିବାକୁ ଚେଷ୍ଟା କରିବା।

ଅଧିକ ଆୟ ବର୍ଗ ଅଧିକ ରିହାତି ନୂଆ ବ୍ୟବସ୍ଥା ଅଧିକ ଆୟକର
ଅଧିକ ଆୟ ବର୍ଗ ଅଧିକ ରିହାତି ପୁରୁଣା ବ୍ୟବସ୍ଥା କମ ଆୟକର
ଅଧିକ ଆୟ ବର୍ଗ କୌଣସି ରିହାତି ନାହିଁ ନୂଆ ବ୍ୟବସ୍ଥା କମ ଆୟକର
ଅଧିକ ଆୟ ବର୍ଗ କୌଣସି ରିହାତି ନାହିଁ ପୁରୁଣା ବ୍ୟବସ୍ଥା ଅଧିକ ଆୟକର

 

ଉଦାହରଣ : ଜଣେ ବେତନଭୋଗୀ ଯିଏ ଟ୍ୟାକ୍ସ ଛା କିମ୍ବା  ଡିଡକ୍ସନ୍ କ୍ଲେମ୍ କରନ୍ତି ନାହିଁ

ଧରି ନିଅନ୍ତୁ ଆପଣ ବର୍ତ୍ତମାନର ଟ୍ୟାକ୍ସ ବ୍ୟବସ୍ଥାରେ କୌଣସି ଛାଡ଼ କିମ୍ବା ଡିଡକ୍ସନ୍ କ୍ଲେମ କରନ୍ତି ନାହିଁ। ଆପଣଙ୍କ ମୋଟ ଦରମା ବାବଦ ବାର୍ଷିକ ଆୟ ହେଉଛି ୭.୫ ଲକ୍ଷ ଟଙ୍କା।

ଯଦି ଆପଣ ନୂଆ ଟ୍ୟାକ୍ସ ବ୍ୟବସ୍ଥାକୁ ଆପଣାନ୍ତି, ତେବେ ଆପଣଙ୍କୁ ୧୫ ହଜାର ୬୦୦ ଟଙ୍କାର ଲାଭ ହେବ। ସେହିପରି ୧୦ ଲକ୍ଷ ଟଙ୍କା ଉପରେ ଏହି ସଞ୍ଚୟ ହେବ ୨୮,୬୦୦ ଟଙ୍କା, ୧୨ ଲକ୍ଷ ଟଙ୍କା ଉପରେ ଏହା ହେବ ୪୯,୪୦୦ ଟଙ୍କା। ୧୫ ଲକ୍ଷ କିମ୍ବା ତା’ଠାରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଲାଭ ହେବ ୬୨,୪୦୦ ଟଙ୍କା।

ତେଣୁ ବିଶେଷଜ୍ଞଙ୍କ କହିବା ହେଲା, ଟ୍ୟାକ୍ସ ରିହାତି ବ୍ୟବହାର କରୁଥିବା ବେତନଭୋଗୀ ଆୟକରଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା ଅପେକ୍ଷା ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥା(ଓଲ୍‌ଡ ରେଜିମ୍‌) ହି ଶ୍ରେଷ୍ଠ।

ଉଦାହରଣ : ଜଣେ ବେତନଭୋଗୀ ଯିଏ ଅଧିକାଂଶ ଟ୍ୟାକ୍ସ ଛା ଓ ଡିଡକ୍ସନ କ୍ଲେମ୍ କରନ୍ତି

ଧରନ୍ତୁ ଆପଣ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଆୟକର ହିସାବ ବେଳେ ଟ୍ୟାକ୍ସ ଛାଡ଼ର ଲାଭ ଉଠାଉଛନ୍ତି। ଆପଣଙ୍କ ବାର୍ଷିକ ଦରମା ୭.୫ ଲକ୍ଷ ଟଙ୍କା।

ଆପଣ ଷ୍ଟାଣ୍ଡାର୍ଡ ଡିଡକ୍ସନରେ ୫୦ ହଜାର, ୮୦ ସି’ରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ୮୦ ଡି’ରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼ର ଫାଇଦା ଉଠାନ୍ତି।

ଆପଣ ଯଦି ନୂଆ କର ବ୍ୟବସ୍ଥାକୁ ବାଛିବେ, ତେବେ ଆପଣଙ୍କୁ ଅଧିକ ୨୦ ହଜାର ୮୦୦ ଟଙ୍କା ଦେବାକୁ ପଡ଼ିବ।

ସେହିପରି ଯଦି ଆପଣଙ୍କ ବାର୍ଷିକ ଦରମା ୧୦ ଲକ୍ଷ ଟଙ୍କା, ତେବେ ଆପଣଙ୍କ ଆୟକର ପରିମାଣ ଅଧିକ ୭ ହଜାର ୮୦୦ ଟଙ୍କା ହେବ। ୧୨ ଲକ୍ଷ ଆୟ ହେଲେ ଅଧିକ ୫,୨୦୦ ଟଙ୍କା ଟ୍ୟାକ୍ସ ପଡ଼ିବ।

କିନ୍ତୁ ଆପଣଙ୍କ ମୋଟ ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କା ହୋଇଥିଲେ, ଆପଣ ପୁରୁଣା କର ହିସାବ ତୁଳନାରେ ୭ ହଜାର ୮୦୦ ଟଙ୍କା ଟ୍ୟାକ୍ସ ବଞ୍ଚାଇ ପାରିବେ।

ତେଣୁ ଟ୍ୟାକ୍ସର ନୂଆ ବ୍ୟବସ୍ଥାରେ ବାର୍ଷିକ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତି ଟ୍ୟାକ୍ସ ବଞ୍ଚାଇବାର ସମ୍ଭାବନା ରହିଛି।

ଉଦାହରଣ-: ଏଭଳି ବେତନଭୋଗୀ ଯେଉଁମାନେ ଅଧିକାଂଶ କର ଛାଡ ଓ ଡିଡକ୍ସନ କ୍ଲେମ୍ କରନ୍ତି 

ଧରନ୍ତୁ କୌଣସି କରଦାତା ସବୁ ପ୍ରକାର ଟ୍ୟାକ୍ସ ଛାଡ଼ର ଫାଇଦା ଉଠାନ୍ତି ଏବଂ ତାଙ୍କ ବାର୍ଷିକ ଆୟ ୭.୫ ଲକ୍ଷ ଟଙ୍କା। ସେ ଏଚ୍‌ଆରଏ ରିହାତି ବାବଦରେ ୧.୫ ଲକ୍ଷ ଟଙ୍କା ଛାଡ଼ ଦାବି କରନ୍ତି। ଏଭଳି କ୍ଷେତ୍ରରେ ଯଦି ସେ ନୂଆ ଟ୍ୟାକ୍ସ ବ୍ୟବସ୍ଥାକୁ ବାଛନ୍ତି  ତେବେ ତାଙ୍କୁ ଅଧିକ ୩୯ ହଜାର ଟଙ୍କା କର ଭାବେ ଦେବାକୁ ପଡ଼ିବ। ଯଦି କରଦାତାଙ୍କର ବାର୍ଷିକ ୧୦ ଲକ୍ଷ ଟଙ୍କା ତେବେ ତାଙ୍କୁ ଅତିରିକ୍ତ ଟ୍ୟାକ୍ସ ଭାବେ ୪୯,୪୦୦ ଟଙ୍କା ଦେବାକୁ ପଡ଼ିବ।

ଧରନ୍ତୁ ବ୍ୟକ୍ତିଙ୍କ ଆୟ ବାର୍ଷିକ ୧୨.୫ ଲକ୍ଷ ଟଙ୍କା ଏବଂ ସେ ଏଚ୍‌ଆରଏ ରିହାତି ବାବଦରେ ୨.୫ ଲକ୍ଷ ଟଙ୍କା କ୍ଲେମ୍‌ କରୁଛନ୍ତି। ତେବେ ତାଙ୍କୁ ଅତିରିକ୍ତ ୫୯,୮୦୦ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିବ। ସେହିପରି ଯଦି ତାଙ୍କର ଆୟ ୧୫ ଲକ୍ଷରୁ ଅଧିକ ଏବଂ ସେ ୩ ଲକ୍ଷ ଟଙ୍କାର ଏଚ୍‌ଆରଏ କ୍ଲେମ୍ କରନ୍ତି ତେବେ ତାଙ୍କୁ ଦେବାକୁ ପଡ଼ିବ ଅଧିକ ୮୩,୨୦୦ ଟଙ୍କା।

ତେଣୁ ପୁରୁଣା ହେଉ କି ନୂଆ ଆୟକର ବ୍ୟବସ୍ଥା, ଆପଣଙ୍କୁ କେତେ ଟଙ୍କାର କର ଦେବାକୁ ପଡ଼ିବ ତାହା ନିର୍ଭର କରେ, ଆପଣ କେଉଁ କେଉଁ ଧାରାରେ କେତେ ରିହାତି ନେଉଛନ୍ତି।