ଅନଲାଇନରେ ପୁରୁଣା ଇନ୍-ଅପରେଟିଭ୍ ପିଏଫ୍ ଆକାଉଣ୍ଟକୁ ଟ୍ରେସ୍‌ କରି ନିଜ ପଇସା ଟ୍ରାନ୍‌ସଫର କରିବା ସହଜ ନହେଲେ ବି ଅସମ୍ଭବ ନୁହେଁ।

ଏହା ଆପଣଙ୍କ ସହ ମଧ୍ୟ ହୋଇଥିବ। କାରଣ ଏମିତି ଅନେକ ସମୟରେ ହୁଏ ଯେ, ଆମେ ଅଲଗା ଅଲଗା କମ୍ପାନିରେ କାମ କରିବା ବେଳେ ଆମ ନାମରେ ଅଲଗା ପିଏଫ୍ ଆକାଉଣ୍ଟରେ ଟଙ୍କା ଜମା ହୋଇଥାଏ। ତେଣୁ ଚାକିରି ଓ କମ୍ପାନି ବଦଳିବା ସହ ଆମ ପୁରୁଣା ପିଏଫ୍ ଆକାଉଣ୍ଟ୍ ଇନ୍‌-ଅପରେଟିଭ୍ ହୋଇଯାଏ। କିଛି ଲୋକ ମଧ୍ୟ ଚାକିରି କାଳରେ ବିଦେଶ ଚାଲିଯାନ୍ତି ଓ ସେଠାରେ ରହିଯାନ୍ତି, ଏମିତି ପରିସ୍ଥିତିରେ ସେମାନଙ୍କ ପୁରୁଣା ପିଏଫ୍ ଆକାଉଣ୍ଟ୍ ଇନ-ଅପରେଟିଭ୍ ହୋଇଯାଏ। ଯଦି ଆପଣଙ୍କ ସହ ଏମିତି ହୋଇଛି ତେବେ କ’ଣ କରିବେ?

ଘରେ ବସି କରିପାରିବେ ଟ୍ରେସ୍

ଇନ୍-ଅପରେଟିଭ୍ ଆକାଉଣ୍ଟକୁ ଆପଣ ଘରେ ବସି ଟ୍ରାକ୍ କରିବା ଟିକେ କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ। ଘରେ ବସି ଅନଲାଇନ୍ ଜରିଆରେ ଏହି କାମ କରିହେବ। ଥରୁଟିଏ ଇନ୍-ଅପରେଟିଭ୍ ଆକାଉଣ୍ଟ୍ ଟ୍ରେସ୍ ହେବା ପରେ ଏଥିରେ ଜମା ଥିବା ରାଶିକୁ ଟ୍ରାନ୍‌ସଫର କରାଯାଇ ପାରିବ କିମ୍ବା ଟଙ୍କା ଉଠା ଯାଇପାରିବ।

ଇନ୍ଅପରେଟିଭ୍ ଆକାଉଣ୍ଟ୍ କ’ଣ?

ଯଦି କୌଣସି ଆକାଉଣ୍ଟରେ ତିନି ବର୍ଷ (୩୬ ମାସ) ପର୍ଯ୍ୟନ୍ତ କିଛି ମଧ୍ୟ ଜମା ହୁଏନା ତେବେ ତାହା ଇନ୍ ଅପରେଟିଭ୍ ଆକାଉଣ୍ଟ ଭାବେ ପରିଗଣିତ ହୋଇଥାଏ। ୧ ଏପ୍ରିଲ ୨୦୧୧ ପରଠାରୁ ସରକାର ଏଭଳି ଆକାଉଣ୍ଟରେ ଥିବା ଜମା ରାଶି ଉପରେ ସୁଧ ଦେବା ବନ୍ଦ କରି ଦେଇଛନ୍ତି। ଏକ ହିସାବ ଅନୁସାରେ ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ଏଭଳି ଇନ-ଅପରେଟିଭ୍ ଆକାଉଣ୍ଟରେ ୨୭ ହଜାର କୋଟି ଟଙ୍କା ଜମା ରହିଛି।

ନିୟମ ଅନୁସାରେ ଇନ୍-ଅପରେଟିଭ୍ ଆକାଉଣ୍ଟରେ ଜମା ଥିବା ରାଶି ଉପରେ ଯଦି ୭ ବର୍ଷ ପର୍ଯ୍ୟନ୍ତ କେହି କ୍ଲେମ୍ କରନ୍ତି ନାହିଁ ତେବେ ସେହି ରାଶିକୁ ସରକାର ସିନିୟର ସିଟିଜେନ୍ ୱେଲଫେୟାର ଫଣ୍ଡ୍‌ରେ ଜମା କରିଦିଅନ୍ତି।

କେମିତି ଟ୍ରେସ୍ କରିବେ ଆକାଉଣ୍ଟ୍ ?

ପ୍ରଥମେ ପିଏଫ୍ ୱେବସାଇଟ୍ www.epfindia.gov.inକୁ ଯାନ୍ତୁ। ସେଠାରେ ଇନ୍-ଅପରେଟିଭ୍ ଆକାଉଣ୍ଟ୍ ହେଲ୍‌ପ ଡେସ୍କ ଅପସନକୁ ବାଛନ୍ତୁ। ଅଭିଯୋଗ ବକ୍ସରେ ନିଜ ସମସ୍ୟା ସଂପର୍କରେ ପୁରା ସୂଚନା ଦିଅନ୍ତୁ। ଏହାପରେ ଆପଣଙ୍କୁ ଆପଣଙ୍କ ବ୍ୟକ୍ତିଗତ ସୂଚନା ମଗାଯିବ।ଯେମିତିକି ନାମ, ମୋବାଇଲ ନମ୍ବର, ଇମେଲ୍ ଆଇଡି, ପିତାଙ୍କ ନାମ, ଏମ୍ପ୍ଲୟର ଆଇଡି। ଏହିସବୁ ସୂଚନା ଆଧାରରେ ଆପଣଙ୍କ ଇନ୍-ଅପରେଟିଭ୍ ଆାକାଉଣ୍ଟ ସହଜରେ ଟ୍ରେସ୍ କରିହେବ। ଆକାଉଣ୍ଟ ଟ୍ରେସ୍ ହେବା ପରେ ଆପଣ ଫଣ୍ଡ୍ ଟ୍ରାନ୍‌ସଫର କିମ୍ବା ଟଙ୍କା ଉଠାଇ ପାରିବେ।