ପର୍ସନାଲ ଲୋନ ପାଇଁ ଆବଶ୍ୟକ ଏହି ସବୁ ସର୍ବନିମ୍ନ ପ୍ରମାଣପତ୍ର

ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମର ଅର୍ଥ ଆବଶ୍ୟକ ହୋଇଥାଏ। ଯଦି ସେହି ପରିମାଣର ଅର୍ଥ ଆମ ପାଖରେ ନ ଥାଏ, ତେବେ ଆମେ ଋଣ କରିଥାଉ। କେତେକ ଲୋକ ବିଭିନ୍ନ ଋଣ ସୁଝିବାକୁ ପର୍ସନାଲ ଲୋନ କରିଥାନ୍ତି। ସେହିପରି କିଏ ବିଭିନ୍ନ ଜିନିଷ କିଣିବା ପାଇଁ ତ ଆଉ କିଏ ବାହାରକୁ ବୁଲିବାକୁ ଯିବା ପାଇଁ, ବିବାହ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଏଭଳି ପର୍ସନାଲ ଲୋନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ପର୍ସନାଲ ଲୋନ କିପରି ମିଳିଥାଏ ଓ ଏଥିପାଇଁ କ’ଣ ପ୍ରମାଣପତ୍ର ଆବଶ୍ୟକ।

personal loan

କାହାକୁ ମିଳିପାରିବ ପର୍ସନାଲ ଲୋନ?

  • ପର୍ସନାଲ ଲୋନ୍ ମୁଖ୍ୟତଃ ଆପଣଙ୍କ ବାର୍ଷିକ ଆୟ ଓ ଅନ୍ୟ କୌଣସି ଋଣ ରହିଛି କି ନାହିଁ, ତାହାକୁ ଅନୁଧ୍ୟାନ କରି ଦିଆଯାଇଥାଏ।
  • ସେହିପରି ମାସିକ ଆୟ ଅତିକମରେ ୧୫ ହଜାରରୁ ଅଧିକ ହୋଇଥିଲେ ପଶନାଲ ଲୋନ ମିଳିଯାଇଥାଏ। କେତେକ ବ୍ୟାଙ୍କ ମାସିକ ଆୟ ୨୦ ହଜାର ଟଙ୍କା ହେଲେ ଋଣ ଦେଇଥାନ୍ତି। ତେଣୁ ବ୍ୟାଙ୍କ ଅନୁଯାୟୀ ଏହା ଭିନ୍ନ ଭିନ୍ନ ହୋଇଥାଏ।
  • ବ୍ୟାଙ୍କ ଆପଣଙ୍କ ବୃତ୍ତିକୁ ଅନୁଧ୍ୟାନ କରିଥାଏ। ଅର୍ଥାତ ଆପଣ କେଉଁଠି ଚାକିରି କରିଛନ୍ତି କି ନିଜେ ଆତ୍ମନିର୍ଭରଶୀଳ, ବ୍ୟବସାୟ କରୁଛନ୍ତି କିମ୍ବା କୌଣସି ବୃତ୍ତିଗତ ପେଶାରେ ଅଛନ୍ତି ତାହା ଅନୁଧ୍ୟାନ କରାଯାଏ। ଆପଣଙ୍କ ଆୟ କେତେ ଏବଂ ତାହା ସ୍ଥିର ନା କମ୍ ବେଶି ହେଉଛି, ତାହା ବିଚାରକୁ ନିଆଯାଇଥାଏ। ଏ କ୍ଷେତ୍ରରେ ଦରମା ପାଉଥିବା ଲୋକଙ୍କୁ ଅତି ସହଜରେ ଋଣ ମିଳିଯାଇଥାଏ। କାରଣ ସେମାନଙ୍କ ଦରମାରେ ସ୍ଥିରତା ଥାଏ। ଯଦି ଆପଣ ବ୍ୟବସାୟ କରନ୍ତି ଓ ଆପଣଙ୍କ ଆୟ କମବେଶି ହେଉଛି, ତେବେ ଏକ ସର୍ବନିମ୍ନ ଆୟ ପରିମାଣଙ୍କୁ ବିଚାରକୁ ନିଆଯାଇ ଋଣ ଦିଆଯାଏ।
  • ସେହିପରି ଆପଣଙ୍କ ବୟସ ବିଚାରକୁ ନିଆଯାଇଥାଏ। ଦରମା ବାବଦରେ ଆୟ କରୁଥିବା ଲୋକଙ୍କ କ୍ଷେତ୍ରରେ ବୟସ ସୀମା ୨୧ରୁ ୬୦ ବର୍ଷ ଏବଂ ବ୍ୟବସାୟ ଓ ବୃତ୍ତିଗତ ପେଶାରେ ଥିଲେ ୨୫ରୁ ୬୫ ବର୍ଷ ବୟସର ଲୋକଙ୍କ ଏହି ଋଣ ମିଳିଥାଏ।

  • ସେହିପରି ପର୍ସନାଲ ଲୋନ ପାଇଁ ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ରହିଥିବା ଆବଶ୍ୟକ।
  • ଆପଣଙ୍କ ଆସେଟ୍ସ (ସମ୍ପତ୍ତି) ଓ ଲିୟାବିଲିଟି (ଉତ୍ତରଦାୟିତ୍ୱ)କୁ ବିଚାରକୁ ନିଆଯାଇଥାଏ। ଯଦି ଆପଣଙ୍କ ସମ୍ପତ୍ତି ପରିମାଣଠାରୁ ଆପଣଙ୍କୁ କୌଣସି ବାବଦରେ ଅଧିକ ଟଙ୍କା ଦେୟ ଦେବାକୁ ଅଛି, ତେବେ ତାହା ନକାରାତ୍ମକ ପ୍ରଭାବ ପକାଇଥାଏ।
  • ଆପଣଙ୍କ ରୋଜଗାର ଓ ଆପଣଙ୍କ ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବିଚାରକୁ ନିଆଯାଏ।
  • ଆପଣଙ୍କ ସ୍ୱାମୀ/ସ୍ତ୍ରୀଙ୍କ ଆୟକୁ ମଧ୍ୟ ବ୍ୟାଙ୍କ ବିଚାରକୁ ନେଇଥାଏ।

income tax return

କେତେ ପରିମାଣର ଋଣ ମିଳିଥାଏ?

ପର୍ସନାଲ ଲୋନ୍ ଅତିକମରେ ଆପଣଙ୍କୁ ୫୦ ହଜାର ଟଙ୍କା ଓ ଅତିବେଶିରେ ୨୫ ଲକ୍ଷ ଟଙ୍କା ମିଳିପାରେ। କେତେକ ବ୍ୟାଙ୍କ ମଧ୍ୟ ଅତିବେଶିରେ ୧୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଥାନ୍ତି। ତେଣୁ ଏହି ଟଙ୍କା ପରିମାଣ ବ୍ୟାଙ୍କ ଅନୁଯାୟୀ ଭିନ୍ନ ଭିନ୍ନ ରହିଥାଏ।

ଋଣ ସୁଝିବାର ସମୟ ସୀମା:

ସାଧାରଣତଃ ପ୍ରତ୍ୟେକ ବ୍ୟାଙ୍କରେ ଋଣ ସୁଝିବାର ସମୟ ସୀମା ୧ରୁ ୫ବର୍ଷ ପର୍ଯ୍ୟନ୍ତ ଥାଏ।  ଅର୍ଥାତ୍ ଅତିକମରେ ୧ବର୍ଷ ଓ ଅତିବେଶିରେ ୫ବର୍ଷ ମଧ୍ୟରେ ଆପଣଙ୍କୁ ଏହି ଋଣ ସୁଝିବାକୁ ହୋଇଥାଏ।

ପର୍ସନାଲ ଲୋନ ଉପରେ ସୁଧହାର:

ପର୍ସନାଲ ଲୋନ ଉପରେ ସୁଧହାର ଅନ୍ୟ ଋଣ ଅପେକ୍ଷା ଅଧିକ ରହିଥାଏ। ସାଧାରଣତଃ ଗୃହଋଣ ଉପରେ ଲାଗୁ ହେଉଥିବା ସୁଧହାରଠାରୁ ପର୍ସନାଲ ଲୋନ ଉପରେ ଲାଗୁ ହେଉଥିବା ସୁଧହାର ୩ରୁ ୧୦% ପର୍ଯ୍ୟନ୍ତ ଅଧିକ ଥାଏ। ଅର୍ଥାତ ଯଦି ଜଣେ ବ୍ୟକ୍ତି ଗୃହଋଣ ଉପରେ ୮% ସୁଧ ଦେଉଛନ୍ତି, ତେବେ ସମ୍ପୃକ୍ତ ବ୍ୟକ୍ତି ପର୍ସନାଲ ଲୋନ୍ ନେଲେ ୧୨ରୁ ୨୦% ପର୍ଯ୍ୟନ୍ତ ସୁଧ ଦେବାକୁ ପଡ଼ିଥାଏ।

aadhar-card

ଆବଶ୍ୟକ ପ୍ରମାଣପତ୍ର:

ପର୍ସନାଲ ଲୋନ୍ ଦେବା ପାଇଁ ପ୍ରାୟତଃ ସମସ୍ତ ବ୍ୟାଙ୍କ ସମାନ ପ୍ରକାର କାଗଜପତ୍ର ବା ପ୍ରମାଣପତ୍ର ଆବଶ୍ୟକ କରିଥାନ୍ତି। ସାଧାରଣତଃ ସେଗୁଡିକ ହେଲା-

ଦରମା ପାଉଥିବା ବ୍ୟକ୍ତିଙ୍କ ପାଇଁ ଆବଶ୍ୟକ ପ୍ରମାଣପତ୍ର:

  • ପରିଚୟ ପତ୍ର ( ପାସପୋର୍ଟ, ଭୋଟର ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଆଧାର କାର୍ଡର ନକଲ)
  • ବାସିନ୍ଦା ପ୍ରମାଣପତ୍ର (ପାସପୋର୍ଟ, ଭୋଟର ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ, ଆଧାର, ବିଦ୍ୟୁତ ବିଲ୍ ଆଦିର ନକଲ)
  • ସାଲାରି ସ୍ଲିପ କିମ୍ବା ସାଲାରି ସାର୍ଟିଫିକେଟ।
  • ୩ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ।
  • ୨ଟି ପାସପୋର୍ଟ ସାଇଜ ଫଟୋ।personal loan

ଆତ୍ମନିର୍ଭରଶୀଳ ବ୍ୟକ୍ତି ବିଶେଷଙ୍କ ପାଇଁ ଆବଶ୍ୟକ ପ୍ରମାଣପତ୍ର:

  • ପରିଚୟ ପତ୍ର (ପାସପୋର୍ଟ, ଭୋଟର ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଆଧାର କାର୍ଡର ନକଲ)
  • ବାସିନ୍ଦା ପ୍ରମାଣପତ୍ର (ପାସପୋର୍ଟ, ଭୋଟର ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ, ଆଧାର, ବିଦ୍ୟୁତ ବିଲ୍ ଆଦିର ନକଲ)
  • ଆୟ ପ୍ରମାଣପତ୍ର।
  • ଅଫିସର ଠିକଣା।
  • ଅଫିସର ମାଲିକାନାସ୍ୱତ୍ତ୍ୱ ପ୍ରମାଣପତ୍ର।
  • ବ୍ୟବସାୟର ସ୍ଥିରତା ସମ୍ବନ୍ଧୀୟ ପ୍ରମାଣପତ୍ର।
  • ୬ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ।
  • ୨ ପାସପୋର୍ଟ ସାଇଜ ଫଟୋ।