କାର ଭଳି ସମ୍ପତ୍ତି ଡିପ୍ରେସିଏଟିଂ ଆସେଟ୍ ଭିତରେ ଆସିଥାଏ,ସୋରୁମରୁ ବାହାରିବା ଦିନଠାରୁ ଏହାର ମୂଲ୍ୟ କମିବାରେ ଲାଗିଥାଏ।

ଆପଣଙ୍କ ଆୟ ଯଦି ଭଲ ହୋଇଥାଏ ତେବେ ଆପଣ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି। ଧରି ନିଅନ୍ତୁ ଆପଣ ଏକ ବହୁରାଷ୍ଟ୍ରିୟ କମ୍ପାନିରେ କାମ କରୁଛନ୍ତି। ଆପଣ ହାଇ ସାଲେରି କ୍ୟାଟେଗୋରିରେ ଆସନ୍ତି। ବର୍ତ୍ତମାନ ଆପଣ ଗୋଟିଏ କାର କିଣିବାକୁ ଚାହୁଁଛନ୍ତି। ନିଜ ଦରମା ଓ ଷ୍ଟାଟସକୁ ଦେଖି ଆପଣ ଗୋଟିଏ ଲଗ୍‌ଜରି ଗାଡ଼ି ଚୟନ କରିଛନ୍ତି।

ତେବେ ଆପଣ ଏହି କାରକୁ ନଗଦ ଟଙ୍କା ଦେଇ କିଣିବା ବଦଳରେ କିସ୍ତିରେ କିଣିବା ପାଇଁ ମନସ୍ତ କଲେ। କାରଣ ଆପଣ ଜାଣିଛନ୍ତି କିସ୍ତି ଶୁଝିବା ଆପଣଙ୍କ ପାଇଁ ସହଜ। ଅବଶ୍ୟ ଏଥିପାଇଁ ଆପଣଙ୍କୁ ଅଧିକ ଡାଉନପେମେଣ୍ଟ୍ ଦେବାକୁ ପଡିପାରେ। କିନ୍ତୁ ତାହା ଆପଣଙ୍କ ପାଇଁ ସମସ୍ୟା ନୁହେଁ। କାରଣ ଆପଣଙ୍କ ପାଖରେ ଡାଉନପେମେଣ୍ଟ ପାଇଁ ଆବଶ୍ୟକ ଅର୍ଥ ଅଛି। ତେବେ ବଡ କାର କିଣିବା ପାଇଁ ଲୋନ୍ ନେବା ଠିକ୍ କି? ଆସନ୍ତୁ ଜାଣିବା ଲୋନ୍ ନେଇ କାର କିଣିବାର ବିଭିନ୍ନ ପକ୍ଷ ବାବଦରେ;

କିସ୍ତି ଆଗକୁ ବୋଝ ବନିପାରେ

ପ୍ରକୃତ କଥା ହେଲା, ଆପଣ ଏମିତି ସମ୍ପତ୍ତି କିଣୁଛନ୍ତି ଯାହାର ମୁଲ୍ୟ ପ୍ରତିଦିନ କମିବ। କାର ଭଳି ସମ୍ପତ୍ତି ଡିପ୍ରେସିଏଟିଂ ଆସେଟ୍ ଶ୍ରେଣୀରେ ଆସିଥାଏ। ଅର୍ଥାତ୍ ଏମିତି ସମ୍ପତ୍ତି ଯାହାର ମୂଲ୍ୟ ସମୟ ସହିତ ନବଢ଼ି କମିଥାଏ। କାର ସୋ’ରୁମରୁ ବାହାରିବା ଦିନଠାରୁ ଏହାର ମୂଲ୍ୟ କମିବା ଆରମ୍ଭ ହୋଇଥାଏ। ଆପଣଙ୍କୁ କିଛି ବର୍ଷ ପାଇଁ କିସ୍ତି ଶୁଝିବାକୁ ପଡ଼ିବ।

ହୁଏତ ଏବେ କିସ୍ତି ଶୁଝିବା ସହଜ ଲାଗୁଥାଇ ପାରେ। କିନ୍ତୁ ଭବିଷ୍ୟତରେ ଦାୟିତ୍ୱ ବଢ଼ିବା ସହ କିସ୍ତି ଆପଣଙ୍କ ପାଇଁ ବୋଝ ପାଲଟି ଯିବ। ତେଣୁ ଲୋନ୍ ନେଇ କିସ୍ତିରେ କାର କିଣିବା ଆଗରୁ ଭଲକରି ଚିନ୍ତା କରି ନିଅନ୍ତୁ ଯେ, ଆପଣ ଲମ୍ବା ଅବଧିର ପ୍ରତିବଧତା ପାଇଁ ପ୍ରସ୍ତୁତ କି ନାହିଁ।

ଡାଉନ୍ପେମେଣ୍ଟ୍ ଟଙ୍କା ନିବେଶ କରାଯାଇପାରେ

ଦାମି ଓ ବଡ କାର ଲୋନରେ କିଣିବା ପାଇଁ ଅଧିକ ଟଙ୍କା ଡାଉନପେମେଣ୍ଟ୍ ଭାବେ ଦେବାକୁ ପଡିଥାଏ। ଆପଣ ଏଭଳି ଟଙ୍କାକୁ ଭଲ ରିଟର୍ଣ୍ଣ ଦେଉଥିବା କୌଣସି ପ୍ଲାନରେ ନିବେଶ କରି ପାରନ୍ତି। ନିବେଶରୁ ମିଳିବାକୁ ଥିବା ରିଟର୍ଣ୍ଣରେ ଆପଣ ହୁଏତ ଭବିଷ୍ୟତରେ ନିଜ ସ୍ୱପ୍ନର କାର ନଗଦ ଟଙ୍କା ଦେଇ କିଣି ପାରିବେ।

ଏମିତିରେ ଲୋନରେ କାର କିଣିବା ବୁଦ୍ଧିମାନର କାମ ନୁହେଁ। ଡାଉନପେମେଣ୍ଟ ସହ ଆପଣଙ୍କୁ ପ୍ରତିମାସରେ ମୋଟା ଟଙ୍କାର ଇଏମଆଇ ମଧ୍ୟ ଦେବାକୁ ପଡିବ। ତାହା ପୁଣି ଅନେକ ବର୍ଷ ପର୍ଯ୍ୟନ୍ତ। ଆପଣ କିସ୍ତି ଟଙ୍କାକୁ ଏହି ଅବଧିରେ ଯଦି ନିବେଶ କରିବେ ତେବେ ଅଧିକ କିଛି ଟଙ୍କା ସଞ୍ଚୟ କରିପାରିବେ।

କାରର ରିସେଲ୍ ଭାଲ୍ୟୁ କମ ହେବା

ପ୍ରାରମ୍ଭିକ ବର୍ଷରେ ଇଏମଆଇର ବଡ ଭାଗ ମୁଳ ସ୍ଥାନରେ ସୁଧ ଶୁଝିବାରେ ଯାଏ। ଯଦି ଆପଣ କାର ନେବାର କିଛି ବର୍ଷ ପରେ ଏହାକୁ ବିକିବାକୁ ବସନ୍ତି ତେବେ ଦେଖିବେ ଯେ,କାରର ରିସେଲ୍ ଭ୍ୟାଲୁ ସେତିକି ନୁହେଁ ଯେତିକି ଆପଣଙ୍କୁ ଲୋନ୍ ଶୁଝିବାର ଅଛି। କାରଣ କାରର ଦାମ ପ୍ରତିବର୍ଷ ବିତବା ସହ କମିଥାଏ। ତେଣୁ ସେଇ କାର କିଣନ୍ତୁ ଯାହାକୁ ଆପଣ ନଗଦ କିଣି ପାରିବେ କିମ୍ବା ଏମିତି ଲୋନ୍ ନିଅନ୍ତୁ ଯାହାକୁ ଶୀଘ୍ର ଶୁଝି ପାରିବେ।