ସ୍ୱାସ୍ଥ୍ୟ ବୀମା ଦେଉଥିବା ସବୁ କମ୍ପାନି ଏଣିକି ଏକ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଦେବାକୁ ବାଧ୍ୟ ହେବେ। ଆଇଆର୍‌ଡିଏ ଏନେଇ ଗାଇଡ୍ ଲାଇନ୍ ଜାରି କରିଛି। ଏହି ଗାଇଡ୍ ଲାଇନ୍ ଅନୁସାରେ ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନି ଆଧାରଭୁତ ସ୍ୱାସ୍ଥ୍ୟ ଆବଶ୍ୟକତା ପାଇଁ ସର୍ବାଧିକ ୫ ଲକ୍ଷ ଟଙ୍କା ଓ ସର୍ବନିମ୍ନ ଏକ ଲକ୍ଷ ଟଙ୍କାର ପ୍ରଡକ୍ଟ ଅଫର କରିବେ।

ସବୁ କମ୍ପାନି ଏହି ଭଳି ବୀମାକୁ ଆରୋଗ୍ୟ ସଞ୍ଜିବନୀ ପଲିସି ନାମରେ ବିକ୍ରି କରିବେ। ପଲିସି ନାମ ଶେଷରେ କମ୍ପାନି ନିଜ ନାମ ଲଗାଇବ। ଏହି ଉତ୍ପାଦ ପାଇଁ କୌଣସି ଦସ୍ତାବିଜରେ ଅନ୍ୟକୌଣସି ନାମ ବ୍ୟାବହାର କରାଯାଇ ପାରିବ ନାହିଁ। ଏକ ଏପ୍ରିଲ ୨୦୨୦ରୁ ଏହା ବଜାରରେ ଉପଲବ୍ଧ ହେବ।

ପଲିସି ଅବଧି ଗୋଟିଏ ବର୍ଷ

ଆଇଆର୍‌ଡିଏ ଅନୁସାରେ ସ୍ୱାସ୍ଥ୍ୟ ବୀମା ବଜାରରେ ଅନେକ ପଲିସି ରହିଛି। ସବୁ ପଲିସିଙ୍କର ଅଲଗା ଅଲଗା ବିଶେଷତ୍ୱ ରହିଛି। ଏହି କାରଣରୁ ଏସବୁ ଭିତରୁ ବାଛିବା ସହଜ ହୋଇନଥାଏ। ଏହି କାରଣରୁ ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନିଙ୍କୁ ଗୋଟିଏ ମାନକ ଉତ୍ପାଦ (ଷ୍ଟାଣ୍ଡାର୍ଡ ପ୍ରଡକ୍ଟ) ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମାନକ ଉତ୍ପାଦରେ କିଛି ନିଶ୍ଚିତ କଭର ସାମିଲ ହେବ। ଏଥିରେ କୌଣସି ଆଡ୍ ଅନ୍ କିମ୍ବା ଅପ୍ସନାଲ କଭରର ଅନୁମତି ରହିବ ନାହିଁ। କମ୍ପାନି ନିଶ୍ଚିତ ସୁବିଧା ମଧ୍ୟରୁ ଯାହା କିଛି ଅଫର କରିବେ ତାହାରି ଆଧାରରେ ବୀମା ମୂଲ୍ୟ ନିର୍ଦ୍ଧାରଣ ହେବ। ଏହି ଉତ୍ପାଦ ଇଣ୍ଡେମନିଟି ଆଧାରରେ ଉପସ୍ଥାପିତ କରାଯିବ ଓ ଏହା ଗୋଟିଏ ବର୍ଷ ଅବଧି ବିଶିଷ୍ଟ ହେବ।

ଏହା ସବୁ ହେବ କଭର

ଏହି ପଲିସିରେ କ’ଣ କ’ଣ ସବୁ କଭର ହେବ, ତାହା ଗାଇଡ୍ ଲାଇନରେ ରହିଛି। ଏଥିରେ ହସ୍ପିଟାଲ ଆଡମିଶନ ଖର୍ଚ୍ଚ, କମ ସୀମା ସହ ମୋତିଆବିନ୍ଦୁ ଚିକିତ୍ସା ଖର୍ଚ୍ଚ, ଦାନ୍ତ ଚିକିତ୍ସା, ରୋଗ କିମ୍ବା ଦୁର୍ଘଟଣା କାରଣରୁ ଆବଶ୍ୟକ ପ୍ଲାଷ୍ଟିକ ସର୍ଜରୀ, ସମସ୍ତ ପ୍ରକାରର ଡେକେୟାର ଚିକିତ୍ସା, ଆମ୍ବୁଲାନ୍ସ ଖର୍ଚ୍ଚ (ପ୍ରତି ହସ୍ପିଟାଲାଜେସନ୍ ସର୍ବାଧିକ ୨ ହଜାର ଟଙ୍କା) ସାମିଲ ଅଛି।

ହସ୍ପିଟାଲରେ ଆଡମିଶନ ହେବାର ୩୦ ଦିନ ପୂର୍ବର ଖର୍ଚ୍ଚ ଓ ଡିସଚାର୍ଜ ହେବା ପରେ ୬୦ ଦିନ ପର୍ଯ୍ୟନ୍ତ ଖର୍ଚ୍ଚ ଏଥିରେ କଭର ହେବ। ଏହି ଯୋଜନାକୁ ଫ୍ୟାମିଲ ଫ୍ଲୋଟର ଭାବେ ମଧ୍ୟ ପ୍ରସ୍ତୁତ କରାଯିବ। ଏହାକୁ ଗମ୍ଭୀର ରୋଗ କିମ୍ବା ଲାଭ ଆଧାରିତ କଭର ସହ ଯୋଡ଼ା ଯିବ ନାହିଁ।

୧୮ରୁ ୬୫ ବର୍ଷ ବୟସ୍କ ନେଇ ପାରିବେ ପଲିସି

ଜଣେ ୧୮ ବର୍ଷ ବୟସ୍କ ବ୍ୟକ୍ତି ଏହି ପଲିସି ନେଇ ପାରିବେ। ସେହିଭଳି ପଲିସି ନେବାର ସର୍ବାଧିକ ବୟସସୀମା ହେଉଛ ୬୫। ପଲିସିକୁ ସବୁବେଳେ ନବୀକରଣ କରି ହେବ। ଏହି ପଲିସି ଉପରେ ପୋର୍ଟାବିଲିଟି ନିୟମ ଲାଗୁ ହେବ।