ବ୍ୟାଙ୍କଗୁଡ଼ିକ ଭଳି ଭାରତୀୟ ଡାକ ବିଭାଗ ମଧ୍ୟ ଯୋଗାଇ ଦେଉଛି ବିଭିନ୍ନ ଯୋଜନା, ଯେଉଁଠି ନିବେଶକରି ଆପଣ ପାଇପାରିବେ ଆୟକର ରିହାତି।

୨୦୧୭-୧୮ ଆର୍ଥିକ ବର୍ଷ ସରିବାକୁ ବସିଛି। ସବୁ ଆୟକରଦାତାଙ୍କ ଚିନ୍ତା ଚଳିତ ବର୍ଷ କିଭଳି ଟ୍ୟାକ୍ସ ପରିଚାଳନା କରିବେ। ଅର୍ଥାତ ଜଣଙ୍କୁ ମୋଟ କେତେ ଆୟକର ଦେବାକୁ ହେବ। ତା’ସାଙ୍ଗକୁ ଆୟକର ନିୟମରେ ଥିବା ବିଭିନ୍ନ ବ୍ୟବସ୍ଥା ଭିତରେ କାହାକୁ କେତେ ରିହାତି ମିଳିପାରିବ। ଏବେ ଆସନ୍ତୁ ନଜର ପକାଇବା, ଆୟକର ଧାରା ୮୦-ସି ଅନୁଯାୟୀ ପୋଷ୍ଟ ଅଫିସ୍‌ରେ କ’ଣ ସବୁ ଯୋଜନା ରହିଛି, ଯେଉଁଥିରେ ଆମକୁ ଆୟକର ରିହାତି ମିଳିପାରିବ।

National saving certificate

ଜାତୀୟ ସଞ୍ଚୟ ସାର୍ଟିଫିକେଟ ବା ଏନଏସସି

ଏନଏସସି ଏକ ବହୁ ପୁରୁଣା ଓ ଲୋକପ୍ରିୟ ସଞ୍ଚୟ ମାଧ୍ୟମ। ଦୀର୍ଘସୂତ୍ରୀ ସଞ୍ଚୟ ପାଇଁ ଏହା ଏକ ଭଲ ଯୋଜନା। ଏଥିପାଇଁ ଜଣେ ବ୍ୟକ୍ତି ଦେଶର ଯେ କୌଣସି ପୋଷ୍ଟ ଅଫିସରୁ ଏନଏସସି କିଣିପାରିବେ। ଆଗରୁ ନିବେଶକାରୀଙ୍କୁ ଏଥିପାଇଁ ସଞ୍ଚୟ ସାର୍ଟିଫିକେଟ୍‍ ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ତା’ ଜାଗାରେ ସଞ୍ଚୟ ଖାତା ଦିଆଯାଉଛି। ଜଣେ ନିବେଶକାରୀ ସର୍ବନିମ୍ନ ୧୦୦ ଟଙ୍କାରୁ ଆରମ୍ଭକରି ଥରକରେ ୫୦୦, ୧ ହଜାର, ୫ ହଜାର ଏବଂ ୧୦ ହଜାର ଟଙ୍କାର କୌଣସି ଗୋଟିଏ କିମ୍ବା ଏକାଧିକ ଖାତା କିଣିପାରିବେ। ଏନଏସସିରେ ଆପଣ କରୁଥିବା ଜମା ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏ ବାବଦରେ ବର୍ତ୍ତମାନ ଭାରତୀୟ ଡାକ ବିଭାଗ ଗ୍ରାହକମାନଙ୍କୁ ବାର୍ଷିକ ୭.୮% ହାରରେ ସୁଧ ପ୍ରଦାନ କରୁଛି।

sukanya-samridhi-scheme

ସୁକନ୍ୟା ସମୃଦ୍ଧି ଯୋଜନା

କାହା ଘରେ ଝିଅଟିଏ ଜନ୍ମ ହେଲେ ସାହିପଡ଼ିଶା ଲୋକେ କହନ୍ତି ‘ଲକ୍ଷ୍ମୀ ଆସିଲା’। ହେଲେ ସେହି ଝିଅଟି କେମିତି ପାଠ ପଢି ମଣିଷ ହେବ ଓ ସମାଜରେ ଅନ୍ୟମାନଙ୍କ ସହ ସମକକ୍ଷ ହୋଇପାରିବ, ତାହା ବାପା-ମା’ଙ୍କ ପାଇଁ ଚିନ୍ତାର ବିଷୟ ହୋ‍ଇଥାଏ। ତେଣୁ କନ୍ୟା ସନ୍ତାନଙ୍କ ସାମାଜିକ ସୁରକ୍ଷାକୁ ଧ୍ୟାନରେ ରଖି ଭାରତୀୟ ଡାକ ବିଭାଗ ମାଧ୍ୟମରେ ପ୍ରସାର କରାଯାଉଛି ‘ସୁକନ୍ୟା ସମୃଦ୍ଧି ଆକାଉଣ୍ଟ’।

ଝିଅ ଜନ୍ମ ହେବାଠାରୁ ୧୦ ବର୍ଷ ଭିତରେ ଏହି ଆକାଉଣ୍ଟ ଖୋଲାଯାଇପାରିବ ଓ ମାସକୁ ମାସ ଏଥିରେ ଟଙ୍କା ଜମା କରାଯାଇପାରିବ

ଝିଅକୁ ୨୧ ବର୍ଷ ହେବା ପର୍ଯ୍ୟନ୍ତ ଚାଲୁ ରହିବ ଏହି ଆକାଉଣ୍ଟ।

ଝିଅକୁ ୧୮ ବର୍ଷ ହେବା ପରେ କେବଳ ଉଚ୍ଚଶିକ୍ଷା କିମ୍ବା ବିବାହ ପାଇଁ ଏଥିରୁ ଟଙ୍କା ଉଠାଯାଇପାରିବ।

ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ଖୋଲାହେବାର ୧୪ ବର୍ଷ ପର୍ଯ୍ୟନ୍ତ ଜମା କରାଯାଉଥିବା ବେଳେ କନ୍ୟାକୁ ୨୧ ବର୍ଷ ହେଲେ ତାହାର ଅବଧି ପୂର୍ଣ୍ଣ ହୋଇଥାଏ।

ବର୍ତ୍ତମାନ ଦେଶରେ ‘ବେଟି ବଚାଓ ବେଟି ପଢାଓ’ ସ୍ଲୋଗାନ ସହିତ ଝିଅମାନଙ୍କର ବିକାଶ ଓ ସାମାଜିକ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ତେଣୁ ସୁକନ୍ୟା ସମୃଦ୍ଧି ଯୋଜନା ମାଧ୍ୟମରେ ସଞ୍ଚୟ କରିବାକୁ ଲୋକଙ୍କୁ ଉତ୍ସାହିତ କରାଯାଉଛି।

time deposite or fix deposite

ଟାଇମ୍‍ ଡିପୋଜିଟ୍‍ ବା ଫିକ୍‌ସ୍‌ଡ ଡିପୋଜିଟ୍‍

ବିଭିନ୍ନ ବ୍ୟାଙ୍କ ଭଳି ଆପଣ ପୋଷ୍ଟ ଅଫିସରେ ମଧ୍ୟ ଟାଇମ୍‍ ଡିପୋଜିଟ୍‍ ବା ଫିକ୍‌ସ୍‌ଡ ଡିପୋଜିଟ୍‍ ମାଧ୍ୟମରେ ନିବେଶ କରିପାରିବେ। ଆୟକର ନିୟମର 80-C ଧାରା ଅନୁଯାୟୀ ପୋଷ୍ଟ ଅଫିସ ୫ ବର୍ଷିଆ ଟାଇମ୍‍ ଡିପୋଜିଟରେ ଜମା କଲେ ଆୟକର ରିହାତି ମିଳିପାରିବ। ଏହି ଜମା ଉପରେ ୭.୪ ପ୍ରତିଶତ ବାର୍ଷିକ ହାରରେ ସୁଧ ମିଳିଥାଏ। ଏହି ସୁଧ ହିସାବ ପ୍ରତି ୩ ମାସରେ କରାଯାଇଥାଏ।

ପୋଷ୍ଟ ଅଫିସରେ ୧ ବର୍ଷ, ୨ ବର୍ଷ ଏବଂ ୩ ବର୍ଷ ପାଇଁ ମଧ୍ୟ ଫିକ୍‌ସ୍‌ଡ ଡିପୋଜିଟ୍‍ ବ୍ୟବସ୍ଥା ରହିଛି। ତେବେ ଏସବୁରେ ଆୟକର ରିହାତି ମିଳିବ ନାହିଁ।

ଡାକ ଜୀବନ ବୀମା

ବିଭିନ୍ନ ଜୀବନ ବୀମା କମ୍ପାନି ଭଳି ଡାକ ବିଭାଗ ଜୀବନ ବୀମା ସେବା ଯୋଗାଇ ଦେଉଛି। ପୋଷ୍ଟାଲ ଲାଇପ୍‍ ଇନସୁରାନ୍ସ (ଡାକ ଜୀବନ ବୀମା ) ଏବଂ ରୁରାଲ ପୋଷ୍ଟାଲ ଲାଇଫ୍‍ ଇନସୁରାନ୍ସ (ଗ୍ରାମୀଣ ଡାକ ଜୀବନ ବୀମା)- ଏହି ୨ଟି ଯୋଜନା ମାଧ୍ୟମରେ ଜଣେ ଡାକଘରେ ଜୀବନ ବୀମା ଖୋଲିପାରିବେ। ୧୮୮୪ ମସିହାରୁ ଆରମ୍ଭ ହୋ‍ଇଥିବା ଏହି ବୀମା ବ୍ୟବସ୍ଥା ଦେଶରେ ପ୍ରଚଳିତ ସବୁଠାରୁ ପୁରୁଣା ଜୀବନବୀମା।

ଡାକଘରେ ଆପଣ କରୁଥିବା ବୀମା ଅନ୍ୟ ଯେ କୌଣସି ଜୀବନ ବୀମାଠାରୁ ଭିନ୍ନ। କାରଣ ଏହାର: ପ୍ରିମିୟମ୍ ରାଶି କମ୍ ଏବଂ ବୋନସ ପରିମାଣ ଅଧିକ ହୋ‍ଇଥାଏ।

Public Provident Fund

ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‍)

ବିଭିନ୍ନ ବ୍ୟାଙ୍କ ଭଳି ଡାକଘର ଜରିଆରେ ମଧ୍ୟ ଆପଣ ପବ୍ଲିକ୍‍ ପ୍ରୋଭିଡେଣ୍ଟ ଯୋଜନା ବା ପିପିଏଫରେ ଆପଣ ନିବେଶ କରିପାରିବେ।

ଏ ବିଷୟରେ ଅଧିକ ବିବରଣୀ ପାଇଁ କ୍ଲିକ୍‍ କରନ୍ତୁ

ବରିଷ୍ଠ ନାଗରିକ ସ୍ୱଳ୍ପ ସଞ୍ଚୟ ଯୋଜନା

ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱଳ୍ପ ସଞ୍ଚୟ ସହ ଆୟକର ରିହାତି ପାଇବା ପାଇଁ ଭାରତୀୟ ଡାକ ବିଭାଗ ଆଣିଛି ବରିଷ୍ଠ ନାଗରିକ ସ୍ୱଳ୍ପ ସଞ୍ଚୟ ଯୋଜନା।