କେନ୍ଦ୍ର ସରକାରଙ୍କ ସିଏସ୍ଆଇଏସ୍ ଯୋଜନାରେ ଶିକ୍ଷାଋଣ ନେଇ ପାଆନ୍ତୁ ରିହାତି

ସାଧାରଣତଃ ବର୍ତ୍ତମାନ ଉଚ୍ଚଶିକ୍ଷା ଅଧିକ ବ୍ୟୟବହୁଳ ହୋଇଗଲାଣି। ଅର୍ଥାତ୍ ୧୦ବର୍ଷ କିମ୍ବା ୧୫ ବର୍ଷ ତଳେ ଯେଉଁ କୋର୍ସର ଖର୍ଚ୍ଚ ୫ଲକ୍ଷ ଥିଲା, ଏବେ ତାହା ୧୫ରୁ ୨୦ଲକ୍ଷରୁ ଅଧିକ ଟଙ୍କା ହୋଇଗଲାଣି। ତେଣୁ ସାଧାରଣ ଗରିବ ପରିବାର ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା ଧିରେ ଧିରେ ସ୍ୱପ୍ନ ହେବାରେ ଲାଗିଛି। ଏଥିପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା କରିଛନ୍ତି, ଯାହାକି ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଋଣ ଉପରେ ରିହାତି ପ୍ରଦାନ କରିଥାଏ।

ସେଣ୍ଟ୍ରାଲ ସେକ୍ଟର ଇଣ୍ଟରେଷ୍ଟ ସବସିଡି (ସିଏସ୍ଆଇଏସ୍) ଯୋଜନା

କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (ଏଚଆରଡି) ପକ୍ଷରୁ ୨୦୦୯-୧୦ ଶିକ୍ଷାବର୍ଷଠାରୁ ଏହି ଯୋଜନା କରାଯାଇଛି। ଏହା ହେଉଛି ସେଣ୍ଟ୍ରାଲ ସେକ୍ଟର ଇଣ୍ଟରେଷ୍ଟ ସବସିଡି ସ୍କିମ୍ (ସିଏସ୍ଆଇଏସ୍)। ସାଧାରଣତଃ ମୋରାଟୋରିୟମ ପିରିୟଡ (ପରିଶୋଧ ସ୍ଥଗିତ ରଖିବାର ସମୟ)ରେ ଶିକ୍ଷାଋଣ ନେଇଥିବା ଛାତ୍ରୀଛାତ୍ରଙ୍କୁ ଏହି ରିହାତି ସୁବିଧା ମିଳିଥାଏ। ଏହି ଯୋଜନାରେ ଆପଣଙ୍କୁ ସମସ୍ତ ପ୍ରକାର ଟେକନିକାଲ (ବୈଷୟିକ) ଓ ପ୍ରଫେଶନାଲ (ପେଶାଗତ) କୋର୍ସ ପାଇଁ ବିନା କୌଣସି ବନ୍ଧକ ଓ ଥାର୍ଡ ପାର୍ଟି ଗ୍ୟାରେଣ୍ଟର ବିନା ଶିକ୍ଷାଋଣ ଓ ଋଣ ଉପରେ ରିହାତି ମିଳିଥାଏ।

student loan

ମୋରାଟୋରିୟମ ପିରିୟଡ:

ସାଧାରଣତଃ ଆପଣଙ୍କ କୋର୍ସ ବା ପାଠ୍ୟକ୍ରମର ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିଥାଏ, ଯେଉଁଥିପାଇଁ ଆପଣ ଶିକ୍ଷାଋଣ ନେଇଥାନ୍ତି। ଉକ୍ତ କୋର୍ସ ସରିଲା ପରେ ଆପଣଙ୍କୁ ଚାକିରି ମିଳିଥାଏ। ଏହି କୋର୍ସ ସମୟସୀମା ସହିତ ଚାକିରି କରିବାର ୬ମାସ କିମ୍ବା ୧ବର୍ଷ ପର୍ଯ୍ୟନ୍ତ ସମୟକୁ ମୋରାଟୋରିୟମ ପିରିୟଡ କୁହାଯାଇଥାଏ। ଆପଣଙ୍କ ପାଠପଢା ସମୟ ଓ ଏହା ପରେ ଚାକିରି କରିବାର ୬ମାସ କିମ୍ବା ୧ବର୍ଷ ପର୍ଯ୍ୟନ୍ତ ଥିବା ମୋରାଟୋରିୟମ ପିରିୟଡରେ ଶିକ୍ଷାଋଣ ଉପରେ ରିହାତି ମିଳିଥାଏ।

ରିହାତି ପାଇବା ପାଇଁ ଯୋଗ୍ୟତା:  

ମୁଖ୍ୟତଃ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିଥାଏ। ଯେଉଁ ଛାତ୍ରଛାତ୍ରୀଙ୍କ ପରିବାର ତଥା ଅଭିଭାବକଙ୍କ ବାର୍ଷିକ ଆୟ ୪.୫ ଲକ୍ଷ ଟଙ୍କାରୁ କମ୍ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥାଏ।

ଏହି ଯୋଜନାରେ କେବଳ ଦେଶ ମଧ୍ୟରେ ସମସ୍ତ ପ୍ରକାର ଟେକନିକାଲ(ବୈଷୟିକ) ଓ ପ୍ରଫେଶନାଲ(ପେଶାଗତ) ଶିକ୍ଷା ପାଇଁ ରିହାତି ମିଳିପାରିବ।

ସେହିପରି ଜଣେ ଛାତ୍ରଙ୍କୁ ଥରେ ମାତ୍ର ଏହି ଯୋଜନାରେ ରିହାତି ମିଳିପାରିବ। ଅର୍ଥାତ ଯଦି ଆପଣ ପୋଷ୍ଟ ଗ୍ରାଜୁଏଟ୍ କୋର୍ସ ପାଇଁ ଏହି ଯୋଜନାରେ ଋଣ ନେଇଛନ୍ତି ଏବଂ ଡିପ୍ଲମା ପାଇଁ ମଧ୍ୟ ଋଣ ନେଉଛନ୍ତି, ତେବେ କେବଳ ଗୋଟିଏ କୋର୍ସ ପାଇଁ ହିଁ ଆପଣଙ୍କୁ ରିହାତି ମିଳିପାରିବ। ଯଦି ଆପଣ ପୋଷ୍ଟ ଗ୍ରାଜୁଏଟରେ ଏହି ଋଣ ଉପରେ ରିହାତି ପାଉଛନ୍ତି, ତେବେ ଡିପ୍ଲମା କୋର୍ସ ପାଇଁ ରିହାତି ପାଇବେ ନାହିଁ।

ସେହିପରି ଇଣ୍ଟିଗ୍ରେଟେଡ୍ କୋର୍ସ ବା ଯେଉଁଠି ଉଭୟ ବ୍ୟାଚଲର୍ସ ଓ ମାଷ୍ଟର ଡିଗ୍ରୀ କୋର୍ସ ଉଭୟ ରହିଛି, ସେଠାରେ ପଢିବା ପାଇଁ ମଧ୍ୟ ଆପଣଙ୍କୁ ରିହାତି ମିଳିପାରିବ।

ତେବେ ଅଧାରେ କୌଣସି କାରଣରୁ ପଢା ଛାଡ଼ିଲେ କିମ୍ବା କୌଣସି କାରଣରୁ ଯଦି ଶିକ୍ଷାନୁଷ୍ଠାନ ଆପଣଙ୍କୁ ନିଲମ୍ବନ କରେ ବା ବାହାର କରିଦିଏ, ତେବେ ସେ କ୍ଷେତ୍ରରେ ଏହି ଯୋଜନାରେ ଆପଣ ସୁବିଧା ପାଇପାରିବେ ନାହିଁ। କେବଳ ସ୍ୱାସ୍ଥଗତ ସମସ୍ୟା ପାଇଁ ଯଦି ଆପଣଙ୍କୁ ପଢ଼ା ଛାଡ଼ିବାକୁ ପଡ଼ିଲା ତେବେ ଆପଣଙ୍କୁ ଏହି ସୁବିଧା ମିଳିବ ପାରିବ। ଏଥିପାଇଁ ଆପଣଙ୍କୁ ଉପଯୁକ୍ତ ପ୍ରମାଣପତ୍ର ଦର୍ଶାଇବାକୁ ପଡ଼ିବ।

graduate student

କେଉଁ କୋର୍ସ(ପାଠ୍ୟକ୍ରମ) ପାଇଁ ମିଳିବ ରିହାତି:

  • ସମସ୍ତ ପ୍ରକାର ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଇଞ୍ଜିନିୟରିଂ ଓ ଟେକନିକାଲ କୋର୍ସ ପାଇଁ ଆପଣ ଏହି ଯୋଜନାରେ ରିହାତି ସୁବିଧା ପାଇପାରିବେ।
  • ସମସ୍ତ ପ୍ରକାର ମେଡିକାଲ ଓ ପାରାମେଡିକାଲ କୋର୍ସ ପାଇଁ ମଧ୍ୟ ଏହି ଯୋଜନାରେ ରିହାତି ମିଳିବ। ଏମବିବିଏସ/ଏମଡି, ନର୍ସିଂ, ଫାର୍ମାସୀ, ଫିଜିଓଥେରାପି, ଆୟୁର୍ବେଦିକ, ହୋମିଓପାଥିକ ଆଦି ବିଭିନ୍ନ କୋର୍ସ ଏହାର ଅନ୍ତର୍ଭୁକ୍ତ।
  • କୃଷି, ପଶୁ ଚିକିତ୍ସା, ଆଇନ, ଦନ୍ତ ଚିକିତ୍ସା, ମ୍ୟାନେଜମେଣ୍ଟ, କମ୍ପ୍ୟୁଟର, ଏମସିଏ ଆଦି ଟେକନିକାଲ ଓ ପ୍ରଫେଶନାଲ କୋର୍ସ ପାଇଁ ଏହି ଯୋଜନାରେ ରିହାତି ମିଳିପାରିବ।
  • ଆଇସିଟିଇ ବା ୟୁଜିସି ଅନୁମୋଦିତ ସମସ୍ତ ପ୍ରକାର ପୋଷ୍ଟ ଗ୍ରାଜୁଏଟ ଓ ଡିପ୍ଲମା କୋର୍ସ ପାଇଁ ଏହି ଯୋଜନାରେ ଶିକ୍ଷାଋଣ ଉପରେ ରିହାତି ମିଳିପାରିବ।indian student

କେଉଁ କୋର୍ସ(ପାଠ୍ୟକ୍ରମ) ପାଇଁ ମିଳିବ ନାହିଁ?

  • ଯୁକ୍ତ ୨ ପାସ ପୂର୍ବରୁ କୌଣସି ପ୍ରକାର କୋର୍ସ କରିବାକୁ ଚାହିଁଲେ ଏଥିପାଇଁ ଆପଣଙ୍କୁ ଏହି ଯୋଜନାରେ ରିହାତି ମିଳିପାରିବ ନାହିଁ।
  • ବିଦେଶରେ କୌଣସି ଶିକ୍ଷାଲାଭ କରିବାକୁ ଗଲେ ମଧ୍ୟ ଏଥିପାଇଁ ଆପଣଙ୍କୁ ଏହି ଯୋଜନାରେ ରିହାତି ମିଳିବ ନାହିଁ।
  • କୌଣସି ପ୍ରକାର ନନ-ଟେକ୍ନିକାଲ ଓ ନନ-ପ୍ରଫେଶନାଲ କୋର୍ସ ଯଥା ବିଏ, ବିଏସସି, ବିକମ୍ ଆଦି ପାଠ୍ୟକ୍ରମ, ବାଣିଜ୍ୟ, ସୋସିଓଲୋଜି ଓ ସଙ୍ଗୀତ ଆଦି ଡିପ୍ଲମା ପାଠ୍ୟକ୍ରମ, ସିଟି ଟ୍ରେନିଂ କୋର୍ସ, ବିଭିନ୍ନ ପ୍ରକାର ସ୍କିଲ ଡେଭଲପମେଣ୍ଟ ଓ ଭୋକେସନାଲ କୋର୍ସ ପାଇଁ ରିହାତି ମିଳିପାରିବ ନାହିଁ।

କେଉଁଠି କରିବେ ଆବେଦନ?

କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାରେ ଶିକ୍ଷାଋଣ ଦେବାକୁ କାନାରା ବ୍ୟାଙ୍କକୁ ନୋଡାଲ ବ୍ୟାଙ୍କ କରାଯାଇଛି। ତେବେ ଆପଣ ଯେକୌଣସି ବ୍ୟାଙ୍କରୁ ଏହି ଋଣ ନେଇପାରିବେ। ଆପଣଙ୍କୁ ଏଥିପାଇଁ କାନାରା ବ୍ୟାଙ୍କକୁ ଯିବାକୁପଡ଼ିବ ନାହିଁ। ତେବେ ଆପଣ ଯେଉଁ ବ୍ୟାଙ୍କରୁ ଶିକ୍ଷାଋଣ ନେଲେ ମଧ୍ୟ ଉକ୍ତ ବ୍ୟାଙ୍କ କାନାରା ବ୍ୟାଙ୍କକୁ ଆପଣଙ୍କ ରିହାତି ସମ୍ପର୍କିତ ସମସ୍ତ କାଗଜପତ୍ର ପଠାଇଥାଏ। ଏହା ପରେ କାନାରା ବ୍ୟାଙ୍କ ଏହି କାଗଜପତ୍ର ଏଚଆରଡି ବିଭାଗକୁ ପଠାଇଥାଏ।

ଆବଶ୍ୟକ ପ୍ରମାଣପତ୍ର:

ଏହି ଯୋଜନାରେ ଶିକ୍ଷାଋଣ ପାଇବାକୁ ହେଲେ ଆପଣ ଆର୍ଥିକ ଅନଗ୍ରସର ବା ଇକୋନୋମିକାଲି ୱିକର ସେକ୍ସନ(ଇଡବ୍ୟୁଏସ୍) ବୋଲି ପ୍ରମାଣ ଦେବାକୁ ହେବ। ଏଥିପାଇଁ ଆପଣ ଇନକମ୍ ସାର୍ଟିଫିକେଟ ବା ଆୟ ପ୍ରମାଣପତ୍ର ପ୍ରଦାନ କରିବାକୁପଡ଼ିବ। କାନାରା ବ୍ୟାଙ୍କ ଓ୍ୱେବସାଇଟରୁ ଏହି ପ୍ରମାଣପତ୍ର ସମ୍ପର୍କରେ ଆପଣ ସୂଚନା ପାଇପାରିବେ।

ସୁଧରେ ମିଳିବ ୧% ଅତିରିକ୍ତ ରିହାତି:

ଏହି ଯୋଜନାରେ ଶିକ୍ଷାଋଣରେ ରିହାତି ପାଇବା ସହ ଆପଣ ସୁଧ ଉପରେ ଆହୁରି ଅତିରିକ୍ତ ୧% ରିହାତି ପାଇପାରିବେ। ଯଦି ସରକାର ଆପଣଙ୍କ ମୋରାଟୋରିୟମ ପିରିୟଡରେ ହିଁ ବ୍ୟାଙ୍କକୁ ଇଣ୍ଟରେଷ୍ଟ ସବସିଡି ଆମାଉଣ୍ଟ ଦେବା ଆରମ୍ଭ କରିଦେବେ ତେବେ ଆପଣଙ୍କୁ ସୁଧ ଉପରେ ଆହୁରି ଅଧିକ ୧% ରିହାତି ମିଳିପାରିବ।