ଗତ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୪.୭ ପ୍ରତିଶତ। ରାଜନ କହିଲେ ରାଜନୀତି ଦେଶର ଆର୍ଥିକ ଅଭିବୃଦ୍ଧିର ବାଟ ଓଗାଳୁଛି।

“ବର୍ତ୍ତମାନର ସରକାର ଅର୍ଥନୀତି ଉପରେ ଧ୍ୟାନ ଦେବା ଅପେକ୍ଷା ରାଜନୈତିକ ତଥା ସାମାଜିକ ଏଜେଣ୍ଡା ପୂରଣ କରିବାରେ ଅଧିକ ଧ୍ୟାନ ଦେଉଛନ୍ତି। ବର୍ତ୍ତମାନ ଦେଶର ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦେଇ ଜିଡିପି ଅଭିବୃଦ୍ଧିକୁ ପୁଣିଥରେ ଫେରାଇ ଅଣାଯାଇପାରିବ। ତେବେ ଏହା କହିବାକୁ ଦୁଃଖ ଲାଗୁଛି ଯେ, ରାଜନୀତି ଦେଶର ଜିଡିପି ଅଭିବୃଦ୍ଧିର ପ୍ରତିବନ୍ଧକ ସାଜିଛି” ଏକଥା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ।

ଆର୍ଥକ ବର୍ଷ ୨୦୧୯-୨୦ ତୃତୀୟ ତ୍ରୟମାସକ ରିପୋର୍ଟ ଶୁକ୍ରବାର ଜାରି କରାଯାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ପକ୍ଷରୁ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଦେଶର ଜିଡିପି ଅଭିବୃଦ୍ଧି ହାର ୪.୭ ପ୍ରତିଶତ ଥିବା ଜଣାପଡ଼ିଛି। ତେବେ ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଏଯାଏଁ ଦୂର ହୋଇନଥିବା ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ୁଛି। ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଗତ ସାଧାରଣ ନିର୍ବାଚନରେ ​ଶାସକ ଦଳର ପ୍ରଦର୍ଶନ ଖରାପ ଥିବାରୁ ସରକାର ଜିଡିପି ଅଭିବୃଦ୍ଧି ଉପରେ ଧ୍ୟାନ ଦେଉନାହାନ୍ତି। ଏହା ପରିବର୍ତ୍ତେ ନିଜର ରାଜନୈତିକ ତଥା ସାମାଜିକ ଏଜେଣ୍ଡା ପୂରଣ କରିବାରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କାରଣ ଦେଶର ଅଭିବୃଦ୍ଧି ଗତି ମନ୍ଥର କରିଦେଇଥିବା ରଘୁରାମ ରାଜନ କହିଛନ୍ତି।

GDP Low

ରାଜନ ଆହୁରି ମଧ୍ୟ କହିଛନ୍ତି, “ଆର୍ଥିକ ସ୍ଥିତିର ସୁଧାର ପାଇଁ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଗତ ଅକ୍ଟୋବର-ଡିସେମ୍ବର ତ୍ରୟମାସକ ରିପୋର୍ଟରୁ ଏହା ସ୍ପଷ୍ଟ ଜଣାଯାଉଛି। ଗତ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ହାର ୪.୪ ପ୍ରତିଶତ ଥିଲା, ଯାହା ୨୦୧୨-୧୩ ଆର୍ଥିକ ବର୍ଷର ଜାନୁଆରୀ-ମାର୍ଚ୍ଚ ତ୍ରୟମାସିକରୁ ସର୍ବନିମ୍ନ।