ଆପଣ ଯେତେ ମଲ୍‌ କିମ୍ବା ସୁପର ମାର୍କେଟକୁ ଯାଆନ୍ତୁ, ବେଳେବେଳେ ମନ ଖୋଜିବ ପାରମ୍ପରିକ ସାମଗ୍ରୀର ବଜାର। ଆପଣଙ୍କ ପସନ୍ଦର ଆଦିବାସୀ ଜିନିଷ, ହାତ ତିଆରି ଘରକରଣା ଜିନିଷ କ’ଣ କୌଣସି ଅତ୍ୟାଧୁନିକ ଆଉଟ୍‌ଲେଟ୍‌‌ରେ ମିଳିବ? ଏଥିପାଇଁ ଆପଣଙ୍କୁ ସ୍ୱତନ୍ତ୍ର ସ୍ଥାନକୁ ଯିବାକୁ ପଡ଼ିବ। ଖୁସିର କଥା, ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କ ହାତ ପାଖରେ ଏସବୁ ସାମଗ୍ରୀ ପାଇବାର ସୁନ୍ଦର ସୁଯୋଗ ଆଣି ଦେଇଥିଲା ପ୍ରଥମ ‘ମିଶନ ଶକ୍ତି’ ମେଳା। 

ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ବିକ୍ରି ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ, ମିଶନ ଶକ୍ତି ନିର୍ଦ୍ଦେଶାଳୟ ଜରିଆରେ ପ୍ରଥମଥର ଲାଗି ଆୟୋଜିତ ହୋଇଥିଲା ଏହି ବୃହତ ମେଳା। ସତ କହିଲେ, ସାରା ଓଡ଼ିଶାର ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବର୍ଷ ତମାମ ଯେଉଁ ସବୁ ହାତ ସାମାଗ୍ରୀ ତିଆରି କରୁଛନ୍ତି, ତା’ର ଉପସ୍ଥାପନା ଓ ବଜାର ସଂଯୋଗ ଲାଗି ‘ମିଶନ ଶକ୍ତି’ ମେଳା ଥିଲା ଏକ ଚମତ୍କାର ପ୍ରୟାସ।

୨୦୧୯ ଡିସେମ୍ବର ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ଏହି ମେଳା। ଏଥିରେ ୨୧୩ଟି ଷ୍ଟଲ୍‌ ମାଧ୍ୟମରେ ବିଭିନ୍ନ ପ୍ରକାର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲ ଜାତ, ଖାଦ୍ୟ ଜାତୀୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟର ବିଶାଳ ପସରା ମେଲିଥିଲା।

୩୦ଟି ଜିଲ୍ଲାରୁ ଆସିଥିବା ୨୫୧ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଅଂଶଗ୍ରହଣ କରି ସେଠାରେ ୨ ଶହରୁ ଅଧିକ ପ୍ରକାର ସାମଗ୍ରୀ ବିକ୍ରି କରୁଥିଲେ।

୧୮ ବର୍ଷ ତଳେ, ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ଉଦ୍ୟମ ଆରମ୍ଭ କରିଥିଲେ। ଏହି ମେଳା ସେହି ବିଶାଳ ମହିଳା ଶକ୍ତିର ଏକ ସର୍ଜନାତ୍ମକ ସମାବେଶ ବୋଲି କହିଲେ ଭୁଲ ହେବ ନାହିଁ।

ମିଶନ ଶକ୍ତି ମେଳାରେ ପାରମ୍ପରିକ ମସଲା, ଲଘୁ ଜଙ୍ଗଲଜାତ ଦ୍ରବ୍ୟ ଓ ଘରକରଣା ଜିନିଷ ଛଡ଼ା ଅନେକ ନୂଆ ନୂଆ ସାମଗ୍ରୀ ଦେଖିବାକୁ ମିଳିଥିଲା। ଏହି ଭଳି ଏକ ଜିନିଷ ହେଲା ଗୁଆ ବାହୁଙ୍ଗାରେ ତିଆରି ପ୍ଲେଟ ଓ ଠୋଲା। ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ଚକାନୟନ ମହିଳା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଏହି ଜିନିଷ ମେଳାର ଏକ ନମ୍ବର ଷ୍ଟଲରେ ଲାଗିଥିଲା। ମେଳାକୁ ଆସୁଥିବା ଲୋକମାନେ ଏହାକୁ ବେଶ୍ ଆଗ୍ରହର ସହ ଦେଖୁଥିଲେ।

ସେହିପରି କଳାହାଣ୍ଡି ଯଈପାଟଣାରୁ ଆସିଥିବା ରାଧାରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ସୁନ୍ଦର ସୁନ୍ଦର କାଠ ମୂର୍ତ୍ତି, ପଶୁପକ୍ଷୀଙ୍କ ନକଲ ତିଆରି କରି ଆଣିଥିଲେ। ଶାଗୁଆନ କାଠରେ ନିଜ ଅଞ୍ଚଳର ମହାରଣା ପରିବାରର କାରିଗରମାନେ ଦୀର୍ଘ ଦିନ ହେବ ମୂର୍ତ୍ତି ତିଆରି କରୁଥିଲେ। ହେଲେ ଦୁଇ ବର୍ଷ ହେବ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନକରି ମହିଳାମାନେ ଏହି କାମ ହାତକୁ ନେଇଛନ୍ତି। ପୁରୁଷ କାରିଗରମାନେ ମୂର୍ତ୍ତି ଗଢ଼ି ସାରିବା ପରେ ଗୋଷ୍ଠୀର ମହିଳାମାନେ ସୁନ୍ଦର ଭାବେ ତାକୁ ପଲିସ୍ କରି ରଙ୍ଗ ଦେଉଛନ୍ତି। ମିଶନ ଶକ୍ତି ଭଳି ବଡ଼ ବଡ଼ ମେଳାରେ ଏବେ ଏହି ଜିନିଷର ଭାରି ଆଦର।

କେବଳ ଭୋଗରାଇ କି କଳାହାଣ୍ଡି ନୁହେଁ, କେନ୍ଦୁଝର ଡିମ୍ବ ଅଞ୍ଚଳରୁ ବିଭିନ୍ନ ପ୍ରକାର ବଡ଼ି ପାମ୍ପଡ଼ ଓ ସୋୟା ବଡ଼ି ଧରି ଆସିଥିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ୧୩ଟି ଗୋଷ୍ଠୀର ୧୬୬ ମହିଳା ଗୋଟିଏ କ୍ଲଷ୍ଟର ଅଧୀନରେ ଏକାଠିହୋଇ ବାଆଁସପାଳ ଅଞ୍ଚଳର ବିରିରେ ତିଆରି କରୁଛନ୍ତି ବିଭିନ୍ନ ପ୍ରକାର ସୁଆଦିଆ ବଡ଼ି।

ସରକାର ଦେଇଥିବା ମେସିନରେ ବିରି ବାଟି, ବଡ଼ି ପାରି ତାକୁ ସୁନ୍ଦର ଭାବେ ପ୍ୟାକେଜିଂ କରି ବଜାରକୁ ପଠାଉଛନ୍ତି। ସେମାନେ ବଡ଼ି କିଲୋ ପିଛା ୨୪୦ ଟଙ୍କାରେ ବିକ୍ରି କରିବା ସହ ପ୍ରତି ସଦସ୍ୟ ମାସକୁ ପାଞ୍ଚ ଛଅ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି।

କେନ୍ଦୁଝର ବଡ଼ି ପରି ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଧୂପକାଠି ତିଆରି କରି ନିଜକୁ ସ୍ୱାବଲମ୍ବୀ କରିବା ସହିତ ମହିଳା ସଶକ୍ତିକରଣ ଧାରାକୁ  ଦୁଇ ପାଦ ଆଗକୁ ନେଇ ପାରିଛନ୍ତି।

ମିଶନ ଶକ୍ତି ମେଳାରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ ସାଙ୍ଗକୁ ବିକ୍ରି ବଟା ବେଶ୍‌ ଭଲ ହୋଇଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉତ୍ସାହିତ।

ମେଳାରେ ଭାଗ ନେଇଥିବା ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମେଳା ବୁଲି ଦେଖିଥିଲେ। ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ, ଗୁଆ ବାହୁଙ୍ଗାରୁ ପ୍ରସ୍ତୁତ ପରିବେଶ ଅନୁକୁଳ ଥାଳି, ଡୋକ୍ରା ଶିଳ୍ପ, ସବାଇ ଶିଳ୍ପ, ଟେରାକୋଟା, ବାଉଁଶ ଜାତ ସାମଗ୍ରୀ, ଖାଦ୍ୟ ଓ ମସଲା ସାମଗ୍ରୀଗୁଡିକୁ ଦେଖି ମୁଖ୍ୟମନ୍ତ୍ରୀ ତା’ର ପ୍ରଶଂସା କରିଥିଲେ। ଏହି ଅବସରରେ ବିନା ସୁଧରେ ରାଜ୍ୟ ସରକାର ଦେଉଥିବା ମିଶନ ଶକ୍ତି ଋଣ ସହାୟତା ପାଇଁ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ମେଳାକୁ ଯେପରି ଅଧିକରୁ ଅଧିକ ଲୋକ ବୁଲି ଆସିବେ ସେଥିପାଇଁ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ସୁସ୍ୱାଦୁ ଖାଦ୍ୟକୁ ନେଇ ଫୁଡ୍‌ ଜୋନ ମଧ୍ୟ କରାଯାଇଥିଲା।

ମେଳାରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ, ମିଶନ ଶକ୍ତି ଉପଦେଷ୍ଟା ଡକ୍ଟର ଲୋପାମୁଦ୍ରା ବକ୍ସିପାତ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁଗର୍ଗ, ମିଶନ ଶକ୍ତି କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଏବଂ ଜାତୀୟ ଜୀବିକା ମିଶନ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ରହି ସ୍ୱୟଂ ସାହୟକ ଗୋଷ୍ଠୀର ମହିଳା ଓ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ।