ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଉପସ୍ଥାପିତ ହେଲା ଇ-ବଜେଟ୍‌।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଛି ଓଡ଼ିଶା ବଜେଟ୍‌। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍‌କୁ ଉପସ୍ଥାପନା କରିଛନ୍ତି। ଚଳିତ ବର୍ଷ ଆର୍ଥିକ ବଜେଟ୍‌ରେ ଅର୍ଥମନ୍ତ୍ରୀ ମୋଟ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ଦ୍ଵିତୀୟ ବଜେଟ୍‌। ଏଥରର ଖାସ୍‌ କଥା ହେଉଛି ବଜେଟ୍‌ ପାଇଁ କୌଣସି ପୁସ୍ତକ ମୁଦ୍ରଣ ହୋଇନାହିଁ। ଅର୍ଥମନ୍ତ୍ରୀ ଆଇପ୍ୟାଡ୍‌ରେ ଏହି ଇ-ବଜେଟ୍‌କୁ ପଢ଼ିଛନ୍ତି। କାଗଜ ଏବଂ ବୃକ୍ଷ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଇ-ବଜେଟ୍‌ ଉପରେ ଗୁରୁତ୍ୱାରୋପ କରିଛନ୍ତି।

କୃଷି କ୍ଷେତ୍ରକୁ ବିଶେଷ ଭାବେ ଫୋକସ୍‌ କରାଯାଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ସହରାଞ୍ଚଳର ବିକାଶ ଆଦିକୁ ଧ୍ୟାନରେ ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନା କରିଛନ୍ତି। ଏଥର ମହିଳା, କୁପୋଷଣକୁ ନେଇ ସ୍ୱତନ୍ତ୍ର ବଜେଟ୍‌ ଉପସ୍ଥାପନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭ରୁ ୭.୫ ପ୍ରତିଶତ ରହିବ ବୋଲି ଆଶା ରହିଛି।