ସଠିକ ରଣନୀତି କରିପାରେ କୋଟିପତି!

ସବୁ ପିତାମାତା ନିଜ ସନ୍ତାନଙ୍କ ପାଇଁ ସୁରକ୍ଷିତ ଭବିଷ୍ୟତ ଚାହାନ୍ତି। ପିଲାଙ୍କ ଉଚ୍ଚଶିକ୍ଷା, ସୁରକ୍ଷିତ ଭବିଷ୍ୟତରେ ନିବେଶ ପାଇଁ ସମସ୍ତେ ସବୁବେଳେ ଉଦବିଗ୍ନ ଥା’ନ୍ତି। ଆପଣ ସଠିକ ରଣନୀତି ତିଆରି କରି ନିଜ ପିଲା ପାଇଁ ଅଧିକ ଅର୍ଥ ଯୋଗାଡ଼ କରିପାରିବେ। ପିଲା ଜନ୍ମ ସହ ଆପଣ ଯଦି ପ୍ଲାନିଂ କରନ୍ତି ତେବେ ଆପଣଙ୍କ ସନ୍ତାନକୁ ୧୫ରୁ ୨୦ ବର୍ଷ ହେବା ବେଳକୁ ଆପଣ ଭଲ ପାଣ୍ଠି ତିଆରି କରିପାରିଥିବେ। ଏଥିରେ ମ୍ୟୁଚୁଆଲ୍ ଫଣ୍ଡ୍ ଆପଣଙ୍କୁ ସାହାଯ୍ୟ କରି ପାରିବ। ଛୋଟ ପିଲାଙ୍କ ନାମରେ ଯଦି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରାଯାଏ ତେବେ ଭବିଷ୍ୟତରେ ଏହା ବଡ଼ ପାଣ୍ଠି ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ସାଧାରଣତଃ ଛୋଟ ପିଲାଙ୍କ ନାମରେ କରାଯାଇଥିବା ନିବେଶକୁ ଆମେ ମଝିରେ ଉଠାଇ ନଥାଉ।  ସବୁଠୁ ଭଲ କଥା ହେଲା ଛୋଟ ପିଲାଙ୍କ ନାମରେ ମଧ୍ୟ ମ୍ୟୁଚୁଆଲ ଫଣ୍ଡ୍ ନିଆଯାଇପାରେ।

କେମିତି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବେ?

ପିଲାଙ୍କ ନାମରେ ସିଙ୍ଗଲ ନାମରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରାଯାଇପାରିବ। ଏଥିପାଇଁ ବୟସ କିମ୍ବା ନିବେଶ ସୀମାର କିଛି ବାଧ୍ୟତା ନଥାଏ। ଏଥିରେ ପିଲା(ନାବାଳକ) ହିଁ ଏକମାତ୍ର ୟୁନିଟ୍ ଧାରକ ହୋଇଥାନ୍ତି। ଏମିତି ନିବେଶରେ ଅଭିଭାବକଙ୍କ ନାମ କିମ୍ବା କୋର୍ଟ ଦ୍ୱାରା ନିଯୁକ୍ତ ଅଭିଭାବକଙ୍କୁ ନାମାଙ୍କିତ କରାଯାଇପାରିବ।

କେଉଁ ଦସ୍ତାବିଜ୍ ଆବଶ୍ୟକ ?

ପିଲାଙ୍କ ନାମରେ ମ୍ୟୁଚୁଆଲ ଫଣ୍ଡ ନେବାକୁ ଫର୍ମରେ ପିତା ମାତା କିମ୍ବା କୋର୍ଟ ଦ୍ୱାରା ନିଯୁକ୍ତ ଅଭିଭାବକଙ୍କ ନାମ ରହିବ। ପିଲାର ଯଦି ପାସପୋର୍ଟ ଅଛି ତେବେ ତାହାକୁ ମଧ୍ୟ ଦିଆଯାଇପାରିବ। ମ୍ୟୁଚୁଆଲ ଫଣ୍ଡ୍ ଆରମ୍ଭ କରିବା ବେଳେ ଏହି ଦସ୍ତାବିଜ୍ ଦରକାର ପଡ଼ିଥାଏ। ପରେ ଏହି ଫୋଲିଓରେ ଅଧିକ ନିବେଶ କରିବା ସମୟରେ ପୁନର୍ବାର ଅଧିକ କୌଣସି ଦସ୍ତାବିଜ୍ ଆବଶ୍ୟକ ହୋଇନଥାଏ। କିନ୍ତୁ ଯଦି ପୁଣିଥରେ ନୂଆ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବାକୁ ଚାହାନ୍ତି ତେବେ ସେହି ପ୍ରକ୍ରିୟାକୁ ପୁନଃ ଦୋହରାଇବାକୁ ପଡ଼ିବ। ନିବେଶ ପାଇଁ ପିଲାଙ୍କ ବ୍ୟାଙ୍କ ଖାତା କିମ୍ବା ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ମ୍ୟୁଚୁଆଲ ଫଣ୍ଡ୍ ଖାତା ସହ ଯୋଡିବାକୁ ପଡ଼େ।

ପିଲାଙ୍କ ନାମରେ କରିପାରିବେ ଏସଆଇପି

ମ୍ୟୁଚୁଆଲ ଫଣ୍ଡରେ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ ବା ସିପ୍ ଏକ ଚର୍ଚ୍ଚିତ ନିବେଶ  ଜରିଆ। ଯଦି ଆପଣ ନିଜ ସନ୍ତାନ ନାମରେ ସିପ୍ କରିବାକୁ ଚାହୁଁଛନ୍ତି ତେବେ ଏହା ସମ୍ଭବ। ତେବେ ଏହି ସିପ୍ ପିଲାକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଜାରି ରହିପାରିବ।

ସାବାଳକ ହେବା ପରେ କଣ ହେବ ?

ଆପଣଙ୍କ ସନ୍ତାନକୁ ୧୮ ବର୍ଷ ହେବା ସହ ଟ୍ରାଞ୍ଜାକ୍ସନ ସହ ଜଡ଼ିତ ସବୁ ନିର୍ଦ୍ଦେଶ ଅକାମି ହୋଇଯିବ। ପିଲାକୁ ୧୮ ବର୍ଷ ହେବା ପରେ ଆପଣ କିମ୍ବା ଅନ୍ୟକୌଣସି ଅଭିଭାବକ ସେହି ମ୍ୟୁଚୁଆଲ ଫଣ୍ଡରେ କିଛି ବି ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ।

ଏହାପରେ ମ୍ୟୁଚୁଆଲ ଫଣ୍ଡ କମ୍ପାନି ୟୁନିଟ୍ ହୋଲ୍ଡରଙ୍କ ପାଖକୁ (ଯାହାଙ୍କ ନାମରେ ମ୍ୟୁଚୁଆଲ ଫଣ୍ଡ କିଣାଯାଇଥାଏ) ନୋଟିସ ପଠାଇଥାଏ। ନୋଟିସରେ ତାଙ୍କୁ ନିଜ ସାବଳକ ପ୍ରମାଣପତ୍ର ଜମା କରିବାକୁ କୁହାଯାଏ। ଆବଶ୍ୟକ ପ୍ରମାଣ ଜମା କରିବା ପରେ ୟୁନିଟ୍ ହୋଲ୍ଡର ନାବାଳକକୁ ସାବଳକ ହୋଇଯିବେ। ଏହାସହ କେୱାଇସି ମଧ୍ୟ ୟୁନିଟ୍ ହୋଲ୍ଡରଙ୍କୁ ଦିଆଯାଇଥାଏ।

ମ୍ୟୁଚୁଆଲ ଫଣ୍ଡ ଲମ୍ବା ଅବଧିରେ ଭଲ ରିଟର୍ଣ୍ଣ ଦେଇଥାନ୍ତି। କିଛି ଫଣ୍ଡ୍ ଗୋଟିଏ ବର୍ଷରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଇଛନ୍ତି। ତେବେ ସବୁବର୍ଷ ଏମିତି ରିଟର୍ଣ୍ଣ ମିଳିବାର ସମ୍ଭାବନା ବହୁତ କମ। ତଥାପି ଲମ୍ବା ଅବଧିରେ ମ୍ୟୁଚୁଆଲ ଫଣ୍ଡ ୧୨ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଇଥାନ୍ତି। ତେଣୁ ୧୫ରୁ ୨୦ ବର୍ଷର ନିବେଶରେ ଆପଣ ନିଜ ସନ୍ତାନ ପାଇଁ ଭଲ ଫଣ୍ଡ୍ ତିଆରି କରିପାରିବେ।