ବୟସ ବଢ଼ିବା ସହ ଟର୍ମ ଇନସ୍ୟୁରାନ୍ସର ପ୍ରିମିୟମ ମଧ୍ୟ ବଢ଼ିଚାଲେ। ତେଣୁ ଯେତେ କମ ବୟସରେ ଟର୍ମ ଇନସ୍ୟୁରାନ୍ସ କିଣିବେ ସେତେ ଶସ୍ତା ପଡ଼ିବ। ଜାଣନ୍ତୁ..କ’ଣ ଏହି ଟର୍ମ ଇନସ୍ୟୁରାନ୍ସ।

ଟର୍ମ ଇନସ୍ୟୁରାନ୍ସ ହେଉଛି ଏମିତି ଗୋଟିଏ ବୀମା ଯେଉଁଥିରେ ପାରମ୍ପାରିକ ବୀମାଠାରୁ କମ ପ୍ରିମିୟମରେ ବଡ଼ ଲାଇଫ୍ କଭର ପାଇଥାନ୍ତି। ଏଥିରେ ପଲିସି ଧାରକ ନିଜ ଜୀବନର ବୀମା କରାଇଥାନ୍ତି। ତାଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଏକକାଳୀନ କିମ୍ବା କିସ୍ତିରେ ଟଙ୍କା ମିଳିଥାଏ।

ଟର୍ମ ଇନସ୍ୟୁରାନ୍ସ କେତେ ପ୍ରକାରର?

୬ ପ୍ରକାରର ଟର୍ମ ଇନସ୍ୟୁରାନ୍ସ  ରହିଛି। ସେଗୁଡ଼ିକ ହେଉଛି ଲେଭଲ ଟର୍ମ ଇନସ୍ୟୁରାନ୍ସ, ପ୍ରିମିୟମ ରିଟର୍ଣ୍ଣ ଟର୍ମ ପ୍ଲାନ୍, ଇନକ୍ରେଜିଂ ଟର୍ମ ପ୍ଲାନ୍, ଡିକ୍ରିଜିଂ ଟର୍ମ ପ୍ଲାନ୍, କନଭର୍ଟିବଲ ଟର୍ମ ପ୍ଲାନ୍ ଏବଂ ରାଇଡର ସହ ଟର୍ମ ପ୍ଲାନ୍।

ଲେଭଲ ଟର୍ମ ପ୍ଲାନ୍ କଣ?

ଏହି ପ୍ଲାନରେ ଅବଧି କାଳରେ ସମ୍ ଆସ୍ୟୁର୍ଡ ବଦଳେ ନାହିଁ। ପଲିସି ଧାରକଙ୍କ ମୃତ୍ୟୁରେ ତାଙ୍କ ନୋମିନିଙ୍କୁ ବୀମା ରାଶି ମିଳିଥାଏ।

ଇନକ୍ରେଜିଂ ଟର୍ମ ପ୍ଲାନ୍ କଣ?

ଇନକ୍ରେଜିଂ ଟର୍ମ ପ୍ଲାନ୍ ବା ବର୍ଦ୍ଧିଷ୍ଣୁ ଟର୍ମ ପ୍ଲାନରେ ବୀମା ଅବଧି କାଳରେ ପଲିସି ଧାରକ ସମାନ ପ୍ରିମିୟମରେ ବାର୍ଷିକ ସମ୍ ଆସ୍ୟୁର୍ଡକୁ ବଢ଼ାଇ ପାରିବେ। ତେବେ ଏହାର ପ୍ରିମିୟମ ଲେଭଲ ଟର୍ମ ପ୍ଲାନଠାରୁ ଅଲଗା ଥାଏ।

ଡିକ୍ରିଜିଂ ଟର୍ମ ପ୍ଲାନ କଣ?

ଡିକ୍ରିଜିଂ ବା ହ୍ରାସମାନ ଟର୍ମ ପ୍ଲାନରେ ସମ୍ ଆସ୍ୟୁର୍ଡ ପ୍ରତିବର୍ଷ ହ୍ରାସ ପାଇଥାଏ। ପଲିସି ଧାରକ ଯଦି ଭାବନ୍ତି ଯେ, ବଢୁଥିବା ବୟସ ସହ ତାଙ୍କର ଅଧିକ ସମ୍ ଆସ୍ୟୁର୍ଡ ଆବଶ୍ୟକ ନାହିଁ ତେବେ ସେ ଏହି ପ୍ଲାନକୁ ନେଇ ପାରିବେ। ହୋମ ଲୋନ, ପର୍ସନାଲ ଲୋନ୍ ଶୁଝିବା ପରେ ଟଙ୍କା ନବଳିବା କାରଣରୁ ଅନେକ ଏହି ପ୍ଲାନ୍ ନେଇଥାନ୍ତି।

କନଭର୍ଟିବଲ ଟର୍ମ ପ୍ଲାନ୍ କଣ?

କନଭର୍ଟିବଲ ଟର୍ମ ପ୍ଲାନ୍ ବା ପରିବର୍ତ୍ତନୀୟ ଟର୍ମ ପ୍ଲାନ ଅଳ୍ପ କିଛି ବୀମା କମ୍ପାନି ଦେଇଥାନ୍ତି। ଏଥିରେ ପଲିସି ଧାରକ ଭବିଷ୍ୟତରେ ଅଲଗା ପ୍ଲାନକୁ ମାଇଗ୍ରେଟ୍ କରିପାରିବେ ବା ବଦଳାଇ ପାରିବେ। ଉଦାହରଣ ସ୍ୱରୁପ ଆପଣ ୨୫ ବର୍ଷର ଟର୍ମ ପ୍ଲାନ୍ ନେଇଛନ୍ତି, କିନ୍ତୁ ୫ ବର୍ଷ ପ୍ରିମିୟମ ଦେବା ପରେ ଆପଣ ଚାହିଁଲେ ଏହାକୁ ହୋଲ୍ ଲାଇଫ୍ ଇନସ୍ୟୁରାନ୍ସରେ କିମ୍ବା ଏଣ୍ଡାଓମେଣ୍ଟ ପ୍ଲାନରେ ପରିବର୍ତ୍ତନ କରିପାରିବେ।

ରାଇଡର ସହ ଟର୍ମ ପ୍ଲାନ୍

ରାଇଡର ସହ ଆସୁଥିବା ଟର୍ମ ପ୍ଲାନରେ ଆପଣ ଗମ୍ଭୀର ରୋଗ, ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ଅକର୍ମଣ୍ୟତା କଭର ଅଳ୍ପ କିଛି ଅଧିକା ପ୍ରିମିୟମ ଦେଇ  ନେଇପାରିବେ। ଯଦି ଆପଣ କୌଣସି ରାଇଡର ନେଇଛନ୍ତି ଓ ପ୍ରିମିୟମ ଛାଡ଼ ଲାଭ ବାଛିଛନ୍ତି ତେବେ ଭବିଷ୍ୟତରେ କିଛି ଦୁର୍ଘଟଣା ଘଟିଲେ ଆପଣଙ୍କୁ ପ୍ରିମିୟମ ଦେବାକୁ ପଡ଼ିବ ନାହିଁ।

ଟର୍ମ ଇନସ୍ୟୁରାନ୍ସ କିଣିଲା ବେଳେ ଏହି କଥାକୁ ଧ୍ୟାନରେ ରଖନ୍ତୁ

  • ବୟସ ସହ ଟର୍ମ ଇନସ୍ୟୁରାନ୍ସର ମୂଲ୍ୟ ବଢେ, ତେଣୁ ୩୦ ବର୍ଷରେ କିମ୍ବା ତା’ ପୂର୍ବରୁ ଟର୍ମ ଇନସ୍ୟୁରାନ୍ସ ନିଅନ୍ତୁ
  • ଯେଉଁ କମ୍ପାନିର କ୍ଲେମ୍ ଷ୍ଟେଟମେଣ୍ଟ ରେକର୍ଡ ଭଲ ତା’ଠାରୁ କିଣନ୍ତୁ
  • ଟର୍ମ ଇନସ୍ୟୁରାନ୍ସ ନେବା ବେଳେ କୌଣସି ତଥ୍ୟ ଲୁଚାନ୍ତୁ ନାହିଁ, କାରଣ ଭୁଲ ତଥ୍ୟ ଦେଇଥିଲେ ଆପଣଙ୍କ ନୋମିନିଙ୍କୁ ବୀମା ରାଶି ମିଳିବାରେ ଅସୁବିଧା ହେବ
  • ଯଦି ମେଡିକାଲ ଟେଷ୍ଟ ପରେ ଆପଣଙ୍କ ବୀମା କମ୍ପାନି ପ୍ରିମିୟମ ବଢ଼ାଇ ଦିଏ ତେବେ ପ୍ଲାନ୍ କ୍ୟାନସଲ କରନ୍ତୁ ନାହିଁ, ପ୍ଲାନ୍ ଯେମିତି ହେଲେ ନିଅନ୍ତୁ କାରଣ ଏଥର ଆପଣଙ୍କ ପାଇଁ ଟର୍ମ ଇନସ୍ୟୁରାନ୍ସ ନେବା ଆହୁରି ଅଧିକ ଜରୁରୀ ହୋଇପଡ଼ିବ
  • ଉପଯୁକ୍ତ ପ୍ରଡକ୍ଟ କିଣିବାକୁ ପରାମର୍ଶ ନିଅନ୍ତୁ

ଆପଣଙ୍କ ବାର୍ଷିକ ଆୟରୁ କେମିତି ଜାଣିବେ ଆପଣଙ୍କୁ କେତେ ଟର୍ମ ଇନସ୍ୟୁରାନ୍ସ ନେବାକୁ ପଡ଼ିବ?

ଧରି ନିଅନ୍ତୁ ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା। ତେବେ ଆପଣଙ୍କୁ ୭୫ ଲକ୍ଷ ଟଙ୍କାର ପ୍ରିମିୟମ ନେବାକୁ ପଡ଼ିବ। କିଛି ବିଶେଷଜ୍ଞ ମଧ୍ୟ ବାର୍ଷିକ ଆୟର ୨୦ ଗୁଣ ଅର୍ଥାତ ୫ ଲକ୍ଷ ଟଙ୍କାରେ ୧ କୋଟିର ଟର୍ମ ଇନସ୍ୟୁରାନ୍ସ ନେବାକୁ କୁହନ୍ତି। ତେବେ କଥା ହେଲା ଆପଣଙ୍କୁ ନିଜ ବାର୍ଷିକ ଆୟଠାରୁ ଅଧିକ ଟର୍ମ ଇନସ୍ୟୁରାନ୍ସ ନେବାକୁ ହେବ।