ଆସନ୍ତୁ ଜାଣିବା ବୀମାର ପ୍ରକାର ଭେଦ, କେଉଁ ଆବଶ୍ୟକତା ପାଇଁ କେଉଁ ବୀମା କାମରେ ଆସିଥାଏ

ଆମେ ସମସ୍ତେ ଉଣା ଅଧିକେ ବୀମା ବିଷୟରେ ଜାଣିଛେ। ଅଳ୍ପବହୁତ ଆମେ ସମସ୍ତେ କିଛି ନା କିଛି ବୀମା ନେଇଅଛେ। ସ୍ୱାସ୍ଥ୍ୟ ପାଇଁ ସ୍ୱାସ୍ଥ୍ୟ ବୀମା ତ’ ଗାଡ଼ି ପାଇଁ ମୋଟର ଇନସ୍ୟୁରାନ୍ସ। ତେବେ ଏହି ସବୁ ବୀମା କେଉଁ ଶ୍ରେଣୀରେ ଯାଇଥାନ୍ତି?

ବୀମାର ମାନେ ହେଉଛି ଭବିଷ୍ୟତର କୌଣସି ଆକସ୍ମିକ କ୍ଷତିର ଭରଣ କରିବା। ଯଦି ଆପଣ କୌଣସି କଂପାନିର ବୀମା ନେଉଛନ୍ତି ତେବେ ଭବିଷ୍ୟତରେ ଆପଣଙ୍କର କିଛି ଆର୍ଥିକ କ୍ଷତି ହେଲେ ତାହାର ଭରଣ କରିବା ହେଉଛି ସଂପୃକ୍ତ କମ୍ପାନିର ଦାୟିତ୍ୱ। ସେହିଭଳି କଂପାନି କୌଣସି କାର କିମ୍ବା ସ୍ମାର୍ଟଫୋନର ମଧ୍ୟ ବୀମା କରାଇଥିଲେ ଫୋନ୍ ଭାଙ୍ଗିଲେ କିମ୍ବା ଚୋରି ହେଲେ ପୂର୍ବନିର୍ଦ୍ଧାରିତ ସର୍ତ୍ତ ଅନୁସାରେ ବୀମା କମ୍ପାନି ମାଲିକଙ୍କୁ କ୍ଷତିପୁରଣ ଦେବ।

ବୀମା ବାସ୍ତବରେ ବୀମା କମ୍ପାନି ଓ ବୀମା ଧାରକଙ୍କ ମଧ୍ୟରେ ଗୋଟିଏ ଅନୁବନ୍ଧ। ଏହି ଅନୁବନ୍ଧ ବା କଂଟ୍ରାକ୍ଟ ଅନୂସାରେ ବୀମା କଂପାନି ବୀମା ଧାରକଙ୍କଠାରୁ ଏକ ନିଶ୍ଚିତ ରାଶି ପ୍ରିମିୟମ ଭାବେ ନେଇଥାଏ। ପ୍ରିମିୟମ ନେବା ପରେ କମ୍ପାନି ବୀମାଧାରକଙ୍କୁ ଆର୍ଥିକ କ୍ଷତି ପରିସ୍ଥିତିରେ ସର୍ତ୍ତ ଅନୂସାରେ କ୍ଷତିପୁରଣ ଦେଇଥାଏ।

ବୀମା କେତେ ପ୍ରକାରର ହୋଇଥାଏ?
ସାଧାରଣତଃ ବୀମା ଦୁଇ ପ୍ରକାରର ହୋଇଥାଏ।

୧. ଜୀବନ ବୀମା(Life Insurance)

୨. ସାଧାରଣ ବୀମା (General Insurance)

ଜୀବନ ବୀମା: ଜୀବନ ବୀମାରେ କୌଣସି ବ୍ୟକ୍ତିଙ୍କ ଜୀବନର ବୀମା କରାଯାଇଥାଏ।  ଜୀବନ ବୀମାର ଅର୍ଥ ହେଉଛି ବୀମା ଧାରକଙ୍କ ମୃତ୍ୟୁପରେ ତାଙ୍କ ଆଶ୍ରିତଙ୍କୁ କମ୍ପାନି ତରଫରୁ କ୍ଷତିପୁରଣ ମିଳିଥାଏ। ଯଦି ପରିବାର ମୁଖ୍ୟଙ୍କ ଅସମୟ ମୃତ୍ୟୁ ହୁଏ ତେବେ ପରିବାରର ଆର୍ଥିକ ସ୍ଥିତି ଭୁଷୁଡ଼ିପଡ଼େ। ଏଭଳି ପରିସ୍ଥିତିରେ ଜୀବନ ବୀମା ସାହାଯ୍ୟ କରିଥାଏ। ତେଣୁ ଆପଣ ଯଦି ପରିବାରର ମୁଖ୍ୟ ତେବେ ଆପଣଙ୍କ ଆର୍ଥିକ ରଣନୀତିର ସଭା ଉପରେ ଜୀବନ ବୀମା ନେବା ରହିବା ଜରୁରୀ।


ସାଧାରଣ ବୀମା: ସାଧାରଣ ବୀମାରେ ଘର, ପଶୁ, ବାହାନ, ଫସଲ, ସ୍ୱାସ୍ଥ୍ୟ ବୀମା ଆଦି ସାମିଲ ହୋଇଥାଏ।

ହୋମ ଇନସ୍ୟୁରାନ୍ସ (Home Insurance):

ଯଦି ଆପଣ କୌଣସି ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ଦ୍ୱାରା ଆପଣଙ୍କ ଘରର ବୀମା କରାନ୍ତି ତେବେ ଭବିଷ୍ୟତରେ ଘରର କୌଣସି କ୍ଷତି ହେଲେ କମ୍ପାନି ସେହି କ୍ଷତିର ଭରଣ କରିବ। ସବୁ ପ୍ରକାରର ପ୍ରାକୃତିକ ଆପଦା ଉପରେ ହୋମ୍ ଇନସ୍ୟୁରାନ୍ସ ସୁରକ୍ଷା ଦେଇଥାଏ। ଆପଣ ମଧ୍ୟ ଚୋରି, ନିଆଁ ଲାଗିବା ଭଳି ପରିସ୍ଥିତି ପାଇଁ ନିଜ ଘରର ବୀମା କରାଇପାରିବେ।

ମୋଟର ବୀମା (Motor Insurance):

ଭାରତୀୟ ସଡକ ଉପରେ ଚାଲୁଥିବା ସବୁ ଯାନାର ବୀମା ବାଧ୍ୟତାମୁଳକ। ମୋଟର ବୀମା ସାଧାରଣ ବୀମା ବା ଜେନରାଲ ଇନସ୍ୟୁରାନ୍ସ ଶ୍ରେଣୀରେ ଆସିଥାଏ। ଦୁର୍ଘଟଣା ପରିସସ୍ଥିତିରେ ମୋଟର ବୀମା କମ୍ପାନି ଆପଣଙ୍କୁ କ୍ଷତିପୁରଣ ଦେଇଥାଏ। ଗାଡ଼ି ମରାମତି ପାଇଁ କମ୍ପାନି ଆପଣଙ୍କୁ ପୂର୍ବ ନିର୍ଦ୍ଧାରିତ ସର୍ତ୍ତ ଅନୁସାରେ କ୍ଷତିପୁରଣ ଦିଏ। ଯଦି ଆପଣଙ୍କ ଗାଡି ଧକ୍କାରେ କୌଣସି ବ୍ୟକ୍ତି ଆହତ ହୁଅନ୍ତି କିମ୍ବା ତାଙ୍କର ମୃତ୍ୟୁ ହୁଏ ତେବେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସରେ ସେହି ବ୍ୟକ୍ତିଙ୍କୁ କମ୍ପାନି କ୍ଷତିପୁରଣ ଦେଇଥାଏ। ଆପଣ ଆଡ୍ ଅନ୍ ପଲିସି ନେଇ ସହଯାତ୍ରୀଙ୍କର ମଧ୍ୟ ବୀମୀ ନେଇ ପାରିବେ।

ସ୍ୱାସ୍ଥ୍ୟ ବୀମା( Health Insurance):

ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ସେବା ମହଙ୍ଗା ହୋଇପଡ଼ିଲାଣି। ଏମିତିରେ ପରିବାରରେ ଆସୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଆପଣଙ୍କ ଆର୍ଥିକ ସ୍ୱଛଳତାକୁ ପ୍ରଭାବିତ କରିପାରେ। ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ବୀମା କାମରେ ଆସେ। ସ୍ୱାସ୍ଥ୍ୟ ବୀମା କରାଇଥିବା ବ୍ୟକ୍ତିଙ୍କୁ ତାଙ୍କର ଓ ତାଙ୍କ ଫ୍ଲୋଟର ପ୍ଲାନରେ ଯାଉଥିବା ପରିବାରର ଅନ୍ୟ ସଦସ୍ୟଙ୍କ ଚିକିତ୍ସା ଖର୍ଚ୍ଚ ବୀମା କମ୍ପାନି କିଛି ସର୍ତ୍ତ ସହ ଯୋଗାଇ ଦେଇଥାଏ। ତେବେ କେଉଁ ରୋଗ ପାଇଁ କେତେ ଟଙ୍କାର ସାହାଯ୍ୟ ଆପଣଙ୍କୁ ବୀମା କମ୍ପାନି ଦେବ ତାହା ଆପଣ ନେଇଥିବା ବୀମା କଭରେଜ୍ ଉପରେ ନିର୍ଭର କରିଥାଏ।

ଭ୍ରମଣ ବୀମା (Travel Insurance):

ଏହା ମଧ୍ୟ ଗୋଟିଏ ପ୍ରକାରର ସାଧାରଣ ବୀମା ବା ଜେନରାଲ ଇନସ୍ୟୁରାନ୍ସ। ଆପଣ ଟ୍ରାଭେଲ କରୁଥିବା ସମୟରେ ହେଉଥିବା ଆର୍ଥିକ କ୍ଷତିର ଭରଣ କରିଥାଏ ଭ୍ରମଣ ବୀମା। ଯଦି କୌଣସି ବ୍ୟକ୍ତି କାମରେ କିମ୍ବା ବୁଲିବା ପାଇଁ  ଯାଇଥିବା ବେଳେ ଯଦି ତାଙ୍କର ଜରୁରୀ କାଗଜପତ୍ର କିମ୍ବା ଟଙ୍କା ଚୋରି ହୋଇଯାଏ କିମ୍ବା ସେ କୌଣସି ଦୁର୍ଘଟଣା କାରଣରୁ ଆହତ ହୁଅନ୍ତି ତେବେ ଏଭଳି ପରିସ୍ଥିତିରେ ଟ୍ରାଭେଲ ଇନସ୍ୟୁରାନ୍ସ କମ୍ପାନି ତାଙ୍କର କ୍ଷତି ଭରଣ କରିଥାଏ। ଆପଣଙ୍କ ଭ୍ରମଣ ଆରମ୍ଭ ଦିନଠାରୁ ଭ୍ରମଣ ଶେଷ ଦିନ ପର୍ଯ୍ୟନ୍ତ ଏହି ବୀମା କାର୍ଯ୍ୟକ୍ଷମ ଥାଏ। କିଛି ଦେଶକୁ ଯିବା ପାଇଁ ଟ୍ରାଭେଲ ଇନସ୍ୟୁରାନ୍ସ କରାଇବା ବାଧ୍ୟତାମୁଳକ।

ଫସଲ ବୀମା (Crop Insurance):

ବର୍ତ୍ତମାନର ନିୟମ ଅନୁସାରେ କୃଷି ଲୋନ୍ ନେବା ପାଇଁ ଫସଲ ବୀମା କରାଇବା ବାଧ୍ୟତାମୁଳକ। ବନ୍ୟା, ମରୁଡି ପାଇଁ କିମ୍ବା କୌଣସି ରୋଗ ପାଇଁ ଫସଲ ନଷ୍ଟ ହେଲେ ବୀମା କମ୍ପାନି କୃଷକଙ୍କୁ କ୍ଷତିପୁରଣ ଦେଇଥାଏ। ଫସଲ ବୀମାର ସର୍ତ୍ତ ଅତ୍ୟନ୍ତ କଠୋର ହେବା କାରଣରୁ ଓ ନିବେଶ ତୁଳନାରେ କମ କ୍ଷତିପୁରଣ ମିଳୁଥିବାରୁ ଭାରତୀୟ ଚାଷୀଙ୍କ ମଧ୍ୟରେ ଏହା ବେଶି ଆଦୃତ ହୋଇନାହିଁ। ବାସ୍ତବରେ ଫସଲ ନଷ୍ଟ ହେବା କରାଣରୁ କ୍ଷତିପୁରଣ ଦେବା ପାଇଁ ବୀମା କମ୍ପାନି ସେହି ଜମି ଆଖପାଖ ଜମିର ସର୍ଭେ କରିଥାନ୍ତି। ଆଉ ଯଦି କ୍ଲେମ୍ କରିଥିବା ଚାଷୀଙ୍କ କ୍ଷେତର ଆଖପାଖର ଅଧିକାଂଶ ଜମିର ଫସଲ ନଷ୍ଟ ହୋଇଥାଏ ତେବେ ହିଁ ଚାଷୀଙ୍କୁ କ୍ଷତିପୁରଣ ବୀମା କମ୍ପାନି ଦେଇଥାନ୍ତି। ଏହି ନିୟମ ଅନେକ ଚାଷୀଙ୍କୁ ଫସଲ ବୀମା ନେବାରୁ ନିରୁତ୍ସାହିତ କରୁଛି।

ବ୍ୟବସାୟିକ ଉତ୍ତରଦାୟିତ୍ୱ ବୀମା(Business Liability Insurance):

Liability Insurance ବାସ୍ତବରେ କୌଣସି କମ୍ପାନିର କାର୍ଯ୍ୟ କିମ୍ବା ତା’ର ଉତ୍ପାଦ କାରଣରୁ ଉପଭୋକ୍ତଙ୍କୁ ହେଉଥିବା କ୍ଷତିର ଭରଣ କରିଥାଏ। ଧରନ୍ତୁ ଆପଣ କୌଣସି କମ୍ପାନିର ଉତ୍ପାଦ ବିରୋଧରେ ଉପଭୋକ୍ତା ଅଦାଲତକୁ ଯାଉଛନ୍ତି। ସେଠାରେ ଅଦାଲତ ଆପଣଙ୍କ ସପକ୍ଷରେ ରାୟ ଦେଇ କମ୍ପାନିକୁ କ୍ଷତିପୁରଣ ଦେବାକୁ ଆଦେଶ ଦିଅନ୍ତି। ଏଭଳି ପରିସ୍ଥିତିରେ ସଂପୃକ୍ତ କମ୍ପାନିକୁ ଦେବାକୁ ଥିବା ଜରିମାନା ଓ ଆଇନଗତ କାର୍ଯ୍ୟାନୁଷ୍ଠାନର ସବୁ ଖର୍ଚ୍ଚ ବୀମା କମ୍ପାନି ଦେଇଥାଏ। ଅନେକ କମ୍ପାନି ଲାଇଆବିଲିଟି ଇନସ୍ୟୁରାନ୍ସ ଏହି କାରଣରୁ ନେଇଥାନ୍ତି।