ମ୍ୟୁଚୁଆଲ ଫଣ୍ଡ୍‌ର ଫଣ୍ଡା – ୨

ବର୍ତ୍ତମାନ ସମୟରେ ମ୍ୟୁଚୁଆଲ ଫଣ୍ଡ୍‌ ନିବେଶକଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ଅନେକ ଛୋଟ ନିବେଶକ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରିଥାନ୍ତି। କାରଣ ମ୍ୟୁଚୁଆଲ ଫଣ୍ଡ୍‌ ଲମ୍ବା ଅବଧିରେ ଭଲ ରିଟର୍ଣ୍ଣ ଦେଇଥାଏ। ଏହା ସହ ସେୟାର ମାର୍କେଟଠାରୁ ଏଥିରେ କମ ରିସ୍କ ଥାଏ। ମ୍ୟୁଚୁଆଲ ଫଣ୍ଡ୍‌ ଅନେକ ପ୍ରକାରର ହୋଇଥାଏ। ତେବେ ଜଣେ ନୂଆ ନିବେଶକଙ୍କ କେଉଁ ମ୍ୟୁଚୁଆଲ ଫଣ୍ଡ୍‌ ବାଛିବେ ତାକୁ ନେଇ ନେଇ ସମସ୍ୟାରେ ପଡିଥାନ୍ତି। ଏହି ଭଳି ନିବେଶକଙ୍କ ପାଇଁ ଆମର ଏହି ସିରିଜ୍ .. ମ୍ୟୁଚୁଆଲ ଫଣ୍ଡ୍‌ର ଫଣ୍ଡା। ଏହି ସିରିଜରେ ଆମେ ବିଭିନ୍ନ ପ୍ରକାରର ମ୍ୟୁଚୁଆଲ ଫଣ୍ଡ୍‌ ବାବଦରେ ଜାଣିବା। ଆଜି ଦ୍ୱିତୀୟ କିସ୍ତିରେ ପଢନ୍ତୁ.. ଇକ୍ୱିଟି ଫଣ୍ଡ୍‌ କ’ଣ ?

ଇକ୍ୱିଟି ଫଣ୍ଡ୍

ଇକ୍ୱିଟି ଫଣ୍ଡ୍ ଏମିତି ଏକ ମ୍ୟୁଚୁଆଲ ଫଣ୍ଡ୍ ଯାହା ଷ୍ଟକରେ ମୁଖ୍ୟତଃ ନିବେଶ କରିଥାଏ। ଏହା ସକ୍ରିୟ କିମ୍ବା ନିଷ୍କ୍ରିୟ (ଇଣ୍ଡେକ୍ସ ଫଣ୍ଡ୍) ଭାବେ ମ୍ୟାନେଜ କରାଯାଇପାରେ। ଇକ୍ୱିଟି ଫଣ୍ଡ୍ ଷ୍ଟକ ବଣ୍ଡ୍‌ ଭାବେ ମଧ୍ୟ ପରିଚିତ। ଷ୍ଟକ ମ୍ୟୁଚୁଆଲ ଫଣ୍ଡ୍ ମୁଖ୍ୟତଃ କମ୍ପାନିର ଆକାର, ପୋର୍ଟଫୋଲିଓରେ ହୋଲ୍ଡିଂସର ନିବେଶ ଶୈଳୀ ଅନୁସାରେ ବର୍ଗୀକୃତ ହୋଇଥାଏ। ମୁଖ୍ୟତଃ ସେୟାରରେ ନିବେଶ କରାଯାଉଥିବାରୁ ଏହାର ଫଣ୍ଡ୍ ମ୍ୟାନେଜର ବିଭିନ୍ନ କମ୍ପାନିର ସେୟାରର ପ୍ରଦର୍ଶନକୁ ବିଚାରକୁ ନେଇଥାନ୍ତି। ଗୋଟିଏ ରିସର୍ଚ୍ଚ ଟିମ୍ ତାଙ୍କୁ ଏଥିରେ ସାହାଯ୍ୟ କରିଥାଏ।

ଇକ୍ୱିଟି ଫଣ୍ଡ୍‌ର ପ୍ରକାରଭେଦ

ଆପଣଙ୍କ ଆବଶ୍ୟକତା ଅନୁସାରେ ମାର୍କେଟରେ ଅନେକ ପ୍ରକାରର ଫଣ୍ଡ୍ ଉପଲବ୍ଧ ରହିଛି। ଆପଣଙ୍କୁ ଆମେ ଏଠାରେ ଅନେକ ପ୍ରକାରର ଇକ୍ୱିଟି ଫଣ୍ଡ୍ ବାବଦରେ କହିବୁ ଯାହାକୁ ଆପଣ ନିଜ ଆବଶ୍ୟକତା ଦୃଷ୍ଟିରୁ କିଣି ପାରିବେ।

  • ELSS (ଇଏଲଏସଏସ ): ଇଏଲଏସଏସ ବା ଇକ୍ୱିଟି ଲିଙ୍କଡ୍ ସେଭିଂ ସ୍କିମ୍ ହେଉଛି ଗୋଟିଏ ସଂଚୟ ଯୋଜନା। ଯାହା ଆପଣଙ୍କୁ ଟ୍ୟାକ୍ସ ବଂଚାଇବାର ସୁବିଧା ଦେଇଥାଏ। ଏହି ମ୍ୟୁଚୁଆଲ ଫଣ୍ଡ୍ ଇକ୍ୱିଟିରେ ନିବେଶ କରିଥାଏ। ଏଭଳି ଫଣ୍ଡରେ ଫଣ୍ଡ୍ ମ୍ୟାନେଜର ସବୁ ସେକ୍ଟରର ଛୋଟ, ବଡ ଓ ମଧ୍ୟମ କ୍ୟାପ୍ (ସ୍ମଲ,ମିଡ୍, ଲାର୍ଜ କ୍ୟାପ୍) କମ୍ପାନି ସେୟାରରେ ନିବେଶ କରନ୍ତି। ଇଏଲଏସଏସରେ ନିବେଶ ଧାରା ୮୦ ସି ଅନ୍ତର୍ଗତରେ କର ରିହାତି ଦେଇଥାଏ। ଏନଏସସି ଓ ପିପିଏଫ ଭଳି ଏହା ମଧ୍ୟ କର ରିହାତି ଦେଇଥାଏ ତେବେ ଏନଏସସି ଓ ପିପିଏଫ ଲକ୍ ଇନ୍ ପିରିୟଡ ଲମ୍ବା ଅବଧିର ହୋଇଥିବା ବେଳେ ଇଏଲଏସଏସ ଲକ୍ ଇନ୍ ପିରିୟଡ୍ ମାତ୍ର ୩ ବର୍ଷ। ଅର୍ଥାତ ଆପଣ ଚାହିଁଲେ ତିନି ବର୍ଷ ପରେ ଏହି ଫଣ୍ଡରୁ ବାହାରି ଆସିପାରିବେ ବିନା କୌଣସି ପେନାଲ୍ଟି ଦେଇ।
  • ସେକ୍ଟର ଫଣ୍ଡ୍

ଏହା ଏଭଳି ଗୋଟିଏ ଫଣ୍ଡ୍ ଯାହା  ଅର୍ଥନୀତିର ଗୋଟିଏ  ନିର୍ଦ୍ଦିଷ୍ଟ ସେକ୍ଟରରେ ନିବେଶ କରିଥାଏ। ଯେପରି ଏଫଏମସିଜି,ଆର୍ଥିକ ସେବା ,ହେଲ୍‌ଥ କେୟାର। ଗୋଟିଏ ନିର୍ଦ୍ଦିଷ୍ଟ ସେକ୍ଟର ଭବିଷ୍ୟତରେ ଭଲ ରିଟର୍ଣ୍ଣ ଦେଇ ପାରେ ଏହି ଅନୂମାନ ଉପରେ ହିଁ ଏହି ନିବେଶ ହୋଇଥାଏ। ଏଥିରେ ଆପଣ କେବଳ ଗୋଟିଏ ସେକ୍ଟରରେ ବାଜି ଲଗାଇନଥାନ୍ତି, ଆପଣ ନିର୍ଦ୍ଦିଷ୍ଟ  କିଛି କମ୍ପାନିରେ ନିବେଶ କରିଥାନ୍ତି। ଯଦି ଆପଣଙ୍କ ପାଖରେ ଗୋଟିଏ ରଣନୀତି ଅଛି ତେବେ ଏଥିରେ ନିବେଶ କରନ୍ତୁ। କେବଳ ଲୋଭରେ ନିବେଶ କରନ୍ତୁ ନାହିଁ, ଠିକ୍ କମ୍ପାନିରେ ନିବେଶ କରନ୍ତୁ।

ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍

ଯଦି ଆପଣ ଆମେରିକା କିମ୍ବା ଜାପାନର ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ସୂଚୀବଧ କୌଣସି କମ୍ପାନିର ସେୟାରରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍‌ରେ ନିବେଶ କରିବାକୁ ପଡ଼ିବ। ଏଭଳି ଫଣ୍ଡ୍‌ ନିବେଶକଙ୍କଠାରୁ ଟଙ୍କା ନେଇ ବିଦେଶୀ ସେୟାର ବଜାରରେ ନିବେଶ କରିଥାଏ। ଯଦି ଆପଣ ନିଜ ସେଭିଂର କିଛି ଭାଗ ବିଦେଶୀ ଷ୍ଟକ୍ ବଜାରରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍‌ ବାଛିବାକୁ ପଡ଼ିବ।

  • ଗ୍ଲୋବାଲ ଇକ୍ୱିଟି ଫଣ୍ଡ୍‌

ଗ୍ଲୋବାଲ ଇକ୍ୱିଟି ଫଣ୍ଡ୍‌ ବାସ୍ତବରେ ଘରୋଇ ଓ ବିଦେଶୀ ସେୟାର ବଜାରରେ ନିବେଶକଙ୍କ ଅର୍ଥ ନିବେଶ କରିଥାଏ। ଫଣ୍ଡ୍‌ର ୮୦ ପ୍ରତିଶତ ବିଦେଶୀ ବଜାର ଓ ୨୦ ପ୍ରତିଶତ ଘରୋଇ ସେୟାର ବଜାରରେ ନିବେଶ କରୁଥିବା ଫଣ୍ଡ୍‌ ଗ୍ଲୋବାଲ ଇକ୍ୱିଟି ଫଣ୍ଡ ଶ୍ରେଣୀକୁ ଆସେ।

  • ୱାର୍ଲ୍ଡ ୱାଇଡ୍ ଇକ୍ୱିଟି ଫଣ୍ଡ୍‌

ଯଦି ଆପଣ ଖୁବ କମ ସମୟରେ ନିଜ ନିବେଶ ଉପରେ ଅଧିକ ଭଲ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଫଣ୍ଡ୍‌ ମ୍ୟାନେଜରକୁ ଦୁନିଆର ଯେକୌଣସି ସେୟାର ବଜାରରେ ନିବେଶ ପାଇଁ ଅନୁମତି ଦେଇ ପାରିବେ। ଆପଣ ଅନୁମତି ପରେ ମ୍ୟାନେଜର ବିଶ୍ୱର କୌଣସି ମଧ୍ୟ ସେୟାର ବଜାରରେ ଆପଣଙ୍କ ଟଙ୍କା ଅଧିକ ରିଟର୍ଣ୍ଣପାଇଁ  ନିବେଶ କରିପାରିବେ।

ଘରୋଇ ଇକ୍ୱିଟି ଫଣ୍ଡ୍‌

ଏହି ଇକ୍ୱିଟି ଫଣ୍ଡ୍‌ରେ ନିବେଶକଙ୍କ ପୁଞ୍ଜିକୁ କେବଳ ଘରୋଇ ସେୟାର ବଜାରରେ ନିବେଶ କରାଯାଇଥାଏ। ବର୍ତ୍ତମାନ ଭାରତର ଅଧିକାଂଶ ଇକ୍ୱିଟି ଫଣ୍ଡ୍‌ ଏହି ଶ୍ରେଣୀରେ ଆସୁଛନ୍ତି। ଯଦି ଆମେ ମାର୍କେଟ୍ କ୍ୟାପ୍ ହିସାବରେ ଦେଖିବା ତେବେ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ୍‌କୁ ୫ ଶ୍ରେଣୀରେ ବିଭକ୍ତ କରାଯାଇପାରେ।

୧. ଲାର୍ଜ କ୍ୟାପ୍ ମ୍ୟୁଚୁଆଲ ଫଣ୍ଡ: ଘରୋଇ ଶେୟାର ବଜାରରେ ତାଲିକାଭୁକ୍ତ ଲାର୍ଜ କ୍ୟାପ୍ ଶେୟାର ମୁଲ୍ୟରେ ବହୁତ ପରିବର୍ତ୍ତନ ଆସିନଥାଏ। ମାର୍କେଟ୍ କ୍ୟାପ ଅନୁସାରେ ଏହି ଲାର୍ଜ କ୍ୟାପ୍ କମ୍ପାନିଗୁଡ଼ିକ ବଜାରର ଉତ୍ଥାନ ପତନ ଦ୍ୱାରା କମ ପ୍ରଭାବିତ ହୋଇଥାନ୍ତି। ଯେଉଁମାନେ ଅଧିକ ରିସ୍କ ନେବାକୁ ଚାହାନ୍ତି ନାହିଁ ସେମାନେ ଲାର୍ଜ କ୍ୟାପରେ ନିବେଶ କରିବା ଆବଶ୍ୟକ।

୨. ମଲ୍ଟି କ୍ୟାପ୍ ମ୍ୟୁଚୁଆଲ ଫଣ୍ଡ: ମଲ୍ଟି କ୍ୟାପ୍ ଇକ୍ୱିଟି ଫଣ୍ଡ୍ ଅଧିକ ଲାର୍ଜ କ୍ୟାପ୍ ଓ କିଛି ମିଡ୍ କ୍ୟାପ କମ୍ପାନି ସେୟାରରେ ନିବେଶ କରନ୍ତି। ଏଥିରେ ଫଣ୍ଡ୍ ମ୍ୟାନେଜର ନିବେଶକଙ୍କ ପାଇଁ ଅଧିକ ରିଟର୍ଣ୍ଣ କମାଇବାରେ ସଫଳ ହୋଇଥାନ୍ତି।

୩. ମିଡ୍ କ୍ୟାପ୍ ମ୍ୟୁଚୁଆଲ ଫଣ୍ଡ: ସେୟାର ବଜାରରେ ସୂଚିବଦ୍ଧ ମଧ୍ୟମ ଧରଣର କମ୍ପାନି ସେୟାରରେ ଏହି ଫଣ୍ଡ୍‌ ନିବେଶ କରିଥାଏ। ଏହା ଏଭଳି କମ୍ପାନିରେ ନିବେଶ କରିଥାଏ, ଯାହା ଆଗକୁ ଚାଲି ବୃହତ ବା ଲାର୍ଜ୍ କ୍ୟାପ୍ କମ୍ପାନି ବନିବାର ସମ୍ଭାବନା ଥାଏ। ମଧ୍ୟମ ଧରଣର ଏହି କମ୍ପାନିଙ୍କ ବାଲାନ୍ସ ସିଟ୍ ଠିକ୍ ଥାଏ, ସେମାନଙ୍କ ପାଖରେ ପ୍ରଚୁର ଅର୍ଡର ଥାଏ ଓ ସେମାନେ ଭଲ ଲାଭ କରୁଥାନ୍ତି। ମିଡ୍ କ୍ୟାପ୍ ଫଣ୍ଡ୍‌ରେ ଲାର୍ଜ କ୍ୟାପ୍‌ଠାରୁ ଟିକେ ଅଧିକ ନିବେଶ ଥାଏ କିନ୍ତୁ ଏହା ସହ ଲାର୍ଜ କ୍ୟାପ୍ ଠାରୁ ଅଧିକ ଫାଇଦାର ସମ୍ଭାବନା ମଧ୍ୟ ରହିଥାଏ।

୪. ସ୍ମଲ କ୍ୟାପ୍  ମ୍ୟୁଚୁଆଲ ଫଣ୍ଡ: ଯଦି ଆପଣ ଅଧିକ ରିସ୍କ ନେବାର କ୍ଷମତା ରଖନ୍ତି ତେବେ ଏହି ଧରଣର ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରିପାରିବେ। ଏଭଳି ଫଣ୍ଡ୍ ଛୋଟ କମ୍ପାନିର ସେୟାରରେ ନିବେଶ କରିଥାନ୍ତି। ଆପଣ ଯଦି ଲମ୍ବା ଅବଧିରେ ନିବେଶ କରିବାକୁ ଚାହୁଛନ୍ତି ଯେମିତି ୧୦ ବର୍ଷରୁ ଅଧିକ ତେବେ ଆର୍ଥିକ ପରାମର୍ଶଦାତାଙ୍କ ପରାମର୍ଶରେ ନିବେଶ କରନ୍ତୁ। ଏଭଳି ଫଣ୍ଡ୍‌ରେ ରିସ୍କ ବହୁତ ଅଧିକ ଥାଏ।

୫. ମାଇକ୍ରୋ କ୍ୟାପ୍ ମ୍ୟୁଚୁଆଲ ଫଣ୍ଡ୍‌ : ବଜାର ପୁଂଜି ହିସାବରେ ଅତି ଛୋଟ କମ୍ପାନିର ସେୟାର କରୁଥିବା ଫଣ୍ଡ୍‌କୁ ମାଇକ୍ରୋ କ୍ୟାପ୍ ଇକ୍ୱିଟି ଫଣ୍ଡ କୁହାଯାଇଥାଏ। ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ। ଏଥିରେ ଫଣ୍ଡ୍‌ ମ୍ୟାନେଜର ଏଭଳି ଅତି ଛୋଟ କମ୍ପାନିରେ ନିବେଶ କରନ୍ତି ଯାହା ଆଗକୁ ବଡ଼ ହେବାର ସମ୍ଭାବନା ଥାଏ। ଏଥିରେ ରିସ୍କ ତ’ ଅଧିକ ଥାଏ କିନ୍ତୁ ଯଦି ଫଣ୍ଡ୍‌ ମ୍ୟାନେଜରଙ୍କ ଅନୁମାନ ଠିକ୍ ସାବ୍ୟସ୍ତ ହୁଏ ତେବେ ଏହା ବାକି ସବୁ ମ୍ୟୁଚୁଆଲ ଫଣ୍ଡ୍‌ଠାରୁ ଅଧିକ ରିଟର୍ଣ୍ଣ ଦେଇଥାଏ।