ସଂଯୁକ୍ତ ପ୍ରପର୍ଟି ମାଲିକଙ୍କ ଆଶଙ୍କା ଦୂର କଲେ ସରକାର

ସଂଯୁକ୍ତ ମାଲିକାନାରେ ଥିବା ପ୍ରପର୍ଟିର ମାଲିକ ଏବେ ସରଳ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମ ଆଇଟିଆର-୧(ସହଜ) ଓ ଆଇଟିଆର-୪(ସୁଗମ)କୁ ଫାଇଲ କରିପାରିବେ। ଯଦି ସେମାନେ ଏହି ଫର୍ମ ପୁରଣ କରିବାର ଅନ୍ୟ ସର୍ତ୍ତ ସବୁ ପୁରଣ କରୁଛନ୍ତି। କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଏକ ଅଧିସୂଚନା ଜାରି କରି ଏହା ସ୍ପଷ୍ଟ କରିଛି। ସିବଡିଟି ଅନୁସାରେ ଆୟକର ଆଇନ୍ ୧୯୬୧ର ଧାରା ୧୩୯(୧)ର ସପ୍ତମ ଖଣ୍ଡର ଏକ କିମ୍ବା ଅଧିକ ସର୍ତ୍ତ ପୁରଣ କରୁଥିବା କାରଣରୁ ରିଟର୍ଣ୍ଣ ଫାଇଲ କରିବାର ଆବଶ୍ୟକତା ରଖୁଥିବା ବ୍ୟକ୍ତିଙ୍କୁ ସହଜ ଫର୍ମ ପୁରଣ କରିବାକୁ ସୁବିଧା ଦିଆଯାଇଛି। 

ରିଟର୍ଣ୍ଣ ଫାଇଲ ନିୟମରେ ସରକାର କରିଛନ୍ତି ପରିବର୍ତ୍ତନ

ଶୁକ୍ରବାର ଦିନ ସିବିଡିଟି ଆୟକର ରିଟର୍ଣ୍ଣ ଜମା କରିବା ନିୟମରେ ବଡଧରଣର ପରିବର୍ତ୍ତନ କରିଥିଲେ। ଏହା ଅନୁସାରେ ପ୍ରପର୍ଟିର ସଂଯୁକ୍ତ ମାଲିକ ଆଇଟିଆର-୧ ଓ ଆଇଟିଆର-୪ ଫର୍ମ ଫାଇଲ କରିପାରିବେ ନାହିଁ। କିନ୍ତୁ ଆୟକର ଆଇନ ୧୯୬୧ର ଧାରା ୧୩୯(୧)ର ସପ୍ତମ ପ୍ରୋଭିଜନର ଏକ କିମ୍ବା ଅକାଧିକ ସର୍ତ୍ତ ପୁରଣ କରୁଥିବା କାରଣରୁ ରିଟର୍ଣ୍ଣ ଫାଇଲ କରିବାକୁ ବାଧ୍ୟ ଓ ଆଇଟିଆର-୧ ଫାଇଲ କରିବାକୁ ଯୋଗ୍ୟତା ରଖୁଥିବା କରଦାତାଙ୍କ ମଧ୍ୟରେ ଏହି ଆଶଙ୍କା ସୃଷ୍ଟି ହୋଇଥିଲା ଯେ, ସେମାନେ ଆଇଟିଆର-୧ ଫାଇଲ କରିପାରିବେ ନାହିଁ। ତେବେ ଗୁରୁବାର ଦିନ ଜାରି କରାଯାଇଥିବା ନୂଆ ଅଧିସୂଚନା ଏହି ସନ୍ଦେହକୁ ଦୂର କରିଛି।

କାହା ପାଇଁ ଆଇଟିଆ-୧ ଓ ଆଇଟିଆର-୪ ଫର୍ମ

ଯେଉଁମାନଙ୍କ ବାର୍ଷିକ ଆୟ ୫୦ ଲକ୍ଷରୁ ଅଧିକ ନୂହେଁ ସେମାନେ ଆଇଟିଆର-୧ ସହଜରେ ରିଟର୍ଣ୍ଣ ଫାଇଲ କରିପାରିବେ। ଅନ୍ୟପକ୍ଷରେ ଆଇଟିଆର-୪ ସୁଗମ ଫର୍ମ ଏଭଳି ବ୍ୟକ୍ତିଗତ କରଦାତା, ହିନ୍ଦୁ ସଂଯୁକ୍ତ ପରିବାର ଓ ଫାର୍ମ(ଲିମିଟେଡ୍,ପାର୍ଟନରସିପ୍ କିମ୍ବା ଏଲଏଲପି ବ୍ୟତୀତ)ଙ୍କ ପାଇଁ ଯେଉଁମାନଙ୍କ ବାର୍ଷିକ ଆୟ ୫୦ ଲକ୍ଷ ଭିତରେ ଓ ଯେଉଁମାନଙ୍କ ଆୟ ବ୍ୟବସାୟ କିମ୍ବା ରୋଜଗାରରୁ ଆସିଥାଏ।

ଚଳିତବର୍ଷ ଶୀଘ୍ର ଜାରି କରାଯାଇଛି ଫର୍ମ

ଆୟକର ବିଭାଗ ଆର୍ଥିକ ବର୍ଷ ୨୦୨୦-୨୧ (ଆସେସେମେଣ୍ଟ୍ ଇୟର ୧ ଏପ୍ରିଲ ୨୦୧୯ରୁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ) ପାଇଁ ଆୟକର ରିଟର୍ଣ୍ଣର ଆଇଟିଆର-୧ ଓ ଆଇଟିଆର ୪ର ନୂଆ ଫର୍ମ ଜାରି କରିଛନ୍ତି । ଗତ ଆର୍ଥିକ ବର୍ଷ ଭଳି ଏଥର ମଧ୍ୟ ଫର୍ମ ଶୀଘ୍ର ଜାରି ହୋଇଛି। ସାଧାରଣତଃ ଏହା ଏପ୍ରିଲ ମାସରେ ଜାରି ହୋଇଥାଏ।