ଗୋଟିଏରେ ଆପଣ କମ ପ୍ରିମିୟମରେ ବଡ଼ କଭରେଜ୍ ପାଆନ୍ତି, ଆରଟିରେ ମହଙ୍ଗା ପ୍ରିମିୟମ ଦେଇ ଉତ୍ତରାଧିକାରୀଙ୍କ ପାଇଁ ପାଣ୍ଠି ତିଆରି କରନ୍ତି। 

ଯଦି ଆପଣ ଚାହାନ୍ତି ଯେ, ଆପଣଙ୍କ ପରେ ଆପଣଙ୍କ ପରିବାର ଉପରେ କୌଣସି ଆର୍ଥିକ ବୋଝ ନପଡୁ ତେବେ ଆପଣଙ୍କ ପକ୍ଷରେ ବୀମା ନେବା ଅତ୍ୟନ୍ତ ଜରୁରୀ। ନିଜ ପାଇଁ ବୀମା କଭର କରାଇବ ଜଣେ ପରିବାର ମୁଖ୍ୟ ପାଇଁ ଅତ୍ୟନ୍ତ ଜରୁରୀ। କାରଣ ପରିବାର ମୁଖ୍ୟ ହେଉଛନ୍ତି ପରିବାର ଆୟର ସ୍ରୋତ। ତାଙ୍କ ଅନୁପସ୍ଥିତିରେ ପରିବାର ଉପରେ ଆର୍ଥିକ ବୋଝ ପଡ଼ିପାରେ। କିନ୍ତୁ ଯଦି ସେ ଠିକ୍ ବୀମା ବାଛିଥାନ୍ତି ତେବେ ପରିବାର ଉପରେ ଆର୍ଥିକ ଚାପ ସେତେଟା ରହିନଥାଏ। ଯଦି ଠିକ୍ ଅନୁପାତରେ ବୀମାରେ ନିବେଶ କରାଯାଇଥାଏ, ତେବେ ବୀମା କମ୍ପାନି ପରିବାରକୁ ବଡ଼ ଧରଣର ରାଶି ଏକାଥରକେ କିମ୍ବା ନିୟମିତ ଅନ୍ତରାଳରେ ଦେଇଥାଏ।

ପ୍ରଥମେ ବୁଝନ୍ତୁ ନିବେଶ ଓ ସଞ୍ଚୟ ମଧ୍ୟରେ ଅନ୍ତର

ସଞ୍ଚୟ ଓ ନିବେଶ ମଧ୍ୟରେ ବଡ଼ ଅନ୍ତର ଥାଏ। ଜଣେ ସାଧାରଣ ନିବେଶକ ବୀମା କରିବା ବେଳେ ଏହି ପ୍ରଶ୍ନ ପଚାରିଥାନ୍ତି ଯେ, ତାଙ୍କୁ ନିବେଶ କରିଥିବା ରାଶି ଉପରେ କେତେ ରିଟର୍ଣ୍ଣ କେଉଁ ସମୟରେ ମିଳିବ। ନିବେଶକଙ୍କ ଏହି ପ୍ରଶ୍ନ ପଛରେ ଥାଏ ଲମ୍ବା ଅବଧିରେ ସଞ୍ଚୟ କରି ବଡ଼ ପାଣ୍ଠି ତିଆରି କରିବାର ଭାବନା। କିନ୍ତୁ ସତ ହେଲା ଜୀବନ ବୀମା ସଞ୍ଚୟ ହୋଇନଥାଏ। ଏହା ହେଉଛି ଜୀବନ ସୁରକ୍ଷା ପାଇଁ ନିବେଶ।

ଜୀବନ ବୀମା ଦୁଇ ପ୍ରକାରର ହୋଇଥାଏ

  • ଟର୍ମ ଲାଇଫ୍ ଇନସ୍ୟୁରାନ୍ସ
  • ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ

୧. ଟର୍ମ ଇନସ୍ୟୁରାନ୍ସ

ଟର୍ମ ଇନସ୍ୟୁରାନ୍ସ ଜୀବନ ବୀମା ନେବାର ସବୁଠାରୁ ସରଳ ଉପାୟ। ଟର୍ମ ଇନସ୍ୟୁରାନ୍ସ ନେଉଥିବା ବ୍ୟକ୍ତି ଏକ ନିଶ୍ଚିତ ସମୟ ପାଇଁ ଗୋଟିଏ ପ୍ରିମିୟମ ଦେଇଥାନ୍ତି। ବୀମା ଅବଧିରେ ଯଦି ବୀମା ଧାରକଙ୍କ ମୃତ୍ୟୁ ହୋଇଯାଏ, ତେବେ ତାଙ୍କ ପରିବାରକୁ ସମ୍ ଆସ୍ୟୁର୍ଡ ରାଶି ମିଳିଥାଏ। ଏହା ଏକକାଳୀନ ଦିଆଯାଇଥାଏ କିମ୍ବା ନିୟମିତ ଅନ୍ତରାଳରେ ଦିଆଯାଇଥାଏ। ବୀମା ନେବାବେଳେ ଯେଉଁଭଳି ଭାବେ ପେମେଣ୍ଟକୁ ବୀମା ଧାରକ ବାଛଥାନ୍ତି ସେହିଭଳି ତାଙ୍କ ପରିବାରକୁ ରାଶି ମିଳିଥାଏ।

ଉଦାହରଣ ଦ୍ୱାରା ବୁଝନ୍ତୁ

ଯଦି ଆପଣ ୧୫ ବର୍ଷ ପାଇଁ ୫୫ ଲକ୍ଷ ଟଙ୍କାର ଟର୍ମ ଇନସ୍ୟୁରାନ୍ସ ନେଇଛନ୍ତି ଓ ବାର୍ଷିକ ୧୫ ହଜାର ଟଙ୍କା ପ୍ରିମିୟମ ଦେଉଛନ୍ତି, ତେବେ ଆପଣଙ୍କୁ ଆଗାମୀ ୧୫ ବର୍ଷ ପାଇଁ ପ୍ରତିବର୍ଷ ୧୫ ହଜାର ଟଙ୍କା ବୀମାକମ୍ପାନିକୁ ଦେବାକୁ ପଡ଼ିବ। ଏହି ଅବଧିରେ ଯଦି ଆପଣଙ୍କ ମୃତ୍ୟୁ ହୋଇଯାଏ ତେବେ ବୀମା କମ୍ପାନି ଆପଣଙ୍କ ପରିବାରକୁ ୫୫ ଲକ୍ଷ ଟଙ୍କା ଦେବ। କିନ୍ତୁ ଯଦି ବୀମା ଅବଧି କାଳରେ ଆପଣ ସୁସ୍ଥ ଓ ଜୀବିତ ରୁହାନ୍ତି ତେବେ ଆପଣଙ୍କୁ କିଛି ମଧ୍ୟ ମିଳିବ ନାହିଁ।

କେତେ ଟର୍ମ ଇନସ୍ୟୁରାନ୍ସ ନେବା ଜରୁରୀ

ଜୀବନ ବୀମା ରାଶି  କେତେ ହେବା ଆବଶ୍ୟକ ଏହା ବ୍ୟକ୍ତିଙ୍କ ଆୟ, ଆବଶ୍ୟକତା ଓ ଦାୟିତ୍ୱ ଉପରେ ନିର୍ଭର କରିଥାଏ। ତେବେ ବୀମା ବିଶେଷଜ୍ଞଙ୍କ ଅନୁସାରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ ସମ ଆସ୍ୟୁର୍ଡ ତାଙ୍କର ବାର୍ଷିକ ଆୟର ୨୦ ଗୁଣ ହେବା ଆବଶ୍ୟକ। ଆପଣ ଏଭଳି ସମ୍ ଆସ୍ୟୁର୍ଡ ବାଛନ୍ତୁ ଯେଉଁଥିରେ ଆପଣଙ୍କ ପରେ ଆପଣଙ୍କ ପରିବାର ସବୁ ରୁଣ ଶୁଝିବା ପରେ ତାଙ୍କ ପାଖରେ ଗୋଟିଏ ବଡ ପାଣ୍ଠି ବଞ୍ଚିବ। ଯେଉଁଥିରେ ସେମାନେ ନିଜ ଆବଶ୍ୟକତାକୁ ପୁରଣ କରିପାରିବେ।

୨. ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ

ହୋଲ ଲାଇଫ୍ ଇନସ୍ୟୁରାନ୍ସ ପ୍ଲାନ୍ ଏଭଳି ଗୋଟିଏ ପ୍ଲାନ୍ ଯେଉଁଥିରେ ବୀମା ଧାରକ ନିଜ ପୁରା ଜୀବନ ପାଇଁ ବୀମା କଭର ନେଇଥାନ୍ତି।  ଏହି କଭରରେ ବୀମା ଧାରକ ନିୟମିତ ନିବେଶ କରି ନିଜ ପାଇଁ ଓ ନିଜ ଉତ୍ତରାଧିକାରୀଙ୍କ ପାଇଁ ବଡ ପାଣ୍ଠି ତିଆରି କରିଥାନ୍ତି। ଏହି ପ୍ଲାନ୍ ବୀମା ଧାରକଙ୍କୁ ତାଙ୍କ ଜୀବନ କାଳରେ ନିୟମିତ ଆୟ ମିଳିଥାଏ। ବୀମା ଧାରକଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ସମ୍ ଆସ୍ୟୁର୍ଡ ମିଳିଥାଏ। ଏହାର ପ୍ରିମିୟମ ଟର୍ମ ଇନସ୍ୟୁରାନ୍ସଠାରୁ ଅଧିକ ହୋଇଥାଏ।

ହୋଲ୍ ଲାଇଫ୍ ଇନସ୍ୟୁରାନ୍ସର ବିଶେଷତା

ପୁରା ଜୀବନ ବୀମା କଭର ଦେଉଥିବାରୁ ଏହାକୁ ପର୍ମାନେଣ୍ଟ୍ ଲାଇଫ୍ କଭର ବୋଲି ମଧ୍ୟ କୁହାଯାଇଥାଏ। ଏହା ପର୍ମାନେଣ୍ଟ ଇନସ୍ୟୁରାନ୍ସ କଭର, କ୍ୟାସ ଭ୍ୟାଲୁ ବଢାଇଥାଏ, ପଲିସି ବଦଳରେ ଲୋନ୍ ସୁବିଧା ଦେଇଥାଏ।

ଉଦାହରଣ ଦ୍ୱାରା ବୁଝନ୍ତୁ

ଧରନ୍ତୁ ଜଣେ ବ୍ୟକ୍ତି ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ ନେଇଛନ୍ତି। ସେଥିପାଇଁ ସେ ପ୍ରତି ମାସରେ ୨ ହଜାର ଟଙ୍କା ପ୍ରିମିୟମ ଭାବେ ଦେଉଛନ୍ତି। ଏହି ପ୍ରିମିୟମର ଗୋଟିଏ ଭାଗ ନିବେଶ ହୋଇଥାଏ ଓ ଏହା ବଦଳରେ କ୍ୟାସ୍ ଭାଲ୍ୟୁ ମିଳିଥାଏ। ଯାହାକୁ ସେ ଉଧାର ଭାବେ କିମ୍ବା ଖର୍ଚ୍ଚ କରିପାରିବେ। ବଳକା ବାଲାନ୍ସ ଡେଥ୍ ବେନିଫିଟ୍ କଭର ପାଇଁ ରହିଥାଏ।

ଟର୍ମ ଓ ହୋଲ୍ ଲାଇଫ୍ ମଧ୍ୟରୁ କେଉଁଟି ଭଲ?

ଟର୍ମ କଭର ହୋଲ ଲାଇଫ୍
ଶସ୍ତା ପ୍ରିମିୟମ ମହଙ୍ଗା ପ୍ରିମିୟମ
ଅବଧି କମ ହୋଇଥାଏ ପୁରା ଜୀବନ
ବୀମା ଅବଧିରେ ମୃତ୍ୟୁ ହେଲେ ଲାଭ ମିଳେ ନିୟମିତ ଲାଭ ମିଳିଥାଏ
ବୀମା ଅବଧିରେ ଜୀବିତ ରହିଲେ କିଛି ମିଳିନଥାଏ ନିୟମିତ ଆୟ ସହ ନୋମିନିଙ୍କୁ ଡେଥ୍ ବେନିଫିଟ୍

 

 ଆପଣଙ୍କ ପାଇଁ କେଉଁଟି ଠିକ୍

ଜଣେ ୨୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଟର୍ମ ଇନସ୍ୟୁରାନ୍ସ ଭଲ। କାରଣ ତାଙ୍କ ବୟସ ହେତୁ ତାଙ୍କୁ କମ ପ୍ରିମିୟମରେ ବଡ଼ କଭରେଜ୍ ମିଳିବ। ବୀମାରେ ଅଧିକ ନିବେଶ ନକରି ସେ ବାକି ଟଙ୍କାକୁ ଅନ୍ୟ ଭଳ ନିବେଶ ଫଣ୍ଡରେ ନିବେଶ କରିପାରିବେ। କିନ୍ତୁ ଯଦି ଜଣେ ବୀମା ସହ ଅତିରିକ୍ତ ନିବେଶ ଚାହୁଁଛନ୍ତି ତେବେ ତାଙ୍କୁ ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ ନେବା ଠିକ୍ ରହିବ।